H1. ଓଡ଼ିଶାରେ ଜୀବନ ହାରିଲା ବେଙ୍ଗାଲୁରୁରେ ମହିଳାଙ୍କୁ ୩୦ ଖଣ୍ଡ କରିଥିବା ଯୁବକ
ବେଙ୍ଗାଲୁରୁରେ ଜଣେ ୨୯ ବର୍ଷୀୟ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣାର ମୁଖ୍ୟ ଅଭିଯୁକ୍ତର ମୃତଦେହ ଆଜି ଝୁଲନ୍ତା ଅବସ୍ଥାରେ ଓଡ଼ିଶାର ଭଦ୍ରକରୁ ମିଳିଛି। ମୃତ ଯୁବକ ଜଣଙ୍କ ହେଲା ମୁକ୍ତି ରଞ୍ଜନ ରାୟ। ତା’କୁ ବେଙ୍ଗାଲୁରୁ ପୋଲିସ ଖୋଜୁଥିବା ବେଳେ ସେ ଓଡ଼ିଶାରେ ଥିବା ଜଣାପଡ଼ିଥିଲା। ତା’କୁ ଜେରା ପାଇଁ ବେଙ୍ଗାଲୁରୁ ପୋଲିସ ଓଡ଼ିଶା ଆସିବାକୁ ପ୍ରସ୍ତୁତ ହେଉଥିଲେ ହେଁ ସେ ଜୀବନ ହାରି ସାରିଥିବା ବେଙ୍ଗାଲୁରୁ ସେଣ୍ଟ୍ରାଲର ଡିସିପି ସୂଚନା ଦେଇଛନ୍ତି। ତେବେ ବେଙ୍ଗାଲୁରୁ ପୋଲିସ ଓଡ଼ିଶା ଆସିବ ଓ ବିଧିବଦ୍ଧ ଭାବେ ଘଟଣା ସମ୍ପର୍କରେ ଘୋଷଣା କରିବ। 


COMMERCIAL BREAK
SCROLL TO CONTINUE READING

H2. ଆଜି ବି ବର୍ଷିବ
ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ଆଜି ବି ପ୍ରବଳ ବର୍ଷିବ । ବିଶେଷ କରି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, ସୁନ୍ଦରଗଡ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ସତର୍କତା ଜାରି ହୋଇଛି । ଏହି ସବୁ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲିଠୁ ପାଗରେ ପରିବର୍ତ୍ତନ ଆସିବା ସମ୍ଭାବନା ରହିଛି । ବର୍ଷାର ପରିମାଣ କମିଲେ ମଧ୍ୟ ବଜ୍ରପାତଜନିତ ବର୍ଷା ଜରି ରହିବ। ବିଶେଷ କରି ଉପକୂଳ ଓଡ଼ିଶା ସମେତ ଉତ୍ତର ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାରେ ଘଡଘଡି ବିଜୁଳି ସହ ବର୍ଷା ହେବ। ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ।


H3. ବଢୁଛି ଜଳସ୍ତର, ଖୋଲିଲା କାଳଡ୍ୟାମ ଗେଟ୍
ଖୋଲିଲା ମୟୂରଭଞ୍ଜର କାଳଡ୍ୟାମ ଗେଟ୍ । ଉପରମୁଣ୍ଡରେ ଲଗାଣ ବର୍ଷା କାରଣରୁ ବଢିଛି ଡ୍ୟାମର ଜଳସ୍ତର। ଡ୍ୟାମର ବିପଦ ସଂକେତ ୭୭. ୭୦ ମିଟର ଥିବା ବେଳେ ଲଗାଣ ବର୍ଷା କାରଣରୁ ଗେଟ୍ ଖୋଲାଯାଇଛି । ଡ୍ୟାମ ଭିତରକୁ ୩୭. ୨୪ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଏକ ଗେଟ ମଧ୍ୟ ଦେଇ ୭୨. ୨୩ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିଥିବାରୁ ଏହାକୁ ନଜରରେ ରଖି ସୁନେଇ ଡ୍ୟାମର ମଧ୍ୟ ଗୋଟିଏ ଗେଟ ଖୋଲାଯିବ ବୋଲି କହିଛନ୍ତି ଆସିଷ୍ଟାଣ୍ଟ ଏକଜ୍ୟୁକିଟିଭ ଇଂଜିନିୟର।


H4. ଆଜି ଆସୁଛନ୍ତି ନଡ୍ଡା
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ  ପି ନଡ୍ଡା ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଶ୍ରୀ ନଡ୍ଡା ପୂର୍ବାହ୍ନ ୧୦ଟା ୩୦ରେ ଭୁବନେଶ୍ବରରେ ପହଞ୍ଚିବା ପରେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଅପରାହ୍ଣରେ ଫେରିଯିବେ ବୋଲି ଜଣାପଡ଼ିଛି। ଓଡ଼ିଶା ବିଜେପି ସଦସ୍ୟତା ଅଭିଯାନ ମାଧ୍ୟମରେ ୧କୋଟି ସଦସ୍ୟଙ୍କୁ ସାମିଲ କରିବାକୁ ଯୋଜନା କରାଯାଇଛି।  କେଉଁ ପର୍ଯ୍ୟାୟରେ କିଭଳି କାର୍ଯ୍ୟକ୍ରମ କରାଯିବ ସେନେଇ ଶ୍ରୀ ନଡ୍ଡା ଆଲୋଚନା କରିବେ। ସେହିପରି ସଦସ୍ୟତା ଅଭିଯାନ ଶେଷ ହେବା ପରେ ସଙ୍ଗଠନ ସ୍ତରରେ ବ୍ୟାପକ ଅଦଳବଦଳ ହେବାକୁ ଥିବାରୁ ଏନେଇ ମଧ୍ୟ ଶ୍ରୀ ନଡ୍ଡା ମତାମତ ସଂଗ୍ରହ କରିବେ ବୋଲି ଜଣାପଡ଼ିଛି। ରାଜ୍ୟରେ ବିଜେପି ସରକାରକୁ ୧୦୦ଦିନ ପୂରିଛି। 


H5. ପାରାସିଟାମଲ ସମେତ ୫୩ଟି ଔଷଧ ପରୀକ୍ଷାରେ ଫେଲ୍‌
କ୍ୟାଲସିୟମ, ଭିଟାମିନ ଡି୩ ସପ୍ଲିମେଣ୍ଟ, ମଧୁମେହ ଓ ଉଚ୍ଚ ରକ୍ତଚାପ ପାଇଁ ଲୋକମାନେ ବ୍ୟବହାର କରୁଥିବା ୫୩ଟି ଔଷଧ ଗୁଣବତ୍ତା ମାନ ଯାଞ୍ଚ ବେଳେ ଫେଲ ମାରିଛନ୍ତି। ଭାରତୀୟ ଔଷଧ ପ୍ରାଧିକରଣ ଦ୍ୱାରା କରାଯାଇଥିବା ମାନ ଯାଞ୍ଚ ବେଳେ ଏପରି ତଥ୍ୟ ସାମ୍ନାକୁ ଆସିଛି। ଏହି ତଥ୍ୟ ପରେ ଲୋକମାନେ ନିଜର ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।


H6. ଦୀନକୃଷ୍ଣ ମିଶ୍ରଙ୍କର ହେବ ପଲିଗ୍ରାଫ୍‌ ଟେଷ୍ଟ
ଭୁବନେଶ୍ୱରର ଭରତପୁର ଥାନାରେ ଜଣେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ହେବ ପଲିଗ୍ରାଫ୍‌ ଟେଷ୍ଟ। ଏଥିପାଇଁ ଆଜି କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟ। ଦୀନକୃଷ୍ଣ ମିଶ୍ରଙ୍କର ପଲିଗ୍ରାଫ୍‌ ଟେଷ୍ଟ ସହିତ ନାର୍କୋ ଆନାଲିସିସ୍‌ ଓ ବ୍ରେନ୍‌ ଫିଙ୍ଗର ପ୍ରିଣ୍ଟିଂ ଟେଷ୍ଟକୁ ବି ଅନୁମତି ଦେଇଛନ୍ତି କୋର୍ଟ। ଏହି ୩ଟି ଟେଷ୍ଟ ପାଇଁ ଦୀନକୃଷ୍ଣଙ୍କୁ ଗୁଜରାଟର ଗାନ୍ଧିନଗର ନେବ କ୍ରାଇମବ୍ରାଞ୍ଚ। ଅଭିଯୁକ୍ତ ତଥା ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ପଲିଗ୍ରାଫ୍ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରିଥିଲା। ପଲିଗ୍ରାଫ୍ ଟେଷ୍ଟ ପାଇଁ ଦୀନକୃଷ୍ଣ ରାଜି ହୋଇଥିବାରୁ କୋର୍ଟ ବି ଏହି ଆବେଦନ ଉପରେ ସହମତି ପ୍ରକାଶ କରିଥିଲା।


H7. ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ
ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ମୋଟ ୩୬ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି। ଅନାମ ଚରଣ ପାତ୍ରଙ୍କୁ କଟକ ମହାନଗର ନିଗମର କମିଶନର କରାଯାଇଛି। ଏବେ ସେ କଟକ ମହାନଗର ନିଗମର ଅତିରିକ୍ତ କମିଶନର ଅଛନ୍ତି। ଗତ ଅଗଷ୍ଟ ଶେଷ ସପ୍ତାହରେ କଟକ ମହାନଗର ନିଗମ କମିଶନର ବିଜୟ କୁମାର ଦାଶଙ୍କୁ ଗଜପତି ଜିଲ୍ଲାପାଳ ଭାବେ ବଦଳି ପରଠୁ ଏହି ପଦବୀ ଖାଲି ପଡ଼ିଥିଲା।ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ, ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ବରିଷ୍ଠ ଓଏଏସ୍ ମଧୁମିତା ରଥ ନିଜ ଦାୟିତ୍ୱ ସହ ‘ଉତ୍କଳିକା’ ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇବେ ।


H8. ୩୦ରେ ପୁରୀ ଯିବ ଗୃହ କମିଟି, ପରିକ୍ରମା ପ୍ରକଳ୍ପର ହେବ ଅନୁଧ୍ୟାନ
ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ପୁରୀ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ପରିଚାଳନା ଓ ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିବେ ବିଧାନସଭା ଗୃହ କମିଟି । ଆସନ୍ତା ୩୦ ତାରିଖରେ ଗୃହ ଓ ଆଇନ ବିଭାଗର ବିଧାନସଭା ବିଭାଗୀୟ ଷ୍ଟାଣ୍ଡିଂ କମିଟି ପୁରୀ ଗସ୍ତରେ ଯାଇ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ଓ ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିବେ ବୋଲି ଜଣାପଡ଼ିଛି ।


H9. କେନ୍ଦ୍ର ଗୁଇନ୍ଦା ବିଭାଗର ହାଇଆଲର୍ଟ
ଓଡ଼ିଶାର ସମୁଦ୍ର ଉପକୂଳରେ ଥିବା ସମ୍ବେଦନଶୀଳ ସରକାରୀ ପ୍ରତିଷ୍ଠାନ ଉପରେ ଅନୁପ୍ରବେଶକାରୀଙ୍କ ଡ୍ରୋନ୍‌ର ନଜର ରହିଛି। ଡ୍ରୋନ୍ ମାଧ୍ୟମରେ ଏହି ସମ୍ବେଦନଶୀଳ ପ୍ରତିଷ୍ଠାନଗୁଡ଼ିକର ଫଟୋ ଗୋପନୀୟ ଢଙ୍ଗରେ ଉତ୍ତୋଳନ କରାଯାଉଥିବା ଆଶଙ୍କା କରାଯାଉଛି। ଏ ପ୍ରକାର ସତର୍କ ସୂଚନା କେନ୍ଦ୍ର ଗୃହ ମନ୍ତ୍ରାଳୟର ଗୁଇନ୍ଦା ବିଭାଗ ପକ୍ଷରୁ ଓଡ଼ିଶା ପୁଲିସକୁ ଦିଆଯାଇଛି। ସବୁଠାରୁ ବଡ଼ କଥା ହେଲା, ବାରମ୍ବାର ଏଭଳି ସୂଚନା ମିଳିବା ପରେ ବି ‘ଆଣ୍ଟି ଡ୍ରୋନ୍’ ଭଳି ଅତ୍ୟାଧୁନିକ ଯନ୍ତ୍ରାଂଶ ବ୍ୟବସ୍ଥା ଓଡ଼ିଶା ପୁଲିସ ପକ୍ଷରୁ ଗ୍ରହଣ କରାନଯିବା କାରଣରୁ ଏବେ ପ୍ରତିଷ୍ଠାନର ସୁରକ୍ଷା ପ୍ରତି ବିପଦ ଅଧିକ ବଢ଼ିଯାଇଛି। 


H10. ଭାରତର କୌଣସି ଅଂଶକୁ ‘ପାକିସ୍ତାନ’ କହିପାରିବ ନାହିଁ: ପ୍ରଧାନ ବିଚାରପତି
କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଜଷ୍ଟିସ ବେଦବ୍ୟାସାଚାର ଶ୍ରୀଶାନନ୍ଦ କୋର୍ଟ ଅଧିବେଶନ ସମୟରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ସାର୍ବଜନୀନ କ୍ଷମା ପ୍ରାର୍ଥନା କରିବା ପରେ ଆଜି ସୁପ୍ରିମ୍‌କୋର୍ଟ ତାଙ୍କ ବିରୋଧରେ ଶୁଣାଣି ବନ୍ଦ କରିଦେଇଛନ୍ତି। ୫ ଜଣିଆ ଖଣ୍ଡପୀଠର ନେତୃତ୍ୱ ନେଉଥିବା ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ନ୍ୟାୟ ଓ ନ୍ୟାୟପାଳିକାର ମର୍ଯ୍ୟାଦାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ନିକଟରେ ଏକ ଅଦାଲତରେ ଜଷ୍ଟିସ୍ ଶ୍ରୀଶାନନ୍ଦ ଏକ ଜମିମାଲିକ-ଭଡ଼ାଟିଆ ବିବାଦର ଶୁଣାଣି କରିବା ବେଳେ ବେଙ୍ଗାଲୁରୁର ଏକ ମୁସଲମାନବହୁଳ ଅଞ୍ଚଳକୁ ‘ପାକିସ୍ତାନ’ ବୋଲି ଉଲ୍ଲେଖ କରିବା ସହ ଜଣେ ମହିଳା ଓକିଲଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିଲେ। ସୋସିଆଲ୍‌ ମିଡିଆରେ ତାଙ୍କ ମନ୍ତବ୍ୟ ଭାଇରାଲ ହେବା ପରେ କର୍ଣ୍ଣାଟକ ହାଇକୋର୍ଟଙ୍କଠାରୁ ସୁପ୍ରିମ୍‌କୋର୍ଟ ରିପୋର୍ଟ ମାଗିଥିଲେ, ଯାହା ତୁରନ୍ତ ଦାଖଲ କରାଯାଇଥିଲା।