Odia Cinema: ପ୍ରକାଶ ପାଇଛି ଓଡ଼ିଶା କମନ୍ ପାରାମେଡିକାଲ ଏଣ୍ଟ୍ରାସ୍ ଟେଷ୍ଟ(CPET) ପରିକ୍ଷା ଫଳ। ଏହି କମନ୍ ପାରାମେଡିକାଲ ଏଣ୍ଟ୍ରାସ୍ ଟେଷ୍ଟ ପରୀକ୍ଷାରେ ଚତୁର୍ଥ ସ୍ଥାନ ହାସଲ କରି ଏବେ ଚର୍ଚ୍ଚାରେ ଓଡ଼ିଆ ଅଭିନେତ୍ରୀ ସନମୀରା ନାଗେଶ(Actress Sunmeera nagesh)। ସନମୀରା ଛୋଟ ବେଳୁ ଜଣେ ମେଧାବୀ ଛାତ୍ରୀ ଅଟନ୍ତି। ଶିଶୁ କଳାକାର(Child actress) ଭାବରେ ସେ ମାତ୍ର ୨ଟି ଓଡ଼ିଆ ସିନେମା କରି ଚଳଚ୍ଚିତ୍ର ଦୁନିଆରୁ ସେ ଲମ୍ବା ସମୟ ପର୍ଯ୍ୟନ୍ତ ଦୂରେଇ ଯାଇଥିଲେ ।


COMMERCIAL BREAK
SCROLL TO CONTINUE READING

ସିନେମା ଜଗତରୁ ଏହି ଅସ୍ଥାୟୀ ସନ୍ୟାସ ନେବା ପଛର କାରଣ ସେ ପାଠପଢ଼ା ବୋଲି ସେ କହନ୍ତି ।ସାଧାରତଃ କୁହାଯାଏ ଯେ ଏଣ୍ଟରଟେନମେଣ୍ଟ ଜଗତରେ ଯେଉଁମାନେ ନିଜର କ୍ୟାରିୟର ବନେଇବାକୁ ଚାହାଁନ୍ତି ବା ଏହା ସହ ଜଡ଼ିତ ରହି କାର୍ଯ୍ୟ କରନ୍ତି ସେମାନଙ୍କ ଦୂରତା ପାଠପଢ଼ା ସହ ସାମାନ୍ୟ ବଢ଼ି ଯାଇଥାଏ । ଏମିତି ଅନେକ ହାତ ଗଣତି ଖୁବ୍ କମ୍ ଅଭିନେତା ବା ଅଭିନେତ୍ରୀ ଥିବେ ଯେଉଁମାନେ ଅଭିନୟ ସହ ପାଠପଢ଼ାକୁ ମଧ୍ୟ ସମାନ ଗୁରୁତ୍ୱ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଅଭିନେତ୍ରୀ ସନମୀରା ନାଗେଶ ହେଉଛନ୍ତି ଜଣେ। ତାଙ୍କର ଏହି କୃତିତ୍ୱ ପାଇଁ କେବଳ ତାଙ୍କ ପରିବାର ନୁହେଁ ଓଡ଼ିଆ କଳା ଜଗତ ମଧ୍ୟ ଗୌରବାନ୍ୱିତ ହୋଇଛି।


ତେବେ ଶିଶୁ କଳାକାର ଭାବେ ସନମୀରା ପ୍ରଥମ ଥର ପାଇଁ ୨୦୦୯ ମସିହାରେ ମୁକ୍ତି ଲାଭ କରିଥିବା ସୁପହିଟ୍ ଚଳଚ୍ଚିତ୍ର ‘ସୁନା ଚଢ଼େଇ ମୋ ରୂପା ଚଢ଼େଇ’ରେ ନଜର ଆସିଥିଲେ। ଏହା ପରେ ୨୦୧୦ ମସିହାରେ ନିର୍ଦ୍ଦେଶକ ହିମାଂଶୁ ପରିଜାଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ଆଲୋ ମୋର କଣ୍ଢେଇ’ ଚଳଚ୍ଚିତ୍ରରେ ସୁନ୍ଦର ଅଭିନୟ କରି ଖୁବ୍ ପ୍ରଶଂସା ସାଉଁଟିଥିଲେ ସନମୀରା। ଏହି ୨ଟି ଫିଲ୍ମରେ ସେ ନିଜ ଅଭିନୟର ଜାଦୁ ଛାଡ଼ିବା ପରେ ତାଙ୍କ ପ୍ରଶଂସକମାନେ ପରବର୍ତ୍ତୀ ଚଳଚ୍ଚିତ୍ରରେ ତାଙ୍କୁ ଦେଖିବା ପାଇଁ ଅନେଇ ବସିଥିଲେ ।ମାତ୍ର ସେ ନିଜର ଅନିଚ୍ଛା ସତ୍ତ୍ୱେ ନିଜ ପ୍ରଶଂସକଙ୍କୁ ନିରାଶ କରି ନିଜ ପାଠପଢ଼ାକୁ ଗୁରୁତ୍ୱ ଦେଇଥିଲେ ଏବଂ କଳା ଜଗତ ଠାରୁ ନିଜକୁ ଦୂରେଇ ରଖିଥିଲେ ।


ସନମୀରା ପରି ଅନେକ ଶିଶୁ କଳାକାର ନିଜ ଅଭିନୟ, ବିଭିନ୍ନ ପ୍ରୋଜେକ୍ଟ ସହ ଯୋଡ଼ି ହୋଇ ରହିଥିବା ବେଳେ ସେ କିନ୍ତୁ ନିଜ ପରିବାରର ସହମତିରେ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦେଇଥିଲେ । ଦୀର୍ଘ ୭ ବର୍ଷ ଅଭିନୟ ଜଗତରୁ ଦୂରେଇ ରହିବା ପରେ ପୁଣି ଥରେ ୨୦୧୭ ମସିହାରେ ‘ସପନର ପଥେ ପଥେ’ ଚଳଚ୍ଚିତ୍ରରେ ଅଭିନେତା ଅମ୍ଳାନ ମହାନ୍ତିଙ୍କ ବିପକ୍ଷରେ ନଜର ଆସିଥିଲେ ସନମୀରା । ଏହା ପରେ ‘ଲୈଲା ଓ ଲୈଲା’, ‘ଲଭ୍ ଏକ୍ସପ୍ରେସ’, ‘ଲୋକାଲ ଟୋକା ଲଭ୍ ଚୋଖା’ ଭଳି ହିଟ୍ ଚଳଚ୍ଚିତ୍ରମାନଙ୍କରେ ପୁଣି ଥରେ ସନମୀରା ଦେଖାଥିଲେ ନିଜ ଅଭିନୟର ଜାଦୁ ।


 ତେବେ ସନମୀରାଙ୍କ ଏହି କୃତିତ୍ୱ ପାଇଁ ଜୀ ଓଡ଼ିଶା ତରଫରୁ ଆମେ ତାଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛୁ । ଏଥି ସହ ସେ ଆଗକୁ କିପରି ଅଭିନୟ ସହ ନିଜ ପାଠପଢ଼ାକୁ ଗୁରୁତ୍ୱ ଦେଇ ଜୀବନରେ ସଫଳତା ହାସଲ କରିବେ କରିବେ ତାହା କାମନା କରୁଛୁ ।


Also read: Credit Guarantee Scheme: ଏବେ ଗାଁ ଅର୍ଥନୀତି ହେବ ସୁଦୃଢ଼ ! କ୍ରେଡିଟ୍ ଗ୍ୟାରେଣ୍ଟି ଯୋଜନା ଆରମ୍ଭ କଲେ ସରକାର...


ପ୍ରକାଶ ପାଇଲା CUET-UG ଫଳାଫଳ, ଏପରି କରନ୍ତୁ ଚେକ