Top 10 News Today: 


COMMERCIAL BREAK
SCROLL TO CONTINUE READING

01- ନୂଆ ପୋଲିସ ଆଇନ ଲାଗୁ ନେଇ ସବୁ ଡିଜିପିଙ୍କ ସହ ବୈଠକ ଅନୁଷ୍ଠିତ ହୋଇଛି । ଭିସି ଜରିଆରେ ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଡିଜିପିଙ୍କ ସହ ହୋଇଥିଲା ଆଲୋଚନା । ଜୁଲାଇ ପହିଲାରୁ ସାରା ଦେଶରେ ନୂଆ ଆଇନ ଲାଗୁ ହେବ ବୋଲି ସୂଚନା ମିଳିଛି । ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଲାଗୁ ହେବ । ଭାରତୀୟ ସାକ୍ଷ୍ୟ ଆଇନ ମଧ୍ୟ ଜୁଲାଇ ପହିଲାରୁ ଲାଗୁ ହେବ ବୋଲି ଜଣାପଡିଛି ।


02- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ୫୦ ତମ ଜି୭ ନେତାଙ୍କ ସମ୍ମିଳନୀରେ ଭାଗ ନେବାକୁ ତାଙ୍କର ଇଟାଲୀ ଗସ୍ତ ଆରମ୍ଭ କରିଥିଲେ। ତୃତୀୟ କାର୍ଯ୍ୟକାଳ ପାଇଁ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଏହା ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ଯାତ୍ରା ଅଟେ। ସେ ଅଧିବେଶନରେ ଯୋଗଦେବା ପାଇଁ ଇଟାଲୀର ଆପୁଲିଆରେ ପହଞ୍ଚି ଶୁକ୍ରବାର (ଆଜି) ଏହି କାର୍ଯ୍ୟକ୍ରମରେ ଅନେକ ନେତାଙ୍କୁ ଭେଟିବେ ବୋଲି ଆଶା କରାଯାଉଛି। ରେକର୍ଡ ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିବା ପରେ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବୈଦେଶିକ ଯାତ୍ରା।


03- କଟକ ସଦର ଥାନା ଅଞ୍ଚଳରେ ଏକ ବଡ଼ ଅଘଟଣ ଘଟିଛି। ଏକ ପରିତ୍ୟକ୍ତ ଘରୁ ଜବତ ହୋଇଥିବା ବୋମା ନିଷ୍କ୍ରିୟ ବେଳେ ବିସ୍ଫୋରଣ ଘଟି ଜଣେ ହାବିଲଦାରଙ୍କର ମୃତ୍ୟୁ ଘଟିଛି। ମୃତ ହାବିଲଦାର ହେଲେ କଟକ ସଦର ଥାନାର ପ୍ରଦୀପ ମଲ୍ଲିକ। ସେ ରିଜର୍ଭ ପୁଲିସରେ ଥିବା ବେଳେ ବୋମା ନିଷ୍କ୍ରିୟକାରୀ ଟିମ୍‌ରେ ସାମିଲ ହୋଇଥିଲେ।


04- କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ଜଣ ଭାରତୀୟଙ୍କ ମୃତଦେହ କେରଳ କୋଚି ବିମାନ ବନ୍ଦରରେ ପହଞ୍ଚିଛି । ଭାରତୀୟ ବାୟୁସେନାର ସି-୧୩୦ ଜେ ସୁପର ହୁରକ୍ୟୁଲସରେ ସେମାନଙ୍କ ମୃତଦେହକୁ ସ୍ୱଦେଶ ଅଣାଯାଇଛି । କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ନିଜେ ବିମାନ ବନ୍ଦର ଯାଇ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।  ଏଠାରୁ ମୃତଦେହଗୁଡିକୁ ସନ୍ଧ୍ୟା ସୁଦ୍ଧା ଦିଲ୍ଲୀରେ ପହଞ୍ଚାଇବା ପରେ ସେଠାରୁ ସେମାନଙ୍କ ନିଜ ନିଜ ପରିବାରକୁ ପଠାଯିବାର ସୂଚନା ରହିଛି।


05- କୁଏତ୍ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ ଭାରତୀୟଙ୍କ ମଧ୍ୟରେ ଓଡ଼ିଶାର ୨ ଜଣ ଅଛନ୍ତି। ଶେଷ ଖବର ସୁଦ୍ଧା ଏହି ସୂଚନା ହସ୍ତଗତ ହୋଇଛି। ଓଡ଼ିଶାର ଦୁଇ ମୃତକ ହେଲେ ସନ୍ତୋଷ କୁମାର ଗୌଡ଼ ଓ ମହମ୍ମଦ ଜାହୁର। ମିଳିଥିବା ସୂଚନା ଅନୁଯାୟୀ, ମହମ୍ମଦ ଜାହୁର କଟକ ଜିଲ୍ଲା ଆଠଗଡ଼ ତିଗିରିଆ ଥାନା ଅନ୍ତର୍ଗତ ତାରାଡାପାଲିର ବାସିନ୍ଦା। କୁଏତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଦିଆଯାଇଥିବା ମୃତକଙ୍କ ତାଲିକାରେ ଏହି ଦୁଇ ଜଣଙ୍କ ନାମ ଥିବା ଜଣାପଡିଛି।


06- ରାଜ୍ୟ ବିଧାନସଭାରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ନବ ନିର୍ବାଚିତ ବିଧାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବା। ଏହା ବାଚସ୍ପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଅଥବା ହାଇକୋର୍ଟଙ୍କୁ ମୁଖ୍ୟ ବିଚାରପତି କରି ନଥାଆନ୍ତି। ବରଂ ଗୃହରେ ଥିବା ସବୁଠାରୁ ବରିଷ୍ଠ ବିଧାୟକଙ୍କୁ ଏହି ଦାୟିତ୍ୱ ମିଳିଥାଏ। ଚଳିତ ଅଧିବେଶନରେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ଓରଫ ରାଜା ସ୍ୱାଇଁ ଏଥର ସବୁ ଦଳର ବିଧାୟକଙ୍କୁ ଶପଥ ପାଠ କରାଇବେ।


07- ଆଜି ସନ୍ଧ୍ୟା ସମୟରେ ଶ୍ରୀମନ୍ଦିରରେ ଛତିଶା ନିଯୋଗ ବୈଠକ ବସିବ । ରାଜେନ୍ଦ୍ରାଭିଷେକ ଠାରୁ ଦେବସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ନୀତିକାନ୍ତି ଚୂଡ଼ାନ୍ତ ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଅନ୍ୟ ସଦସ୍ୟମାନେ ଏହି ଛତିଶା ନିଯୋଗ ବୈଠକରେ ଯୋଗ ଦେବେ ବୋଲି ଜଣାପଡିଛି ।


08- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ଅବସରରେ ଆଜି ଭୁବନେଶ୍ଵରର ମ୍ୟୁଜିୟମ୍ ଛକଠାରେ ବକ୍ସି ଜଗବନ୍ଧୁ, କଳ୍ପନା ଛକଠାରେ ଚାଖି ଖୁଣ୍ଟିଆ, ଏଜି ଛକରେ ଜୟୀ ରାଜଗୁରୁ ଓ ଡଃ ବି. ଆର୍. ଆମ୍ବେଦକର ଏବଂ ୧୨୦ ବାଟାଲିୟନ ଛକରେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ବରପୁତ୍ର ମାନଙ୍କ ଆଶୀର୍ବାଦ କାମନା କରିଥିଲେ। 


09-  ଟେଲର ଦୋକାନରେ ପଶି ମାଆ ଏବଂ ଝିଅଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ସମ୍ବଲପୁର ଅଇଁଠାପାଲି ଥାନା ଦାନିପାଲି ଅଞ୍ଚଳରେ ଉଭୟଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଛି । ଗୁରୁତର ଅବସ୍ଥାରେ ମାଆ ଏବଂ ଝିଅଙ୍କୁ ପ୍ରଥମେ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । ଆକ୍ରମଣର କାରଣ ଜଣାପଡ଼ି ନଥିବା ସମୟରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।


10- ଆଜିଠୁ ରାଜ୍ୟରେ ରଜ ଉତ୍ସବ ଆରମ୍ଭ ହୋଇଥିବା ବେଳେ ପାଗର ଖରା ଛାଇ ଖେଳ ଦେଖିବାକୁ ମିଳିଛି। କିଛି କିଛି ସ୍ଥାନରେ ବର୍ଷା, ପବନ ଡରାଉଥିବା ବେଳେ ଆଉ କିଛି ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିଛି ତାପମାତ୍ରା। ଏପରି ସ୍ଥଳେ ଆଜି ରାଜ୍ୟର ୨୦ଟି ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ହେବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଆଜି ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ,ନବରଙ୍ଗପୁର, ମାଲକାନାଗିରି,ନୂଆପଡ଼ା,  ନୂଆପଡ଼ାରେ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି ବିଭାଗ।


Also Read- କଟକରେ ଜବତ ବୋମା ନିଷ୍କ୍ରିୟ ବେଳେ ବିସ୍ଫୋରଣ, ହାବିଲଦାର ମୃତ