First Tsunami Hits Japan City after Earthquake: ନୂତନ ବର୍ଷ ୨୦୨୪ ଆରମ୍ଭରୁ ଶକ୍ତିଶାଳୀ ଭୂକମ୍ପ ଝଟକାରେ କମ୍ପିଉଠିଛି ଜାପାନ। ଜାନୁଆରୀ ୧ ତାରିଖ ସୋମବାର ଦେଶର ପଶ୍ଚିମ ଉପକୂଳରେ ୭.୬ ତୀବ୍ରତା ଏକ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଥିବାର ରେକର୍ଡ କରାଯାଇଛି। ସୋମବାର ଅନୁଭୂତ ହୋଇଥିବା ଶକ୍ତିଶାଳୀ ଭୂକମ୍ପ ପରେ ଦେଶରେ ସୁନାମୀ ଆସିବା ନେଇ ଜାରି ହୋଇଥିଲା ଚେତାବନୀ। ଯାହା ପରେ ଜାପାନ ସରକାର ଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଯଥାଶୀଘ୍ର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପ୍ରୟାସ ଆରମ୍ଭ କରି ଦେଇଥିଲେ। 


COMMERCIAL BREAK
SCROLL TO CONTINUE READING

ସୋମବାର ଜାପାନ ଉପକୂଳରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଅନେକ ଥର କମ୍ପନ ସୃଷ୍ଟି ହୋଇଥିଲା। ଯାହା ପରେ ସୁନାମୀ ଆସିବା ନେଇ ଚେତାବନୀ ଜାରି ହୋଇଥିଲା। ସ୍ଥାନୀୟ ସମୟ ଅପରାହ୍ନ ଚାରିଟା  ବେଳେ ଇଶିକାୱା ପ୍ରଦେଶର ନୋଟୋ ଅଞ୍ଚଳରେ ଅନୁଭୂତ ହୋଇଥିବା ଭୂକମ୍ପ କାରଣରୁ ସୁନାମୀ ଆସିବା ନେଇ ଜରୁରୀକାଳୀନ ନିର୍ଦେଶନାମା ଜାରି ହୋଇଥିଲା। ଯାହା ପରେ ଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଯଥାଶୀଘ୍ର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଯାଇଥିଲା ପ୍ରୟାସ। 




ସୋମବାର ଜାପାନ ଉପକୂଳରେ ଅନୁଭୂତ ହୋଇଥିବା ଭୂକମ୍ପ ସହ ଜଡ଼ିତ ଅନେକ ଭିଡ଼ିଓ ସୋସିଆଲ ମିଡ଼ିଆ ମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଉଛି ଭୂକମ୍ପ ଝଟକା ପରେ ଉପକୂଳ ଆଡ଼କୁ ସୁନାମୀ ମାଡ଼ି ଆସିଛି। ସୋସିଆଲ ମିଡିଆ ମାଧ୍ୟମରେ ପ୍ରସାରିତ ଭିଡିଓ  ଟୟାମା ସହରକୁ ଆସିଥିବା ସୁନାମୀର ପ୍ରଥମ ତରଙ୍ଗକୁ ଦର୍ଶାଉଛି। ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓ ସହ ଜଡ଼ିତ ସତ୍ୟତା ବିଷୟରେ ଯାଞ୍ଚ କରିଯାଇନାହିଁ। ଜାପାନ ପାଣିପାଗ ବିଭାଗ ଅନୁଯାୟୀ ୧.୨ ମିଟର ଉଚ୍ଚତା ବିଶିଷ୍ଟ ସୁନାମୀ ତରଙ୍ଗ ଇଶିକାୱା ପ୍ରଦେଶର ୱାଜିମା ବନ୍ଦରକୁ ଧକ୍କା ଦେଇଛି। 


Also Read: Japan Earthquake 2024: ଭୂକମ୍ପ ଝଟକା ପରେ ମାଡ଼ି ଆସିଲା ସୁନାମୀ; ଭିଡ଼ିଓ ଭାଇରାଲ  


ଆମେରିକୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ ଏବଂ ଅନ୍ୟାନ୍ୟ ଏଜେନ୍ସି ଦ୍ୱାରା ୧୦ ମିନିଟ ପୂର୍ବରୁ  ୭.୬ ତୀବ୍ରତା ଏକ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଥିବାର ରେକର୍ଡ କରାଯାଇଥିଲା। ଯାହା ପରେ ସୁନାମୀ ଆସିଥିବାର ରେକର୍ଡ କରାଯାଇଛି। ନୋଟୋ ଅଞ୍ଚଳରେ ଦ୍ରୁତ ଗତିରେ ଭୂକମ୍ପ ହୋଇଥିବାର ସୂଚନା ଦେଇଥିଲା ଆମେରିକୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ। ଏନେଇ ଆମେରିକୀୟ ଏଜେନ୍ସି ପକ୍ଷରୁ କୁହାଯାଇ ସ୍ଥାନୀୟ ସମୟ ଅନୁସାରେ ଅପରାହ୍ନ ପ୍ରାୟ ୪:୦୬ ସମୟରେ ୫.୭ ତୀବ୍ରତା ବିଶିଷ୍ଟ କମ୍ପନରୁ ଭୂମିକମ୍ପ ଆରମ୍ଭ ହୋଇଥିଲା।


ଯାହା ପରେ ଅପରାହ୍ନ ୪:୧୦ ସମୟରେ ୭.୬, ଅପରାହ୍ନ ୪:୧୮ ସମୟରେ ୬.୧, ଅପରାହ୍ନ ୪:୨୩ ସମୟରେ ୪.୪, ଅପରାହ୍ନ ୪:୨୯ ସମୟରେ ୪.୬, ଅପରାହ୍ନ ୪:୩୨ ସମୟରେ ୪.୮ ତୀବ୍ରତା ବିଶିଷ୍ଟ ସିରିଜ ଭୂମିକମ୍ପ ଅନୁଭୂତ ହେବା ଜାରି ରହିଥିଲା। ଆମେରିକୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ ଅନୁଯାୟୀ ୬.୨ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହେବା ପୂର୍ବରୁ ପରିସ୍ଥିତି ଆହୁରି ଭୟଙ୍କର ହୋଇଉଠିଥିଲା।