Perfume Capital Of India: ପର୍‌ଫ୍ୟୁମ କାହାକୁ ବା ଭଲ ନ ଲାଗେ । ପ୍ରତ୍ୟେକ ଲୋକଙ୍କ ପାଇଁ ଏହା ଏକ ଅତ୍ୟାବଶ୍ୟକ ସାମଗ୍ରୀ ଅଟେ । ଗୋଟିଏ ସୁଗନ୍ଧିତ ପର୍‌ଫ୍ୟୁମ(Perfume) ସବୁବେଳେ ମନକୁ ମୋହି ନେଇଥାଏ। ନିଜକୁ ଆକ୍ଟିଭ ଓ ୱେଲ ଡ୍ରେସ ରଖିବା ପାଇଁ ଆମେ ଭିନ୍ନ ଭିନ୍ନ ପର୍‌ଫ୍ୟୁମ ବ୍ୟବହାର କରିଥାଉ। ବଜାରରେ ମଧ୍ଯ ଲୋକଙ୍କ ଚାହିଦାକୁ ଦେଖି ଭଳିକି ଭଳି ପର୍‌ଫ୍ୟୁମ ଉପଲବ୍ଧ ହୋଇଥାଏ। ତେବେ କ’ଣ ଆପଣ ଦେଶର ଅତର ରାଜଧାନୀ ବିଷୟରେ ଜାଣିଛନ୍ତି କି? ପ୍ରାୟ କେହି ଜାଣି ନଥିବେ ଯେ ଉତ୍ତର ପ୍ରଦେଶରେ ଏକ ଛୋଟ ସହର କନ୍ନୌଜ (Kannauj)କୁ ଭାରତର ଅତର ରାଜଧାନୀ(Perfume Capital Of India) ବୋଲି କୁହାଯାଏ ।


COMMERCIAL BREAK
SCROLL TO CONTINUE READING

କେଉଁ ପୂରାତନ କାଳରୁ ଏଠାରେ ପାରମ୍ପରିକ ଭାବେ ଅର୍ଗାନିକ ପର୍‌ଫ୍ୟୁମ ତିଆରି ହୋଇଆସୁଛି। ଆଗ୍ରାଠାରୁ( Agra) ପ୍ରାୟ ୨୦୦ କିଲୋମିଟର ଦୂରରେ କନ୍ନୌଜ ସହର ଅବସ୍ଥିତ। ଉତ୍ତର-ପୂର୍ବ ଭାରତର ଗଙ୍ଗା କୂଳରେ ଅବସ୍ଥିତ ଏହି ସହରରେ ଘରେ ଘରେ ପାରମ୍ପରିକ ଡିଷ୍ଟିଲେସନ୍ ପଦ୍ଧତି ବ୍ୟବହାର କରି ଅତର ତିଆରି କରାଯାଇଥାଏ। ବିଭିନ୍ନ ପ୍ରକାରର ଫୁଲ ଯଥା ଗୋଲାପ, ଚମେଲି, ଗେଣ୍ଡୁ, କିଆ ଓ ମଲ୍ଲି ଫୁଲ ଆଦି ବ୍ୟବହାର କରି କାରିଗର ମାନେ ଅତର ତିଆରି କରିଥାଆନ୍ତି। ଏହାଛଡା଼ ହଳଦୀ, ଲବଙ୍ଗ, ଚନ୍ଦନ ଆଦିର ସୁଗନ୍ଧିତ ଅତର ତିଆରି କରିବାରେ ଏମାନେ ମାହିର ବୋଲି କୁହାଯାଏ। କାରିଗରଙ୍କ କହିବା ଅନୁସାରେ, ସେମାନେ ଭୋର ସମୟରେ ବଗିଚାରୁ ଫୁଲ ତୋଳି ଆଣିଥାଆନ୍ତି ଯାହା ଫଳରେ ଫୁଲର ସୁଗନ୍ଧ ସବୁବେଳେ ବଜାୟ ରହିଥାଏ। ଏହି ସହରରେ ତିଆରି ହେଉଥିବା ୨ଟି ଅତର ବହୁତ ପ୍ରସିଦ୍ଧ। ଗୋଟିଏ ହେଉଛି ମାଟି ଅତର ଓ ଅନ୍ୟଟି ହେଉଛି ଶସାମା । ଶୁଖିଲା ମାଟି ଉପରେ ବର୍ଷା ପାଣି ପଡି଼ଲେ ଯେମିତି ସୁଗନ୍ଧ ଆସେ, ମାଟି ଅତରର ମହକ ମଧ୍ୟ ସେହିପରି ବାସିଥାଏ । ବହୁ କାଳ ପୂର୍ବରୁ ଆଷ୍ଟ୍ରେଲିୟ ଖଣିଜ ପଦାର୍ଥ ବିଜ୍ଞାନୀ ଇସାବେଲ ଜୋଏ ବିୟର ଓ ରିଚାର୍ଡ ଗ୍ରେନ ଫେଲ ଥୋମାସ ଏହି ମାଟି ଅତର ପଛରେ ଥିବା କେମିଷ୍ଟ୍ରିକୁ ଆବିଷ୍କାର କରି ଏହାର ନାମ ‘ପେଟ୍ରିକୋର’ ରଖିଥିଲେ। ସେହିପରି ବିଭିନ୍ନ ହର୍ବାଲ ଜିନିଷ ଓ ମସଲା ବ୍ୟବହାର କରି ଶସାମା ଅତର ତିଆରି କରାଯାଇଥାଏ।


କନ୍ନୌଜ ସହରକୁ ପ୍ରବେଶ କରିବା ମାତ୍ରେ ସେଠାକାର ସୁଗନ୍ଧରେ ମନ ଭରି ଯାଏ। ପୂରା ସହର ଅତରରେ ମହକି ଥାଏ । ଏପରିକି ଡ୍ରେନରେ ଯାଉଥିବା ପାଣିରେ ମଧ୍ୟ ଫୁଲର ମହକ ଆସିଥାଏ। ଏହାର କାରଣ ହେଉଛି, ସହରରେ ବହୁ ସଂଖ୍ୟକ ପରିବାର ଅତର ତିଆରି କରିଥାଆନ୍ତି। ଯାହା କି ବାହାରକୁ ମଧ୍ୟ ବିପୁଳ ପରିମାଣରେ ରପ୍ତାନୀ କରାଯାଇଥାଏ। ଏହି ସୁଗନ୍ଧିତ ତେଲ ଗୁଡି଼କ ସାବୁନ, ସାମ୍ପୋ ଓ ଧୂପକାଠି ତିଆରି କାରଖାନାରେ ବ୍ୟବହୃତ ହୁଏ।


ବିଂଶ ଶତାଦ୍ଦିର ଶେଷ ଆଡ଼କୁ ବଜାରରେ ବିଭିନ୍ନ ବ୍ରାଣ୍ଡର ଡିଓଡୋରେଣ୍ଟ ଓ ପର୍ଫ୍ୟୁମ ଆସିବା ପରେ ମଧ୍ୟ କନ୍ନୌଜ ସହରର ଅତର ମାର୍କେଟରେ କୌଣସି ପ୍ରଭାବ ପକାଇ ପାରି ନାହିଁ। ଲୋକେ ସେହିପରି ପାରମ୍ପରିକ ପଦ୍ଧତିରେ (Traditional Process) ଅତର ଓ ସୁଗନ୍ଧିତ ତେଲ ତିଆରି କରି ଆସୁଛନ୍ତି । ସେମାନଙ୍କ କହିବା ଅନୁସାରେ, ତାଙ୍କର ପୂର୍ବ ପୁରୁଷ ଏହି କାର୍ଯ୍ୟ କରିଆସିଛନ୍ତି ଓ ଆଗାମୀ ପିଢି ମଧ୍ୟ ଏହି କାର୍ଯ୍ୟ ହିଁ କରିବ। ଇତି ମଧ୍ୟରେ ୨୦୧୪ ମସିହାରେ କନ୍ନୌଜର ପର୍‌ଫ୍ୟୁମକୁ GI (Geographical Indication) ଟ୍ୟାଗ ମିଳି ସାରିଛି।