ଆଜିଠୁ ତିନିଦିନିଆ ଗସ୍ତରେ ମହାମହିମ ରାଷ୍ଟ୍ରପତି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ତିନିଦିନିଆ ଗସ୍ତ କାଳରେ ମହାମହିମ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଗସ୍ତକାଳରେ ବାରିପଦା, ରାଇରଙ୍ଗପୁର, ପାହାଡ଼ପୁର, ବାଦାମପାହାଡ଼, ସମ୍ବଲପୁର ଓ ବୁର୍ଲାରେ ଆୟୋଜିତ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତିଙ୍କ ଗସ୍ତ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ଚଳଚଞ୍ଚଳ ହୋଇ ଉଠିଛି ସମଗ୍ର ମୟୂରଭଞ୍ଜ ଜିଲ୍ଲା। ପ୍ରଥମେ ବାରିପଦାରେ ସହିଦ ସ୍ମୃତି ଭବନରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ବାରିପଦା ସହିଦ ସ୍ମୁତି ଭବନ ଠାରେ ଅନୁଷ୍ଠିତ ହେବାକୁ ଥିବା 'ଅଲ ଇଣ୍ଡିଆ ସାନ୍ତାଳୀ ରାଇଟର୍ସ ଆସୋସିଏସନ' ର ୩୬ ତମ ବାର୍ଷିକ ସମ୍ମିଳନୀରେ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। 


COMMERCIAL BREAK
SCROLL TO CONTINUE READING

ଆଜି ନାମାଙ୍କନ, ଆସନ୍ତାକାଲି ନିର୍ବାଚନ
ଓଡ଼ିଶା ବିଧାନସଭା ଉପବାଚସ୍ପତି ନିର୍ବାଚନ ପାଇଁ ଆଜି ହେବ ନାମାଙ୍କନ ଦାଖଲ  । ଆସନ୍ତାକାଲି ଉପବାଚସ୍ପତି ପଦ ପାଇଁ ନିର୍ବାଚନ ହେବ । ଗତ ୮ ତାରିଖରେ ଉପବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ରଜନୀକାନ୍ତ ସିଂହ। ୨୦୧୯ ମସିହାରୁ ଉପବାଚସ୍ପତି ଭଳି ସାମ୍ବିଧାନିକ ପଦରେ ଥିବାରୁ ସଂଗଠନକୁ ଗୁରୁତ୍ୱ ଦେଇପାରୁନଥିଲେ ରଜନୀକାନ୍ତ । ବାଚସ୍ପତିଙ୍କୁ ଇସ୍ତଫା ପତ୍ର ଦେବା ପରେ ନିଜ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ ଅନୁଗୁଳର ସଂଗଠନ ଦାୟିତ୍ୱ ନେବେ ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଥିଲେ । ସେପଟେ ଆଜି ନାମାଙ୍କନ ଦାଖଲ ଥିବା ବେଳେ ଶାସକ ଦଳ ପାଇଁ କଣ୍ଟା ହେଲା ପ୍ରାର୍ଥୀ ଚୟନ। ବାଚସ୍ପତି ଉପକୂଳ ଓଡ଼ିଶାରୁ ହୋଇଥିବା ବେଳେ ଉପବାଚସ୍ପତି ପଶ୍ଚିମ କିମ୍ବା ଉତ୍ତର ଓଡ଼ିଶାରୁ ଚୟନ କରାଯିବା ନେଇ ଚର୍ଚ୍ଚା ଜୋର ଧରିଛି । ବାଚସ୍ପତି ବରିଷ୍ଠ ଥିବା ବେଳେ ଉପବାଚସ୍ପତି ରେସ୍ ପାଇଁ ଯୁବ ଚେହେରାକୁ ଭରସି ପାରେ ଦଳ ବୋଲି କୁହାଯାଉଛି।


ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ୨ଦିନ ବର୍ଷା 
ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଫଳରେ ଆଜି ଓ ଆସନ୍ତାକାଲି କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆଶଙ୍କା କରାଯାଉଛି । ସୂଚନା ଅନୁଯାୟୀ, ପଶ୍ଚିମା ଝଡ଼ ଓ ପୂର୍ବାଳୀ ତରଙ୍ଗାୟିତ ବାୟୁ ପ୍ରବାହ ପ୍ରଭାବରେ ରାଜ୍ୟରେ ସୋମବାର ଓ ମଙ୍ଗଳବାର ପାଗ ମେଘୁଆ ରହିବା ସହ ହାଲୁକା ବର୍ଷା ହେବା ନେଇ ସମ୍ଭାବନା ରହିଛି । ସୋମବାର କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିପରି ୨୧ ତାରିଖ ଦିନ ଗଜପତି, ଗଞ୍ଜାମ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଭଦ୍ରକ ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।


ଖୋଲିଲା ପୁରୁଣା ଫାଇଲ୍ !
ଦୀର୍ଘ ଦିନ ପରେ ପୁଣିଥରେ ଖୋଲିଲା କ୍ରାଇମ ଫାଇଲ । ଭୁବନେଶ୍ୱରର ଏକ ଘରୋଇ ହୋଟେଲେ ରେ ଯୁକ୍ତଦୁଇ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ସନ୍ଦେହ ଜନକ ମୃତ୍ୟୁ ନେଇ NHRC ଙ୍କ ନୋଟିସ୍ । ୮ ସପ୍ତାହ ମଧ୍ୟରେ ଏହି ମାମଲାର ତଦନ୍ତ ସାରି ରିପୋର୍ଟ ଦେବାକୁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ଜାତୀୟ ମାନବାଧିକାର କମିଶନ ।  ଏହି ସଙ୍ଗୀନ ମାମଲାରେ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ମୃତ ଛାତ୍ରୀଙ୍କ ପରିବାର ବର୍ଗ । ସୂଚନାନୁସାରେ ଗତ ଅଗଷ୍ଟ ମାସରେ ଭଦ୍ରକ ଜିଲ୍ଲାର ଯୁକ୍ତଦୁଇ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ମୃତଦେହ ଲକ୍ଷ୍ମୀସାଗରର ଏକ ହୋଟେଲରୁ ଉଦ୍ଧାର ହୋଇଥିଲା । ଏହାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ପୋଷ୍ଟମର୍ଟମ ରିପୋର୍ଟରୁ ଶୁଭଲକ୍ଷ୍ମୀ ଶ୍ୱାସରୁଦ୍ଧ କାରଣରୁ ମୃତ୍ୟୁବରଣ କରିଥିଲେ ବୋଲି ସ୍ପଷ୍ଟ ହେବା ପରେ ପରିବାର ଲୋକେ ଲକ୍ଷ୍ମୀସାଗର ଥାନାରେ ଏକ ମାମଲା ରୁଜୁ କରିଥିଲେ।  


ଆଜି ଛଠ୍ ପୂଜାର ଶେଷ ପର୍ଯ୍ୟାୟ
ଉତ୍ତର ଭାରତର ଗଣପର୍ବ ଛଠ୍ ପୂଜାର ଆଜି ହେଉଛି ଶେଷ ଦିନ । ଏନେଇ ନଦୀ ଘାଟରେ ଦେଖିବାକୁ ମିଳିଛି ବିହାରୀ ସମ୍ପ୍ରଦାୟଙ୍କ ଭିଡ଼ । ଅତି ନିଷ୍ଠାର ସହ ପାଳନ ହେଇଥିବା ଏହି ପର୍ବର ଆଜି ହେଉଛି ଅନ୍ତିମ ଦିନ। କାର୍ତ୍ତିକ ମାସର ଶୁକ୍ଳ ପକ୍ଷର ଚତୁର୍ଥୀ ତିଥିରୁ ଦେବୀ ଛଠ୍ ମାତାଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥାଏ । ଏହା ପରେ ସପ୍ତମୀ ତିଥି ସକାଳ ଯାଏ ଚାଲିଥାଏ ପୂଜା । ଶୁକ୍ଲ ପକ୍ଷର ଚତୁର୍ଥୀ ତିଥିରେ ଗାଧୋଇବା-ଖାଇବା ନୀତି ପାଳନ ହୋଇଥାଏ । ଏଥିରେ ବ୍ରତଧାରୀଙ୍କ ମନ ଓ ତନ ଶୁଦ୍ଧ ରହିବା ଦରକାର । ଏହି ଦିନରେ ବ୍ରତଧାରୀ ସାଧା ଭୋଜନ ଗ୍ରହଣ କରିଥାନ୍ତି । ଶୁକ୍ଳ ପକ୍ଷ ପଞ୍ଚମୀ ତିଥିକୁ ଖରନା ନୀତି ପାଳନ କରାଯାଏ । ବ୍ରତଧାରୀ ଦିନସାରା ଉପବାସ ପାଳନ କରିବା ପରେ ସଂଧ୍ୟାରେ ଗୁଡରେ ନିର୍ମିତ ଖିରି ପ୍ରଥମ ଛଠ୍ ମାତାଙ୍କୁ ଅର୍ପଣ କରାଯାଇ ପରେ ପ୍ରସାଦ ଭାବେ ଗ୍ରହଣ କରିଥାନ୍ତି । ସେହିପରି ଷଷ୍ଠୀ ତିଥିରେ ଦିନ ସାରା ଉପବାସ ରହି ସନ୍ଧ୍ୟାରେ ଅସ୍ତ ହେଉଥିବା ସୂର୍ଯ୍ୟଦେବଙ୍କୁ କୌଣସି ନଦୀକୂଳ କିମ୍ବା ପୋଖରୀରେ ଅର୍ଘ୍ୟ ପ୍ରଦାନ କରାଯାଇଥାଏ । ସପ୍ତମୀ ତିଥିରେ ସୂର୍ଯ୍ୟ ଉଦୟ ସମୟରେ ନଦୀକୂଳ କିମ୍ବା ପୋଖରୀରେ ଛିଡା ହୋଇ ଅର୍ଘ୍ୟ ପ୍ରଦାନ କରାଯାଇଥାଏ ।


ଟନେଲରେ ଫସିଛି ଜୀବନ 
ଉତ୍ତରାଖଣ୍ଡ ଉତରକାଶୀରେ ଫସି ରହିଥିବା ଶ୍ରମିକଙ୍କୁ ଏ ଯାଏଁ ଉଦ୍ଧାର କରାଯାଇପାରିନାହିଁ । ଉଦ୍ଧାର ପାଇଁ ଅପରେସନ ଜିନ୍ଦେଗୀ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି ସ୍ଥାନୀୟ ସରକାର । ଏଥିପାଇଁ ଅଷ୍ଟ୍ରେଲିଆର ଜଣେ ମାଇକ୍ରୋ ଟନେଲ ବିଶେଷଜ୍ଞ ଉତରକାଶୀ ପହଞ୍ଚିସାରିଛନ୍ତି । ଯୋଜନା ଅନୁସାରେ ଟନେଲ ଉପରୁ କଟାଯାଇ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରାଯିବ । ଟନେଲ ଭିତରୁ ଶ୍ରମିକଙ୍କୁ ଏୟାରଲିଫ୍ଟ କରିବାକୁ ଯୋଜନା ରହିଛି । ପ୍ଲାନ୍-ବି ପାଇଁ ରେଲୱେ ଓ ନରୱେର ଏକ୍ସପର୍ଟ ଟିମ୍ ମଧ୍ୟ କାମ କରୁଥିବା ଜଣାଯାଇଛି । ସେପଟେ ଘଟଣାସ୍ଥଳରେ ଉପସ୍ଥିତ ରହି ପ୍ରତିଟି ପରିସ୍ଥିତି ଉପରେ ନଜର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ । ସୁରକ୍ଷିତ ଭାବେ କେମିତି ଶ୍ରମିକଙ୍କୁ ଉଦ୍ଧାର କରାଯିବ ସେନେଇ ଜୋରଦାର ପ୍ରୟାସ ଚାଲିଛି।


ଭାରତ ଓ ଅଷ୍ଟ୍ରେଲିଆ ମନ୍ତ୍ରୀସ୍ତରୀୟ ବୈଠକ
ଆଜି ଭାରତ ଓ ଅଷ୍ଟ୍ରେଲିଆ ମନ୍ତ୍ରୀସ୍ତରୀୟ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଏହି ବୈଠକରେ ପ୍ରତିରକ୍ଷା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବାକୁ ଯାଉଛି । ଏହି ​‌ବୈଠକରେ ଭାରତ ତରଫରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କର ଯୋଗ ଦେବାକୁ ଥିବା ବେଳେ ଅଷ୍ଟ୍ରେଲିଆ ତରଫରୁ ଉପପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ବିଭାଗ ଦାୟିତ୍ବରେ ଥିବା ରିଚାର୍ଡ ମାର୍ଲେସ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ପେନି ୟୋଙ୍ଗ ଯୋଗ ଦେବେ। ବୈଠକରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଥିବା ସମ୍ପର୍କକୁ ସୁଦୃଢ଼ କରିବା ପ୍ରସଙ୍ଗରେ ଚର୍ଚ୍ଚା ହେବ। ଏଥିସହ ଦ୍ବିପାକ୍ଷିକ, ପ୍ରାନ୍ତୀୟ ଓ ବିଶ୍ବସ୍ତରରେ ଥିବା ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ରିଚାର୍ଡ ମାର୍ଲେସଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।


ଯୁଦ୍ଧ ମଧ୍ୟରେ ଭାରତର ମହାନତା
ଇସ୍ରାଏଲ ଓ ହମାସ ମଧ୍ୟରେ ଲାଗିଥିବା ଯୁଦ୍ଧ ଭିତରେ ଭାରତ ତରଫରୁ ପାଲେଷ୍ଟାଇନକୁ ମାନବୀୟ ସହାୟତା ଦିଆଯାଇଛି । ଏହି କ୍ରମରେ ଭାରତ ତରଫରୁ ୩୨ ଟନ୍ ନିତ୍ୟାବଶକୀୟ ସାମଗ୍ରୀ C୧୭ ଏୟାରକ୍ରାଫ୍ଟ ସହାୟତାରେ ମିଶର ପଠାଯାଇଛି । ସେପଟେ ମିଳିତ ଜାତିସଂଘ କହିଛି କି ଅଲସିଫା ହସ୍ପିଟାଲରେ ଏବେ ବି ୨୫ ଜଣ କର୍ମଚାରୀ, ୨୯୧ ଜଣ ରୋଗୀ ଓ ୩୨ ଜଣ ନବଜାତ ଶିଶୁ ରହିଛନ୍ତି । ଏହି ପିଲାମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଘୋଷଣା କରିଛି କି, ଗାଜାର ଅଲସିଫା ହସ୍ପିଟାଲ ଏବେ ମୃତ୍ୟୁର ଯନ୍ତା ପାଲଟିଯାଇଛି । ଆମେରିକା ଗଣମାଧ୍ୟମ ୱାଶିଂଟନ୍ ପୋଷ୍ଟ ନିଜ ରିପୋର୍ଟରେ ଦାବି କରିଛି କି, ଇସ୍ରାଏଲ ଆମେରିକା ଓ ହମାସ ମଧ୍ୟରେ ବନ୍ଧକମାନଙ୍କୁ ମୁକୁଳାଇବାକୁ ଖୁବଶୀଘ୍ର ଚୁକ୍ତି ହେବ । ରିପୋର୍ଟ ମୁତାବକ କତାର ମାଧ୍ୟମରେ ଏହି ଚୁକ୍ତି ହେବାକୁ ଯାଉଛି । ଏଥିରେ ବନ୍ଧକମାନଙ୍କୁ ଛାଡିବା ପାଇଁ ୫ ଦିନ ଯୁଦ୍ଧ ବିରତି ଘୋଷଣା କରାଯାଇପାରେ । 


କଙ୍ଗାରୁ ଟିମ୍ ଛଡ଼ାଇନେଲା ଟ୍ରଫି
କୋଟି କୋଟି ଭାରତୀୟ ପ୍ରଶଂସକଙ୍କ ସ୍ୱପ୍ନ ଭାଙ୍ଗିଯାଇଛି । ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ ର ଫାଇନାଲ୍ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତୀୟ ଦଳକୁ ୬ ୱିକେଟରେ ପରାସ୍ତ କରିଛି । ଅଷ୍ଟ୍ରେଲିଆର ଏହି ବିଜୟରେ ହିରୋ ବାମହାତୀ ଓପନର୍ ଟ୍ରାଭିସ୍ ହେଡ୍ ୧୩୭ ରନର ଚମତ୍କାର ଇନିଂସ ଖେଳି ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିଲେ । ଏହା ବ୍ୟତୀତ ଲାବୁସାଗ୍ନେ ୫୮ ରନ୍ ସ୍କୋର କରିଥିଲେ । ଟାଇଟଲ ମ୍ୟାଚରେ ଅଷ୍ଟ୍ରେଲିଆ ଆରମ୍ଭରୁ ଭାରତ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲା । ଏହା ଅଷ୍ଟ୍ରେଲିଆର ଷଷ୍ଠ ଦିନିକିଆ ବିଶ୍ୱକପ୍ ଟାଇଟଲ୍ ଥିଲା । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୫୦ ଓଭରରେ ୨୪୦ ରନ୍ ସ୍କୋର କରିଥିଲା । ୨୪୧ ରନ୍‌ର ଲକ୍ଷ୍ୟକୁ ପିଛାକରି ଅଷ୍ଟ୍ରେଲିଆ ୪୩ ଓଭରରେ ମ୍ୟାଚ ଜିତି ନେଇଥିଲା ।


ପୂରା ଟୁର୍ଣ୍ଣାମେଣ୍ଟର ଷ୍ଟାର ଖେଳାଳି
ଏହି ଟୁର୍ଣ୍ଣାମେଣ୍ଟରେ ଅନେକ ମାଇଲ୍ ଷ୍ଟୋନ ଦେଖିବାକୁ ମିଳିଛି। ପୂରା ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ୍ କରିବାରେ ରେକର୍ଡ କରିଛନ୍ତି ବିରାଟ କୋହଲି । ରନ୍ ସ୍କୋର ୭୬୫ । ସେହିପରି ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର ନିଜ ନାମରେ ସାମିଲ କରିଛନ୍ତି ଅଷ୍ଟ୍ରେଲିଆ କ୍ରିକେଟର ଗ୍ଲେନ୍ ମାକ୍ସୱେଲ ୨୦୧ । ସର୍ବାଧିକ ଶତକ ହାସଲ କରିଛନ୍ତି ସାଉଥ ଆଫ୍ରିକା କ୍ରିକେଟର Quinton de Kock ।୪ ଟି ଶତକ ନିଜ ନାମରେ କରିନେଇଛନ୍ତି ଏହି କ୍ରିକେଟର । ସେହିପରି ଏହି ପୂରା ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ଛକା ମାରିଛନ୍ତି ହିଟ୍ ମ୍ୟାନ ରୋହିତ ଶର୍ମା । ନିଜ ଖାତାରେ ଯୋଡ଼ିଛନ୍ତି ୩୧ ଟି ଛକା । ସର୍ବାଧିକ ୱିକେଟ ନେବାରେ ରେକର୍ଡ ଭାଙ୍ଗିଛନ୍ତି ଭାରତୀୟ ବୋଲର ମହମ୍ମଦ ଶାମି । ଟୁର୍ଣ୍ଣାମେଣ୍ଟରେ ପରେ ସାମିଲ ହୋଇଥିବା ଶାମି ୨୪ ଟି ୱିକେଟ ନେବାରେ ସଫଳ ହୋଇଥିଲେ । ଅନ୍ୟପଟେ ସର୍ବାଧିକ ୱିକେଟ ନେବା ସହ ଶ୍ରେଷ୍ଠ ବୋଲିଂ ମଧ୍ୟ କରିଥିଲେ ଶାମି। ଶ୍ରେଷ୍ଠ ବୋଲିଂରେ ଶାମି (୭ବାଏ୫୭)। ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ କ୍ୟାଚ୍ ତାରିକ ମିଚେଲ ହାସଲ କରିଛନ୍ତି । ସେ ସର୍ବାଧିକ ୧୧ ଟି କ୍ୟାଚ୍ ଆଉଟ କରିଛନ୍ତି । ସର୍ବାଧିକ ଡିସ୍ ମିସାଲ୍ସ ୱିକେଟ କିପର ରେକର୍ଡ  Quinton de Kock ନିଜ ନାମରେ କରିଛନ୍ତି ।