H1. ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା, ଆଲର୍ଟ ଜାରି କଲା ପାଣିପାଗ ବିଭାଗ
ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା। ପ୍ରବଳ ବର୍ଷା ନେଇ ଆଜି ସକାଳ ସାଢେ ୮ଟା ଯାଏଁ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। କିଛି ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ମଧ୍ୟ ରହିଛି। ବିଶେଷ କରି ଗଂଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ମୟୂରଭଂଜ, କେନ୍ଦୁଝର ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଢେଙ୍କାନାଳ, ଯାଜପୁର, ବୌଦ୍ଧ, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, କନ୍ଧମାଳ ଏବଂ ନୟାଗଡ଼ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି। ଟ୍ବିନ୍ ସିଟି କଟକ ଭୁବନେଶ୍ବରରେ ମଧ୍ୟ ସକାଳୁ ସକାଳୁ ବର୍ଷା ଲାଗି ରହିଛି।


COMMERCIAL BREAK
SCROLL TO CONTINUE READING

H2. ଏଣିକି ମାତୃତ୍ୱ ଛୁଟି ୧୮୦ ଦିନ
ସନ୍ତାନ ପାଇଁ ଅନ୍ୟକୁ ଗର୍ଭ ଉଧାର ଦେଉଥିବା ସରକାରୀ ଚାକିରିଆ ମହିଳାଙ୍କୁ ଏଣିକି ୧୮୦ ଦିନର ମାତୃତ୍ୱ ଲାଭ ଛୁଟି ମିଳିବ। ସେହିପରି ଯେଉଁ ପିତାଙ୍କ ଭ୍ରୁଣକୁ ସେ ଧାରଣ କରିଥିବେ ଏବଂ ସେ ଯଦି ସରକାରୀ ଚାକିରିଆ ହୋଇଥିବା ତେବେ ସରକାରୀ ନିୟମ ଅନୁସାରେ ତାଙ୍କୁ ମଧ୍ୟ ୧୫ ଦିନର ପିତୃତ୍ୱ ଲାଭ ଛୁଟି ମିଳିବ। ଏନେଇ ଅର୍ଥ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜରିଆରେ ସ୍ପଷ୍ଟ କରାଯାଇଛି। ଏହାସହ  ଯେଉଁ ମା’ଙ୍କ ପାଇଁ ସେ ନିଜ ଗର୍ଭ ଉଧାର ଦିଅନ୍ତି ଅର୍ଥାତ୍‍ ଅଧିଷ୍ଠାତା ମା’ ବା କମିଶନିଂ ମଦରଙ୍କୁ ମଧ୍ୟ ୧୮୦ ଦିନର ମାତୃତ୍ୱ ଲାଭ ଛୁଟି ପ୍ରଦାନ କରିବାକୁ ଅର୍ଥ ବିଭାଗ ଏହି ଆଦେଶରେ ସ୍ପଷ୍ଟ କରିଛନ୍ତି।


H3. ଭର୍ତ୍ତୃହରିଙ୍କୁ ଅର୍ଥ, ଶଶୀ ଥରୁରଙ୍କୁ ବର୍ହିବ୍ୟାପାର 
ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସରକାରଙ୍କ ନିଷ୍ପତ୍ତି ଓ କାର୍ଯ୍ୟକଳାପକୁ ସମୀକ୍ଷା କରିବା ତଥା ଏହାକୁ ଉତ୍ତରଦାୟୀ କରିବା ଲାଗି ପରାମର୍ଶ ଦେବା ଉଦ୍ଦେଶ୍ୟରେ ସଂସଦର ସ୍ଥାୟୀ କମିଟି ପୁନର୍ଗଠିତ କରାଯାଇଛି। ଉଭୟ ଶାସକ ଓ ବରୋଧୀ ଦଳଙ୍କ ବରିଷ୍ଠ ନେତାମାନଙ୍କୁ ବିଭିନ୍ନ ସ୍ଥାୟୀ କମିଟି ( ଷ୍ଟାଣ୍ଡିଂ କମିଟି)ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯିବା ସହ ନୂଆ ଓ ପୁରୁଣା ସାଂସଦଙ୍କୁ ଏହାର ସଦସ୍ୟ ଭାବେ ଗ୍ରହଣ କରାଯାଇଛି। ରାଜ୍ୟସଭା ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି। ଏହିକ୍ରମରେ ଓଡ଼ିଶାର କଟକ ଲୋକସଭା ଆସନରୁ ଲଗାତାର ୭ଥର ନିର୍ବାଚିତ ହୋଇଥିବା ଭର୍ତ୍ତୃହରି ମହତାବଙ୍କୁ ଅର୍ଥ ବିଭାଗୀୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଏଥିରେ ଲୋକସଭାର ୨୧ଜଣ ସଦସ୍ୟ ଏବଂ ରାଜ୍ୟସଭାର ୧୦ ଜଣ ସଦସ୍ୟ ରହିଛନ୍ତି।  


H4. ରାସ୍ତା ଉପରେ ତୋରଣ ନିର୍ମାଣକୁ ହାଇକୋର୍ଟଙ୍କ ବାରଣ 
ଆସୁଛି ପାର୍ବଣ ଋତୁ। ଜମିବ ପୂଜା। ହେଲେ ଏହି ପାର୍ବଣ ଋତୁରେ ଲାଗିଛି ବଡ଼ ଝଟ୍‌କା। କାରଣ ଦଶହରା ଉତ୍ସବକୁ ନେଇ ଆଜି ହାଇକୋର୍ଟ ଦେଇଛନ୍ତି କଡ଼ା ନିର୍ଦ୍ଦେଶ। ରାସ୍ତା ଉପରେ ତୋରଣ ନିର୍ମାଣକୁ ବାରଣ କରିଛନ୍ତି କୋର୍ଟ। ରାସ୍ତା ଉପରୁ କେବୁଲ ଓ ତାର ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ କଟକ ସହରର ରାସ୍ତାଘାଟ ଅବସ୍ଥାକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ୫ ତାରିଖ ସୁଦ୍ଧା ରାସ୍ତା ମରାମତି ସାରିବାକୁ ପୂର୍ତ୍ତ ସଚିବ କୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।


H5. ପାକିସ୍ତାନର ଶିଆ-ସୁନ୍ନି ମୁସଲିମଙ୍କ ସଙ୍ଘର୍ଷ; ୨୫ ମୃତ
ପାକିସ୍ତାନର ଉତ୍ତର-ପଶ୍ଚିମ ଖାଇବର ପଖତନଖ୍ୱାରେ ଦୀର୍ଘ ଦିନ ଧରି ଶିଆ ଏବଂ ସୁନ୍ନି ମୁସଲିମଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ପୁଣି ଥରେ ମୁଣ୍ଡ ଟେକିଛି। ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହି ହିଂସାରେ ଉଭୟ ପକ୍ଷରୁ ପ୍ରାୟ ୧୦ ହଜାରରୁ ଅଧିକ ଲୋକ ମଧ୍ୟ ଆହତ ହୋଇଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଚେଷ୍ଟା କରାଯାଉଥିବା ଖାଇବର ପଖତନଖ୍ୱାର ଆଇନ ମନ୍ତ୍ରୀ ଅଫତାବ ଆଲମ କହିଛନ୍ତି। 


H6. ଆନ୍ଦୋଳନରେ ନର୍ସିଂ କର୍ମଚାରୀ ସଂଘ
କାର୍ଯ୍ୟବନ୍ଦ ଆନ୍ଦୋଳନରେ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ। ବର୍ତ୍ତମାନ ସୁଦ୍ଧା ନର୍ସିଂ କର୍ମଚାରୀମାନେ ଜରୁରୀ ସ୍ବାସ୍ଥ୍ୟସେବା ଜାରି ରଖିଥିବା ବେଳେ ଆଜିଠାରୁ ଏହାକୁ ବନ୍ଦ କରିଦେବେ। ରୋଗୀଙ୍କୁ ଇଞ୍ଜେକ୍‌ସନ୍ ଦେବା ଲାଗି ପାଖରେ ନର୍ସଙ୍କୁ ଖୋଜିଲେ ମଧ୍ୟ ମିଳିବେ ନାହିଁ। ରାତି ପାହିଲେ ରାଜ୍ୟବ୍ୟାପୀ ସରକାରୀ ସ୍ବାସ୍ଥ୍ୟସେବା ସଂପୂର୍ଣ୍ଣଭାବେ ଭୁଶୁଡ଼ି ପଡ଼ିବା ଆଶଙ୍କା ସୃଷ୍ଟି ହୋଇଛି। ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନକୁ ରୋକିବା ପାଇଁ ରାଜ୍ୟ ସରକାର ଏସ୍‌ମା ଲାଗୁ କରିଛନ୍ତି। ମାତ୍ର ଏହାକୁ ଖାତିର ନ କରି ନର୍ସିଂ କର୍ମଚାରୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ରାଜ୍ୟ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ରାଜ୍ୟବାସୀଙ୍କ ନଜର ରହିଛି। 


H7. ବିଚାରବିମର୍ଶ ପାଇଁ ଅନ୍ତଃବିଭାଗୀୟ କମିଟି
୧୦ ଦଫା ଦାବି ନେଇ ଓଡିଶା ନର୍ସିଂ କର୍ମଚାରୀମାନେ ରାଜ୍ୟବ୍ୟାପୀ ଆନ୍ଦୋଳନ କରୁଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା ବିଫଳ ହେବାପରେ ନର୍ସିଂ କର୍ମଚାରୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ନର୍ସିଂ କର୍ମଚାରୀ ସଂଘକୁ ସନ୍ତୁଷ୍ଟ କରିବାକୁ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି । ଆଜି ନର୍ସିଂ କର୍ମଚାରୀ ସଂଘ (ଓଏନଇଏ) ର ଦାବି ଉପରେ ଆଜି ଆଲୋଚନା କରାଯାଇଥିଲା । ସରକାର ପରିସ୍ଥିତିର ଅନୁଧ୍ୟାନ କରି ସଂଘ ଦ୍ୱାରା ଉଠାଯାଇଥିବା ବିଭିନ୍ନ ଦାବି ଉପରେ ବିଚାରବିମର୍ଶ କରିବା ପାଇଁ ଏକ ଅନ୍ତଃବିଭାଗୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ସହ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବାର ଆବଶ୍ୟକତାକୁ ହୃଦୟଙ୍ଗମ କରି ଆନ୍ଦୋଳନକାରୀ ନର୍ସିଂ ଅଫିସରମାନେ ଆନ୍ଦୋଳନ ପଥରୁ ଓହରି ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ସରକାର ପରାମର୍ଶ ଦେଇଥିବା ସୂଚନା ରହିଛି ।


H8. ବଢିଲା ଶ୍ରମିକଙ୍କ ଦୈନିକ ମଜୁରୀ
ଶ୍ରମିକଙ୍କୁ କେନ୍ଦ୍ର ସରକାରଙ୍କ ପୂଜାଭେଟି । ବଢିଲା ଅଣସଂଗଠିତ ଶ୍ରମିକଙ୍କ ଦୈନିକ ମଜୁରୀ । ଏହି ବର୍ଦ୍ଧିତ ମଜୁରୀ ଅକ୍ଟୋବର ୧ରୁ ଲାଗୁ ହେବ । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ଜୀବନ ଧାରଣ ମାନ ବୃଦ୍ଧିରେ ସହାୟକ ହେବ । ନିର୍ମାଣ କାମ, ପରିବହନରେ ନିୟୋଜିତ ହେଉଥିବା ଶ୍ରମିକ, ପରିମଳ ବିଭାଗ, ଖଣି ଓ କୃଷିକ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ପାଇଁ ଲାଗୁ ହେବ ଏହି ନୂଆ ନିୟମ । କୁଶଳି, ଅଣକୁଶଳୀ, ଅର୍ଦ୍ଧକୁଶଳୀ ଓ ଅତିକୁଶଳୀ ଶ୍ରମିକଙ୍କୁ ମିଳିବ ଏହି ବର୍ଦ୍ଧିତ ମଜୁରୀ । ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ବଢ଼ି ଦିନକୁ ୭୮୩ ଟଙ୍କା ହୋଇଥିବା ବେଳେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ଦିନକୁ ୮୬୮ଟଙ୍କା । କୁଶଳୀ ଶ୍ରମିକଙ୍କ ମଜୁରୀ ଦିନକୁ ୯୫୪ଟଙ୍କା ମିଳିବାକୁ ଥିବା ବେଳେ ଅତିକୁଶଳୀ ଶ୍ରମିକଙ୍କ ମଜୁରୀ ୧୦୩୫ ଟଙ୍କାକୁ ବୃଦ୍ଧି ପାଇଛି । 


H9. ଆଜି ଓଡ଼ିଶା ଆସିବେ ଭେଙ୍କୟା ନାଇଡୁ ଓ ଆସାମ ମୁଖ୍ୟମନ୍ତ୍ରୀ
ଆଜି ଓଡ଼ିଶା ଆସିବେ ପୂର୍ବତନ ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଏହି ଗ୍ରସ୍ତ ଅବସରରେ ଉଭୟ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଭେଙ୍କୟା ନାଇଡ଼ୁ ଦୁଇ ଦିନିଆ ଗସ୍ତରେ ଆସି ଆଜି ଦିନ ୧୦ଟା ୧୫ରେ ଭୁବନେଶ୍ୱର ରେଳ ଷ୍ଟେସନରେ ପହଞ୍ଚିବେ। ସେଠାରୁ ରାଜଭବନ ଯାଇ ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେହିପରି ହିମନ୍ତ ବିଶ୍ୱଶର୍ମା ଦିନିକିଆ ଗସ୍ତରେ ଆସି ଆଜି ସକାଳ ସାଢେ ୧୦ଟା ବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସେ ସିଧାସଳଖ ରଜଭବନ ଯାଇ ରାଜ୍ୟପାଳଙ୍କ ସହ ସୌଜନ୍ୟମୂଳକ ସାକ୍ଷତ କରିବେ। ପାଖାପାଖି ଘଣ୍ଟାଏ ଧରି ରାଜଭବନରେ ରହିବେ ହିମନ୍ତ ବିଶ୍ୱଶର୍ମା। 


H10. ମଙ୍କିପକ୍ସକୁ ଆଡଭାଇଜାରୀ ଜାରୀ
ଭାରତରେ ମଙ୍କିପକ୍ସ (Mpox) ର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଡଭାଇଜରୀ ଜାରି କରିଛି। ଏହି ଭୂତାଣୁକୁ ରୋକିବା ଏବଂ ସୁରକ୍ଷା ସମ୍ପର୍କରେ ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ ଏକ ଆଡଭାଇଜରୀ ଜାରି କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ ରାଜ୍ୟ ସରକାର Mpox ସମ୍ବନ୍ଧରେ ଏକ ସଚେତନତା ଅଭିଯାନ ଚଳାଇବା ଆବଶ୍ୟକ, ଯାହା ଦ୍ୱାରା ଲୋକମାନେ ଏହି ରୋଗ ବିଷୟରେ ଜାଣିପାରିବେ ଏବଂ ଭୟଭୀତ ହେବେ ନାହିଁ।