କଟକରେ ଜବତ ବୋମା ନିଷ୍କ୍ରିୟ ବେଳେ ବିସ୍ଫୋରଣ, ହାବିଲଦାର ମୃତ
Advertisement
Article Detail0/zeeodisha/odisha2292878

କଟକରେ ଜବତ ବୋମା ନିଷ୍କ୍ରିୟ ବେଳେ ବିସ୍ଫୋରଣ, ହାବିଲଦାର ମୃତ

କାଠଯୋଡ଼ି ନଦୀ ପଠାରେ ବୋମାକୁ ନିଷ୍କ୍ରିୟ କରିବା ସମୟରେ ଏଭଳି ଦୁର୍ଘଟଣା ଘଟିଛି। ମୃତ ହାବିଲଦାରଙ୍କ ଶରୀରର ପ୍ରାୟ ୭୦ରୁ ୮୦ ଭାଗ ପୋଡ଼ିଯାଇଛି। 

କଟକରେ ଜବତ ବୋମା ନିଷ୍କ୍ରିୟ ବେଳେ ବିସ୍ଫୋରଣ, ହାବିଲଦାର ମୃତ

କଟକ, କଟକ ସଦର ଥାନା ଅଞ୍ଚଳରେ ଏକ ବଡ଼ ଅଘଟଣ ଘଟିଛି। ଏକ ପରିତ୍ୟକ୍ତ ଘରୁ ଜବତ ହୋଇଥିବା ବୋମା ନିଷ୍କ୍ରିୟ ବେଳେ ବିସ୍ଫୋରଣ ଘଟି ଜଣେ ହାବିଲଦାରଙ୍କର ମୃତ୍ୟୁ ଘଟିଛି। ମୃତ ହାବିଲଦାର ହେଲେ କଟକ ସଦର ଥାନାର ପ୍ରଦୀପ ମଲ୍ଲିକ। ସେ ରିଜର୍ଭ ପୁଲିସରେ ଥିବା ବେଳେ ବୋମା ନିଷ୍କ୍ରିୟକାରୀ ଟିମ୍‌ରେ ସାମିଲ ହୋଇଥିଲେ। କାଠଯୋଡ଼ି ନଦୀ ପଠାରେ ବୋମାକୁ ନିଷ୍କ୍ରିୟ କରିବା ସମୟରେ ଏଭଳି ଦୁର୍ଘଟଣା ଘଟିଛି। ମୃତ ହାବିଲଦାରଙ୍କ ଶରୀରର ପ୍ରାୟ ୭୦ରୁ ୮୦ ଭାଗ ପୋଡ଼ିଯାଇଛି। କଟକ ବଡ଼ ଡାକ୍ତରଖାନାରେ ହାବିଲଦାରଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ବିସ୍ଫୋରଣ ପରେ ପୁଲିସ ଓ ସାଇଂଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ବୋମା ନିଷ୍କ୍ରିୟ ସମୟରେ ଆବଶ୍ୟକ ନିୟମକୁ ଗ୍ରହଣ କରାଯାଇଥିଲା କି ନାହିଁ ତାହାର ତଦନ୍ତ କରିବାକୁ ପରିବାର ପକ୍ଷରୁ ଦାବି କରାଯାଇଛି।

ସୂଚନା ଅନୁସାରେ, କଟକ ସଦର ଥାନା ଗୋପାଳପୁର ଅଞ୍ଚଳରେ ଏକ ପରିତ୍ୟକ୍ତ ଘରେ ସନ୍ଦୀଗ୍ଧ ବୋମା ଥିବା ପୁଲିସକୁ ସୂଚନା ମିଳିଥିଲା। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ବୋମାକୁ ଜବତ କରିଥିଲା।  ପରେ ଜବତ ବୋମାଗୁଡ଼ିକୁ ନିଷ୍କ୍ରିୟ କରିବାକୁ ଗୋପାଳପୁର ନିକଟ ନଦୀ ପଠାରୁ ନିଆଯାଇଥିଲା। ସେଠାରେ ନିଷ୍କ୍ରିୟ ପ୍ରକ୍ରିୟା ଚାଲିଥିବା ବେଳେ ହଠାତ୍ ବିସ୍ଫୋରଣ ଘଟିଥିଲା ଓ ହାବିଲଦାର ପ୍ରଦୀପ  ଗୁରୁତର ହୋଇଥିଲେ। ତାଙ୍କୁ କଟକ ଏସସିବି ନିଆଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରଚଣ୍ଡରେ ଆଖପାଖ ଅଞ୍ଚଳର ଲୋକେ ଭୟଭୀତ ହୋଇଥିଲେ। 

ଅନ୍ୟପଟେ ଘଟଣାସ୍ଥଳରେ କଟକ ଅତିରିକ୍ତ ଡିସିପି ଅନୀଲ ପହଞ୍ଚି ଛନ୍ତି। ଶ୍ରୀ ମିଶ୍ର କହିଛନ୍ତି ଯେ, ତାହା ବୋମା ନଥିଲା।  ତାହା ବାଣ ଥିଲା। ତେବେ କେଉଁ ପରିସ୍ଥିତିରେ ଓ କେମିତି ଏହି ଘଟଣା ଘଟିଲା, ତା ର ତଦନ୍ତ କରାଯିବ। ବୋମା ନେଇ ଯେଉଁ ପ୍ରଚାର କରାଯାଉଛି, ତାହା ମିଛ। ଗତ କାଳୀପୂଜା ସମୟରେ ଜବତ ହୋଇଥିବା ବାଣକୁ ନଷ୍ଟ କରାଯାଉଥିଲା।  ଏହି ସମୟରେ ଅଘଟଣ ଘଟିଛି। ତେବେ ଏହାର ତଦନ୍ତ ଜାରି ରହିଛି। ତଦନ୍ତ ପରେ ଘଟଣାର ପ୍ରକୃତ ରହସ୍ୟ ଜଣା ପଡ଼ିବ ବୋଲି ପୁଲିସ କହିଛି। 

ତେବେ ଯେଉଁ ବିସ୍ଫୋରକ ଫୁଟି ଜଣେ ହାବିଲଦାରଙ୍କର ମୃତ୍ୟୁ ଘଟିଲା, ତାହା ବୋମା କି ବାଣ ଥିଲା ସ୍ପଷ୍ଟ ହୋଇପାରିନି। ବାଣଗୁଡ଼ିକ ଭିତରେ କିଛି ବୋମା ଥିଲା କି !ତେଣୁ ଏଭଳି ଏକ ଅଘଟଣ ଘଟିଗଲା। ତେବେ ଏନେଇ ସାଇଣ୍ଟିଫିକ୍ ଟିମ ସହ ପୁଲିସ ତଦନ୍ତ ଆରମ୍ଭ କରିଛି।

Also Read- Budh Gochar 2024: ଆଦ୍ରା ନକ୍ଷତ୍ରରେ ବୁଧଙ୍କ ଚଳନ, ୫ ଦିନ ପରେ ଏହି ରାଶିର ଭାଗ୍ୟ ଉଜ୍ୱଳ