Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Top 10 News Today: ବରିଷ୍ଠ ନେତା ଦାମୋଦର ରାଉତଙ୍କ ଦେହାନ୍ତ... ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Top 10 News Today:
1. ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଡା. ଦାମୋଦର ରାଉତଙ୍କ ଦେହାନ୍ତ ହୋଇଛି। ଗତକାଲି ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କିମ୍ସ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଆଜି ସକାଳ ୫ଟା ୨୩ ମିନିଟ ସମୟରେ ତାଙ୍କ ଦେହାନ୍ତ ହୋଇଥିବା ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି। ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ଗତକାଲି ତାଙ୍କୁ ଚିକିତ୍ସା ସେବା ଦେବାରେ ଡାରକ୍ତରଖାନା କର୍ତ୍ତୃପକ୍ଷ ଅବହେଳା କରିଥିବା ନେଇ ଡା. ରାଉତଙ୍କ ପୁଅ ସମ୍ବିତ ଅଭିଯୋଗ ଆଣିଛନ୍ତି। କ୍ୟାପିଟାଲ୍ ହସ୍ପିଟାଲ୍ ବିରୁଦ୍ଧରେ ଏହି ଅଭିଯୋଗ କରିଛନ୍ତି। ତେବେ ଏହାକୁ ଖଣ୍ଡନ କରିଛନ୍ତି କ୍ୟାପିଟାଲ୍ ହସ୍ପିଟାଲ୍ କର୍ତ୍ତୃପକ୍ଷ।
2. ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ଙ୍କ ଗିରଫ ବିରୁଦ୍ଧରେ ଆବେଦନକୁ ସୁପ୍ରିମକୋର୍ଟ ଶୁଣାଣି କରିବେ। ଗତକାଲି ତାଙ୍କୁ ଇଡି ଦିଲ୍ଲୀ ମଦ ଦୁର୍ନୀତି ଅଭିଯୋଗରେ ଗିରଫ କରିଥିଲେ। ୯ ଥର ସମନ ପରେ ଶ୍ରୀ କେଜ୍ରିଓ୍ୱାଲ୍ ଇଡି ଆଗରେ ଉପସ୍ଥିତ ନ ହେବାରୁ ଗୁରୁବାର ରାତି ୯ଟାରେ ତାଙ୍କୁ ଗିରଫ କରାଯାଇଥିଲା। ଏହି ମାମଲାରେ ୧୦୦ କୋଟି ଟଙ୍କାର ହେରାଫେରି ହୋଇଥିବା ଅଭିଯୋଗ ରହିଛି।
3. ଗିରଫ ପୂର୍ବରୁ ଶ୍ରୀ କେଜ୍ରିଓ୍ୱାଲ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ ଆନ୍ତରୀଣ ଜାମିନ ପାଇଁ ମଧ୍ୟ ଆବେଦନ କରିଥିଲେ। କିନ୍ତୁ ସେଥିରେ ତାଙ୍କୁ ମୁକ୍ତି ମିଳି ନଥିଲା।
4. ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୂର୍ବରୁ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଶ ସିସୋଦିଆ ଏବଂ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲେ। ଏହା ସହ ଗତ ସପ୍ତାହରେ ବିଆର୍ଏସ୍ ନେତା କେ କବିତାଙ୍କୁ ମଧ୍ୟ ଏହି ନୀତି ପ୍ରଣୟନ ଲାଗି ଅର୍ଥ ହେରଫେର ମାମଲାରେ ଜଡ଼ିତ ଥିବା ଇଡି ଅଭିଯୋଗ କରିଛି।
5. ନିର୍ବାଚନର ଅବ୍ୟବହିତ ପୂର୍ବରୁ ଏପରି ଗିରଫତାରୀ ରାଜନୀତିକୁ ସରଗରମ କରିଛି। କଂଗ୍ରେସ ଏବଂ ଇଣ୍ଡିଆ ମେଣ୍ଟର ସଦସ୍ୟମାନେ ଏହାକୁ ନିନ୍ଦା କରିଛନ୍ତି। ଡରି ଯାଇଥିବା ଏକଛତ୍ରବାଦୀର ଏହା କାର୍ଯ୍ୟକଳାପ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି। ଆଜି ଏହି ପ୍ରସଙ୍ଗକୁ ଭିତ୍ତିକରି ସାରା ଦେଶରେ ବିେରାଧ ପ୍ରଦର୍ଶନ କରିବାକୁ ଆପ୍ ନିଷ୍ପତ୍ତି ନେଇଛି।
6. ଦିଲ୍ଲୀରେ ଏବେ କିଏ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ଚର୍ଚ୍ଚା ଚାଲିଛି। ଅରବିନ୍ଦଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ଆତିଶୀ ସିଂହ କହିଛନ୍ତି ସେ ଜେଲ୍ରୁ ଥାଇ ରାଜ୍ୟ ପରିଚାଳନା କରିବେ। ସେ ଇସ୍ତଫା ଦେବେ ନାହିଁ ବୋଲି କହିଛନ୍ତି ଆତିଶି।
7. ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଷ୍ଟେଟ୍ ବ୍ୟାଙ୍କ ନିର୍ବାଚନୀ ବଣ୍ଡ ସମ୍ପର୍କିତ ସମସ୍ତ ତଥ୍ୟକୁ ନିର୍ବାଚନ କମିଶନଙ୍କୁ ହସ୍ତାନ୍ତର କରିଛନ୍ତି। ଏହାକୁ କମିଶନ ମଧ୍ୟ ସାର୍ବଜନୀନ କରିଛନ୍ତି। ଏହି ତଥ୍ୟକୁ ଆଧାର କରି କେଉଁ ବ୍ୟକ୍ତି କେଉଁ ଦଳକୁ କେତେ ଟଙ୍କା ଦେଇଛନ୍ତି ତାହା ଜଣାପଡ଼ିବ। ପୂର୍ବରୁ ବ୍ୟାଙ୍କ ପକ୍ଷରୁ କ୍ରତାଙ୍କ ବିବରଣୀ ଓ ବିଭିନ୍ନ ଦଳକୁ ମିଳିଥିବା ରାଶି ପୃଥକ ପୃଥକ ଭାବେ ଉପସ୍ଥାପନ କରିଥିଲେ। କିନ୍ତୁ କୋର୍ଟ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।
8. ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ତାଙ୍କ ନାଁରେ ଥିବା ଗିରଫ ପାରଓ୍ୱାନାରୁ ଆଶ୍ୱସ୍ତି ଲାଭ କରିଛନ୍ତି। ତାଙ୍କ ବିରୁଦ୍ଧରେ ୨୦୧୧ ମସିହାରେ ପୁଲିସ କର୍ମୀଙ୍କୁ ଦୁର୍ବ୍ୟବହାର ମାମଲାରେ କୋର୍ଟ ଗିରଫ ପରଓ୍ୱାନା ଜାରି କରିଥିଲେ। କୋର୍ଟରେ ହାଜର ନହେବା କାରଣରୁ ତାଙ୍କ ବିପକ୍ଷରେ କୋର୍ଟ ଏହି ନିଷ୍ପତ୍ତି ନେଇଥିଲେ। ଏବେ ସେ କୋର୍ଟଙ୍କ ପାଖରେ ନିଜକୁ ହାଜର କରାଇ ଏହି ଗିରଫ ପରଓ୍ୱାନା ଉପରେ ରୋକ ଲଗାଇବାକୁ ଅନୁେରାଧ କରିଥିଲେ। ଏବେ ତାଙ୍କ ବିରୁଦ୍ଧରେ ଥିବା ଅଭିଯୋଗର ଶୁଣାଣି ହେବ।
9. ଆଜିଠାରୁ ଆଇପିଏଲ୍ ଆରମ୍ଭ ହେବାକୁ ଯାଉଛି। ଚେନ୍ନାଇରେ ଏହି ଲିଗ୍ର ପ୍ରଥମ ମ୍ୟାଚ୍ ଖେଳାଯିବ। ଚେନ୍ନାଇ ସୁପର କିଙ୍ଗ୍ସ ବିରୁଦ୍ଧରେ ରୟାଲ୍ ଚାଲେଞ୍ଜର୍ସ ବେଙ୍ଗାଳୁରୁ ଏହି ମ୍ୟାଚ୍ ଖେଳିବ। ରାତି ଆଠଟାରୁ ମ୍ୟାଚ୍ ଆରମ୍ଭ ହେବ। କିନ୍ତୁ ସନ୍ଧ୍ୟା ସେଢ଼ ୬ଟାରୁ ଉଦ୍ଘାଟନୀ ଆରମ୍ଭ ହେବ ବୋଲି ସୂଚନା ମିଳିଛି।
10. ପୂର୍ବତନ ସାଂସଦ ଜୟରାମ ପାଙ୍ଗୀଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରଓ୍ୱାନା ଜାରି କରାଯାଇଛି। ନୟାଗଡ଼ ଜିଲ୍ଲା ରାଜସୁନାଖଳା ଅଞ୍ଚଳର ଗୋପାଳକୃଷ୍ଣ ଜେନାଙ୍କଠାରୁ ୮୬ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। କୋର୍ଟ ଏ ବାବଦରେ ବିଚାର କରି ତାଙ୍କୁ ତୁରନ୍ତ ଗିରଫ କରିବାକୁ ପୁଲିସକୁ ଆଦେଶ ଦେଇଛନ୍ତି। ସେହିପରି ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ମଧ୍ୟ କୋର୍ଟ ନୋଟିସ ଜାରି କରିଛନ୍ତ। ଚିଟ୍ଫଣ୍ଡ ମାମଲାରେ ତାଙ୍କୁ ନୋଟିସ ହୋଇଛି। ନବଦିଗନ୍ତ କ୍ୟାପିଟାଲ୍ ସର୍ଭିସ ପ୍ରାଇଭେଟ୍ ଲିମିଟେଡ୍ ଦୁର୍ନୀତି ମାମଲାରେ ଶ୍ରୀ ହାଁସଦାଙ୍କୁ ଗିରଫ କରାଯାଇଥିଲା। ଏହାପରେ ସେ ସେଥିରୁ ମୁକୁଳିଥିଲା। ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ ତାଙ୍କୁ ସମସ୍ତ ମାମଲାରୁ ମୁକ୍ତି ଦେଇଥିଲେ। କିନ୍ତୁ ଏହା ବିରୁଦ୍ଧରେ ହାଇକୋର୍ଟରେ ମାମଲା ହେବାରୁ ହାଇକୋର୍ଟ ତାଙ୍କ ବିରୁଦ୍ଧରେ ନୋଟିସ ଜାରି କରିଛନ୍ତି।