H1. ଭରତପୁର ଥାନା ମାମଲା: ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
ଭରତପୁର ଥାନା ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରି ଏହି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମାନ୍ୟବର ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଦ୍ବାରା ଭରତପୁର ଥାନା ଘଟଣାର ତଦନ୍ତ ହେବ। ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ ମାନ୍ୟବର କମିଶନଙ୍କୁ  ଅନୁରୋଧ କରାଯାଇଛି । ଏହାସହିତ ମାନ୍ୟବର ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତଦାରଖରେ (Court Monitored Investigation) କ୍ରାଇମବ୍ରାଞ୍ଚ ତଦନ୍ତକୁ ତ୍ବରାନ୍ବିତ କରିବା ପାଇଁ ମଧ୍ୟ ମାନ୍ୟବର ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଛି।


COMMERCIAL BREAK
SCROLL TO CONTINUE READING

H2. ୨୪ରେ ରାଜଧାନୀ ବନ୍ଦ ଡାକରା ଦେଲା ବିଜେଡି
ଭରତପୁର ଥାନାରେ ଆର୍ମି ମେଜର୍ ଓ ବାନ୍ଧବୀଙ୍କୁ ଦିଆଯାଇଥିବା ନିର୍ଯାତନା ମାମଲାକୁ ନେଇ ଆରମ୍ଭ ହୋଇଗଲାଣି ରାଜନୀତିକରଣ। ଏହି ଘଟଣା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ବିଜେଡି ଦେଇଛି ବନ୍ଦ ଡାକରା। ଆସନ୍ତା ୨୪ ତାରିଖ ମଙ୍ଗଳବାର ଦିନ ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରା ଦେଇଛି ବିଜେଡି। ଏନେଇ ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର। ଆସନ୍ତା ମଙ୍ଗଳବାର ସକାଳ ୬ଟାରୁ ବିଜେଡି ଭୁବନେଶ୍ୱର ବନ୍ଦ ପାଳନ କରିବ ବୋଲି ସେ କହିଛନ୍ତି।


H3. ଆଜି ମୁଖ୍ୟମନ୍ତ୍ରୀ କରିବେ ଜନଶୁଣାଣୀ
ଆଜି ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଧାନସଭା କାର୍ଯ୍ୟକ୍ରମ ସହ ଅନ୍ୟାନ୍ୟ ଛୁଟି କାରଣରୁ ଦୀର୍ଘଦିନ ହେବ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିଥିଲା । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଲାଗି ୧୦୦୦ ଜଣ ଅଭିଯୋଗକାରୀ ସେମାନଙ୍କ ନାମ ପଞ୍ଜୀକରଣ କରିସାରିଛନ୍ତି। ପଞ୍ଜୀକୃତ ଅଭିଯୋଗକାରୀମାନେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜ ନିଜର ଅଭିଯୋଗ ଜଣାଇବା ସହ ଏହାର ସମାଧାନ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିବେ । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


H4. ଆଜି ପ୍ରବଳ ବର୍ଷିବ
ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ମିଆଁମାରର ଦକ୍ଷିଣ ଉପକୂଳ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ପଶ୍ଚିମ-ଉତ୍ତର ଦିଗରେ ଗତି କରୁଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୨୪ ଘଣ୍ଟା ଲଘୁଚାପ ସୃଷ୍ଟି ହୋଇପାରେ। ଏହା ପ୍ରଭାବରେ ୨୬ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବ। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି। ଆଜି କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୪ରେ ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼, କୋରାପୁଟ, ମାଲକାନଗିରି, କଳାହାଣ୍ଡି ଓ ନବରଙ୍ଗପୁରରେ ୭୦ରୁ ୧୧୦ ମିଲିମିଟର ବର୍ଷା ହେବାର ସମ୍ଭାବନା ରହିଛି। 


H5. ଆମେରିକାରେ ମୋଦୀ
ତିନିଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନ୍ୟୁୟର୍କରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କରି ‘ଏଆଇ’ (କୃତ୍ରିମ ବୁଦ୍ଧିମତା)କୁ ଏକ ନୂଆ ଅର୍ଥ ଦେଇଛନ୍ତି। ଲଙ୍ଗ୍‌ ଆଇଲ୍ୟାଣ୍ଡରେ ଆୟୋଜିତ ‘ମୋଦୀ ଆଣ୍ଡ ୟୁଏସ୍’ (ମୋଦୀ ଏବଂ ଆମେରିକା) କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ମୋ ପାଇଁ ଏଆଇ ଅର୍ଥ ଆମେରିକୀୟ-ଭାରତୀୟ ଏବଂ ଏହି ଭାବନା ହିଁ ଭାରତ-ଆମେରିକା ସମ୍ପର୍କକୁ ଏକ ନୂତନ ଉଚ୍ଚତାକୁ ନେଇଯାଉଛି। ‘ନାସାଉ କୋଲିଜିୟମ୍‌’ରେ ଅନୁଷ୍ଠିତ ଏହି ବିଶାଳ ଓ ଭବ୍ୟ କାର୍ଯ୍ୟକ୍ରମରେ ୧୫ ହଜାରରୁ ଅଧିକ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିବା ବେଳେ ୫୦୦ରୁ ଅଧିକ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।


H6. ଆମେରିକା ଠାରୁ ୩୧ଟି ଲଢୁଆ ଡ୍ରୋନ୍‌ କିଣିବ ଭାରତ 
କ୍ୱାଡ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ବର୍ତ୍ତମାନ ଆମେରିକା ଗସ୍ତରେ ରହିଛନ୍ତି। ଏହି ସମୟରେ ଆମେରିକା ସହିତ ଦୁଇଟି ବଡ଼ ଚୁକ୍ତି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗୋଟିଏ ଚୁକ୍ତି ଅନୁଯାୟୀ ଆମେରିକା ଠାରୁ ଉଚ୍ଚକ୍ଷମତା ସମ୍ପନ୍ନ ୩୧ଟି ଡ୍ରୋନ କିଣିବାକୁ ଯାଉଛି ଭାରତ। ଏହା ଫଳରେ ଗୁଇନ୍ଦା ସର୍ଭିଲାନ୍ସ କ୍ଷେତ୍ରରେ ଭାରତୀୟ ସେନାର ଶକ୍ତି ବଢିବ। ସେହିପରି ନୌସେନାକୁ ୧୫ ଓ ସ୍ଥଳସେନା ଓ ବାୟୁସେନା ପାଇଁ ୮ଟି ଡ୍ରୋନ କିଣାଯିବ। 


H7. ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି
ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଦେଖାଦେଲା ଯାନ୍ତ୍ରିକ ତ୍ରୁଟି। ତେଣୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମୟୂରଭଞ୍ଜ ଗସ୍ତ ବାତିଲ୍‌ ହୋଇଛି। ସେ କାରକେଟ୍‌ରେ ସଡ଼କ ପଥରେ କେନ୍ଦୁଝରରୁ ରାଜଧାନୀ ଭୁବନେଶ୍ୱର ଅଭିମୁଖେ ଫେରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତିନି ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇଥିଲେ। ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଆଜି ମୁଖ୍ୟମନ୍ତ୍ରୀଙ୍କର ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯିବାରେ ଥିଲା। ତେଣୁ ନିର୍ଦ୍ଧାରିତ ସମୟରେ ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦୁଝର ସାଂସଦ ଅନନ୍ତ ନାଏକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଓ ତେଲକୋଇ ବିଧାୟକ ଡକ୍ଟର ଫକୀର ମୋହନ ନାଏକ ରାଇସୁଆଁ ଏୟାର ଷ୍ଟ୍ରିପ୍‌ରେ ପହଞ୍ଚି ଥିଲେ। ଠିକ୍‌ ସେତିକି ବେଳେ ପ୍ରବଳ ବର୍ଷା ହୋଇଥିଲା। ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଟେକ୍‌ଅପ୍‌ କରିପାରିନଥିଲା।


H8. ସରିଲା ଜିପିଆର ସର୍ଭେ କାର୍ଯ୍ୟ
ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ଆରବିନ୍ଦ ପାଢ଼ୀ ଘୋଷଣା କରିଛନ୍ତି ଯେ ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଜିପିଆର ସର୍ଭେ କାର୍ଯ୍ୟ ଦ୍ୱିତୀୟ ରାଉଣ୍ଡ କାର୍ଯ୍ୟସୂଚୀ ପୂର୍ବରୁ ଶେଷ ହୋଇଛି। ବୈଜ୍ଞାନିକ ଆନନ୍ଦ କୁମାର ପାଣ୍ଡେଙ୍କ ନେତୃତ୍ୱରେ NGRI ଦ୍ୱାରା କରାଯାଇଥିବା ଏହି ସର୍ଭେରେ ଉନ୍ନତ ଜ୍ଞାନକୌଶଳ ବ୍ୟବହୃତ ହୋଇଥିଲା। ଫାଇନାଲ୍ ରିପୋର୍ଟ ASI ଓ ପରେ SJTA କୁ ଦାଖଲ କରାଯିବ।


H9. ତିରୁପତି ମନ୍ଦିରର ସମସ୍ତ ଅନିୟମିତତାର ତଦନ୍ତ କରିବ ଏସ୍‌ଆଇଟି
ମାଛ ତେଲ, ଗୋରୁ ଓ ଘୁଷୁରି ଚର୍ବିରୁ ପ୍ରସ୍ତୁତ ଘିଅରେ ତିରୁପତି ବାଲାଜୀ ମନ୍ଦିରରେ ଲଡ଼ୁ ପ୍ରସ୍ତୁତ ହେଉଥିବା କଥା ପ୍ରଘଟ ହେବା ପରେ ଏହି ମନ୍ଦିରରେ ହୋଇଥିବା ସମସ୍ତ ଅନିୟମିତତାର ତଦନ୍ତ କରିବା ପାଇଁ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଏକ ଏସ୍‌ଆଇଟି (ସ୍ପେଶାଲ ଇନ୍‌ଭେଷ୍ଟିଗେସନ ଟିମ୍‌) ଗଠନ କରିଛନ୍ତି।


H10. ପ୍ରତ୍ୟାଶା ରାୟ ପାଇବେ ‘ଏକଲବ୍ୟ’ ପୁରସ୍କାର
ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସନ୍ତରଣକାରୀ ଓଡ଼ିଆ କ୍ରୀଡାବିତ ପ୍ରତ୍ୟାଶା ରାୟଙ୍କୁ ମିଳିବ ୨୦୨୪ ମସିହାର ସମ୍ମାଜନକ ‘ଏକଲବ୍ୟ ପୁରସ୍କାର’। ଆଜି ଅନୁଷ୍ଠିତ ଏକଲବ୍ୟ ପୁରସ୍କାର ଜୁରୀ କମିଟି ବୈଠକରେ ସର୍ବସମ୍ମତି କ୍ରମେ ତାଙ୍କ ଘୋଷଣା କରାଯାଇଛି। ଆଗାମୀ ଏକଲବ୍ୟ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ତାଙ୍କୁ ପୁରସ୍କାର ବାବଦକୁ ୭ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ।ଏହି ଅବସରରେ ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଧାବକ ଦଣ୍ଡପତି ମୃତ୍ୟୁମ୍‌ ଜୟରାମ ଓ ବ୍ୟାଡ୍‌ମିଣ୍ଟନ ଖେଳାଳି ତନ୍ୱୀ ପତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯିବ। ସେମାନଙ୍କୁ ୧.୫ ଲକ୍ଷ ଟଙ୍କା ଲେଖାଏଁ ସହିତ ମାନପତ୍ର ଦିଆଯାଇ ସମ୍ୱର୍ଦ୍ଧିତ କରାଯିବ।