ଭୁବନେଶ୍ୱର: କରୋନା ମହାମାରୀ ସମୟରେ ରିଲ୍ ହିରୋରୁ ରିଅଲ୍ ହିରୋ ପାଲଟିଥିବା ଅଭିନେତା ସବ୍ୟସାଚୀ ମିଶ୍ର ଆଜି ପୁଣିଥରେ ଏକ ମହତ କାର୍ଯ୍ୟ କରିଛନ୍ତି । ଜଣେ ଗର୍ଭବତୀଙ୍କ ପ୍ରସବ ପାଇଁ ରକ୍ତ ଆବଶ୍ୟକ ଥିବା ସମୟରେ ସବ୍ୟସାଚୀ ମହିଳାଙ୍କୁ ସାହାଯ୍ୟ କରିଛନ୍ତି । ସବ୍ୟଙ୍କ ଏପରି କାମ ପାଇଁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଇଛନ୍ତି ଗର୍ଭବତୀଙ୍କ ସମ୍ପର୍କୀୟ ।


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ, ଯାଜପୁର ବିଂଝାରପୁର ଅଞ୍ଚଳର ନିହାରିକା ପଣ୍ଡା ଗର୍ଭଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ପରିବାର ଲୋକେ ତୁରନ୍ତ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଅପରେସନ ପୂର୍ବରୁ ଡାକ୍ତର ରକ୍ତର ଆବଶ୍ୟକତା ରହିଥିବା କହିଥିଲେ । B- ରକ୍ତ ୩ ୟୁନିଟ୍ ଆବଶ୍ୟକ ଥିବାରୁ ପରିବାର ସଦସ୍ୟ ସମ୍ପର୍କୀୟମାନଙ୍କ ସହାୟତା ନେଇଥିଲେ ମଧ୍ୟ ୩ ୟୁନିଟ୍ ରକ୍ତ ମିଳିପାରିନଥିଲା । ଏ ବାବଦରେ ଓଲିଉଡ ହିରୋ ସବ୍ୟସାଚୀ ମିଶ୍ର ଜାଣିବା ପରେ ବିଳମ୍ୱ ନକରି ତୁରନ୍ତ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । ପ୍ରଥମେ ରେଡକ୍ରସ୍ ସହ ଯୋଗାଯୋଗ କରିଥିଲେ ସବ୍ୟସାଚୀ । କିଛି ରକ୍ତଦାତାଙ୍କ ଫୋନ୍ ନମ୍ୱର ପରିବାର ସଦସ୍ୟଙ୍କୁ ଦେଇଥିଲେ । ଏଥିସହିତ ନିଜ ସୋସିଆଲ ମିଡିଆରେ ତୁରନ୍ତ ଏ ବାବଦରେ ପୋଷ୍ଟ କରିଥିଲେ । ସବ୍ୟଙ୍କ ପୋଷ୍ଟ୍ ଦେଖି କିଛି ରକ୍ତଦାତା ରକ୍ତଦାନ କରିବାକୁ ଆଗେଇ ଆସିଥିଲେ । ସାଗରିକା ନାମକ ଜଣେ ମହିଳା ତୁରନ୍ତ ହସ୍ପିଟାଲରେ ପହଞ୍ଚି ନିଜେ ରକ୍ତଦାନ କରିଥିଲେ । ଏକ ମହତ କାର୍ଯ୍ୟ କରିବାକୁ ତୁରନ୍ତ ଆଗେଇ ଆସିଥିବାରୁ ସୋସିଆଲ ମିଡିଆରେ ସବ୍ୟ ସାଗରିକାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଥିଲେ । ରକ୍ତଦାନ କରିଥିବା ସାଗରିକା କହିଥିଲେ ଯେ, ମୋର ଯେତେବେଳେ ଏହି ଅବସ୍ଥା ଥିଲା ସେତେବେଳେ ମୁଁ ରକ୍ତର ଆବଶ୍ୟକତା କେତେ ଜାଣିପାରିଥିଲି । ତେଣୁ ମୁଁ ଏପରି କେସରେ ସର୍ବଦା ରକ୍ତଦାନ କରିବାକୁ ଆଗେଇ ଆସିଥାଏ । ସମସ୍ତ ସୁସ୍ଥ ବ୍ୟକ୍ତି ଆବଶ୍ୟକ ସ୍ଥଳେ ରକ୍ତଦାନ କରିବା ଉଚିତ ବୋଲି ସାଗରିକା କହିଥିଲେ ।


Also Read- ହୀରାକୁଦ ଡ୍ୟାମର ୪ଟି ଗେଟ୍ ଖୋଲା, ତଳିଆ ଅଞ୍ଚଳରେ ପୁଣି ଛନକା !


Also Read- ସାଇବର ଥାନାର ଦ୍ୱାରସ୍ଥ ହେଲେ ଓଲିଉଡ କଣ୍ଠଶିଳ୍ପୀ ପମି ମିଶ୍ର