Top 10 News Headlines


COMMERCIAL BREAK
SCROLL TO CONTINUE READING

1- ପୁଣି ରକ୍ତରଞ୍ଜିତ ହେଲା ମଣିପୁର:  କିଛି ଦିନର ବ୍ୟବଧାନ ପରେ ମଣିପୁରରେ ପୁଣି ହିଂସାକାଣ୍ଡ ହୋଇଥିବା ଖବର ଆସିଛି । ହିଂସାକାଣ୍ଡରେ ଜଣେ କମାଣ୍ଡୋ ଆହତ ହୋଇ ଆସାମ ରାଇଫଲ୍ସ କ୍ୟାମ୍ପରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଅନ୍ୟଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କିଛି ବ୍ୟକ୍ତି ହଠାତ୍ ବନ୍ଧୁକ ଧରି ପୋଲିସକୁ ଟାର୍ଗେଟ୍ କରିଥିଲେ ତାପରେ ଗୁଳି ବର୍ଷା ଆରମ୍ଭ ହୋଇଥିଲା । କେବଳ ସେତିକି ନୁହେଁ ଅଜଣା ବ୍ୟକ୍ତିମାନେ ଦୁଇରୁ ଅଧିକ ସ୍ଥାନରେ ନିଆଁ ମଧ୍ୟ ଲଗାଇଦେଇଥିଲେ । ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି । 


2- ମୁମ୍ୱାଇରେ ବିସ୍ଫୋରଣ ଧମକ ପରେ ହାଇଆଲର୍ଟ: ନୂଆ ବର୍ଷ ପାଳନ ପାଇଁ ସମଗ୍ର ବିଶ୍ୱ ଉତ୍ସବମୁଖର ଥିବା ସମୟରେ କେହିଜଣେ ବ୍ୟକ୍ତି ମୁମ୍ୱାଇ ପୋଲିସକୁ କଲ୍ କରି ବିସ୍ଫୋରଣ କରିବା ନେଇ ଧମକ ଦେଇଛି । ଏହାପରେ ମୁମ୍ୱାଇର ପ୍ରମୁଖ ସ୍ଥାନ ଗୁଡିକରେ ହାଇ ଆଲର୍ଟ ଜାରି କରାଯାଇଛି । ବିଭିନ୍ନ ଜନଗହଳୀପୂର୍ଣ୍ଣ ସ୍ଥାନରେ ପୋଲିସ ପକ୍ଷରୁ କଡା ପାଟ୍ରୋଲିଂ କରାଯିବା ସହିତ ଚେକିଂ ମଧ୍ୟ କଡାକଡି କରାଯାଇଛି । ଏଥିସହିତ ଯେଉଁ ନମ୍ୱରରୁ କଲ୍ ଆସିଥିଲା ଏବଂ କିଏ କଲ୍ କରିଥିଲା ସେନେଇ ଖୋଳତାଡ ଚାଲିଛି ।


3- ନାଭାଲ ଟାସ୍କ ଗ୍ରୁପର ନୂଆ ଆକ୍ସନ: ପୂର୍ବାପେକ୍ଷା ଆହୁରୀ ସଜାଗ ହୋଇଛି ଭାରତୀୟ ନୌସେନା । ଆରବ ସାଗରରେ ବାରମ୍ୱାର ବାଣିଜ୍ୟିକ ଯାହାଜ ଉପରେ ଡ୍ରୋନ ଆକ୍ରମଣ ପରେ ସେଠାରେ ନାଭାଲ୍ ଟାସ୍କ ଗ୍ରୁପକୁ ନିଯୋଜିତ କରାଯାଇଛି । କୌଣସି ଅପରେସନ ଆରମ୍ଭ ହେଲେ ନାଭାଲ ଟାସ୍କ ଫୋର୍ସ କୋଷ୍ଟଗାର୍ଡ ସହ ମିଶି ଲଢେଇ ଆରମ୍ଭ କରିବ ବୋଲି କୁହାଯାଇଛି ।


4- ଗ୍ଲୋଭସ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ତ: ହାରାଷ୍ଟ୍ର ଛତ୍ରପତି ସାମ୍ଭାଜୀନଗରରେ ଭୟାବହ ଅଗ୍ନିକାଣ୍ତ ହୋଇଛି । ଏକ ଗ୍ଲୋଭସ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯିବାରୁ ୬ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି । ଏହି ଭୟଙ୍କର ଅଗ୍ନିକାଣ୍ତରେ ଅନେକ ଆହତ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶନିବାର ବିଳମ୍ବିତ ରାତି ପ୍ରାୟ ୨.୧୫ ମିନିଟ୍ ରେ ଛତ୍ରପତି ସାମ୍ଭାଜୀନଗର ଏମ୍ଆଇଡ଼ିସି କ୍ଷେତ୍ରରେ ଥିବା ଗ୍ଲୋଭସ୍ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ଯ ୬ ଜଣଙ୍କୁ ଉଦ୍ଧାର କରିପାରିନଥିଲା ।


5- ବାଲେଶ୍ୱରରେ ଛୁରାମାଡ: ସହଦେବଖୁଣ୍ଟାର ପୂର୍ବତନ ବିଜେଡି ନେତାଙ୍କୁ ଛୁରାମାଡ ହୋଇଛି । ଆକ୍ରମଣର ଶିକାର ହୋଇଥିବା ନେତା ହେଉଛନ୍ତି ତନ୍ମୟ ମହାନ୍ତି । ଆକ୍ରମଣ ପରେ ସେ ଏପରି ଘଟଣା ପାଇଁ ରେମୁଣା ବିଧାୟକଙ୍କୁ ଦାୟୀ କରିଥିବା ସୂଚନା ମିଳିଛି । ଜଣେ ଠିକାଦାରଙ୍କ ସହ ମିଶି ରେମୁଣା ବିଧାୟକ ଏପରି କାଣ୍ଡ ଘଟାଇଥିବା ସେ ଅଭିଯୋଗ କରିଛନ୍ତି ।


6-  ଜିରୋ ନାଇଟ୍ ଓ ନୂଆବର୍ଷ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି: ନୂଆବର୍ଷ ସେଲିବ୍ରେସନ୍ କୁ ଶୃଙ୍ଖଳିତ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀ ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ଏନେଇ ଭୁବନେଶ୍ବର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି । ୪ ଜଣ ଅତିରିକ୍ତ ଡିସିପି, ୭ ଜଣ ଏସିପି, ୨୪ ଜଣ ଇନ୍ସପେକ୍ଟର ଓ ୮୭ ଏସଆଇ/ ଏଏସଆଇଙ୍କ ସମେତ ମୋଟ ୧୪ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ନେଇ ବ୍ୟବସ୍ଥା କରାଯାଇଛି । ରବିବାର ଅର୍ଥାତ୍ ୩୧ ତାରିଖ ସନ୍ଧ୍ୟା ୭ଟାରୁ ରାତି ୨ଟା ପର୍ଯ୍ୟନ୍ତ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଚେକିଂ ଓ ବ୍ଲକିଂକୁ କଡାକଡି଼ କରାଯିବ ।


7-  ରାଜ୍ୟରେ ଗଡ଼ିଲା ଅମୃତ ଭାରତ, ରେଳ ଷ୍ଟେସନରେ ସ୍ବାଗତ କଲେ ଅପରାଜିତା ଷଡ଼ଙ୍ଗୀ:  ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ଯ ଧାମରୁ ୨ଟି ଅମୃତ ଭାରତ, ୬ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଥିଲେ । ତେବେ ଉଦ୍ଦଘାଟନ ପରେ ରବିବାର ଅର୍ଥାତ୍ ଆଜି ଓଡ଼ିଶା ମଧ୍ଯ ଦେଇ ଗଡ଼ିଛ ଏହି ଟ୍ରେନ୍ । ଅମୃତ ଭାରତ ଏକ୍ସପ୍ରେସ ଭୁବନେଶ୍ବର ଷ୍ଟେସନରେ ପହଁଞ୍ଚିବା ପରେ ସାଂସଦ ଅପରାଜିତା ଷଡ଼ଙ୍ଗୀ , ରାଜ୍ୟସଭା ସାଂସଦ ମୁନ୍ନା ଖାଁ ଓ ସୁଲତା ଦେଓ ଉପସ୍ଥିତ ରହି ଅମୃତ ଭାରତକୁ ସ୍ବାଗତ କରିଥିଲେ। ଏହି ଟ୍ରେନ୍ ଟି ମାଲଦା ଟାଉନରୁ ବେଙ୍ଗଲୁରୁ ମଧ୍ଯରେ ଚଳାଚଳ କରିବ । ତେବେ ଅମୃତ ଭାରତ ଜଳେଶ୍ବର, ବାଲେଶ୍ବର, ସୋର, ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ ଓ ବ୍ରହ୍ମପୁର ଷ୍ଟେସନରେ ରହଣି କରିବ ।


8- ଓଡିଶାରେ ବଢୁଛି କରୋନା, ଆକ୍ରାନ୍ତଙ୍କ ସଂଖ୍ୟା ୧୯କୁ ବୃଦ୍ଧି : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୫ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି। ତେବେ ଏହି ସଂକ୍ରମିତଙ୍କ ମଧ୍ଯରେ ଜଣେ ସୁସ୍ଥ ହୋଇଥିବାରୁ ବର୍ତ୍ତମାନ ଆକ୍ଟିଭ କେସ୍ ୧୮ ରହିଛି । ଜନ ଗହଳିପୂର୍ଣ୍ଣ ସ୍ଥାନରେ ସତର୍କତା ଅବଲମ୍ବନ କରିବାକୁ ସ୍ବାସ୍ଥ୍ୟା ବିଭାଗ ପକ୍ଷରୁ କୁହାଯାଇଛି । ଖାସ୍ କରି ଭିଡ଼ ବା ଗହଳି ସ୍ଥାନକୁ ନ ଯାଇ ଘରେ ରହି ସେଲିବ୍ରେସନ୍ କରିବାକୁ ବିଭାଗ ପକ୍ଷରୁ ନିବେଦନ କରାଯାଇଛି । ଏଥିସହ ଥଣ୍ଡା, ଜ୍ବର, କାଶ ଭଳି ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟିଂ କରାଇବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ ।


9-  ପାଦରେ ଚାଲି ଚାଲି ଗଞ୍ଜାମରୁ ଅଯୋଧ୍ୟା ଯାତ୍ରା: ଗଞ୍ଜାମ ଜିଲ୍ଲା କନିଷି ଅଞ୍ଚଳରୁ ୨ଜଣ ଓଡ଼ିଆ ଯୁବକ ଅଯୋଧ୍ୟାକୁ ପଦଯାତ୍ରା ଆରମ୍ଭ କରିଛନ୍ତି । କନିଷିର ଦୁଇ ସାଙ୍ଗ କୁରେଶ ବେହେରା ଏବଂ ସୋନୁ ବିଷୋୟୀ ନିଜ ଗାଁରୁ ପଦଯାତ୍ରା ମାଧ୍ୟମରେ ଅଯୋଧ୍ୟାକୁ ଯାଇ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବାକୁ ସ୍ଥିର କରିବା ପରେ ପଦଯାତ୍ରା ଆରମ୍ଭ କରିଛନ୍ତି । ଦିନକୁ ୩୫ କିମିରୁ ଉର୍ଦ୍ଧ ରାସ୍ତା ଅତିକ୍ରମ କରିବା ସହ ୪୦ ଦିନ ମଧ୍ୟରେ ସମୁଦାୟ ୧୪ଶହ କିମି ରାସ୍ତା ଅତିକ୍ରମ କରିବାକୁ ଦୁଇ ବନ୍ଧୁ ଯୋଜନା ରଖିଛନ୍ତି । ଏହି ଲମ୍ୱା ପଦଯାତ୍ରା ପାଇଁ ଉଭୟେ ପ୍ରଶାସନର ଅନୁମତି ମଧ୍ୟ ନେଇଛନ୍ତି ।


10- ନୂଆବର୍ଷରେ ବଦଳିବ ପାଣିପାଗ, ଶୀତ ପରେ ଆସୁଛି ବର୍ଷା! : ପଶ୍ଚିମାଝଡ଼ ପ୍ରଭାବରେ ନୂଆବର୍ଷର ପ୍ରାରମ୍ଭରୁ ବର୍ଷା ହେବାର ସମ୍ଭାବନା ରହିଛି। ଜାନୁଆରୀ ସପ୍ତାହ ଶେଷ ବେଳକୁ ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷା ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର  ଆଶଙ୍କା କରିଛି ।  କେନ୍ଦ୍ରର ଅନୁମାନ ଅନୁସାରେ,୫ ତାରିଖରେ ସୁନ୍ଦରଗଡ଼,ମୟୂରଭଞ୍ଜ ଓ କେନ୍ଦୁଝରରେ ବର୍ଷା ହୋଇପାରେ। ସେପଟେ, ରାଜ୍ୟରେ କୁହୁଡି ପ୍ରଭାବ ବୃଦ୍ଧି ପାଉଥିବା ବେଳେ ଶୀତର ପ୍ରକୋପ କମିଛି। ଶନିବାର ଫୁଲବାଣୀ, ରାଉରକେଲା, ନୟାଗଡ ଓ କୋରାପୁଟରେ ୫୦ ଏବଂ ସୋନପୁରରେ ୧୦୦ ମିଟର ଘନ କୁହୁଡି଼ ରେକର୍ଡ଼ କରାଯାଇଛି।


Also Read- ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ମନ ଉଛନ୍ନ, ପାଦରେ ଚାଲି ଚାଲି ଗଞ୍ଜାମରୁ ଅଯୋଧ୍ୟା ଯାତ୍ରା