Gold Price: ନୂଆଦିଲ୍ଲୀ: ପର୍ବ ପରେ ବିବାହ ଋତୁ ଆରମ୍ଭ ହୋଇଛି। ଏଭଳି ପରିସ୍ଥିତିରେ ବରକନ୍ୟାଙ୍କ ପାଇଁ ଗହଣା କିଣିବା ଏକ ପ୍ରକାର ଆବଶ୍ୟକତା ରହିଛି।  ଯଦି ଆପଣ ମଧ୍ୟ ସୁନା କିମ୍ବା ରୂପା ଅଳଙ୍କାର କିଣିବାକୁ ଯୋଜନା କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ସର୍ବୋତ୍ତମ ସୁଯୋଗ। ଛଟ୍ ପୂଜା ସମୟରେ ରୂପା ମୂଲ୍ୟ ଏକ ଲକ୍ଷ ଟଙ୍କା ନିକଟରେ ପହଞ୍ଚି ସାରିଥିଲା। ​​କିନ୍ତୁ ବର୍ତ୍ତମାନ କିଲୋ ପିଛା ପ୍ରାୟ ୧୧ ହଜାର ଟଙ୍କା ହ୍ରାସ ପାଇଛି। ସେହିଭଳି ସୁନା ଭରି ପିଛା ଦରରେ ପାଖାପାଖି ୬୦୦୦ ଟଙ୍କା ହ୍ରାସ ପାଇଛି। 


COMMERCIAL BREAK
SCROLL TO CONTINUE READING

ମିଳିଥିବା ସୂଚନା ଅନୁସାରେ ବଜାର ତଥ୍ୟ ଅନୁଯାୟୀ ଗୁରୁବାର ୧୦ ଗ୍ରାମ ପିଛା ୨୪ କ୍ୟାରେଟ ଏବଂ ୨୨ କ୍ୟାରେଟ ସୁନା ଦର ଯଥାକ୍ରମେ ୧୨ ଶହ ଓ ୧୧ ଶହ ଟଙ୍କା ହ୍ରାସ ପାଇଥିଲା। ଫଳରେ ଯଥାକ୍ରମେ ୭୫୬୫୦ ଓ ୬୯୩୫୦ ଟଙ୍କାରେ କାରବାର କରିଥିଲା ସୁନା ଭରି ଦର। ସେହିପରି କିଲୋପିଛା ରୂପା ମୂଲ୍ୟ ଦରରେ ମଧ୍ୟ ପ୍ରାୟ ୨୦୦୦ ଟଙ୍କା ହ୍ରାସ ପାଇଛି ଫଳରେ ଏହା ଏକ ଲକ୍ଷ ଟଙ୍କା ତଳକୁ ଖସି ଆସି ୯୯ ହଜାର ଟଙ୍କାରେ ପହଞ୍ଚିଛି। ଫଳରେ ୧୫ ଦିନରେ ସୁନା ଦର ପ୍ରାୟ ୬ ହଜାର ଟଙ୍କା ହ୍ରାସ ପାଇଥିବା ଦେଖିବାକୁ ମିଳିଛି। 


ସେପଟେ ସୁନା ଦର ଖସିବାର ଅନେକ କାରଣ ରହିଥିବା ନେଇ ବ୍ୟବସାୟୀମାନେ ଯୁକ୍ତି ବାଢିଛନ୍ତି। ୩ ମାସ ଧରି ଦର କ୍ରମାଗତ ଭାବେ ବୃଦ୍ଧି ପାଇ ଆସୁଥିଲା। ଏବେ ଲାଭ ଅସୁଲ କରୁଛନ୍ତି। ଫଳରେ ଚାହିଦା ଖସିଛି। ଯାହା ଦର ହ୍ରାସର ଏକ ପ୍ରମୁଖ କାରଣ ଭାବେ ନିଆଯାଇପାରେ। ସେହିପରି ଆମେରିକାରେ ନିର୍ବାଚନ ଶେଷ ହୋଇଛି। ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରଠାରୁ ଏପର୍ଯ୍ୟନ୍ତ ଡଲାର ସୂଚକାଙ୍କ ମଧ୍ୟ ୨.୩୬ ପ୍ରତିଶତ ବୃଦ୍ଧି ପାଇଛି। ଆମେରିକୀୟ ବଣ୍ଡର ମୂଲ୍ୟ ବୃଦ୍ଧି ଘଟିଛି। ଫଳରେ ସୁନା ଦର ହ୍ରାସର ଅନ୍ୟ ଏକ କାରଣ ବୋଲି ବ୍ୟବସାୟୀମାନେ ଯୁକ୍ତି ବାଢିଛନ୍ତି। 


ମଧ୍ୟପ୍ରାଚ୍ୟ, ଋଷ-ୟୁକ୍ରେନ, ଇସ୍ରାଏଲ-ହମାସ, ଇସ୍ରାଏଲ ଇରାନ ମଧ୍ୟରେ ଯୁଧ୍ୟ ଯୋଗୁ ସୁନା ଦର ବୃ୍ଧି ପାଉଥିଲା। ଏବେ ସେଭଳି କିଛି ଗୁରୁତର ହଲଚଲ ନଥିବାରୁ ଅନ୍ତର୍ଜାତୀୟ ବଜାରରେ ସୁନା ଦର ହ୍ରାସ ପାଉଥିବା ନେଇ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।