Top 10 News Today


COMMERCIAL BREAK
SCROLL TO CONTINUE READING

Headlines 01- HMPV ବର୍ତ୍ତମାନ ଭୟ ବଢାଇଛି । ସୋମବାର ଦେଶରେ ତିନୋଟି ମାମଲା ଚିହ୍ନଟ ହେବା ପରେ ଲୋକଙ୍କ ମନରେ ଭୟର ବାତାବରଣ ଦେଖିବାକୁ ମିଳିଛି । ବେଙ୍ଗାଲୁରୁରେ ୨ଜଣ HMPV ସଂକ୍ରମିତ ଚିହ୍ନଟ ପରେ ଆଡଭାଇଜରି ଜାରି କରାଯାଇଛି । ଜନଗହଳି ସ୍ଥାନ ଗୁଡିକରେ ମାସ୍କ ପିନ୍ଧିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ୩ଟି ମାମଲା ମଧ୍ୟରେ ଗୁଜୁରାଟରେ ଗୋଟିଏ ମାମଲା ରହିଛି ।


Headlines 02- କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡା ସନ୍ଧ୍ୟାରେ କହିଛନ୍ତି ଯେ, "ଜାନୁଆରୀ ୪ ରେ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ମିଳିତ ମନିଟରିଂ ମିଟିଂ ଅନୁଷ୍ଠିତ ହୋଇଥିଲା। ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଆମେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛୁ।" ବିଶେଷଜ୍ଞଙ୍କ ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡା ସ୍ପଷ୍ଟ କରିଛନ୍ତି, "HMPV ଏକ ନୂଆ ଭାଇରସ୍ ନୁହେଁ। ଏହା ବହୁ ବର୍ଷ ଧରି ସାରା ବିଶ୍ୱରେ ବ୍ୟାପିଛି।


Headlines 03- ଆଜି ଦିନ ପ୍ରାୟ ୨ଟା ୧୫ ସମୟରେ ଛତିଶଗଡର ନକ୍ସଲ ପ୍ରଭାବିତ ଜିଲ୍ଲା ବିଜେପୁରରେ ବଡ଼ ଧରଣର ଆକ୍ରମଣ କରିଛନ୍ତି ନକ୍ସଲ । IED ବିସ୍ଫୋରଣରେ ୮ ଯବାନଙ୍କ ସମେତ ଜଣେ ଡ୍ରାଇଭର ଶହୀଦ ହୋଇଛନ୍ତି ।  ଯବାନଙ୍କ ଗାଡିକୁ ଟାର୍ଗେଟ୍ କରି IRD ବ୍ଲାଷ୍ଟ କରିଥିଲେ । ଏହି ଘଟଣା କୁଟ୍ରୁ ଅଞ୍ଚଳର ବେଡେରା ସ୍ଥାନରେ ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘଟଣାରେ ଶୋକ ପ୍ରକାଶ କରିବା ସହ କହିଛନ୍ତି ଯେ, ବ୍ୟର୍ଥ ଯିବନି ଯବାନଙ୍କ ବଳିଦାନ ।


Headlines 04- ଛତିଶଗଡ଼ର ସାମ୍ବାଦିକ ମୁକେଶ ଚନ୍ଦ୍ରାକରଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି । ଯେଉଁଥିରୁ ଜଣାପଡିଛି ଯେ, ମୁକେଶଙ୍କୁ ୨ କିମ୍ବା ତା'ଠାରୁ ଅଧିକ ଲୋକ ମିଶି ନିର୍ମମ ଭାବେ ହତ୍ୟା କରିଛନ୍ତି । ଶବ ବ୍ୟବଚ୍ଛେଦ ବେଳେ ମୁକେଶଙ୍କ ମୁଣ୍ଡରେ ୧୫ଟି ହାଡ଼ ଭଙ୍ଗା ଥିବା ଦେଖିବାକୁ ମିଳିଥିଲା। ତାଙ୍କ ବେକ ଭାଙ୍ଗି ଯାଇଥିଲା ଏବଂ ତାଙ୍କ ଶରୀରରୁ ହୃଦୟ ବାହାରିଯାଇଥିଲା। ଯକୃତ ୪ ଖଣ୍ଡ ହୋଇଯାଇଥିଲା। ଛାତି ପଞ୍ଜରା ର ୫ଟି ହାଡ଼ ଭାଙ୍ଗିଯାଇଥିଲା। ଡାକ୍ତରମାନେ କହିଛନ୍ତି ଯେ ସେମାନେ ତାଙ୍କ ୧୨ ବର୍ଷର କ୍ୟାରିୟରରେ ଏଭଳି ଘଟଣା କେବେ ଦେଖିନଥିଲେ।


Headlines 05- ଜାନୁଆରୀ ୮ରୁ ୧୦ ପର୍ଯ୍ୟନ୍ତ ୨ ଦିନ ପାଇଁ ଟ୍ରାଫିକ୍ ଆଡଭାଇଜରି ଜାରି କରିଛି କମିଶନରେଟ୍ ପୋଲିସ । ପ୍ରବାସୀ ଭାରତୀୟ ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ପାଇଁ ଟ୍ରାଫିକ ଆଡଭାଇଜରି ଜାରି କରାଯାଇଛି । ନିର୍ଦ୍ଦିଷ୍ଟ ସମୟ ଓ ଅଞ୍ଚଳ ପାଇଁ ଟ୍ରାଫିକ କଟକଣା ଜାରି ହୋଇଛି । ୮ ତାରିଖ ସନ୍ଧ୍ୟା ୭ଟା୫୦ରୁ ୮ଟା୨୦ ପର୍ଯ୍ୟନ୍ତ ଏୟାରପୋର୍ଟ ଛକ- ହସ୍ପିଟାଲ ଛକ, ଏଜି ଛକ, ବାମ ମୋଡ, ରାଜଭବନ ରାସ୍ତା ବନ୍ଦ ରହିବ ।


Headlines 06- ମାତ୍ର ଗୋଟିଏ ଦିନ ପରେ ପ୍ରବାସୀ ଭାରତୀୟ ସମ୍ମିଳନୀ । ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ସାରା ବିଶ୍ୱରୁ ଆସି ଏକାଠି ହେଉଛନ୍ତି ସାଢ଼େ ୩ ହଜାରରୁ ଅଧିକ NRI । ସମସ୍ତ ଅତିଥିଙ୍କୁ ସ୍ୱାଗତ ଅପେକ୍ଷାରେ ରହିଛି ଜନତା ମଇଦାନ । ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବାକୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର । 


Headlines 07- ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାୟଗଡ଼ା ରେଳ ଡିଭିଜନ୍ ବିଲଡିଂର ଶିଳାନ୍ୟାସ କରିଛନ୍ତି । ଜନଜାତି ସଂପ୍ରଦାୟ ବେଶି ଉପକାର ପାଇବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।  ନୂଆଦିଲ୍ଲୀରେ ରହି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ରେଳ ମଣ୍ଡଳ ଭବନର ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ ।


Headlines 08- ଦରଦାମ ବୃଦ୍ଧି ସହ ବିଭିନ୍ନ କଥାକୁ ନେଇ ଭୁବନେଶ୍ବର ଲୋୟର ପିଏମଜିରେ ବିକ୍ଷୋଭ କରିଛି ବିଜେଡି । ନିର୍ବାଚନରେ ହାରିବା ପରେ ବିଜେଡିର ଏହା ପ୍ରଥମ ସମାବେଶ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମେତ ଅନେକ ବିଧାୟକ, ବରିଷ୍ଠ ନେତା ଓ କର୍ମୀ ସଭାରେ ଉପସ୍ଥିତ ରହିଥିଲେ । ଦରଦାମ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ ଦଳ ଦାୟୀ କରିଛି ।


Headlines 09- ସମ୍ୱଲପୁର ଧନକଉଡ଼ା ଅଞ୍ଚଳର ୨ ବରିଷ୍ଠ ବିଜେପି‌ ନେତାଙ୍କୁ ହତ୍ୟା କରାଯିବା ଘଟଣାରେ ନୂଆ ମୋଡ ସାମ୍ନାକୁ ଆସିଛି । କାରକୁ ଜାଣିଶୁଣି ଧକ୍କା ଦେଇଥିଲା ହାଇୱା । ଏନେଇ ଏସପି କହିଛନ୍ତି ଯେ, ଡ୍ରାଇଭର ଜାଣିଶୁଣି ଧକ୍କା ଦେଇଥିବା କଥା ମାନିଛି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡ୍ରାଇଭର କହିଛି ଯେ, ମୁଁ ପାପ କରିଛି ।


Headlines 10- ପୁରୀ କୃଷ୍ଣପ୍ରସାଦ ବ୍ଲକ୍‌ରେ ବାର୍ଡ ଫ୍ଲୁ ସନ୍ଦେହ କରାଯାଉଛି । ବିଭିନ୍ନ କୁକୁଡ଼ା ଫାର୍ମରେ ବହୁ ସଂଖ୍ୟାରେ କୁକୁଡ଼ା ମରିଥିବା ସୂଚନା ମିଳିଛି । କିଛି ସ୍ଥାନରେ କାଉ ସହ ଅନ୍ୟ ପକ୍ଷୀ ମରି ପଡ଼ିଥିବାରୁ ସନ୍ଦେହ ବଢ଼ିଛି ।