Bjp Loksabha MP: ଆଜି ସଂସଦରେ ନିର୍ବାଚିତ ସମସ୍ତ ଓଡ଼ିଆ ସାଂସଦ ଶପଥ ନେଇଛନ୍ତି। ଜଣକ ପରେ ଜଣେ ଓଡ଼ିଆ ସାଂସଦଙ୍କୁ ଶପଥ ପାଠ କରାଇଛନ୍ତି କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ। ଆଜି ପ୍ରଥମେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଶପଥ ପାଠ କରିଥିବା ବେଳେ କୋରାପୁଟ ସପ୍ତଗିରି ଉଲ୍ଲାକା ଶେଷ ସାଂସଦ ଭାବେ ଶପଥ ନେଇଥିଲେ। ଓଡ଼ିଆରେ ଶପଥ ପାଠ କରିଥିବା ବେଳେ ଦୁଇ ଜଣ ଇଂରାଜୀ ଓ ଜଣେ ସାଂସଦ ସଂସ୍କୃତ ଭାଷାରେ ଶପଥ ନେଇଥିଲେ। 


COMMERCIAL BREAK
SCROLL TO CONTINUE READING

ଆଜି ପ୍ରଥମେ ଶପଥ ନେବାକୁ ଆସିଥିଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ। ତାଙ୍କ ସମ୍ବଲପୁର କୁର୍ତ୍ତା ସହିତ ଏକ ହଳଦୀ ରଙ୍ଗର ନେହରୁ ଜାକେଟ ପରିପାଟିରେ ନଜର ଆସିଥିଲେ ଶ୍ରୀ ପୁରୋହିତ। ପରେ ପରେ ମୟୂରଭଞ୍ଜ ସାଂସଦ ନବଚରଣ ମାଝି ଓ କେନ୍ଦୁଝର ସାଂସଦ ଅନନ୍ତ ନାୟକ ଶପଥ ନେବା ପାଇ ଆସିଥିଲେ। ସମସ୍ତ ସାଂସଦ ଆଜି ଶପଥ ପାଠ ପରେ କାମଚଳା ବାଚସ୍ପତିଙ୍କୁ ପ୍ରଣାମ ଜଣାଉଥିବାର ନଜର ଆସିଥିଲେ। ପ୍ରତି ସାଂସଦଙ୍କ ଶପଥ ପାଠ ପରେ ଗୃହ ଜୟ ଜଗନ୍ନାଥର ନାରାରେ କମ୍ପି ଉଠିଥିଲା। 


ତେବେ ଏହି ଶପଥ ପାଠ ସମୟରେ କିଛି ଭିନ୍ନ ଚିତ୍ର ସାମ୍ନାକୁ ଆସିଥିଲା। ମୟୂରଭଞ୍ଜ ସାଂସଦ ସାନ୍ତାଳୀ ଭାଷାରେ ଶପଥ ନେଇଥିବା ବେଳେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସଂସ୍କୃତ ଭାଷାରେ ଶପଥ ପାଠ କରିଥିଲେ। ପୂର୍ବରୁ ମଧ୍ୟ ସାଂସଦ ଶ୍ରୀ ଷଡ଼ଙ୍ଗୀ ସଂସ୍କୃତରେ ଶପଥ ପାଠ କରିଥିବାର ନଜିର ରହିଛି। ଏଠାରେ କହି ରଖୁ କି ଶ୍ରୀ ଷଡ଼ଙ୍ଗୀଙ୍କର ସଂସ୍କୃତରେ ପାଣ୍ଡିତ୍ୟ ରହିଛି। ସେହିପରି ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀ ଓ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଇଂରାଜୀ ଭାଷାରେ ଶପଥ ନେଇଥିଲେ। 


ସେପଟେ ସାଂସଦଙ୍କ ପରିପାଟୀ ଅତ୍ୟନ୍ତ ଆକର୍ଷଣୀୟ ରହିଥିଲା। କିଏ ପାରମ୍ପରିକ ପୋଷାକ ପରିଧାନ କରିଥିଲେ ତ ଆଉ କିଏ  ସମ୍ବଲପୁରୀ ପୋଷାକ ପରିଧାନ କରିଥିଲେ। ବଲାଙ୍ଗୀର ରାଜମାତା ତଥା ସାଂସଦ ସଂଗୀତା କୁମାରୀ ସିଂହଦେଓ ସମ୍ବଲପୁରୀ ପାଟ୍ଟରେ ନଜର ଆସିଥିଲେ। ସେହିପରି ପୁରୀ ସାଂସଦ ସମ୍ବିତ ପାତ୍ର ଶପଥ ନେବା ପାଇଁ ନିଜ ସ୍ଥାନରୁ ଖାଲି ପାଦରେ ଚାଲି ଆସିଥିଲେ। ଶପଥ ନେବା ପରେ ଶ୍ରୀ ପାତ୍ର ପୁରୁଷୋତ୍ତମ କ୍ଷେତ୍ରର ନାଁ ନେଇଥିଲେ। ସେହିପରି ବ୍ରହ୍ମପୁର ସାଂସଦ ଶ୍ରୀ ପାଣିଗ୍ରାହୀ ଶପଥ ପାଠ ପରେ ଦେବାଦେବୀଙ୍କ ନାଁ ନେବାକୁ ଭୁଲିଯାଇଥିଲେ। ପରେ ମହାପ୍ରଭୁଙ୍କ ନାଁ ନେଇ ସ୍ଥାନ ଛାଡ଼ିଥିଲେ। ଅଧିକାଂଶ ସାଂସଦ ଶପଥ ପାଠ ପରେ ନିଜ ସ୍ଥାନକୁ ଫେରିଯାଇଥିଲେ। କିନ୍ତୁ ଅଧା ବାଟରୁ ପ୍ରତ୍ୟାବର୍ତ୍ତନ କରି କାମଚଳା ବାଚସ୍ପତିଙ୍କୁ ଅଭିବାଦନ ଜଣାଇବା ସହିତ କରମର୍ଦ୍ଦନ କରି ପୁନର୍ବାର ନିଜ ସ୍ଥାନକୁ ଫେରିଥିଲେ।


Also Read:  Speaker Election: ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଲେ ଓମ ବିର୍ଲା ଏବଂ କେ ସୁରେଶ


Also Read: ISRO achieves third consecutive success : ଆର୍‌ଏଲ୍‌ଭି ଲ୍ୟାଣ୍ଡିଂରେ ଇସ୍ରୋର ସଫଳତା