Delhi Hospital: ଦିଲ୍ଲୀର ବଡ଼ ବଡ଼ ହସ୍ପିଟାଲରେ ବି ନାହିଁ ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା, ଦୁଇ ବର୍ଷରେ ୬୬ ହସ୍ପିଟାଲରେ ଲାଗିଲାଣି ନିଆଁ
ବେବି କେୟାଟ ସେଣ୍ଟରରେ ଅଗ୍ନିକାଣ୍ଡ ପରେ ପୋଲିସ କହିଛି ଯେ ଲାଇସେନ୍ସ ମିଆଦ ପୂର୍ଣ୍ଣ ହେବା ବ୍ୟତୀତ ଡାକ୍ତରଖାନାରେ ମଧ୍ୟ ଯୋଗ୍ୟ ଡାକ୍ତର ନାହାଁନ୍ତି ଏବଂ ଅଗ୍ନିଶମ ବିଭାଗରୁ କୌଣସି ଅନୁମୋଦନ ନିଆଯାଇ ନାହିଁ। ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ ଦ୍ୱାରା ବେବି କେୟାର ଚିକିତ୍ସାଳୟକୁ ଦିଆଯାଇଥିବା ଲାଇସେନ୍ସ ମାର୍ଚ୍ଚ ୩୧ରେ ଶେଷ ହୋଇସାରିଛି।
Delhi Hospital: ନୂଆଦିଲ୍ଲୀ, ଦିଲ୍ଲୀର ବିବେକବିହାର ସ୍ଥିତ ନ୍ୟୁ ବର୍ଣ୍ଣ ବେବି କେୟାର ସେଣ୍ଟରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୭ନବଜାତ ଦଗ୍ଧ ହେବା ଘଟଣା ସାରା ଦେଶରେ ଆଲୋଚନାର ବିଷୟ ପାଲଟିଛି। ଏହି ଘଟଣାର ତଦନ୍ତ ବେଳେ ବେବି କେୟାର ସେଣ୍ଟରରେ ସାଂଘାତିକ ତ୍ରୁଟି ଥିବା ସାମ୍ନାକୁ ଆସିଥିବା ବେଳେ ସେଣ୍ଟର ଲାଇସେନ୍ସର ସମୟ ସୀମା ସରି ଯାଇଛି ଏବଂ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇ ନଥିଲା ବୋଲି ଯାଞ୍ଚ ବେଳେ ଜଣାପଡ଼ିଛି। ତେବେ ଏହି ଘଟଣା ପରେ ଦିଲ୍ଲୀର ବିଭିନ୍ନ ବଡ଼ ବଡ଼ ହସ୍ପିଟାଲରେ ଅଗ୍ନି ସୁରକ୍ଷା ବ୍ୟବସ୍ଥାକୁ ନେଇ ସାଙ୍ଘାତିକ ସତ୍ୟ ସାମ୍ନାକୁ ଆସିଛି। ଦୁଇ ବର୍ଷ ମଧ୍ୟରେ ୬୬ହସ୍ପିଟାଲରେ ନିଆଁ ଲାଗିଲାଣି। ଯାହାକି ହସ୍ପିଟାଲରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ଅନ୍ୟ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ଦିଲ୍ଲୀର ୯୦୦ହସ୍ପିଟାଲରେ ଅଗ୍ନି ନିରାପତ୍ତା ପାଇଁ ଏନଓସି ନାହିଁ। ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି ଯେ ଯେଉଁମାନେ ହସ୍ପିଟାଲ ଗୁଡ଼ିକ ଏଭଳି ଅବହେଳା କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।
ତଥ୍ୟ ଅନୁଯାୟୀ, ୨୦୨୨ ମସିହାରେ ଦିଲ୍ଲୀରେ ୩୦ଟି ଅଗ୍ନିକାଣ୍ଡ ଏବଂ ଗତବର୍ଷ ୩୬ଟି ଅଗ୍ନି ମାମଲା ପଞ୍ଜିକୃତ ହୋଇଥିଲା। ଚଳିତ ବର୍ଷ ଫେବୃଆରୀରେ ଦିଲ୍ଲୀର ଲୋକ ନାୟକ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ରହିଛି। ଏହି ଘଟଣାରେ ରୋଗୀ ଏବଂ ଡାକ୍ତରଖାନା କର୍ମଚାରୀଙ୍କ ସମେତ ପ୍ରାୟ ୫୦ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଡାକ୍ତରଖାନାର ତୃତୀୟ ମହଲାର ଜରୁରୀକାଳୀନ ୱାର୍ଡରେ ନିଆଁ ଲାଗିଯାଇଥିଲା। ପୁଲିସ ଏବଂ ହସ୍ପିଟାଲର କର୍ମଚାରୀମାନେ ରୋଗୀଙ୍କୁ ତଳ ମହଲାରୁ ବାହାର କରି ନେଇଥିଲେ। ସେହିପରି ବିକାନେରର ପ୍ରିନ୍ସ ବିଜୟ ସିଂ ମେମୋରିଆଲ ହସ୍ପିଟାଲରେ ୨୦୧୩ ମସିହାରେ ସର୍ଟ ସର୍କିଟ ଯୋଗୁଁ ଏହି ଡାକ୍ତରଖାନାରେ ନିଆଁ ଲାଗିଯାଇଥିଲା। ରିପୋର୍ଟ ଅନୁଯାୟୀ ତାରଗୁଡ଼ିକ ବହୁ ପୁରୁଣା ହୋଇଯାଇ ଥିବାରୁ ଏଭଳି ଅଗ୍ନିକାଣ୍ଡ ଘଟିଥିଲା।
ଅନ୍ୟପଟେ ଅନେକ ସରକାରୀ ହସ୍ପିଟାଲ ମଧ୍ୟ ବାଦ୍ ପଡ଼ିନି। ୨୦୧୧ ମସିହାରେ କୋଲକାତାର ଆମ୍ରି ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଦୁର୍ଘଟଣାରେ ୯୩ଜଣଙ୍କର ମୃତ୍ୟୁ ହୋଇଥିଲା। ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଜ୍ୱଳନ୍ତ ପଦାର୍ଥ ହସ୍ପିଟାଲର ଉପର ତଳ ମହଲାରେ ବେଆଇନ ଭାବେ ଗଚ୍ଛିତ ହୋଇଥିଲା। ଯାହାକି ଏହି ସ୍ଥାନଟି ପାର୍କିଂ ପାଇଁ ତିଆରି କରାଯାଇଥିଲା। ଏହି ଡାକ୍ତରଖାନାରେ ଉପଯୁକ୍ତ ଭେଣ୍ଟିଲେସନ୍ ସୁବିଧା ନଥିଲା ଏବଂ ଅଗ୍ନିକାଣ୍ଡ ପରେ ଧୂଆଁ ଜମା ହେତୁ ଅଧିକାଂଶଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୨୦୨୧ ମସିହାରେ ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲା ଡାକ୍ତରଖାନାରେ ଅଗ୍ନିକାଣ୍ଡରେ ୧୦ ନବଜାତ ଶିଶୁଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ରାଜ୍ୟର ସମସ୍ତ ଡାକ୍ତରଖାନା ବିଷୟରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ପ୍ରକାଶ ଯେ, ମହାରାଷ୍ଟ୍ରର ୪୮୪ ସରକାରୀ ଡାକ୍ତରଖାନାର ୮୦% ଅଗ୍ନି ନିରାପତ୍ତା ଅଡିଟ୍ କରିନାହାଁନ୍ତି। ୫୦% ରୁ କମ୍ ଡାକ୍ତରଖାନା ଅତୀତରେ ମକ୍ ଡ୍ରିଲ୍ କରିଥିଲେ ଏବଂ ଅଧିକାଂଶ ଡାକ୍ତରଖାନା ଅଗ୍ନି ନିରାପତ୍ତା ପ୍ରମାଣପତ୍ର ମଧ୍ୟ ପାଇ ନଥିଲେ।
ଅନ୍ୟପଟେ ଦିଲ୍ଲୀ ଅଗ୍ନିଶମ ସେବା ଅଧିକାରୀଙ୍କ କହିବା ଅନୁଯାୟୀ ପ୍ରତ୍ୟେକ ଡାକ୍ତରଖାନାରେ ଜରୁରୀକାଳୀନ ଫାଟକ ରହିବା ଉଚିତ୍ଯା। ଯାହାଦ୍ୱାରା ଜରୁରୀକାଳୀନ ପରିସ୍ଥିତିରେ ରୋଗୀମାନଙ୍କୁ ଶୀଘ୍ର ସ୍ଥାନାନ୍ତର କରାଯାଇପାରିବ। ବନ୍ଦି ହୋଇ ରହିଯାଇଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ସେବା କର୍ମଚାରୀଙ୍କ ପାଖରେ ପାଞ୍ଚରୁ ଛଅ ମିନିଟ୍ ସମୟ ଥାଏ। ଅଧ୍ୟୟନରରୁ ଏହା ମଧ୍ୟ ପ୍ରକାଶ ପାଇଛି ଯେ ଭାରତର ଅନେକ ଡାକ୍ତରଖାନାରେ ନିଆଁକୁ ରୋକିବା ପାଇଁ ମୌଳିକ ପଦକ୍ଷେପ ମଧ୍ୟ ନାହିଁ। ୨୦୧୬ରେ ଯେତେବେଳେ ପଶ୍ଚିମବଙ୍ଗର ମୁର୍ସିଦାବାଦର ଏକ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟିଥିଲା ଜରୁରୀକାଳୀନ ଫାଟକ ମଧ୍ୟ ବନ୍ଦ ରହିଥିଲା। ଫାୟାର ଆଲାର୍ମ ଏବଂ ଲିଫ୍ଟ ମଧ୍ୟ କାମ କରୁନଥିଲା। କେବଳ ଏତିକି ନୁହେଁ, ସେଠାରେ ଅଗ୍ନି ନିର୍ବାପକ ମଧ୍ୟ ନଥିଲେ।
ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିବାର କାରଣ କଣ?
ଡାକ୍ତରଖାନାରେ ଅଗ୍ନିକାଣ୍ଡର ଘଟିବାର ମୁଖ୍ୟ କାରଣ ହେଉଛି ଅବହେଳା। ଅନେକ ଡାକ୍ତରଖାନା ନିର୍ମାଣ ହେଉଥିବା ବେଳେ ଜରୁରୀକାଳୀନ ଫାଟକ ମଧ୍ୟ ତିଆରି କରାଯାଉନାହିଁ। ଯାହାକି ବିବେକ ବିହାର କେୟାର ନବଜାତ ଶିଶୁ ଡାକ୍ତରଖାନାରେ ମଧ୍ୟ ଜରୁରୀକାଳୀନ ଫାଟକ ନଥିଲା। ଅଗ୍ନିଶମ ସେବା ଦ୍ୱାରା ଅଗ୍ନି ଏନଓସି ଜାରି କରାଯାଇଥିଲେ ମଧ୍ୟ ତାଙ୍କ ପାଖରେ ଏନଓସି ନଥିଲା। ଏହା ସହିତ ଡାକ୍ତରଖାନା ଗୁଡ଼ିକରେ ରଖାଯାଇ ଥିବା ମେସିନ୍ ଗୁଡ଼ିକ ଏତେ ଭାରି ବିଦ୍ୟୁତ୍ ଜନିତ ହୋଇଥିବା ବେଳେ ଏହା ସର୍ଟ ସର୍କିଟ୍ ମଧ୍ୟ ସୃଷ୍ଟି କରେ। ଆହୁରି ମଧ୍ୟ ଅନେକ ଡାକ୍ତରଖାନାରେ ବୈଦୁତିକ ସୁରକ୍ଷା ଆଦି ପାଳନ କରାଯାଏ ନାହିଁ, ଯାହା ବଡ଼ ଦୁର୍ଘଟଣାର କାରଣ ହୋଇଥାଏ।
ସୂଚନାଥାଉକି, ବେବି କେୟାଟ ସେଣ୍ଟରରେ ଅଗ୍ନିକାଣ୍ଡ ପରେ ପୋଲିସ କହିଛି ଯେ ଲାଇସେନ୍ସ ମିଆଦ ପୂର୍ଣ୍ଣ ହେବା ବ୍ୟତୀତ ଡାକ୍ତରଖାନାରେ ମଧ୍ୟ ଯୋଗ୍ୟ ଡାକ୍ତର ନାହାଁନ୍ତି ଏବଂ ଅଗ୍ନିଶମ ବିଭାଗରୁ କୌଣସି ଅନୁମୋଦନ ନିଆଯାଇ ନାହିଁ। ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ ଦ୍ୱାରା ବେବି କେୟାର ଚିକିତ୍ସାଳୟକୁ ଦିଆଯାଇଥିବା ଲାଇସେନ୍ସ ମାର୍ଚ୍ଚ ୩୧ରେ ଶେଷ ହୋଇସାରିଛି।