Top 10 News Today: ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ, ନଭେମ୍ବର ୨୧ରୁ ଆରମ୍ଭ ହେବ ଧାନ କିଣା ଏବଂ ସକାଳର ଅନ୍ୟ ମୁଖ୍ୟ ଖବର
Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ
ବହୁ ପ୍ରତୀକ୍ଷିତ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆସନ୍ତାକାଲି(ନଭେମ୍ବର ୫)ହେବ। ଉଭୟ ଡେମୋକ୍ରାଟିକ୍ ପ୍ରାର୍ଥୀ କମଳା ହାରିସ ଏବଂ ରିପବ୍ଲିକାନ୍ ଦଳର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍ ଏଥିପାଇଁ ଭୋଟରମାନଙ୍କୁ ଶେଷ ନିବେଦନ କରି ସାରିଛନ୍ତି। ଏହି ନିର୍ବାଚନ ଜରିଆରେ ଆମେରିକା ତାହାର ୪୭ତମ ରାଷ୍ଟ୍ରପତିଙ୍କୁ ବାଛିବ। ତେବେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଏକ ଜଟିଳ ପ୍ରକ୍ରିୟା। ‘ଇଲେକ୍ଟୋରାଲ କଲେଜ୍’ ପଦ୍ଧତି ଦ୍ବାରା ରାଷ୍ଟ୍ରପତି ନିର୍ବାଚିତ ହୋଇଥାନ୍ତି। ରାଷ୍ଟ୍ରପତି ହେବାପାଇଁ ଜଣେ ପ୍ରାର୍ଥୀଙ୍କୁ ୨୭୦ ଇଲେକ୍ଟୋରାଲ କଲେଜ୍ ଭୋଟ୍ ଆବଶ୍ୟକ।
ସିମେଣ୍ଟ ରାସ୍ତା ହେବ ରାଜଧାନୀ ରାଜରାସ୍ତା
ଓଡ଼ିଶାରେ ପ୍ରଥମଥରପାଇଁ ହ୍ୱାଇଟ ଟପିଂ ଟେକ୍ନୋଲୋଜି ପ୍ରୟୋଗ କରିବାକୁ ଯାଉଛି ପୂର୍ତ୍ତ ବିଭାଗ। ଏଥିରେ ପିଚୁ ରାସ୍ତା ବା ବିଟୁମିନସକୁ ଖୋଳି ତା ଉପରେ ହାଇ ଷ୍ଟ୍ରେନଥ ସିମେଣ୍ଟ କଂକ୍ରିଟ ବିଛାଯିବ। ପିଚୁରାସ୍ତାକୁ ପ୍ରଥମେ ପ୍ରାୟ ଅଢେଇ ଇଞ୍ଚିର ସ୍କ୍ରାପଂ ବା ଖୋଳି ଦିଆଯିବ। ଏହା ଉପରେ ୫ ରୁ ୬ ଇଞ୍ଚିର ପୋର୍ଟଲାଣଡ୍ ସିମେଣ୍ଟ କଂକ୍ରିଟ ପକାଯିବ। କଂକ୍ରିଟ ପକାଇବା ପରେ ୨୮ ଦିନ ଯାଏ ଏହା ଉପରେ ପାଣି ଦିଆଯିବ। ଏହି ସ୍ୱତନ୍ତ୍ର ଧରଣର କଂକ୍ରିଟ ତିଆରି ପାଇଁ ରାଜଧାନୀ ଉପକଣ୍ଠରେ ଏକ ପ୍ଲାଣ୍ଟ ବସିବ। ସିମେଣ୍ଟ କଂକ୍ରିଟ ସହିତ ପ୍ଲାଷ୍ଟିସାଇଜର ଓ ଅନ୍ୟ କେମିକାଲକୁ ମିଶାଇ ଉଚ୍ଚ ଶକ୍ତିସମ୍ପନ୍ନ କଂକ୍ରିଟ ପ୍ରସ୍ତୁତ ହେବ। ରାସ୍ତା ନିର୍ମାଣରେ ଏହି କଂକ୍ରିଟ ବ୍ୟବହାର ହେବ।
ନଭେମ୍ବର ୨୧ରୁ ଆରମ୍ଭ ହେବ ଧାନ କିଣା
ନଭେମ୍ବର ମାସ ୨୧ ତାରିଖରୁ ଆରମ୍ଭ ହେବ ଧାନ କିଣା। ଚଳିତ ଖରିଫ୍ ଋତୁରେ ଧାନ କିଣା ନେଇ ମନ୍ତ୍ରିସ୍ତରୀୟ ବୈଠକରେ ହୋଇଛି ନିଷ୍ପତ୍ତି। ବୈଠକରେ ପରେ ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ବରଗଡ଼ ଜିଲ୍ଲାରୁ ଧାନ କିଣା ଆରମ୍ଭ ହେବ। ଚଳିତ ବର୍ଷ ୮୦ ଲକ୍ଷ ଟନ୍ ଧାନ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ଚାଷୀଙ୍କଠାରୁ କ୍ୱିଣ୍ଟାଲ ପ୍ରତି ୩୧୦୦ ଟଙ୍କାରେ ଧାନ କିଣିବେ ସରକାର। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ୨୩୦୦ ଟଙ୍କା ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଇନପୁଟ ସହାୟତା ୮୦୦ ଟଙ୍କା ମିଶାଇ ମୋଟ ୩୧୦୦ ଟଙ୍କାରେ ଧାନ ବିକ୍ରି କରିବେ ଚାଷୀ।
ପରଲୋକରେ ପୂର୍ବତନ କଂଗ୍ରେସ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀ
ପରଲୋକରେ ପୂର୍ବତନ କଂଗ୍ରେସ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ମାଝୀ । କୋରାପୁଟ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ମାଝୀଙ୍କ ଦେହାନ୍ତ ହୋଇଛି । ସେ ଦିବଂଗତ କଂଗ୍ରେସ ବିଧାୟକ ଅନନ୍ତରାମ ମାଝୀଙ୍କ ପୁଅ । ଅନନ୍ତରାମଙ୍କ ଦେହାନ୍ତ ପରେ ୨୦୦୮ରେ ସେ ଲକ୍ଷ୍ମୀପୁରର ବିଧାୟକ ହୋଇ ଚର୍ଚ୍ଚାକୁ ଆସିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୮ ମସିହାରେ ଲକ୍ଷ୍ମୀପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ ନିର୍ବାଚନରେ ସେ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ତେବେ ୧୯୭୪ ମସିହାରୁ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭେଟେରାନ କଂଗ୍ରେସ ନେତା ଅନନ୍ତରାମ ମାଝୀ ବିଧାୟକ ରହିଥିଲେ । ୧୯୭୪ ନିର୍ବାଚନ ପରେ ୧୯୭୭ରେ ଉକ୍ତ ନିର୍ବାଚନ ମଣ୍ଡଳିରୁ ହାରିଥିଲେ ଅନନ୍ତରାମ।
ସାତକୋଶିଆରେ ଛଡ଼ାଯିବେ ୧୬ ଘଡ଼ିଆଳ
ଅନୁଗୋଳ ଟିକରପଡ଼ାର ସାତକୋଶିଆ ଅଭୟାରଣ୍ୟ ମହାନଦୀ ଅଞ୍ଚଳରେ ୧୬ଟି ଘଡ଼ିଆଳ କୁମ୍ଭୀର ଛଡ଼ାଯିବ। ଏଥିପାଇଁ ଘଡିଆଳ ପୁନଃଉଦ୍ଧାର ପ୍ରକଳ୍ପ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଆସନ୍ତା ଡିସେମ୍ବରରେ ୮ଟି ଓ ୨୦୨୫ ମସିହାରେ ୮ଟି କୁମ୍ଭୀର ଛଡ଼ାଯିବ ବୋଲି ନନ୍ଦନକାନନ ଜୀବ ବିଜ୍ଞାନୀ ଡ. ରାଜେଶ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ଡ. ମହାପାତ୍ର କହିଛନ୍ତି ଯେ ବନବିଭାଗ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଡ. ସୁଶାନ୍ତ ନନ୍ଦ ଏବଂ ନନ୍ଦନକାନନ ନିର୍ଦ୍ଦେଶକ ମନୋଜ ଭି ନାୟାରଙ୍କ ମାର୍ଗଦର୍ଶନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ୧୪ଟି ଡିଭିଜନର ବନ କର୍ମଚାରୀ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ଏହା କରାଯାଉଛି।
ଦାନା କ୍ଷୟକ୍ଷତି ୬୦୦ କୋଟି
ଆସିଲା ବାତ୍ୟା ଦାନାର କ୍ଷୟକ୍ଷତି ରିପୋର୍ଟ । ବାତ୍ୟା ଦାନା ଘଟାଇଥିବା କ୍ଷୟକ୍ଷତିର ରିପୋର୍ଟ ଆସିବା ପରେ ଜଣା ପଡ଼ିଲା ବାତ୍ୟାର ପ୍ରକୋପ । ଜିଲ୍ଲାସ୍ତରରୁ ଆସିଥିବା କ୍ଷୟକ୍ଷତି ରିପୋର୍ଟ ପାଇଲେ ରାଜ୍ୟ ସରକାର । ତେବେ ଏନେଇ ବିସ୍ତୃତ ସୂଚନା ରାଜସ୍ୱ ମନ୍ତ୍ରୀ ଦେବେ ବୋଲି ଜଣାପଡ଼ିଛି । ମୋଟାମୋଟି ଭାବେ ୧୪ ଜିଲ୍ଲାର ୧୩୧ ବ୍ଲକ ପ୍ରଭାବିତ ହୋଇଛି । ୧୧, ୬୩୭ ଗାଁର ୪୧ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ମୋଟ ଉପରେ ୧୬, ୪୧୭ ଘର ପ୍ରଭାବିତ ହେବା ସହ ୨୭ ଘର ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି । ୧୪, ୬୮୦ ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି ବୋଲି କହିଛନ୍ତି ମନ୍ତ୍ରୀ । ବିଭାଗୱାରୀ ହିସାବ ଭିତ୍ତିରେ ଶକ୍ତି ବିଭାଗ ବେଶୀ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି ।
ରାଜଧାନୀରେ ଦୁର୍ଘଟଣା
ବେପରୁଆ ଗାଡ଼ି ଚାଳନାରେ ଉଡ଼ିଲା ଟ୍ରାଫିକ ପୋଷ୍ଟ। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର ଡମଣା ଛକରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣା ୨ ଗୁରୁତର ହୋଇଛନ୍ତି। କେଳୁଚରଣ ପାର୍କ ପଟୁ କାରଟି ଦ୍ରୁତ ଗତିରେ ଆସି ଡମଣା ଟ୍ରାଫିକ ପୋଷ୍ଟକୁ ଉଡାଇ ଦେଇଛି। ବିଳମ୍ବିତ ରାତିରେ ଘଟିଛି ଏ ଦୁର୍ଘଟଣା। ଭାରସାମ୍ୟ ହରାଇ ସିଧା ଟ୍ରାଫିକ ପୋଷ୍ଟର ଧକ୍କା କରିବା ସହ ଅପରପାର୍ଶ୍ବରେ ଥିବା ଡିଭାଇଡର ଉପରେ ଚଢ଼ି ଯାଇଥିଲା କାର। ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଇବା ସହ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରିଥିଲା । ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁସାରେ ଗାଡ଼ିରେ ଥିବା ଉଭୟ ଯୁବକ ଯୁବତୀ ମଦ୍ୟପାନ କରିଥିବା ଭଳି ଜଣା ପଡୁଥିଲା । ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି ।
ଅଲମୋରା ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୩୬ ଛୁଇଁଲା
ସୋମବାର ସକାଳେ ଉତ୍ତରାଖଣ୍ଡର ଆଲମୋଡ଼ାଠାରେ ଘଟିଥିବା ଏହି ଭୟଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩୬ ରେ ପହଞ୍ଚିଛି। ଏଥିରେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ୪୨ ଜଣ ଯାତ୍ରୀ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଗାଁ କୁପି ନିକଟରେ ଏହି ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇବାରୁ ବସ୍ ୧୫୦ ଫୁଟ ଗଭୀର ଘାଇରେ ଖସି ପଡିଥିଲା। କୁମାଓନ୍ ଡିଭିଜନ୍ ପୋଲିସ୍ କମିଶନର ଦୀପକ ରାୱତ ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ନିଶ୍ଚିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ପୁଷ୍କର ଧାମି ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତ ତଥା ଆହତଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।
୩୬ ବର୍ଷରେ ପାଦଥାପିଲେ ବିରାଟ
ଆଜିର ଦିନରେ ବର୍ଷକ ପୂର୍ବରୁ ଭାରତର ମହାନ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ବିଶ୍ୱକପ ସମୟରେ ନିଜର ୪୯ତମ ଦିନିକିଆ ଶତକ ସହିତ ୩୫ତମ ଜନ୍ମଦିନ ପାଳନ କରିଥିଲେ। ସେ କୋଲକାତାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅପରାଜିତ ୧୦୧ ରନ୍ ସଂଗ୍ରହ କରିଥିଲେ। ବର୍ତ୍ତମାନ ୫ ନଭେମ୍ବର ୨୦୨୪ରେ, ସେ ଆଉ ଏକ ବର୍ଷ ବଡ ହୋଇଯାଇଛନ୍ତି। ଏଥର କୋହଲି ଅଷ୍ଟ୍ରେଲିଆ ବିପକ୍ଷ କଠିନ ବର୍ଡର ଗାଭାସ୍କର ଟ୍ରଫି ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ବାଂଲାଦେଶ ଏବଂ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଘରୋଇ ଗ୍ରାଉଣ୍ଡରେ ବିଫଳ ହେବା ପରେ ବିରାଟଙ୍କ ଉପରେ ପ୍ରତ୍ୟାବର୍ତ୍ତନ କରିବାକୁ ଚାପ ରହିଛି। ଆଧୁନିକ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ଅନେକ ରେକର୍ଡ ଭାଙ୍ଗିଛନ୍ତି। ଏଠାରେ ଆମେ ଆପଣଙ୍କୁ ତାଙ୍କର ୫ଟି ରେକର୍ଡ ବିଷୟରେ କହୁଛୁ ଯାହା ଭାଙ୍ଗିବା କଷ୍ଟକର।
ବିପଦରେ ବାଂଲାଦେଶ ଷ୍ଟାର କ୍ରିକେଟରଙ୍କ କ୍ୟାରିୟର
ବାଂଲାଦେଶର ଷ୍ଟାର କ୍ରିକେଟର୍ ଶାକିବ ଅଲ ହାସନଙ୍କ କ୍ୟାରିୟର ବିପଦରେ ଥିବା ଜଣାପଡିଛି। କାଉଣ୍ଟି ଚାମ୍ପିୟନଶିପ୍ରେ ବାଂଲାଦେଶୀ ଖେଳାଳିମାନେ ଏଥର ଅସୁବିଧାରେ ପଡ଼ିଛନ୍ତି। ନିକଟରେ ଶେଷ ହୋଇଥିବା କାଉଣ୍ଟିଂ ଚାମ୍ପିଅନସିପ୍ ରାଉଣ୍ଡରେ ଅମ୍ପାୟାରମାନେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ତାଙ୍କର ଏହି କାର୍ଯ୍ୟକୁ ସନ୍ଦେହଜନକ ବୋଲି କୁହାଯାଇଛି। ଶାକିବ ଅଲ ହାସନ ୯ ରୁ ୧୨ ସେପ୍ଟେମ୍ବର ମଧ୍ୟରେ ସୋମେରସେଟ ବିପକ୍ଷରେ ଏକ ମ୍ୟାଚ ଖେଳିଥିଲେ ଯେଉଁଥିରେ ଅନ-ଫିଲ୍ଡ ଅମ୍ପାୟାର ତାଙ୍କ ବୋଲିଂ କାର୍ଯ୍ୟକୁ ସନ୍ଦେହଜନକ ବୋଲି ବର୍ଣ୍ଣନା କରିଥିଲେ