Dhanteras Gold Market: ଭୁବନେଶ୍ୱର: ଏବେ ସୁନା ବଜାରରେ ନିଆଁ ଲାଗିଛି। ଦିନକୁ ଦିନ ସୁନା ଦର ବଢିବାରେ ଲାଗିଛି। ତଥାପି ଧନତେରସ ଅବସରରେ ରାଜ୍ୟରେ ଅଢେଇ କ୍ୱିଣ୍ଟାଲର ସୁନା କାରବାର କରାଯାଇଛି। ସୁନା ବ୍ୟବସାୟୀମାନଙ୍କ ଲୋଭନୀୟ ଅଫର ଗ୍ରାହକ ମାନଙ୍କୁ ସୁନା ଦୋକାନ ମୁହାଁ କରାଇଥିଲା। ଆନୁମାନିକ ହିସାବ ଲଗାଇଲେ ଏହା ପାଖାପାଖି ୧୮୫ କୋଟି ଟଙ୍କାର କାରବାର ହୋଇଛି। ସେପଟେ ଏହି ମୂଲ୍ୟ ପୂର୍ବ ବର୍ଷ ତୁଳନାରେ ୧୫ ରୁ ୨୦ ପ୍ରତିଶତ ଅଧିକ କାରବାର ହୋଇଥିବା ନେଇ ଜଣାପଡ଼ିଛି। ତେବେ ଗତକାଲି ଭଳି ଆଜି ମଧ୍ୟ ସୁନା ବ୍ୟବସାୟରେ ଜୋର ଧରିବ ବୋଲି ବ୍ୟବସାୟୀମାନେ ଆଶା କରିଛନ୍ତି। ତିଥି ଅନୁଯାୟୀ କିଛି କ୍ଷଣ ୩୦ ତାରିଖ ଅର୍ଥାତ ବୁଧବାର ରହୁଥିବାରୁ ସୁନା କିଣିବାକୁ ଗ୍ରାହକମାନେ ଆସିପାରନ୍ତି ବୋଲି ଅନୁମାନ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଏନେଇ ରାଜ୍ୟର ପ୍ରତିଷ୍ଠିତ ସୁନା ଦୋକାନ ଲାଲଚାନ୍ଦ ଜୁଏଲର୍ସର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସଞ୍ଜୟ ହଂସ କହିଛନ୍ତି କି ସନ୍ଧ୍ୟା ସମୟରେ ସୋ ରୁମ ଗୁଡ଼ିକରେ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳିଥିଲା। ବିଶେଷ କରି ହାଲୁକା ଓ ଛୋଟ ଅଳଙ୍କାର ଗ୍ରାହକମାନଙ୍କର ପ୍ରଥମ ପସନ୍ଦ ପାଲଟିଛି। ବ୍ୟବସାୟ ହିସାବରେ ଗତବର୍ଷ ତୁଳନାରେ ୨୦ ପ୍ରତିଶତ ଅଧିକ କାରବାର ହୋଇଥିବା ନେଇ ଶ୍ରୀ ହଂସ ସୂଚନା ପ୍ରଦାନ କରିଛନ୍ତି। ଏନେଇ ରାଜ୍ୟରେ ଗହଣା ବ୍ୟବସାୟ ଉଜ୍ଜ୍ୱଳ ଭବିଷ୍ୟତ ରହିଥିବା ନେଇ ପ୍ରକାଶ କରିଛନ୍ତି। 


ଏଠାରେ କହି ରଖୁ କି ମଙ୍ଗଳବାର ଭୁବନେଶ୍ୱରରେ ଭରି ପିଛା ସୁନାର ଦାମ ୭୩ ହଜାର ୭୫୦ ଟଙ୍କା ରହିଛି। ଯାହା ବିଗତ ବର୍ଷ ତୁଳନାରେ ପ୍ରାୟ ୧୭୭୫୦ ଟଙ୍କା ଅଧିକ ରହିଛି। ଚଢାଦର ନିଶ୍ଚିତ ଭାବେ ଗ୍ରାହକଙ୍କୁ ପ୍ରଭାବିତ କରିଥିବା ଅନେକ ବ୍ୟବସାୟୀ ସ୍ୱିକାର ମଧ୍ୟ କରିଛନ୍ତି। କିନ୍ତୁ ଲୋକଙ୍କ କିଣାକିଣି ଉତ୍ସାହଜନକ ରହିଥିବା ଦାବି କରିଛନ୍ତି। ସେମାନେ କହିଛନ୍ତି କି ଓଜନ ଅନୁସାରେ ଲୋକମାନେ ପୂର୍ବବର୍ଷ ଗୁଡ଼ିକ ଭଳି ଯଦିଓ ଭାରି ଅଳଙ୍କାର କମ ନେଇଛନ୍ତି, କିନ୍ତୁ ବିପୁଳ ପରିମାଣରେ ହାଲୁକା ଗହଣା କିଣୁଛନ୍ତି। ସୁନା ଦୋକାନକୁ ଯାଇଥିବା ଗ୍ରାହକମାନେ ଆଜି ହାରାହାରି ଭାବେ ୫୦ ହଜାର ଟଙ୍କାରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କିଣାକିଣି କରିଥିବା ନେଇ ସୂଚନା ରହିଛି। ବିଶେଷ କରି ୧୦ ରୁ ୩୦ ଗ୍ରାମ ଓଜନର ହାର, ୨ ରୁ ୫ ଗ୍ରାମ ଓଜନର ମୁଦି, ୧୫ ରୁ ୩୦ ଗ୍ରାମ ପର୍ଯ୍ୟନ୍ତ ଚେନ ଅଧିକ ବିକ୍ରି ହୋଇଥିବା ସୂଚନା ରହିଛି। 


ସେହିପରି ସମଗ୍ର ଦେଶରେ ଗୋଟିଏ ଦିନରେ ପାଖାପାଖି ୩୫ ଟନ ସୁନା ବିକ୍ରି ହୋଇଥିବା ନେଇ ସୂଚନା ରହିଛି। ଇଣ୍ଡିଆନ୍ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ) ର ସାଧାରଣ ସମ୍ପାଦକ ସୁରେନ୍ଦ୍ର ମେହେଟ୍ଟା କହିଛନ୍ତି ଯେ ଧନତେରସରେ ୨୮ ହଜାର କୋଟି ଟଙ୍କା ମୂଲ୍ୟର ୩୫ ଟନ୍ ସୁନା ବିକ୍ରି ହୋଇଛି। ଅବଶ୍ୟ, ଗତ ଧନତେରସ ତୁଳନାରେ ପରିମାଣ ଦୃଷ୍ଟିରୁ ସୁନା ବିକ୍ରିରେ ୧୫ ରୁ ୧୬ ପ୍ରତିଶତ ହ୍ରାସ ଘଟିଛି। ସେହି ସମୟ ମଧ୍ୟରେ ସମୁଦାୟ ୪୨ ଟନ୍ ସୁନା ବିକ୍ରି ହୋଇଥିଲା।