Top 10 News Headlines: ISIର ପୂର୍ବତନ ମୁଖ୍ୟ ଗିରଫ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Top 10 News Today: ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Top 10 News Today:
01- ପାକିସ୍ତାନ ସେନା ଆଜି ISIର ପୂର୍ବତନ ମୁଖ୍ୟ ଫୈଜ ହମୀଦକୁ ଗିରଫ କରିବାରେ ସଫଳ ହୋଇଛି । ହମୀଦ ବିରୋଧରେ କୋର୍ଟ ମାର୍ଶଲ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ସୂଚନା ମିଳିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପାକିସ୍ତାନ ସେନା ଦ୍ୱାରା କୋର୍ଟ ଅଫ ଇନକ୍ୱାରୀ କରାଯାଇଥିଲା। ହମୀଦ ବିରୋଧରେ ପାକିସ୍ତାନ ସେନା ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଫୈଜଙ୍କ ବିରୋଧରେ ଅତ୍ୟନ୍ତ ସାଂଘାତିକ ଅଭିଯୋଗ ରହିଛି ।
02- ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ରାଙ୍କିଙ୍ଗ ଫ୍ରେମୱାର୍କ ପକ୍ଷରୁ ଆଜି ଦେଶର ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକା ଜାରି କରାଯାଇଛି । ଯେଉଁଥିରେ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗରେ କ୍ରମାଗତ ଭାବେ ଇଞ୍ଜିନିୟରିଂ କ୍ଷେତ୍ରରେ ଅଷ୍ଟମ ଥର ପାଇଁ ଆଇଆଇଟି ମାଡ୍ରାନ ୧ ନମ୍ବର ସ୍ଥାନରେ ରହିଛି। ଏହା ପରେ ଦ୍ୱିତୀୟ ସ୍ଥାନରେ ଅତିଆର କରିଛି ଇଣ୍ଡିଆନ ଇଷ୍ଟିଚ୍ୟୁଟ ଅଫ ସାଇନ୍ସ ବେଙ୍ଗାଲୁରୁ । ସେହିପରି ୩ୟ ସ୍ଥାନରେ ରହିଛି ଆଇଆଇଟି ବମ୍ବେ, ୪ର୍ଥ ସ୍ଥାନରେ ଆଇଆଇଟି ଦିଲ୍ଲୀ, ୫ମ ସ୍ଥାନରେ ଆଇଆଇଟି କାନପୁର, ୬ଷ୍ଠ ସ୍ଥାନରେ ଆଇଆଇଟି ଖଡ଼ଗପୁର, ୭ମ ସ୍ଥାନରେ ଦିଲ୍ଲୀ ଏମ୍ସ,, ୮ମ ସ୍ଥାନରେ ଆଇଆଇଟି ଋକୀ, ୯ମ ସ୍ଥାନରେ ଆଇଆଇଟି ଗୁହାଟୀ, ୧୦ମ ସ୍ଥାନରେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (JNU) ରହିଛି ।
03- କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାତୀୟ ଶିକ୍ଷାନୁଷ୍ଠାନ ଓଭରାଲ ରାଙ୍କିଂର ଟପ୍-୧୦୦ରେ ଓଡ଼ିଶାର ୩ ପ୍ରମୁଖ ଶିକ୍ଷାନୁଷ୍ଠାନ ରହିଛି । ରାଜ୍ୟର ୩ ପ୍ରମୁଖ ଶିକ୍ଷାନୁଷ୍ଠାନ ଭିତରେ ୬୦.୭୩% ସ୍କୋର୍ ସହ ‘ସୋଆ’ ୨୪ତମ ସ୍ଥାନରେ ରହିଛି । ଏଥିସହ ୫୯.୯୪% ସ୍କୋର୍ ସହ ୨୮ତମ ସ୍ଥାନରେ ରହିଛି କିଟ୍ । NIT ରାଉରକେଲା ୫୭.୦୪% ସ୍କୋର୍ ପାଇବା ସହ ୩୪ତମ ସ୍ଥାନରେ ରହିଛି । ଟପ୍-୧୦୦ ବିଶ୍ୱବିଦ୍ୟାଳୟ ମାନ୍ୟତା ତାଲିକାରେ ୧୪ ନମ୍ୱରରେ ସୋଆ, ୧୫ ନମ୍ୱରରେ କିଟ୍ ରହିଛି । NIT ରାଉରକେଲା ଇଞ୍ଜିନିୟରିଂ ମାନ୍ୟତାର ୧୯ ନମ୍ୱରରେ ଥିବା ସମୟରେ ସୋଆ ୨୬ ନମ୍ୱରରେ ଏବଂ କିଟ୍ ୩୭ ନମ୍ୱରରେ ରହିଛି । IIT ଭୁବନେଶ୍ବର ୫୪ ନମ୍ୱର ସ୍ଥାନରେ ରହିଛି । ସିଭି ରମଣକୁ ମିଳିଛି ୯୬ ନମ୍ୱର ସ୍ଥାନ ।
04- ପୂର୍ତ୍ତ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରି ବିପୁଳ ସମ୍ପତ୍ତି ଠାବ କରିଛି । ଭୁବନେଶ୍ୱର ଏବଂ ଝାରସୁଗୁଡ଼ାରେ ୧୦ ଆପାର୍ଟମେଣ୍ଟ। ୭ ଘରବାଡ଼ି ପ୍ଲଟ, ୨କୋଟି ୭୦ ଲକ୍ଷ ଟଙ୍କାର ଜମା ରାଶି, ଦେଢ଼ କେଜି ସୁନା, ୬ ଲକ୍ଷ ଟଙ୍କାର ନଗଦ ରାଶି, ୨ଟି ସୌଖିନ କାର, ବରେଲେକ୍ସ ପରି ଅନେକ ଦାମୀ ହାତଘଣ୍ଟା ଏମିତି ଅନେକ ଜିନିଷ ଜବତ ହୋଇଛି ।
05- ଅଗଷ୍ଟ ୧୭ ଏବଂ ୧୮ ତାରିଖରେ ବିଧାନସଭାରେ ଏକ କର୍ମଶାଳା ହେବାକୁ ଯାଉଛି । ଉକ୍ତ କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ ମଧ୍ୟ କର୍ମଶାଳାରେ ଯୋଗ ଦେଇ ବିଧାୟକମାନଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ବିଧାନସଭା କର୍ମଶାଳା ପୂର୍ବରୁ ଅଗଷ୍ଟ ୧୬ରେ ରାଜ୍ୟ ବିଜେପିର ପ୍ରଥମ କୋର କମିଟି ବୈଠକ ବସିବ ବୋଲି ଖବର ମିଳିଛି ।
06- ଅର୍ଥ ହେରଫେର ଅଭିଯୋଗର ତଦନ୍ତ ପରେ ଓଡ଼ିଶା ସମବାୟ ବ୍ୟାଙ୍କ ପରିଚାଳନା କମିଟି ସଦସ୍ୟ ଓ ସଭାପତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସଭାପତି ପଦରୁ ବିଦା ହୋଇଛନ୍ତି ବିଜେଡି ନେତା ଟି ପ୍ରସାଦ ରାଓ । ଓଡ଼ିଶା ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଏନେଇ ନିର୍ଦ୍ଦେଶନାମା ଜାରି କରିଥିବା ସୂଚନା ମିଳିଛି ।
07- ବିଜେପି ନିଜର ନିର୍ବାଚନ ପ୍ରତିଶୃତି ପାଳନ କରୁନାହିଁ। ଯେଉଁ ଆଶା ଓ ଆକାଂକ୍ଷା ନେଇ ଜନସାଧାରଣ ବିଜେପିକୁ ରାଜ୍ୟରେ ସରକାର ଗଠନ ଲାଗି ବହୁମତ ଦେଇଛନ୍ତି ତାହାକୁ ସମ୍ମାନ ଜଣାଉ ନାହିଁ ସରକାରୀ ଦଳ। ଏପରି ଅଭିଯୋଗ ଆଣିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ। ଏନେଇ ସେ ସାରା ରାଜ୍ୟରେ ଜନ ସଚେତନତା ବୃଦ୍ଧି କରିବେ ବୋଲି କହିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସରକାରୀ ଦଳକୁ ସମାଲୋଚନା କରି ନବୀନ କହିଛନ୍ତି ‘୪୫,୦୦୦ କୋଟି ଟଙ୍କାର ଋଣ ନେଇ ମଧ୍ୟ ଘୋଷଣା ପାଳନ କରାଯାଉ ନାହିଁ। ଏହାର ଅର୍ଥ ବିଜେପିର ପ୍ରତିଶୃତି ପାଣିର ଗାର’।
08- ବ୍ରାହ୍ମଣୀ ନଦୀରେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଛି । ପଟ୍ଟାମୁଣ୍ଡାଇ ଅଳପୁଆ ଗାଁ ନିକଟରେ ଏହି ଅଘଟଣ ଅଭିଯୋଗ ହୋଇଛି । ନଦୀ କୂଳରେ ବାସନ ମାଜିବା ସମୟରେ କୁମ୍ଭୀର ଟାଣିନେଇଥିବା ଜଣାପଡିଛି । ନଦୀ ତୁଠରୁ ମହିଳାଙ୍କ ଚପଲ ସହ ବାସନ, ବାଲ୍ଟି ମିଳିଛି । ଟର୍ଚ୍ଚ ଓ ଠେଙ୍ଗା ଧରି ଗ୍ରାମବାସୀମାନେ ନଦୀ କୂଳରେ ମହିଳାଙ୍କୁ ଠାବ କରିବାକୁ ଉଦ୍ୟମ କରୁଥିବା ଖବର ମିଳିଛି ।
09- ପୂର୍ବତନ ଜେଲ ବିଭାଗର ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ବିତ୍ତିହୋତ୍ର ମହାନ୍ତିଙ୍କର ଗତକାଲି ରାତିରେ ଏମସରେ ପରଲୋକ ହୋଇଯାଇଛି। ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡ଼ିତ ରହି ସେ ଏମସରେ ଚିକିତ୍ସାଧିନ ରହିଥିଲେ। ତେବେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ସୂଚନାଯୋଗ୍ୟ ୨୦୦୬ ମସିହାରେ ଜଣେ ଜର୍ମାନ ସହପାଠୀଙ୍କୁ ଦୁଷ୍କର୍ମ ମାମଲା ପରେ ବିତ୍ତିହୋତ୍ର ଚର୍ଚ୍ଚାରେ ରହିଥିଲେ। ରାଜସ୍ଥାନ ବୁଲିବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିବା ବେଳେ ବିତ୍ତିଙ୍କୁ ରାଜସ୍ଥାନ ପୋଲିସ ଗିରଫ କରିଥିଲା।
10- ରାଜ୍ୟରେ ଜାରି ରହିଛି ବର୍ଷା । ଆଜି ତାଳଚେରରେ ସର୍ବାଧିକ ୩୨.୦ ମିମି ବର୍ଷା ହୋଇଥିବାବେଳେ ବାରିପଦାରେ ୧୪.୬, ଅନୁଗୋଳରେ ୧୩.୦, ବାଲେଶ୍ୱରରେ ୩.୪, ପାରାଦୀପରେ ୨.୯ ମିମି ବର୍ଷା ରେକର୍ଡ କରାଯାଇଛି । ମଙ୍ଗଳବାର ପାଇଁ ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଦେଓଗଡ଼, ଅନୁଗୋଳ, ସୁନ୍ଦରଗଡ଼, ସମ୍ୱଲପୁର, ଝାରସୁଗୁଡା, ବରଗଡକୁ ବଜ୍ରପାତ ହେବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।
Also Read- Lucky Zodiac Sign: ୧୩ ଅଗଷ୍ଟ ବ୍ରହ୍ମା ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ