Odisha news : ଭୁବନେଶ୍ୱର: ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ଆକ୍ସନ ମୋଡରେ ପ୍ରାଣୀଧନ ବିଭାଗ। ଭୂତାଣୁ ସଂକ୍ରମଣ ରୋକିବାକୁ ବିଭାଗ ପକ୍ଷରୁ ଶନିବାର ଠାରୁ ଆରମ୍ଭ ହୋଇଛି କୁକୁଡାମରା ଅଭିଯାନ। ରବିବାର ଦ୍ୱିତୀୟ ଦିନ ଆବଲପୁର ଜନାର୍ଦ୍ଦନପୁର ଏବଂ ନୂଆଯୋଡ଼ି ଫାର୍ମରୁ ୩୫୦୦ କୁକୁଡା ମରାଯାଇଥିବା ନେଇ ସୂଚନା ରହିଛି। ସେହିପରି ଅଭିଯାନ ଆହୁରି ୧୫ ଦିନ ଚାଲିବ ବୋଲି ପ୍ରାଣୀଧନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଅଭିଯାନ ସମୟରେ ପ୍ରାୟ ୨୦ ହଜାର କୁକୁଡା ମରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। 


COMMERCIAL BREAK
SCROLL TO CONTINUE READING

ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଯେଉଁ ସ୍ଥାନରେ ବାର୍ଡ ଫ୍ଲ୍ୟୁ ଚିହ୍ନଟ ହୋଇଛି ସେଠାରେ ଆସନ୍ତା ୫ ମାସ ପାଇଁ କୁକୁଡା ଚାଷ କରାଯିବ ନାହିଁ। ବାର୍ଡ ଫ୍ଲ୍ୟୁ ଚିହ୍ନଟ ହୋଇଥିବା ସ୍ଥାନର ୧ କିଲୋମିଟ ପରିଧି ମଧ୍ୟରେ ସମସ୍ତ କୁକୁଡା ଫାର୍ମରୁ କୁକୁଡା ମାରିବା ପାଇଁ ପ୍ରାଣୀଧନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି। ପିପିଲି ଓ ସତ୍ୟବାଦୀର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲ୍ୟୁ ଚିହ୍ନଟ ହୋଇଥିବାରୁ ଅଞ୍ଚଳକୁ ପୂରା ସାନିଟାଇଜ କରାଯାଇଥିବା ନେଇ ସୂଚନା ରହିଛି। ସେହିପରି ଜଗତସିଂହପୁର ଜିଲ୍ଲା ଦେଉଳି ଗ୍ରାମେଶ୍ୱର ଆଖୁନ ସାହିରେ ୫୦ରୁ ଅଧିକ କୁକୁଡା ମରିଥିବାର ସୂଚନା ମିଳିଛି। ଏଗୁଡିକ ବାର୍ଡ ଫ୍ଲ୍ୟୁରେ ମରିଥିବା ସ୍ପଷ୍ଟ ହୋଇନାହିଁ। କୁକୁଡା ମରାଯିବା ପରେ ସମସ୍ତ ଫାର୍ମ ସାନିଟେସନ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ରହିଛି। 


ସେପଟେ କୁକୁଡା ଚାଷୀଙ୍କୁ ଏ ବାବଦରେ କ୍ଷତିପୂରଣ ମିଳିବ ବୋଲି ବିଭାଗ ପକ୍ଷରୁ ସୂଚନା ରହିଛି। ସୋମବାର ଠାରୁ କୁକୁଡା ଚାଷୀଙ୍କୁ କ୍ଷତିପୂରଣ ମିଳିବ ବୋଲି ସୂଚନା ରହିଛି। ସପ୍ତାହକ ମଧ୍ୟରେ ଥିବା କୁକୁଡା ବାବଦକୁ ୨୦ ଟଙ୍କା ଏବଂ ୬ ସପ୍ତାହରୁ ଅଧିକ ଦିନର କୁକୁଡା ପାଇଁ ୯୦ ଟଙ୍କା ହିସାବରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।