Rath Yatra 2024 Live Updates: ଆଜି ପବିତ୍ର ରଥଯାତ୍ରା, ଦେଖନ୍ତୁ ପୁରୀରୁ ସିଧାପ୍ରସାରଣ

Narmada Behera Sun, 07 Jul 2024-10:50 pm,

Rath Yatra 2024 Live Updates: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ପବିତ୍ର ରଥଯାତ୍ରା ଉପଲକ୍ଷେ ଜୀ ଓଡ଼ିଶା ପରିବାର ପକ୍ଷରୁ ଓଡ଼ିଶାବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଘୋଷଯାତ୍ରାକୁ ନେଇ ଉତ୍ସବମୁଖର ହୋଇପଡିଛି ବଡ଼ଦାଣ୍ତ। ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ । ଶ୍ରୀମନ୍ଦିରରୁ ବଡ଼ ଦାଣ୍ତକୁ ଓହ୍ଲାଇ ଆସିବେ କାଳିଆ ସାଆନ୍ତ । ଭାଇଭଉଣୀଙ୍କ ସହ ଜନ୍ମବେଦୀକୁ ଯିବେ ମହାପ୍ରଭୁ । ଶ୍ରୀଜିଓଙ୍କ ଦର୍ଶନ ପାଇଁ ପୁରୀ ବଡ଼ ଦାଣ୍ତ ଲୋକାରଣ୍ୟ ହୋଇପଡିଛି। ଏଥର ଦୁଇ ଦିନ ରଥ ଟାଣିବାର ସୌଭାଗ୍ୟ ପାଇବେ ଶ୍ରଦ୍ଧାଳୁ । ୫୩ ବର୍ଷ ପରେ ଏଭଳି ବିରଳ ସଂଯୋଗ ପଡ଼ିଛି । ପୁରୀରୁ ଦେଖନ୍ତୁ ସିଧା ପ୍ରସାରଣ.... ଲିଙ୍କରେ କ୍ଲିକ୍ କରି ଦେଖନ୍ତୁ ଲାଇଭ୍ : ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରାର ସିଧାପ୍ରସାରଣ...

नवीनतम अद्यतन

  • Rath Yatra 2024: ରଥଯାତ୍ରା ସମୟରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ କରିଛନ୍ତି। ଏବଂ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି। ଆହତ ମାନଙ୍କୁ ବିନା ମୂଲ୍ୟରେ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। 

     

  • Rath Yatra 2024 Live Updates: ଆଜି ପାଇଁ ସରିଲା ରଥ ଟଣା: ସିଂହଦ୍ୱାରଠାରୁ ଦୁଇ ପାଦ ଆଗକୁ ବଢିଛି ନନ୍ଦିଘୋଷ
    ଆଜି ପାଇଁ ସରିଲା ରଥଟଣା । ମରିଚିକୋଟ ଛକରେ ଅଟକିଲା ବଡ ଠାକୁରଙ୍କ ରଥ । ରାଜନଅର ସମ୍ମୁଖରେ ରହିଲା ଦେବୀ ସୁଭଦ୍ରାଙ୍କ ରଥ । ସିଂହଦ୍ୱାରଠାରୁ ୨ ପାଦ ଆଗକୁ ବଢିଛି ନନ୍ଦିଘୋଷ । କାଲି ସକାଳୁ ପୁଣି ଆରମ୍ଭ ହେବ ରଥଟଣା । ରଥଯାତ୍ରା ପାଇଁ ଲୋକାରଣ୍ୟ ବଡ ଦାଣ୍ଡ । ଘଣ୍ଟଘଣ୍ଟା, ମୃଦଙ୍ଗ, ହୁଳହୁଳି ଓ ହରିବୋଲରେ କମ୍ପିଲା ଶ୍ରୀକ୍ଷେତ୍ର ।

  • Rath Yatra 2024 Live Updates: ଶ୍ରୀକ୍ଷେତ୍ରରେ ରଥ ଟଣା ବେଳେ ଅଘଟଣ; ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
    ଶ୍ରୀକ୍ଷେତ୍ରରେ ରଥ ଟଣା ବେଳେ ଅଘଟଣ ଘଟିଛି। ତାଳଧ୍ୱଜ ରଥ ଟଣା ବେଳେ ଅଣନିଶ୍ୱାସୀ ହୋଇ ଜଣେ ଶ୍ରଦ୍ଧାଳୁ ତଳେ ପଡ଼ି ଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ପୁରୀ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ବ୍ୟକ୍ତି ଜଣକ ଅଣ ଓଡ଼ିଆ ବୋଲି ଜଣାପଡ଼ୁଛି। ହେଲେ ତାଙ୍କର ପରିଚୟ ଜଣାପଡ଼ି ନାହିଁ।

  • Rath Yatra 2024 Live Updates: ଶଙ୍କରାଚାର୍ଯ୍ୟଙ୍କ ଆଶିର୍ବାଦନ ହେଲେ ମୁଖ୍ୟମନ୍ତ୍ରୀ
    ରଥ ଯାତ୍ରା ଅବସରରେ ଗୋବର୍ଦ୍ଧନ ପୀଠରେ ଶଙ୍କରାଚାର୍ଯ୍ୟଙ୍କ ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ 

  • Rath Yatra 2024 Live Updates: ପାଟନାରେ ମହାପ୍ରଭୁଙ୍କ ରଥଯାତ୍ରା
    ପାଟନା ISKCON ମନ୍ଦିର ଏବଂ ବିହାର ସଂଗ୍ରହାଳୟ ଦ୍ୱାରା ଭଗବାନ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା କହିଛନ୍ତି, "ଆଜି ଭଗବାନ ଜଗନ୍ନାଥଙ୍କ ରଥ ଯାତ୍ରା। ଏହି ଶକ୍ତି ଦେଶକୁ ମଜବୁତ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ସମସ୍ତ ଲୋକ ଭାରତର ପରିବେଶରେ ଭାରତକୁ ଏକ ବିକଶିତ ଭାରତ କରିବାକୁ ନିଷ୍ପତ୍ତି ନେଇଛନ୍ତି। 

     

     

  • Rath Yatra 2024 Live Updates: ବଡ଼ଦାଣ୍ଡରେ ଆରମ୍ଭ ହେଲା ରଥଟଣା
    ତିନି ରଥରେ ତିନି ଠାକୁର ବିରାଜମାନ କରିବା ପରେ ଆରମ୍ଭ ହୋଇ ଯାଇଛି ରଥଟଣା । ବିଶ୍ବନିୟନ୍ତା ରଥାରୂଢ଼ ହେବାପରେ ଆଦ୍ୟ ସେବକ ଗଜପତି ମହାରାଜା ଛେରା ପହଁରା କରିଥିଲେ । ନିର୍ଘଣ୍ଟ ସମୟ ପୂର୍ବରୁ ପହଣ୍ଡି ବିଜେ କରିଥିଲା ଶ୍ରୀଜିଉଙ୍କ ସହ ଦେବୀ ସୁଭଦ୍ରା ଓ ବଡ଼ ଠାକୁର । ଧାଡ଼ି ପହଣ୍ଡିରେ ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କର ପହଣ୍ଡି କରାଯାଇ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ବିଜେ କରିବା ପରେ ଆସିଥିଲେ ବଡ଼ଠାକୁର ବଳଭଦ୍ର । ତାପରେ ମା ସୁଭଦ୍ରା ଓ ଶେଷରେ ଝୁଲି ଝୁଲି ମହାପ୍ରଭୁ ରଥାରୂଢ ହୋଇଛନ୍ତି । ତାଳଧ୍ବଜରେ ବଡ଼ଠାକୁର ବିରାଜମାନ ହୋଇଥିବା ବେଳେ ଦର୍ପଦଳନରେ ମା’ ସୁଭଦ୍ରା ବିରାଜିଛନ୍ତି । ନନ୍ଦିଘୋଷ ରଥରେ ଝୁଲି ଝୁଲି ଆସି ବିରାଜି ଥିଲେ ମହାପ୍ରଭୁ କଳିଆ ସାଆନ୍ତ । ବଡ଼ଦାଣ୍ଡରେ ରଥାରୂଢ଼ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଜନ ସମୁଦ୍ର ପାଲଟିଛି ।

  • Dhoni's BirthDay: ଧୋନୀଙ୍କ ଜନ୍ମଦିନ ପାଳିଲେ ସଲମାନ ଖାନ
    ଆଜି ପ୍ରସିଦ୍ଧ କ୍ରିକେଟର ମହେନ୍ଦ୍ରସିଂହ ଧୋନୀଙ୍କର ଜନ୍ମଦିନ। ୧୯୮୧ ମସିହା ଜୁଲାଇ ୭ ତାରିଖରେ ଝାଡ଼ଖଣ୍ଡର ରାଞ୍ଚିଠାରେ ତାଙ୍କର ଜନ୍ମ ହୋଇଥିଲା। ଆଜି ତାଙ୍କୁ ୪୩ ବର୍ଷ ପୂରିଛି। ଏହି ଅବସରରେ ଆଜି ପ୍ରସିଦ୍ଧ ଚିତ୍ର ତାରକା ସଲମନ୍ ଖାଁଙ୍କ ସହ ଧୋନୀ ତାଙ୍କ ଜନ୍ମଦିନ ପାଳିଛନ୍ତି। 

  • Rath Yatra 2024 Live Updates: ପୁରୀରେ ପହଞ୍ଚିଲେ ନବୀନ
    ଆଜି ରଥଯାତ୍ରା ଦେଖିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ପହଞ୍ଚିଛନ୍ତି। ପୁରୀରେ ପହଞ୍ଚିବା ପରେ ଅତିଥିଙ୍କ ପାଇଁ ଧାର୍ଯ୍ୟ ମଞ୍ଚସ୍ଥଳକୁ ନବୀନଙ୍କୁ ପାଛୋଟି ନେଇଥିଲେ। 

  • Rath Yatra 2024 Live Updates: ପୁରୀରେ ରାଷ୍ଟ୍ରପତି
    ପୁରୀ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଇନ ମନ୍ତ୍ରୀ ପୃଥ୍ୱରାଜ ହରିଚନ୍ଦନ, ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡାଙ୍କ ସହିତ ଅନ୍ୟ ପ୍ରମୁଖ ଅତିଥି ବୃନ୍ଦ। 

  • Rath Yatra 2024 Live Updates: ପ୍ରବଳ ବର୍ଷାରେ ବୁଡିଲା ଗାଡି
    ରାଜଧାନୀ ଭୁବନେଶ୍ବରରେ ପ୍ରବଳ ବର୍ଷା। ପ୍ରବଳ ବର୍ଷାରେ ଇସ୍କନ ନିକଟରେ ଭାସିଲା ଗାଡ଼ି। ରାସ୍ତା କଡ଼ରେ ରଖାଯାଇଥିବା ଅନେକ ଗାଡ଼ି ବୁଡ଼ିଲା।

     

  • Rath Yatra 2024 Live Updates: ରଥାରୂଢ଼ ୩ ଠାକୁର
    ଧାଡ଼ି ପହଣ୍ଡିରେ ଆସି ରଥରେ ବିରାଜିଲେ ମହାବାହୁ। ପ୍ରଥମେ ଶ୍ରୀ ସୁଦର୍ଶନ, ପରେ ପରେ ତିନି ଠାକୁର ରଥରେ ବିରାଜିତ। ଘଣ୍ଟଘଣ୍ଟା, ମୃଦଙ୍ଗ, ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ପରିବେଶ। ରଥାରୂଢ଼ ଶ୍ରୀଜିଉଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଭକ୍ତଙ୍କ ଭିଡ଼।

  • Rath Yatra 2024 Live Updates: ରଥଯାତ୍ରା ଉପଲକ୍ଷେ ମମତାଙ୍କ ପୂଜାର୍ଚ୍ଚନା
    Rath Yatra 2024 Live Updates:ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଭୁ ଜଗନ୍ନାଥ ରଥ ଯାତ୍ରା ମହୋତ୍ସବଙ୍କ ଅବସରରେ ISKCON ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।

     

  • Rath Yatra 2024 Live Updates: ଧାର୍ଯ୍ୟ ସମୟ ପୂର୍ବରୁ ପହଣ୍ଡି ଆରମ୍ଭ
    Rath Yatra 2024 Live Updates: ଆଜି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ଶ୍ରୀଜିଉଙ୍କ ଅପେକ୍ଷାରେ ରଥ ଆଉ ପଥ । ଶ୍ରୀମନ୍ଦିରର ସିଂହଦ୍ୱାର ଆଗରେ ଦଣ୍ଡାୟମାନ ସୁସଜ୍ଜିତ ତିନି ରଥ। ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ସହ ଦଉଡ଼ି ଟାଣି ଜୀବନକୁ କୃତାର୍ଥ କରିବାକୁ ଭକ୍ତପ୍ରାଣ ଉଚ୍ଛନ୍ନ। ଆଉ ଏ ଭିତରେ ଆରମ୍ଭ ହୋଇଯାଇଛି ମହାପ୍ରଭୁଙ୍କ ପହଣ୍ଡି। ଧାର୍ଯ୍ୟ ସମୟର ଢେର ପୂର୍ବରୁ ଆରମ୍ଭ ହୋଇଯାଇଛି ପହଣ୍ଡି। ମହାପ୍ରଭୁଙ୍କ ପହଣ୍ଡି ଅପରାହ୍ନ ୧ଟା ୧୦ମିନିଟରୁ ଆରମ୍ଭ କରାଯିବାକୁ ଧାର୍ଯ୍ୟ କରାଯାଇଥିଲା। ପହଣ୍ଡି ଅପରାହ୍ନ ଅଢ଼େଇଟା ସୁଦ୍ଧା ସାରିବାକୁ ନିଷ୍ପତ୍ତି ହୋଇଥିଲା।

  • Rath Yatra 2024 Live Updates: ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ର ଚି଼ଙ୍ଗିଡ଼ିପୁର ଛକ ନିକଟରେ ତୀର୍ଥ ଯାତ୍ରୀ ବସ ସହିତ ଟ୍ରକ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତୀର୍ଥ ଯାତ୍ରୀ ବସଟି ଆନ୍ଧ୍ର ପ୍ରଦେଶର ଅଙ୍ଗୋରୁର ଜିଲ୍ଲାରୁ କିଛି ଶ୍ରଦ୍ଧାଳୁଙ୍କୁ ନେଇ ପ୍ରଥମେ ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ ସାରି କାଶୀ ଆଭିମୁଖେ ଯାଉଥିଲା ବେଳେ ଟ୍ରକ ସହିତ ଧକ୍କା ହୋଇଥିଲା। ପୋଲିସ୍ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। 

     

  • Rath Yatra 2024 Live Updates: ନବଦିନାତ୍ମକ ଯାତ୍ରାରେ ଶ୍ରୀଜିଉ।  ପହଣ୍ଡି ଯାତ୍ରା ଆରମ୍ଭ ହୋଇଛି। ଆରମ୍ଭ ହେଲା ଶ୍ରୀ ସୁଦର୍ଶନଙ୍କ ପହଣ୍ଡି। ନିର୍ଦ୍ଧାରିତ ସମୟ ପୂର୍ବରୁ ପହଣ୍ଡି ଆରମ୍ଭ କରାଯାଇଛି। ଧାଡ଼ି ପହଣ୍ଡିରେ ରଥକୁ ଆସୁଛନ୍ତି ବଡ଼ଭାଇ ବଳଭଦ୍ର। ଶ୍ରୀ ସୁଦର୍ଶନଙ୍କ ପରେ ପରେ ଧାଡ଼ି ପହଣ୍ଡିରେ ପ୍ରଭୁ ବଳଭଦ୍ର। ଦର୍ପଦଳନ ରଥରେ ବିରାଜମାନ ଶ୍ରୀ ସୁଦର୍ଶନ। ଧାଡ଼ି ପହଣ୍ଡିରେ ଆସି ରଥରେ ବିରାଜିଲେ ସୁଦର୍ଶନ। ଘଣ୍ଟଘଣ୍ଟା, ମୃଦଙ୍ଗ, ହୁଳହୁଳିରେ ପ୍ରକମ୍ପିତ ପରିବେଶ। 

  • Rath Yatra 2024 Live Updates: ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରଥଯାତ୍ରାରେ ସାମିଲ ହେବାକୁ ପୁରୀରେ ପହଞ୍ଚିଲେ। ପୁରୀ ରଥଯାତ୍ରାରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ସେ ଦେବୀ ସୁଭଦ୍ରାଙ୍କ ରଥ ଟାଣିବେ। ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

  • Rath Yatra 2024: ଆଜି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ପୁରୀ ଯାତ୍ରୀଙ୍କ ସୁବିଧା ଲାଗି ୨୦୦ ଘରୋଇ ବସ୍ ଚଳାଚଳ କରିବ ବୋଲି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ କୁହାଯାଇଛି। ଏହି ବସ୍ ଗୁଡିକ କଟକ ନେତାଜୀ ବସ୍ ଟର୍ମିନାଲରୁ  ଯାତ୍ରୀ ନେଇ ପୁରୀ ଅଭିମୁଖେ ଯାତ୍ରା କରିବ।  ବର୍ତ୍ତମାନ ୪ ନମ୍ବର ବେ'ରୁ ପୁରୀ ଗାଡ଼ି ଯାଉଛି। ତେବେ ସ୍ବତନ୍ତ୍ର ବସ୍ ଚଳାଚଳ କରିବା ଲାଗି ୧୩ଟା ବେ' ରିସର୍ଭ ରଖାଯାଇଛି।  ୬ଟା ବେ' ସ୍ବତସ୍ତ୍ର ବସ୍  ଓ ୭ଟି ବେ' ରେ ନିୟମିତ ବସ୍ ଗୁଡିକ ଯାତ୍ରୀ ଉଠାଇବ।  ସକାଳ ୭ଟାରୁ ବସ୍ ଗୁଡିକ ଚାଲିବା ଆରମ୍ଭ କରିଥିବା ବେଳେ  କଟକରୁ ପୁରୀ କୁ ପ୍ରତିଦିନ ୮୫ଟି ବସ୍ ଚାଲିଥାଏ।  ତେବେ ରଥଯାତ୍ରା ଲାଗି ଆହୁରି ୧୫୫ ଟି ବସ୍ ସ୍ବତନ୍ତ୍ର ପରମିଟ୍ ଆଣିଥିବା ଜଣାପଡିଛି। 

    ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ : Rath Yatra 2024: ପୁରୀ ବୁଲି ଯାଉଛନ୍ତି କି? ଆଜି ଏହି ଜିଲ୍ଲାରୁ ଶ୍ରୀକ୍ଷେତ୍ରକୁ ଯାଉଛି ୨୦୦ ସ୍ପେଶାଲ ବସ୍

  • Rath Yatra 2024 Live Updates:  ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ରଥଯାତ୍ରା ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ତାଙ୍କ ଟ୍ବିଟର ହ୍ୟାଣ୍ତେଲ ବା ଏକ୍ସରେ ଲେଖିଛନ୍ତି ଯେ,ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତିରେ ପରିପୂର୍ଣ୍ଣ ହେଉ। 

     

  • Rath Yatra 2024 Live Updates: ଆଜି ଘୋଷଯାତ୍ରା। ଏହି ଅବସରରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ନଜ ଟ୍ବିଟର ବା ଏକ୍ସରେ ଲେଖିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ମୁଁ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରୁଛି । ସେହିପରି,  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପବିତ୍ର ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ  ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି।

  • Rath Yatra 2024 Live Updates: ଆଜି ପବିତ୍ର ଘୋଷଯାତ୍ରା। ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ହେଉଛି ଗଗନପବନ । ଭଜନ କୀର୍ତ୍ତନରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ।  ଜନସମୁଦ୍ର ପାଲଟିଛି ବଡଦାଣ୍ଡ । ଆଜି ଜଗତର ନାଥ ଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ।  ପ୍ରଭୁଙ୍କର ଦର୍ଶନ ପାଇବାକୁ ବ୍ୟାକୁଳ ଭକ୍ତ ହେଲେ ମନମୋଟିଆ ମହାବାହୁ ମନ ହେଲେ ଝୁଲି ଝୁଲି ଆସିବ । ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କର ଟିକିଏ ଦର୍ଶନ ମିଳିଗଲେ ଧନ୍ୟ ହୋଇଯିବ ଚର୍ମଚକ୍ଷୁ, ପ୍ରାଣ ପାଇଯିବ ଶରୀର, ମୋକ୍ଷ ପାଇଯିବ ମନ । 

     

  • Surat Building Collapse: ଲଗାଣ ବର୍ଷା ଯୋଗୁ ଶନିବାର ଗୁଜରାଟର ସୁରଟର ସଚିନ ଅଞ୍ଚଳରେ ଏକ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି। କୋଠ ଭୁଶୁଡ଼ିବା ଯୋଗୁ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୧୫ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ଆହୁରି ଅନେକ ଲୋକ କୋଠାତଳେ ଫଶି ରହିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। 
    ସୁରଟ ମୁଖ୍ୟ ଅଗ୍ନିଶମ ଅଧିକାରୀ କହିଛନ୍ତି ଯେ ରାତିସାରା ସର୍ଚ୍ଚ ଅପରେସନ ଜାରି ରହିଥିଲା। ଅପରେସନ୍ ସମୟରେ ଜଣେ ମହିଳାଙ୍କ ସ୍ୱର ଶୁଣାଗଲା, ତେଣୁ ଅଗ୍ନିଶମ ବିଭାଗର କର୍ମଚାରୀଙ୍କୁ ସାଙ୍ଗେସଙ୍ଗେ ପଠାଯାଇ ଭିତରୁ ମହିଳାଙ୍କୁ ବାହାରକୁ ଆଣିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଟିମ୍ ୭ ଜଣଙ୍କ ମୃତଦେହ ଉଦ୍ଧାର କରିଛି। ଏଥିସହ ନିଖୋଜ ଥିବା ବ୍ୟକ୍ତିଙ୍କ ବିଷୟରେ କୌଣସି ସୂଚନା ଏପର୍ଯ୍ୟନ୍ତ ଆସିନାହିଁ।

  • Rath Yatra 2024 Live Updates:  ପୁରୀ ବଡ଼ଦାଣ୍ଡ ଜନସମୁଦ୍ର । ଭାଇ ଭଉଣୀଙ୍କ ସହ ଜନ୍ମବେଦୀକୁ ଯିବେ ଶ୍ରୀଜିଉ । ଜନ୍ମବେଦୀକୁ କରିବେ ନବଦିନାତ୍ମକ ଯାତ୍ରା । କେତେବେଳେ ଆସିବେ କାଳିଆ ଠାକୁର । କାଳିଆକୁ ଦେଖିବା ପାଇଁ ଭକ୍ତ ଆଖିରେ ନିଦ ନାହିଁ । ଆଜି ନବଯୌବନ ଦର୍ଶନ କରିବେ ଭକ୍ତ ।

  • Rath Yatra 2024 Live Updates: ରାଷ୍ଟ୍ରପତି ଦୌପଦୀ ମୁର୍ମୁ  ଶନିବାର ଓଡି଼ଶା ଆସିଛନ୍ତି। ୯ ତାରିଖ ପର୍ଯ୍ୟନ୍ତ ସେ ଓଡି଼ଶାରେ ରହିବେ।  ରାଷ୍ଟ୍ରପତି ଭୁବନେଶ୍ବରରେ ପହଞ୍ଚିବା ପରେ ବିମାନ ବନ୍ଦରର ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତାଙ୍କୁ ସ୍ବାଗତ କରିଥିଲେ। ସଂନ୍ଧ୍ୟାରେ ରାଷ୍ଟ୍ରପତି  ଉତ୍କଳ ପଣ୍ତିତ ଗୋପବନ୍ଧୁ  ଦାଶଙ୍କର ୯୬ ତମ ଶ୍ରାଦ୍ଧ ବାର୍ଷିକୀରେ ଉତ୍ସବରେ ଯୋଗ ଦେଇଥିଲେ। ଆଜି ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ କରିବାରେ କାର୍ଯ୍ୟକ୍ରମ ରହିଛି।  ପୁରୀ ରଥଯାତ୍ରାରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ସେ ଦେବୀ ସୁଭଦ୍ରାଙ୍କ ରଥ ଟାଣିବେ। ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଗସ୍ତ ସମୟରେ ରୁଟ୍ କୁ ନୋ ଫ୍ଲାଇଙ୍ଗ୍ ଜୋନ୍ କରାଯିବ। ଏବଂ ତାଙ୍କ ଗସ୍ତ ରାସ୍ତାକୁ ସିଲ୍ କରାଯିବ। ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ସୁରକ୍ଷା ବାହିନୀ ସହ ରାଜ୍ୟପୋଲିସର ଟିମ୍ ସୁରକ୍ଷା ଦେବ। ରୁଫ୍ ଟପ୍ ସାର୍ପ ସୁଟର ସ୍ନାଇପର ସଜାଗ ରହିବେ।  

  • Rath Yatra 2024 Live Updates: ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ରଥଯାତ୍ରା ଉପଲକ୍ଷେ ପୁରୀର ଲାଇଟ ହାଉସ ନିକଟସ୍ଥ ବେଳାଭୂମିରେ ବାଲୁକା କଳା ନିର୍ମାଣ କରି ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ରଥଯାତ୍ରା ର ହାର୍ଦ୍ଧିକ ଅଭିନନ୍ଦନ ଜଣାଇଛନ୍ତି । ଏହି ବାଲୁକା କଳାରେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବା ସହିତ ଜଗନ୍ନାଥ ମନ୍ଦିର ର ପ୍ରତିମୂର୍ତ୍ତି ମଧ୍ୟ ନିର୍ମାଣ କରିଛନ୍ତି । ଏହି ବାଲୁକା କଳା ଟି ୨୦ଫୁଟ ଓସାର ଏବଂ ୬ଫୁଟ ଲମ୍ବା ଅଟେ । ଏହାକୁ ନିର୍ମାଣ କରିବାକୁ ମାନସ ସାହୁ ଙ୍କୁ ୮ ଘଣ୍ଟା ସମୟ ଲାଗିଥିଲା । ଏଥିରେ ସେ ରଥଯାତ୍ରାର ଅଭିନନ୍ଦନର ବାର୍ତ୍ତା ଦେଇଛନ୍ତି ।

  • Rath Yatra 2024 Live Updates: ଘନ କୁହୁଡିର ଆସ୍ତରଣରେ ଶ୍ରୀମନ୍ଦିର। ଦିଶୁନାହିଁ ଶ୍ରୀମନ୍ଦିର ନିଳଚକ୍ର। ନିଳଚକ୍ର ଦର୍ଶନରୁ ବଞ୍ଚିତ ହେଲେ ଭକ୍ତ।

     

  • Rath Yatra 2024 Live Updates: ଆଜି ରଥାରୁଢ଼ ହେବ କାଳିଆ ସାଆନ୍ତ। ଭକ୍ତ ଗହଳିରେ ଉଛୁଳି ପଡିଲାଣି ବଡ଼ଦେଉଳରୁ ବଡ଼ଦାଣ୍ଡ । ଏନେଇ  ମହାପ୍ରଭୁଙ୍କର ବଡ଼ି ଭୋରୁ ନୀତି ଆରମ୍ଭ ହୋଇଛି। ୩ଟା ୫୭ ମିନିଟ୍ ରେ ମଙ୍ଗଳାଆଳତୀ ହୋଇଥିବା ବେଳେ ୪ଟା ୩୦ରେ ଅବକାଶ ନୀତି ସମ୍ପୁର୍ଣ୍ଣ ହୋଇଛି। ସେହିପରି ୪ଟା ୩୫ ମିନିଟ୍ ସମୟରେ ଦଶ ଅବତାର ଠାକୁର ବାହୁଡା ବିଜେ ହୋଇଛି।  

  • Rath Yatra 2024 Live Updates: ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ । କେବଳ ଅପେକ୍ଷା ଭଲ କରି ଥରେ ପାପ ନେତ୍ରରେ ଦେଖିବାକୁ  ଆମ କାଳିଆ ସାଆନ୍ତକୁ ।ମାନବୀୟ ଲୀଳା ଖେଳିବେ ମହାବାହୁ। ଭାଇଭଉଣୀଙ୍କ ସହ ଜନ୍ମବେଦିକୁ କରିବେ ନବଦିନାତ୍ମକ ଯାତ୍ରା। ପତିତଜନଙ୍କୁ ଉଦ୍ଧାରିବା ପାଇଁ ରତ୍ନଦେବି ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ବିଶ୍ବନିୟନ୍ତା। ରଥାରୂଢ଼ ହୋଇ ଆଶୀର୍ବାଦର ବର୍ଷା କରିବେ ଭାବବିନୋଦିଆ କଳାଠାକୁର।ଭକ୍ତ ଗହଳିରେ ଉଛୁଳିଲାଣି ବଡ଼ଦେଉଳରୁ ବଡ଼ଦାଣ୍ଡ । ପୋଲିସ ପ୍ରସ୍ତୁତ, ପ୍ରଶାସନ ବି ପ୍ରସ୍ତୁତ। 

    ଲିଙ୍କରେ କ୍ଲିକ୍  କରି ପୂରା ଖବର ପଢନ୍ତୁ : Rath Yatra 2024 Live Updates:ଆଜିଠୁ ଦୁଇ ଦିନ ଧରି ପାଳନ ହେବ ରଥଯାତ୍ରା, ଦୀର୍ଘ ୫୩ ବର୍ଷ ପରେ ପଡ଼ିଛି ଏଭଳି ଦୁର୍ଲଭ ସଂଯୋଗ

     

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link