Saraswati Puja 2024: ଆଜି ପବିତ୍ର ବସନ୍ତ ପଞ୍ଚମୀ ବା ସରସ୍ବତୀ ପୂଜା । ଧରାବତରଣ କରିଛନ୍ତି ବିଦ୍ୟାଦାତ୍ରୀ ମା' ସରସ୍ବତୀ । ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ବସନ୍ତ ପଞ୍ଚମୀ ବା ସରସ୍ବତୀ ପୂଜା ପାଳନ କରାଯାଇଥାଏ । ସରସ୍ବତୀ ପୂଜା ବସନ୍ତ ଋତୁରେ ପଡୁଥିବାରୁ ଏହାକୁ ବସନ୍ତ ପଞ୍ଚମୀ ବୋଲି କୁହାଯାଏ । ମାଆ ସରସ୍ବତୀଙ୍କୁ ଜ୍ଞାନର ଦେବୀ ବୋଲି କୁହାଯାଏ । ମା'ଙ୍କ ଆଗମନକୁ ନେଇ ସବୁଠି ଉତ୍ସାହର ମାହୋଲ ରହିଥିବା ବେଳେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ମା'ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି ।


COMMERCIAL BREAK
SCROLL TO CONTINUE READING

ପୁରାଣ ଅନୁଯାୟୀ: ପୁରାଣ ଅନୁସାରେ ଏକଦା ବ୍ରହ୍ମା ସମଗ୍ର ବିଶ୍ବ ଭ୍ରମଣରେ ବାହାରିଥିଲେ । ଏହି ସମୟରେ ସମଗ୍ର ବିଶ୍ବ ଉଦାସୀନ ଥିବା ଦେଖିବାକୁ ପାଇଥିଲେ । ଏହାଦେଖି ବ୍ରହ୍ମା ଭଗବାନ ବିଷ୍ଣୁଙ୍କ ନିକଟକୁ ଯାଇଥିଲେ । ଆଉ ବିଷ୍ଣୁଙ୍କ ଆଗରେ ସମସ୍ତ କଥା ପ୍ରକାଶ କରିଥିଲେ । ଏହା ଶୁଣିବା ପରେ ବିଷ୍ଣୁ ଭଗବାନ ବ୍ରହ୍ମାଙ୍କୁ କହିଥିଲେ ଆପଣ ଦେବୀ ସରସ୍ବତୀଙ୍କ ନିକଟକୁ ଯାଆନ୍ତୁ । ଆପଣଙ୍କର ସମସ୍ତ ସମସ୍ୟାର ସମାଧାନ ସେ ହିଁ କରିପାରିବେ । ଏହା ସହିତ ବ୍ରହ୍ମା ନିଜ କମଣ୍ଡଳରୁ ପୃଥିବୀ ପୃଷ୍ଠକୁ ପାଣି ଛିଞ୍ଚିଥିଲେ ।


ଏହି ଜଳକଣା ପଡ଼ିବା ପରେ ହାତରେ ବୀଣା, ପୁସ୍ତକ, ଓ ମାଳା ଚାରି ହସ୍ତର ଶକ୍ତି ଉଭା ହୋଇଥିଲେ । ବ୍ରହ୍ମା ବୀଣାର ତାରକୁ ଛୁଇଁବା ପରେ ସମଗ୍ର ବିଶ୍ବରେ ଖୁସିର ଲହରୀ ଖେଳିଯାଇଥିଲା । ଧରା ପୃଷ୍ଠରେ ସକ୍ରିୟ ହୋଇ ଉଠିଥିଲେ ସମସ୍ତ ଜୀବ ଜଗତ । ସେବେଠାରୁ ବସନ୍ତ ପଞ୍ଚମୀ ତିଥିରେ ମା' ସରସ୍ବତୀଙ୍କ ପୂଜାର୍ଚ୍ଚନା କରାଯାଏ ।


ତେବେ ବସନ୍ତ ପଞ୍ଚାମୀ ସହ ହଳଦିଆ ରଙ୍ଗର ଏକ ବିଶେଷ ସଂଯୋଗ ରହିଛି । ଏହି ଦିନ ମାଆ ସରସ୍ୱତୀଙ୍କ ପୂଜାର୍ଚ୍ଚନା ସମୟରେ ହଳଦିଆ ରଙ୍ଗର ଫୁଲ ଅର୍ପଣ କରାଯାଏ । ଖାଲି ସେତିକି ନୁହେଁ ଏହି ଦିନ ହଳଦିଆ ରଙ୍ଗର ପୋଷାକ ପିନ୍ଧିବାର ମଧ୍ୟ ବିଶେଷ ମହତ୍ତ୍ବ ରହିଛି । ଧାର୍ମିକ ବିଶ୍ୱାସ ଅନୁଯାୟୀ, ହଳଦିଆ ରଙ୍ଗ ମା’ ସରସ୍ୱତୀଙ୍କର ପ୍ରିୟ ଅଟେ । ହଳଦିଆ ରଙ୍ଗକୁ ସକରାତ୍ମକତା ଓ ଜୀବନରେ ନୂତନ ଶକ୍ତିର ପ୍ରତୀକ ଭାବେ ବିବେଚନା କରାଯାଏ । ବସନ୍ତ ପଞ୍ଚାମୀରେ ହଳଦିଆ ରଙ୍ଗର ପୋଷାକ ପିନ୍ଧିବା ଶୁଭ ବୋଲି ବିବେଚନା କରାଯାଏ । ଏହା ବ୍ୟତୀତ ଦେବୀ ସରସ୍ୱତୀଙ୍କ ପୂଜା ସମୟରେ ଦେବୀ ସରସ୍ୱତୀଙ୍କୁ ପ୍ରସନ୍ନ କରିବା ପାଇଁ ହଳଦିଆ ଫୁଲ ମଧ୍ୟ ଦିଆଯାଏ ଏବଂ ତାଙ୍କ ପାଇଁ ଏକ ହଳଦିଆ ରଙ୍ଗର ଆସନ ମଧ୍ୟ ପ୍ରସ୍ତୁତ କରାଯାଇଥାଏ ।


Also Read- Puri News: ପବିତ୍ର ବସନ୍ତ ପଞ୍ଚମୀରେ ଅନୁକୂଳ ହେବ ରଥକାଠ, ବଡ଼ଦାଣ୍ତରେ ପ୍ରସ୍ତୁତ ପୂଜାସ୍ଥଳୀ