Japan Earthquake 2024: ଭୂକମ୍ପ ଝଟକା ପରେ ଜାପାନ ସହ ଏହି ୩ ଦେଶ ପାଇଁ ସୁନାମୀ ଲାଗି ଜାରି ହେଲା ହାଇଆଲର୍ଟ
Advertisement
Article Detail0/zeeodisha/odisha2038936

Japan Earthquake 2024: ଭୂକମ୍ପ ଝଟକା ପରେ ଜାପାନ ସହ ଏହି ୩ ଦେଶ ପାଇଁ ସୁନାମୀ ଲାଗି ଜାରି ହେଲା ହାଇଆଲର୍ଟ

Tsunami Alert Issued after Japan Earthquake: ସୋମବାର ଜାପାନ ପଶ୍ଚିମ ଉପକୂଳରେ ୭.୬ ତୀବ୍ରତା ବିଶିଷ୍ଟ ଏକ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଅନ୍ୟ ୩ ଦେଶ ପାଇଁ ସୁନାମୀ ସତର୍କତା ଜାରି କରାଯାଇଛି।

Japan Earthquake 2024: ଭୂକମ୍ପ ଝଟକା ପରେ ଜାପାନ ସହ ଏହି ୩ ଦେଶ ପାଇଁ ସୁନାମୀ ଲାଗି ଜାରି ହେଲା ହାଇଆଲର୍ଟ

Tsunami Alert Issued for Korea and Russia after Japan Earthquake: ନୂତନ ବର୍ଷ ୨୦୨୪ ଆରମ୍ଭରୁ ଜାପାନକୁ ଲାଗିଛି ଶକ୍ତ ଝଟକା। ଜାନୁଆରୀ ୧ ତାରିଖ ସୋମବାର ଦେଶର ପଶ୍ଚିମ ଉପକୂଳରେ ୭.୬ ତୀବ୍ରତା ଏକ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ସୋମବାର ଅନୁଭୂତ ହୋଇଥିବା ଶକ୍ତିଶାଳୀ ଭୂକମ୍ପ ପରେ ଜାପାନରେ ସୁନାନୀ ଚେତାବନୀ ଜାରି ହୋଇଛି। ଜାପାନ ସରକାର ଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଯଥାଶୀଘ୍ର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା କାର୍ଯ୍ୟ ଆରମ୍ଭ କରିଛନ୍ତି। ବର୍ତ୍ତମାନ କେବଳ ଜାପାନ ନୁହେଁ ବରଂ ଦକ୍ଷିଣ କୋରିଆ ଏବଂ ଋଷିଆ ଉପକୂଳରେ ମଧ୍ୟ ସୁନାମୀ ପାଇଁ  ସତର୍କତା ଜାରି ହୋଇଛି। ପ୍ରାୟ ୧ ମିଟର ଉଚ୍ଚତା ପର୍ଯ୍ୟନ୍ତ ସୁନାମୀ ଲହର ଉଠିବାର ସମ୍ଭାବନା ରହିଥିବାର କୁହାଯାଉଛି। ହେଲେ ଦକ୍ଷିଣ କୋରିଆ ଉପକୂଳରେ ୦.୩ ମିଟର ଠାରୁ କମ୍ ଉଚ୍ଚତାର ସୁନାମୀ ତରଙ୍ଗ ଉଠିବା ନେଇ ପୂର୍ବାନୁମାନ କରାଯାଇଛି।

ସୋମବାର ଅନୁଭୂତ ହୋଇଥିଲା ୭.୬ ତୀବ୍ରତା ବିଶିଷ୍ଟ ଭୂକମ୍ପ
ଜାପାନ ପାଣିପାଗ ଏଜେନ୍ସି ସ୍ଥାନୀୟ ସମୟ ଅନୁସାରେ ୪:୦୦ ସମୟରେ ଇଶିକାୱା ଉପକୂଳ ଏବଂ ଏହାର ଆଖପାଖ ପ୍ରଦେଶରେ ଭୂକମ୍ପ ଅନୁଭୂତ ହୋଇଥିବାର ରେକର୍ଡ କରିଛି। ଏହି ଭୂକମ୍ପର ତୀବ୍ରତା ୭.୬ ରହିଥିବାର କୁହାଯାଉଛି। ସୋମବାର ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଇଶିକାୱା ପାଇଁ ଏକ ଗୁରୁତର ସ୍ତରର ସୁନାମୀ ଚେତାବନୀ ଜାରି ହୋଇସାରିଛି। ସେହିପରି ହୋଂଶୁ ଦ୍ୱୀପର ପଶ୍ଚିମ ଉପକୂଳ ପାଇଁ ଏକ ନିମ୍ନ ସ୍ତରର ସୁନାମୀ ଚେତାବନୀ ଜାରି କରାଯାଇଛି। ଜାପାନ ସରକାରୀ ଗଣମାଧ୍ୟମ ଏନଏଚକେ ଟିଭି ରିପୋର୍ଟ ସମୁଦ୍ରରେ ୫ ମିଟର ଉଚ୍ଚତା ପର୍ଯ୍ୟନ୍ତ ତରଙ୍ଗ ଉଠିପାରେ। ଲୋକଙ୍କୁ ଯଥାଶୀଘ୍ର ଉଚ୍ଚ ସ୍ଥାନ କିମ୍ବା ନିକଟ କୋଠା ଘରର ଉପର ମହଲାକୁ ଯିବାକୁ କୁହାଯାଇଛି। ଭୂକମ୍ପ କାରଣରୁ  ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କୌଣସି ଖବର ମିଳିନାହିଁ। ଜାପାନ ପଶ୍ଚିମ ଉପକୂଳରେ ଅବସ୍ଥିତ ନିଗାଟା ଏବଂ ଅନ୍ୟାନ୍ୟ ଅଞ୍ଚଳରେ ପ୍ରାୟ ୩ ମିଟର ଉଚ୍ଚତା ବିଶିଷ୍ଟ ସୁନାମୀ ଆସିବାର ଆଶଙ୍କା ରହିଛି।

ରେକର୍ଡ କରାଗଲା ସୁନାମି ତରଙ୍ଗ 
ରିପୋର୍ଟ ଅନୁସାରେ ଉପକୂଳରେ ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ସୁନାମୀ ତରଙ୍ଗ ରେକର୍ଡ ହୋଇସାରିଛି। ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ଅବସ୍ଥିତ ଆଣବିକ କାରଖାନା ଟୋକିଓ ଇଲେକ୍ଟ୍ରିକ୍ ପାୱାର୍ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ପ୍ଲାଣ୍ଟ ଠାରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସମସ୍ୟା ଉପୁଜି ନାହିଁ। ଏହା ସହିତ ଉତ୍ତର କୋରିଆ ଏବଂ ଋଷିଆ ଉପକୂଳରେ ଅବସ୍ଥିତ କେତେକ ସ୍ଥାନରେ ୧ ମିଟର ଉଚ୍ଚତା ପର୍ଯ୍ୟନ୍ତ ତରଙ୍ଗ ଉଠିବା ନେଇ ଚେତାବନୀ ଜାରି ହୋଇଛି। ସଖାଲିନ୍ ଦ୍ୱୀପ ପାଇଁ ଋଷିଆ ସରକାରଙ୍କ ପକ୍ଷରୁ ସୁନାମୀ ଚେତାବନୀ ଜାରି ହୋଇଛି। ଏହା ସହିତ ଦକ୍ଷିଣ କୋରିଆ ପାଣିପାଗ ଏଜେନ୍ସି ଦେଶର ପୂର୍ବ ଉପକୂଳରେ ଅବସ୍ଥିତ କେତେକ ସହର ବାସିନ୍ଦାଙ୍କୁ ସମୁଦ୍ର ପତ୍ତନରେ ହେବାକୁ ରହିଥିବା ସମ୍ଭାବ୍ୟ ପରିବର୍ତ୍ତନ ଉପରେ ନଜର ରଖିବାକୁ କହିଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା କହିଛନ୍ତି ଯେ ଭୂକମ୍ପ ଏବଂ ସୁନାମୀ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ସରକାର ଏକ ସ୍ୱତନ୍ତ୍ର ଜରୁରୀକାଳୀନ କେନ୍ଦ୍ର ସ୍ଥାପନ କରିଛନ୍ତି।