Coal Royalty: ଭୁବନେଶ୍ୱର: କୋଇଲା ରୟାଲଟି ବାବଦରେ ଓଡ଼ିଶା ବିଗତ ୫ ବର୍ଷ ମଧ୍ୟରେ ୧୪୩୦୨ କୋଟି ୨୨ ଲକ୍ଷ ଟଙ୍କା ପ୍ରାପ୍ତ କରିଛି। ସଂସଦରେ କୋଇଲା ଏବଂ ଖଣିଜ ମନ୍ତ୍ରୀ ଜି କ୍ରିଷନ ରେଡ୍ଡୀ ସୂଚନା ଦେଇ ଏହା କହିଛନ୍ତି। ଗତ ଆର୍ଥିକ ବର୍ଷରେ ପ୍ରାୟ ୩୮୮୧ କୋଟି ୭୯ ଲକ୍ଷ ଟଙ୍କା କୋଇଲା ରୟାଲଟି ପାଇଥିବା ବେଳେ ଓଡ଼ିଶାକୁ ୨୦୨୨-୨୩ ଆର୍ଥିକ ବର୍ଷରେ ୪୧୩୭ କୋଟି ୮୭ ଲକ୍ଷ, ୨୦୨୧-୨୨ ଆର୍ଥିକ ବର୍ଷରେ ୨୭୦୪ କୋଟି ୩୦ ଲକ୍ଷ ଓ ୨୦୨୦-୨୧ ଆର୍ଥିକ ବର୍ଷରେ ୧୫୧୯ କୋଟି ୩୧ ଲକ୍ଷ ଏବଂ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷରେ ୨୧୩୯ କୋଟି ୪୫ ଲକ୍ଷ ଟଙ୍କା ରୟାଲଟି ପ୍ରାପ୍ତ ହୋଇଛି। 


COMMERCIAL BREAK
SCROLL TO CONTINUE READING

ଲୋକସଭାରେ ସୂଚନା ଦେଇ ଶ୍ରୀ ରେଡ୍ଡୀ କହିଛନ୍ତି କୋଇଲା ଖଣି ଆବଣ୍ଟନ ବାବଦରେ ସ୍ୱଚ୍ଛତା ରକ୍ଷା ପାଇଁ ୨୦୧୫ ମସିହାରୁ ଅକସନ ଆରମ୍ଭ ହୋଇଛି। ଏ ବାବଦରେ ରାଜ୍ୟ ସରକାରଙ୍କୁ ସମୁଦାୟ ବିକ୍ରୀର ୧୪ ପ୍ରତିଶତ ରୟାଲଟି ଆକାରରେ ଦିଆଯାଇଥାଏ। ଏହା ସହ ଯେଉଁ ଜିଲ୍ଲାରେ ଖଣି ରହିଛି ସେହି ଜିଲ୍ଲାର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଥିବା ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ)କୁ ୪.୨ ପ୍ରତିଶତ ରୟାଲ୍ଟି ପ୍ରାପ୍ତ ହୋଇଥାଏ। ରାଜ୍ୟକୁ ମିଳୁଥିବା ୨.୫ ପ୍ରତିଶତ ଜିଏସଟି ମିଶାଇଲେ ରାଜ୍ୟରୁ ବିକ୍ରି ହେଉଥିବା ସମୁଦାୟ କୋଇଲା ପରିମାଣର ୨୧ ପ୍ରତିଶତ ଅର୍ଥ ସରକାରଙ୍କୁ ମିଳିଥାଏ। 


 



ଲୋକସଭାରେ ମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ ଝାଡ଼ଖଣ୍ଡ ଏ ବାବଦରେ ସବୁଠାରୁ ଅଧିକ କୋଇଲା ରୟାଲଟି ପ୍ରାପ୍ତ କରିଛି। ଝାଡ଼ଖଣ୍ଡକୁ ଗଲା ଆର୍ଥିକ ବର୍ଷରେ ସର୍ବାଧିକ ୫୪୨୭ କୋଟି ୨୪ ଲକ୍ଷ ରୟାଲଟି ମିଳିଥିବା ବେଳେ ମଧ୍ୟପ୍ରଦେଶକୁ ୩୨୯୬ କୋଟି ୧୧ ଲକ୍ଷ, ଛତିଶଗଡ଼କୁ ୩୨୮୫ କୋଟି ୫ ଲକ୍ଷ, ତେଲଙ୍ଗାନାକୁ ୨୯୦୪ କୋଟି ୨୩ ଲକ୍ଷ, ଉତ୍ତରପ୍ରଦେଶକୁ ୬୦୬ କୋଟି ୧୨ ଲକ୍ଷ, ପଶ୍ଚିମବଙ୍ଗକୁ ୧୮ କୋଟି ୪୬ ଲକ୍ଷ ଏବଂ ଆସାମକୁ ୧୬ କୋଟି ୮୩ ଲକ୍ଷ ଟଙ୍କା ରୟାଲଟି ମିଲିଛି। ଶ୍ରୀ ରେଡ୍ଡୀ କହିଛନ୍ତି ଏକ୍ସରେ ଜିଲ୍ଲା ଖଣିଜ ପାଣ୍ଠି ବାବଦରେ ଉଲ୍ଲେଖ କରି କହିଛନ୍ତି କେନ୍ଦୁଝରରେ ଏହି ଖଣିଜ ପାଣ୍ଠିକୁ ବ୍ୟବହାର କରି ଏକ ମେଡିକାଲ କଲେଜ ଏବଂ ହସପିଟାଲ ସ୍ଥାପନ କରାଯାଇଛି। ଏଥିପାଇଁ ସମୁଦାୟ ୪୭୬ କୋଟି ଟଙ୍କା ଡିଏମଫରୁ ଖର୍ଚ୍ଚ କରାଯାଇଛି। ଫଳରେ ଏହି ଅଞ୍ଚଳର ଲୋକଙ୍କ ପାଇଁ ଦିନେ ଅପହଞ୍ଚ ହୋଇ ରହିଥିବା ସ୍ୱାସ୍ଥ୍ୟ ସେବା ହାତ ପାହାନ୍ତାରେ ପହଞ୍ଚି ପାରିଛି। 


ଓଡ଼ିଶାରେ ବିଜେପି ସରକାର ଆସିବା ଦ୍ୱାରା କୋଇଲା ଖଣି ଉନ୍ନୟନ କାର୍ଯ୍ୟ ତ୍ୱାରନ୍ୱିତ ହୋଇଛି ବୋଲି କହିଛନ୍ତି ଶ୍ରୀ ରେଡ୍ଡୀ। ବିଗତ ୧୦ ବର୍ଷ ହେଲା ଏକ କୋଇଲା ବ୍ଲକ ରାଜ୍ୟକୁ ଆବଣ୍ଟନ ହୋଇଥିଲେ ମଧ୍ୟ ପ୍ରଶାସନିକ ଅବହେଳା ଅଭାବରୁ ତାହା କାର୍ଯ୍ୟକାରୀ ହୋଇ ପାରୁନଥିଲା। ସିଙ୍ଗ୍ରେଣୀ କୋଇଲା ଖଣିକୁ ଉଲ୍ଲେଖ କରି ଶ୍ରୀ ରେଡ୍ଡୀ କହିଛନ୍ତି ମୋହନ ମାଝୀଙ୍କ ସରକାର ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ଯୋଗୁଁ ଆଜି ସେଠାରେ ନୂଆ କୋଇଲା ଖନନ କାର୍ଯ୍ୟ ଆରମ୍ଭ ହୋଇଛି।