ଫସଲ କ୍ଷତି: ଜିଲ୍ଲା ବୁଲିବେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ
ଅଦିନିଆ ବର୍ଷାଜନିତ ଫସଲ କ୍ଷୟକ୍ଷତିର ଆକଳନ ପାଇଁ ଜିଲ୍ଲା ବୁଲିବେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିରୋଧୀ ଦଳ ନେତା। ଫସଲ କ୍ଷୟକ୍ଷତିର ଅନୁଧ୍ୟାନ ସହ ଚାଷୀଙ୍କ ମନୋବଳ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ଅନ୍ୟ ୩ଜଣ ମନ୍ତ୍ରୀ ବିଭିନ୍ନ ଜିଲ୍ଲା ଗସ୍ତରେ ଯିବେ । ସେହିପରି ବିରୋଧୀ ଦଳ ନେତା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ପରଦିନ ଅର୍ଥାତ୍ ୩୦ତାରିଖରେ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ଚାଷୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।


COMMERCIAL BREAK
SCROLL TO CONTINUE READING

ରାଜଧାନୀରେ ସିରିଜ୍‌ ଦୁର୍ଘଟଣା; ୭ ଆହତ
ଭୁବନେଶ୍ୱର ଜାଭିଅର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ସିରିଜ୍‌ ଦୁର୍ଘଟଣା। ପଛକୁ ପଛ ପିଟି ହେଲା କାର୍‌-ଭ୍ୟାନ୍‌-ଅଟୋ। ପ୍ରଥମେ ସ୍କୁଲ ଭ୍ୟାନ୍‌କୁ ପିଟିଲା କାର। ତା’ପରେ ସ୍କୁଲ ଭ୍ୟାନ୍‌ ପିଟିହେଲା ଅଟୋରେ। ଅଟୋଟି ଦୁଇଟି ବାଇକ୍‌ରେ ପିଟି ହୋଇଯାଇଥିଲା। ଏଥିରେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ସେଥିରେ ଜଣେ ଶିଶୁ ଥିବା ଜଣାପଡ଼ିଛି। ସମସ୍ତଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।


୩୦ରେ ବୁଲିବେ ନବୀନ
ଆସନ୍ତା ୩୦ ତାରିଖ ଦିନ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ଶ୍ରୀ ପଟ୍ଟନାୟକ  ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଗଞ୍ଜାମ ର ହିଞ୍ଜିଳି, ଶେରଗଡ଼, କବିସୂର୍ଯ୍ୟନଗର ଆସିକା ଓ ଖଲିକୋଟ ଆଦି ସ୍ଥାନ ମାନଙ୍କରେ କ୍ଷତିଗ୍ରସ୍ତ ଚାଷ ଅଂଚଳ ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବେ। ଫସଲ କ୍ଷତି ସମ୍ପର୍କ ରେ ପଚାରି ବୁଝିବେ ଓ ସମ୍ପୃକ୍ତ ଅଧିକାରୀ ମାନଙ୍କ  ସହ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବେ।


ପୁରୀରେ ନୂଆବର୍ଷ ଭିଡ଼: ଜଗିବେ ୯୦ ଅଧିକାରୀ
ଇଂରାଜୀ ନୂଆବର୍ଷରେ ଉଭୟ ଶ୍ରୀମନ୍ଦିର ଓ ବେଳାଭୂମିରେ ଲକ୍ଷାଧିକ ଭକ୍ତ ତଥା ପର୍ଯ୍ୟଟକଙ୍କ ସମାଗମ ହେବ। ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଭିତର, ବାହାର ସହ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଉପରେ ବି ନଜର ରଖାଯାଇଛି। ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍‌ ପରିଚାଳନା ପାଇଁ ଜିଲ୍ଲାରେ ୯୦ ଅଧିକାରୀଙ୍କ ସହ ୬୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବ। ପୁଲିସ ଅଧିକାରୀଙ୍କ ସହ ଏହାର ପୂର୍ବପ୍ରସ୍ତୁତି ସଂପର୍କରେ ଆଲୋଚନା କରାଯାଇଛି। ଅପରପକ୍ଷେ ଆଜି ପୁଣିଥରେ ଜିଲ୍ଲା ପୁଲିସ ଓ  ହୋଟେଲ୍‌ ମାଲିକଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଛି।


ବଢିବ ଶୀତ
ନୂଆ ବର୍ଷରୁ ପୁଣି ବଢିବ ଶୀତ। ବିଦାୟୀ ବର୍ଷ ୨୦୨୪ର ଶେଷ ରାତି ଅର୍ଥାତ ଡିସେମ୍ବର ୩୧ ତାରିଖ ରାତିରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ତଳମୁହାଁ ହେବ। ବଢିବ ଥଣ୍ଡାର ପ୍ରକୋପ। ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। କିଛି ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ପାଣିପାଗ ବିଭାଗ କହିବା ମୁତାବକ ଦକ୍ଷିଣ ଓଡ଼ିଶାର କଳାହାଣ୍ଡି, କନ୍ଧମାଳ, କୋରାପୁଟ ଓ ମାଲକାନଗିରିର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ପଶ୍ଚିମା ବାୟୁ ପ୍ରଭାବରେ ଏଭଳି ବର୍ଷା ହେବାରୁ ସମ୍ଭାବନା ରହିଛି। ତେବେ ଶନିବାର ଠାରୁ ରାଜ୍ୟରେ କୌଣସି ସ୍ଥାନରେ ବର୍ଷା ହୋଇନାହିଁ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଜିଠାରୁ ୪ଟି ଜିଲ୍ଲାକୁ ବାଦ ଦେଲେ ପାଗ ସବୁଠି ଶୁଖିଲା ରହିବ। 


ସରିଲା ମନମୋହନଙ୍କ ଶେଷକୃତ୍ୟ
ଶନିବାର ଦିନ ଦିଲ୍ଲୀର ନିଗମବୋଧ ଘାଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅନ୍ତିମ ସଂସ୍କାରରେ କଂଗ୍ରେସର ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ। ଏହା ସମେତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଜନାଥ ସିଂଙ୍କ ସମେତ ବହୁ ନେତା ନିଗମବୋଧ ଘାଟରେ ପହଞ୍ଚି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମୃତଦେହକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। 


ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବିଶ୍ୱ ଚେସ୍‌ ଚାମ୍ପିଅନ୍‌ ଡି. ଗୁକେଶ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ସର୍ବକନିଷ୍ଠ ବିଶ୍ୱ ଚେସ୍ ଚାମ୍ପିଅନ୍ ଡି. ଗୁକେଶ। ମୋଦିଙ୍କୁ ନିଜ ବିଶ୍ୱ ଚେସ୍ ଚାମ୍ପିଅନସିପ୍ ମେଡାଲ୍ ଦେଖାଇବା ସହିତ, ସେ ଜିତିଥିବା ମ୍ୟାଚର ଅରିଜିନାଲ୍ ଚେସବୋର୍ଡ ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେଇଛନ୍ତି ଗୁକେଶ। ଏହି ଚେସ୍‌ବୋର୍ଡରେ ଗୁକେଶ ଓ ଡିଙ୍ଗ୍ ଲାଇରେନଙ୍କ ଅଟୋଗ୍ରାଫ୍ ରହିଛି। ଗୁକେଶଙ୍କ ସହ ତାଙ୍କ ବାପା-ମା'ଙ୍କ ସହ ଭେଟି ଶୁଭେଚ୍ଛା ଜଣାଇଛନ୍ତି ମୋଦି।


ଆଉ ଏକ ବିମାନ ଦୁର୍ଘଟଣା
ପୁଣି ଆଉ ଏକ ବିମାନ ଦୁର୍ଘଟଣା। ଦକ୍ଷିଣ କୋରିଆରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାର ଶିକାର ହୋଇଛି। ଏଥିରେ ୨୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୁଆନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ ବେଳେ ରନଓ୍ୱେରୁ ଖସି ଯିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଏହି ବିମାନରେ ୧୭୫ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ ୧୮୧ ଜଣ ଥିଲେ। ବିମାନଟି ବ୍ୟାଙ୍କକରୁ ଫେରୁଥିଲା। ତେବେ ମୁଆନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଲ୍ୟାଣ୍ଡିଂ ବେଳେ ରନଓ୍ୱେରୁ ଏହାର ଖସି ଯାଇ ବିମାନ ବନ୍ଦରର କାନ୍ଥ ସହ ଧକ୍କା ହୋଇଥିଲା। ଏହାପରେ ଏଥିରେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଏଥିରେ ଘଟଣାସ୍ଥଳରେ ହିଁ ୨୮ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ସେହିପରି ୨୩ ଜଣ ଗୁରୁତର ହୋଇଥିବା ସୂଚନା ରହିଛି।


ଆଜି ବର୍ଷର ଶେଷ ମନ କି ବାତ୍
ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍‌ କି ବାତ୍। ବର୍ଷର ଶେଷ ମନ୍‌ କି ବାତ୍‌ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଆଜି ହେଉଛି ୧୧୭ ତମ ମନ୍‌ କି ବାତ୍ ଓ ଚଳିତ ବର୍ଷର ୯ ତମ ମନ୍‌ କି ବାତ୍ ।   ଲୋକସଭା ନିର୍ବାଚନ ପାଇଁ ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସରେ କାର୍ୟ୍ୟକ୍ରମ ବନ୍ଦ ରହିଥିଲା। ନଭେମ୍ବର ମାସରେ ହୋଇଥିବା  ମନ୍‌ କି ବାତ୍‌ରେ ପ୍ରଧାନମନ୍ତ୍ରୀ ଡିଜିଟାଲ ଆରେଷ୍ଟ, ସ୍ବାମୀ ବିବେକାନନ୍ଦ ଓ ଏନ୍‌ସିସି ଆଦି ପ୍ରସଙ୍ଗରେ ଆଲୋଚନା କରିଥିଲେ। ଆଜିର କାର୍ୟ୍ୟକ୍ରମରେ ଦେଶବାସୀଙ୍କୁ ନୂଆ ବର୍ଷର ଅଭିନନ୍ଦନ ଜଣାଇବା ସହ ଅନ୍ୟ କିଛି ପ୍ରସଙ୍ଗ ଉଠାଇ ପାରନ୍ତି ।


କ୍ଷମା ମାଗିଲେ ପୁଟିନ
ନିକଟରେ ଆଜେରବାଇଜାନ ଏୟାରଲାଇନ୍ସର ବିମାନ ଦୁର୍ଘଟଣା ପାଇଁ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜେରବାଇଜାନର ରାଷ୍ଟ୍ରପତି ଇଲହାମ ଆଲିଭଙ୍କ ନିକଟରେ କ୍ଷମା ମାଗିଛନ୍ତି। ଏହି ଦୁଃଖଦ ଦୁର୍ଘଟଣାରେ ଅତି କମରେ ୩୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୯ ଜଣ ବଞ୍ଚି ଯାଇଛନ୍ତି। କ୍ରେମଲିନ୍ ଦ୍ୱାରା ଜାରି ଏକ ବୟାନରେ କୁହାଯାଇଛି ଯେ ପୁଟିନ୍ ଏହି ଦୁଃଖଦ ଘଟଣା ପାଇଁ କ୍ଷମା ମାଗିଛନ୍ତି, ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ଏବଂ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।