Snana Purnima: ପୁରୀ : ଆଜି ଦାରୁ ଦିଅଁଙ୍କ ଦିବ୍ୟ ସ୍ନାନ। ସଜେଇ ହୋଇଛି ସ୍ନାନବେଦୀ। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ। ଏଥିପାଇଁ ଆଜି ବଡ଼ି ଭୋର ସମୟରୁ ନୀତିକାନ୍ତି ଆରମ୍ଭ ହୋଇଛି। ସକାଳ ନୀତିକାନ୍ତି ପରେ ଧାଡ଼ି ପହଣ୍ଡିରେ ସ୍ନାନ ବେଦୀକୁ ଆସିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ତେଣେ ଇତାପତି ସେବକ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ଲାଗି ସେନାପଟା ଓ ବାହୁଟକଣ୍ଟ ଭଳି ଗୁପ୍ତନୀତି ଶେଷ କରିଛନ୍ତି।ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିରୀକୃତ ସ୍ନାନ ନୀତି ଅନୁସାରେ-ଶନିବାର ଭୋର୍ ୪ଟା ୩୦ରେ ମଙ୍ଗଳାର୍ପଣ ହୋଇ ୫ଟା ୨୧ ମିନିଟରୁ ପହଣ୍ଡି ଆରମ୍ଭ ହୋଇଛି। ପ୍ରଥମେ ମହାପ୍ରଭୁ ସୁଦର୍ଶନଙ୍କ ୫.୨୧ ମିନିଟରେ ପହଣ୍ଡି ହୋଇଛି। ପରେ ପରେ ମହାପ୍ରଭୁ ଶ୍ରୀ ବଳଭଦ୍ରଙ୍କର ୫.୩୭ ମିନିଟରେ ପହଣ୍ଡି ହୋଇଛି। ଧାଡ଼ି ପହଣ୍ଡିରେ ଆସି ଜଣକ ପରେ ଜଣେ ସ୍ନାନ ବେଦୀରେ ବିରାଜୁଛନ୍ତି। 


COMMERCIAL BREAK
SCROLL TO CONTINUE READING

ବଳଭଦ୍ରଙ୍କ ପରେ ମା ସୁଭଦ୍ରାଙ୍କର ୫.୪୫ ମିନିଟରେ ଧାଡ଼ି ପହଣ୍ଡି ହୋଇଥିଲା। ପରେ ମହାପ୍ରଭୁ ଜଗନ୍ନାଥ ୬ଟା ସମୟରେ ଧାଡ଼ି ପହଣ୍ଡିରେ ଆସି ସ୍ନାନବେଦୀରେ ବିରାଜିଛନ୍ତି। ସେପଟେ ଧାର୍ଯ୍ୟ ସମୟ ଅନୁଯାୟୀ ଅନ୍ୟାନ୍ୟ ନୀତିକାନ୍ତି ବଢ଼ିବା ପରେ ମଧ୍ୟାହ୍ନ ୧୨ଟା ୨୦ରୁ ୧ଟା ୪୫ ଭିତରେ ହେବ ଜଳ ବିଜେ କରାଯିବ। ଅପରାହ୍ନ ୩ଟାରେ ଛେରା ପହଁରା ପରେ ୩ଟା ୪୦ରୁ ହାତୀବେଶ ଆରମ୍ଭ ହେବ। ସନ୍ଧ୍ୟା ୭ଟା ୩୦ରୁ ରାତି ୧୦ଟା ୩୦ ଯାଏଁ ସାହାଣ ମେଲା ଦର୍ଶନ ପାଇଁ ବି ସମୟ ଧାର୍ଯ୍ୟ ହୋଇଛି। ଦର୍ଶନ ସରିବା ପରେ ରାତି ୧୧ଟାରେ ହାତୀବେଶ ଓଲାଗି ହୋଇ ସାଢ଼େ ୧୧ଟାରୁ ୨ ମଧ୍ୟରେ ବାହୁଡ଼ା ପହଣ୍ଡି କରାଯିବ।


ସ୍ନାନ ନୀତି ପାଇଁ ଆଜି ସୁନା କୂଅରୁ ସଂଗୃହିତ ଜଳକୁ ଅଧିବାସ ଗୃହରେ ରଖାଯାଇଛି। ଗରାବଡୁ ସେବକମାନେ ଏହାକୁ ସ୍ନାନବେଦୀକୁ ଆଣିବା ପରେ ପଞ୍ଚଉପଚାର ବିଧିରେ ଠାକୁରମାଙ୍କୁ ଲାଗି କରାଯିବ। ଶ୍ରୀଜିଉଙ୍କ ଦୁର୍ଲଭ ସ୍ନାନ ଉତ୍ସବର ସାନିଧ୍ୟ ନେବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଲକ୍ଷାଧିକ ଭକ୍ତ।


ଏବର୍ଷ ଲକ୍ଷାଧିକ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ବନ୍ଦୋବସ୍ତ। ପହଣ୍ଡି ସମୟରେ ଠାକୁରଙ୍କୁ ସ୍ପର୍ଶ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏଥର ମାର୍କେଟଛକଠୁ ବ୍ୟାରିକେଡ୍ ବ୍ୟବସ୍ଥା ହୋଇଛି। ସେଠୁ ବ୍ୟାରିକେଡରେ ଭକ୍ତମାନେ ପ୍ରବେଶ କରି ସିଂହଦ୍ବାର ବାଟ ଦେଇ ସ୍ନାନବେଦୀକୁ ଦର୍ଶନ ପାଇଁ ଯିବେ। ପହଣ୍ଡି ସମୟରେ ଟିକେଟ୍ ଧାରୀ ଭକ୍ତ ଦକ୍ଷିଣ ଦ୍ବାରରେ ପ୍ରବେଶ କରିବେ। ମାର୍କେଟ ଛକରୁ ଆଗକୁ ନୋ-ଭେଇକିଲ୍ ଜୋନ୍ ଘୋଷଣା ହୋଇଛି। ପାର୍କିଂ ପାଇଁ ବି ବ୍ୟାପକ ବ୍ୟବସ୍ଥା ହୋଇଛି। 


ଭୁବନେଶ୍ୱରରୁ ଆସୁଥିବା ଯାନ ଗୁଡ଼ିକ ବୀରହରେକୃଷ୍ଣପୁର ବାଟ ଦେଇ ଶ୍ରୀସେତୁ ଉପରେ ଜଗନ୍ନାଥ ବଲ୍ଳଭ ପାର୍କିଂକୁ ଯିବେ। ଆଇନଶୃଙ୍ଖଳା, ସୁରକ୍ଷା ପାଇଁ ଏଥର ୪ଜଣ ଏସପି ରାଙ୍କ ଅଫିସର, ୧୨ ଜଣ ଅତିରିକ୍ତ ଏସପି, ୨୨ଜଣ ଡିଏସପିଙ୍କ ସହ ୬୮ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ହେବେ। ପୋଲିସ୍ ପକ୍ଷରୁ ୧୧୨ ନମ୍ବରରେ ଏକ ହେଲପ୍ ଲାଇନ୍ ମଧ୍ୟ ଜାରି ହୋଇଛି। ସେପଟେ ସମୁଦ୍ର ସ୍ନାନ ଅଘଟଣ ରୋକିବାକୁ ବେଳାଭୂମିରେ ପର୍ଯ୍ୟାପ୍ତ ଲାଇଫଗାର୍ଡଙ୍କୁ ମୁତୟନ କରାଯାଇଛି।


ଦେଖନ୍ତୁ ସିଧା ପ୍ରସାରଣ: