H1. ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ଜଗନ୍ନାଥ
ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ। ଗତ ୨୧ ତାରିଖରେ ସ୍ୱାଧୀନ ଭାବେ ନାମାଙ୍କନ ଭରିଥିଲେ ଜଗନ୍ନାଥ ପ୍ରଧାନ। ୧୦ ଜଣ ବିଜେପି ବିଧାୟକଙ୍କ ଉପସ୍ଥିତିରେ ସେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ନାମାଙ୍କନ ଦାଖଲ କରିଥିଲେ। ସେହିଦନ ପୂର୍ବାହ୍ନରେ ବିଜେପି ପ୍ରାର୍ଥୀ ଭାବେ ମମତା ମହାନ୍ତ ମଧ୍ୟ ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ତାଙ୍କ ପ୍ରାର୍ଥିପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବିଜୟ ସିଂହ ତୋମାରଙ୍କ ପରି ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। 


COMMERCIAL BREAK
SCROLL TO CONTINUE READING

H2. ୧୭ ମିନିଟରେ ଗୃହ ମୁଲତବୀ
ବିଧାନସଭାର ପ୍ରଶ୍ନକାଳ ଆଜି ମାତ୍ର ୧୭ ମିନିଟ ଚାଲିପାରିଛି। ବିରୋଧୀ ଦଳଙ୍କ ନାରାବାଜୀ, ବିକ୍ଷୋଭ ଏବଂ ବାଚସ୍ପତିଙ୍କ ପୋଡିୟମ ଉପରକୁ ଉଠି ବିରୋଧ ପ୍ରଦର୍ଶନ ଦ୍ୱାରା ଗୃହର କାର୍ଯ୍ୟକୁ ମୁଲତବୀ କରାଯାଇଛି। ଶୂନ୍ୟକାଳରେ ଗୃହ ପୁଣିଥରେ ବସିବ ବୋଲି ଆଶା କରାଯାଇଛି। ଦୁଇଦିନର ଛୁଟି ପରେ ପୁଣିଥରେ ଗୃହ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଥିଲା। ବାଚସ୍ପତି ସୁରମା ପାଢ଼ୀ ଗୃହରେ ପ୍ରଶ୍ନୋତ୍ତର କାଳ ପାଇଁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଭାଗକୁ ବିଧାୟକମାନେ ପ୍ରଶ୍ନ ପଚାରିବା ଆରମ୍ଭ କରିବା କ୍ଷଣି ବିରୋଧି ଦଳର ନେତାମାନେ ନାରାବାଜୀ ଆରମ୍ଭ କରିଥିଲେ। 


H3. ଭୁବନେଶ୍ୱରରେ ଆପାର୍ଟମେଣ୍ଟ କିଣିବାକୁ ମନ ବଳାଇଛନ୍ତି କି, ହୋଇଯାଆନ୍ତୁ ସାବଧାନ
ଭୁବନେଶ୍ୱରରେ ଯଦି ଘର ବା ଆପାର୍ଟମେଣ୍ଟ କିଣିବାକୁ ମନ ବଳାଇଛନ୍ତି ତେବେ ସାବଧାନ ରୁହନ୍ତୁ, ଠକାମୀରେ ପଡ଼ିପାରନ୍ତି। ଖାଲି ଯେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ ତା’ ନୁହେଁ ମାହାନଗର ନିଗମ ବାହାରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଞ୍ଚଳ ପରିଧିରେ ଏମିତି ହଜାର ହଜାର ସଂଖ୍ୟାରେ ଘର  ବେଆଇନ ନିର୍ମାଣ ହୋଇଥିବା ନଜରକୁ ଆସିଛି। ଏହିଭଳି ବେଆଇନ କୋଠା ବିରୁଦ୍ଧରେ ୧୯୩୧ ମାମଲା ରୁଜୁ ହୋଇଛି। ସେଥିରୁ କେବଳ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୧୪୪୪ଟି କୋଠା ରହିଥିବା ଆଜି ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। 


H4. IMD News: ଲଘୁଚାପ ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
IMD ଦ୍ୱାରା ଜାରି କରାଯାଇଥିବା ପାଣିପାଗ ବୁଲେଟିନ୍ ଅନୁଯାୟୀ ପଶ୍ଚିମବଙ୍ଗ ଉପକୂଳରେ ନିମ୍ନ ଚାପ ସୃଷ୍ଟି ହୋଇଛି । ଫଳରେ ଏହା କ୍ରମଶଃ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ତଥା ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ଉତ୍ତର ଦିଗକୁ ଯିବାର ସମ୍ଭାବନା ରହିଛି । ପ୍ରଭାବରେ ଆଗାମୀ ୨ ଦିନ ମଧ୍ୟରେ ଓଡ଼ିଶାରେ ଏବଂ ୨୯ ଅଗଷ୍ଟରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଉପକୂଳରେ ଏକ ନୂଆ ନିମ୍ନ ଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି । ପ୍ରଭାବରେ, ୨୬ ରୁ ୨୭ ଅଗଷ୍ଟ ମଧ୍ୟରେ ଉତ୍ତର ବଙ୍ଗୋପସାଗର ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟାକୁ ୫୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।


H5. ସରକାରୀ ଚାକିରି ପାଇଁ ଆରମ୍ଭ ହେବ ନିଯୁକ୍ତି ମେଳା ଓ ଅନ୍ୟାନ୍ୟ ଖବର 
ରାଜ୍ୟ ସରକାରଙ୍କ ବିଭିନ୍ନ ଖାଲିପଡ଼ିଥିବା ପଦବୀ ପୂରଣ ଲାଗି ସେପ୍ଟେମ୍ବରରୁ ଆରମ୍ଭ ହେବ ନିଯୁକ୍ତି ମେଳା । ୪ ମାସ ଭିତରେ ୩୫ ହଜାର ନିଯୁକ୍ତି ପ୍ରଦାନ କରିବା ଲାଗି ମୋହନ ମାଝିଙ୍କ ନେତୃତ୍ୱାଧୀନ ସରକାର ଯୋଜନା ପ୍ରାସ୍ତୁତ କରିଛନ୍ତି। ରାଜ୍ୟରେ ଏବେ ମଞ୍ଜୁରୀ ପ୍ରାପ୍ତ ୩ ଲକ୍ଷ ୯୯ ହଜାର ୬୬୬ଟି ମୂଳ ପଦବୀରୁ ୧ ଲକ୍ଷ ୩୨ ହଜାର ୪୫୯ଟି ପଦବୀ ପୂରଣ ଲାଗି ସରକାର ଖସଡ଼ା ପ୍ରସ୍ତୁତ କରିଛନ୍ତି। ସେପ୍ଟେମ୍ବର ଭାସରେ ୨୨ ହଜାର  ପଦବୀ ପୂରଣ ଲାଗି ସରକାର ପଦକ୍ଷେପ ନେଇଛନ୍ତି। 


H6. ସୁଭଦ୍ରା ମାର୍ଗ ଦର୍ଶିକା ଆସିଲା
ରାଜ୍ୟ ସରକାରଙ୍କ ବହୁ ଚର୍ଚ୍ଚିତ ସୁଭଦ୍ରା ଯୋଜନାର  ମାର୍ଗଦର୍ଶିକା ସାଧାରଣ ଜନତାଙ୍କ ନିମନ୍ତେ ଉନ୍ମୁକ୍ତ କରାଯାଇଛି। କେଉଁମାନେ ଯୋଗ୍ୟ ଓ କେଉଁମାନେ ଅଯୋଗ୍ୟ, କିପରି ଆବେଦନ କରିବେ, କେଉଁ ନଥିପତ୍ର ସାଙ୍ଗରେ ଦେବେ ତାହାକୁ ଏଥିରେ ସ୍ପଷ୍ଟ କରାଯାଇଛି। ଡିବିଟି ଜରିଆାରେ ଏହି ଅର୍ଥ ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ। ୫ ବର୍ଷରେ ଜଣେ ହିତାଧିକାରୀ ୫ ହଜାର ଟଙ୍କା ନଗଦ ସହାୟତା ପାଇବେ। 


H7. 'ନବାନ୍ନ ରାଲି': ବ୍ୟାରିକେଡ୍‌ ଭାଙ୍ଗି ଧସେଇ ପଶିଲେ ଛାତ୍ର, ପାଣି ମାଡ଼ କଲା ପୁଲିସ
ଅଭୟାଙ୍କୁ ନ୍ୟାୟ ଦେବାକୁ ଆଜି ମମତାଙ୍କ ଗଡ଼ରେ ହୋଇଛି ମହା ବିକ୍ଷୋଭ। ଛାତ୍ର ସଂଗଠନର ଆନ୍ଦୋଳନ ବେଳେ ପୁଲିସ ସହ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ବ୍ୟାରିକେଡ୍ ଡେଇଁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି ଛାତ୍ରଛାତ୍ରୀ। ଏତିକି ବେଳେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଛି। ଏମାନଙ୍କ ମୁକାବିଲା ଲାଗି ସମସ୍ତ ଶକ୍ତି ଲଗାଇ ଦେଇଛନ୍ତି ମମତା ସରକାର। ଏହି ମାମଲାରେ ଆଜି ଆଗୁଆ ୪ ଜଣ ଛାତ୍ରଙ୍କୁ ଅଟକ ରଖି ହେପାଜତକୁ ନିଆଯାଇଛି।


H8. ମୁକୁଳିବେ କେ କବିତା
ଜେଲ୍‌ରୁ ମୁକୁଳିବେ ବିଆର୍‌ଏସ୍‌ ନେତ୍ରୀ କେ.କବିତା। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା କେ.କବିତାଙ୍କୁ ମିଳିଲା ଜାମିନ୍‌। ସୁପ୍ରିମକୋର୍ଟରୁ ତାଙ୍କୁ ଆଜି ୧୦ ଲକ୍ଷ ଟଙ୍କା ମୁଚଲିକାରେ ସର୍ତ୍ତମୂଳକ ଜାମିନ ମିଳିଛି। କେ.କବିତାଙ୍କ ଜାମିନକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଜଷ୍ଟିସ୍ ବିଆର୍‌ ଗଓ୍ୱଇ ଓ ଜଷ୍ଟିସ କେ.ବି ବିଶ୍ୱନାଥନଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ। ଆଡଭୋକେଟ୍ ମୁକୁଲ ରୋହତଗି କେ. କବିତାଙ୍କ ତରଫରୁ ହାଜର ହୋଇଥିଲେ।


H9. ଚିକିଟି ମଦ ମୃତ୍ୟୁ ମାମଲା, ଆଉ ଜଣେ ଗିରଫ
ଚିକିଟି ମଦ ମୃତ୍ୟୁ ମାମଲାରେ ଆଉ ଜଣଙ୍କୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତ ହେଲା ଗିରିଶୋଲା ଷ୍ଟେସନରୁ ମାଉନ୍ଦପୁରର ପୂର୍ଣ୍ଣଚନ୍ଦ୍ର ସାହୁ। ତେବେ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ଦେଶୀ ମଦ କାରବାର କରୁଥିଲା। ଟ୍ରେନ୍‌ରେ ବେଙ୍ଗଲୁରୁ ଯିବା ବେଳେ ମୋବାଇଲ୍ ଟ୍ରାକ୍ କରି ଧରିଲା ପୁଲିସ। ଏହାକୁ ମିଶାଇ ଗିରଫଦାରୀ ସଂଖ୍ୟା ୧୦ରେ ପହଞ୍ଚିଛି ବୋଲି ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲା ଟିକିରିରେ ବିଷାକ୍ତ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ୧୨ରୁ ଅଧିକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। 


H10. ପିପିଲିରେ ବାର୍ଡ ଫ୍ଲୁ ଚିହ୍ନଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା
ପିପିଲି ବାର୍ଡ ଫ୍ଲୁର ହଟ୍ ସ୍ପଟ୍ ପାଲଟିଛି। ଏଥିପାଇଁ ବାର୍ଡ ଫ୍ଲୁ ଚିହ୍ନଟ ଅଞ୍ଚଳକୁ କଣ୍ଟେନମେଣ୍ଡ ଘୋଷଣା କରାଯାଇଛି। ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଚିହ୍ନଟ ସ୍ଥାନର ନବେ ପ୍ରତିଶତ ଫାର୍ମକୁ ସାନିଟାଇଜ୍ କରାଯାଇଛି। ବିଭିନ୍ନ ଫାର୍ମରେ କୁକୁଡ଼ା ମରା ଅଭିଯାନ ଜାରି ରହିଛି। ତୁରନ୍ତ କୁକୁଡ଼ାକୁ ମାରି ପୋତି ଦିଆଯାଉଛି। ପିପିଲିରେ ୨ ଦିନରେ ୫ ହଜାରରୁ ଅଧିକ କୁକୁଡ଼ାଙ୍କୁ ମରାଗଲାଣି। ଆଗକୁ ଆହୁରି କୁକୁଡ଼ା ମରାଯିବ। ଏହାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଲୋକେ କୁକୁଡ଼ା ମାଂସ ଖାଇବେ କି ନାହିଁ ସେନେଇ ବଢୁଛି ଦ୍ବନ୍ଦ। ଏଥିପାଇଁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି। ମେଡିକାଲ କଲେଜର କମ୍ୟୁନିଟି ମେଡିସିନ ବିଭାଗ ଏହାର ସମ୍ପୂର୍ଣ୍ଣ ତଦାରଖ କରିବ।