Odisha Politics: ଭୁବନେଶ୍ୱର: ଜଗନ୍ନାଥଙ୍କୁ ଛାଡି ଆମର ପରିଚୟ ନାହିଁ। ସାରା ବିଶ୍ୱ ଓଡିଶାକୁ ଜଗନ୍ନାଥଙ୍କ ଭୂମି ଭାବରେ ଜାଣେ। କିନ୍ତୁ ଏଠିକାର ନେତାମାନଙ୍କ କହିବା କଥା ଏବେ କାଳେ ଅନ୍ୟ କିଛି କାରଣ ପାଇଁ ଓଡିଶାକୁ ବିଶ୍ୱବାସୀ ଜାଣୁଛନ୍ତି। ଯାହାକୁ ନେଇ ଏବେ ରାଜନୀତି ତୀବ୍ର। ଜଗନ୍ନାଥ କେବଳ ଆମର ଇଷ୍ଟଦେଵତା ନୁହନ୍ତି ଆମର ଚଳଣି, ହୃଦୟର ସ୍ପନ୍ଦନ ଓ ପରିଚୟ। ଏଭଳି ସ୍ଥିତିରେ ଖୋଦ ପ୍ରଭାବୀ ଜ୍ଞାନୀ ରାଜନୈତିକ ନେତାମାନେ କିଭଳି ଜଗନ୍ନାଥଙ୍କୁ ନେଇ ଏଭଳି ଟୀକାଟିପ୍ପଣୀ କରୁଛନ୍ତି ତାକୁ ନେଇ ଏବେ ଚର୍ଚ୍ଚା ଜୋରଦାର। ପୂର୍ବରୁ ଜଗନ୍ନାଥଙ୍କୁ ନେଇ ବହୁ ପ୍ରଭାବୀ ରାଜନୈତିକ ନେତାମାନେ ବହୁ ରାଜନୀତି କରିଥିବା ବେଳେ ଏବେ ଖୋଦ ରାଜ୍ୟର ଶିଳ୍ପମନ୍ତ୍ରୀଙ୍କ ମନ୍ତବ୍ୟ ଚର୍ଚ୍ଚାର ଶିଖରରେ। ଆଗରୁ ଲୋକେ ଓଡିଶାକୁ ଜଗନ୍ନାଥଙ୍କ ଭୂମି ପାଇଁ ଜାଣିଥିଲେ ଏବେ ନବୀନ ପଟ୍ଟନାୟକଙ୍କ ପାଇଁ ଜାଣୁଛନ୍ତି ବୋଲି କହି ମନ୍ତ୍ରୀ ଅଡୁଆରେ। ଏ କଥାକୁ ନେଇ ମନ୍ତ୍ରୀ ଜୋରଦାର ସମାଲୋଚନାର ଶିକାର ହେଉଛନ୍ତି। 


COMMERCIAL BREAK
SCROLL TO CONTINUE READING

ସମାଲୋଚକମାନେ ମନ୍ତ୍ରୀଙ୍କୁ ସୋସିଆଲ ମିଡିଆ ସମେତ ବିଭିନ୍ନ ସ୍ଥାନରେ ଚାଟୁକାରିର ଆଖ୍ୟା ଦେଇଛନ୍ତି। ଏପରିକି ମନ୍ତ୍ରୀ ଚାଟୁକାରିତାର ସବୁ ସୀମା ଟପି ଯାଇଥିବା ସମାଲୋଚକମାନେ କହୁଛନ୍ତି। ସେପଟେ ଜଗନ୍ନାଥଙ୍କୁ ନେଇ ଏ ରାଜନୈତିକ ମନ୍ତବ୍ୟ ନୂଆ ନୁହେଁ। କିଛି ଦିନ ତଳେ ବିଜେପିର ଜଣେ ନାରୀ ନେତ୍ରୀ ଏଭଳି ମନ୍ତବ୍ୟ ଦେଇ ସମାଲୋଚନାର ଶିକାର ହୋଇଥିଲେ। ଖାଲି ସେତିକି ନୁହେଁ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ଭାଷଣରେ ମଧ୍ୟ ଜଗନ୍ନାଥଙ୍କୁ ନେଇ ରାଜନୈତିକ ଚର୍ଚ୍ଚା ହୁଏ। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଗସ୍ତ ବେଳେ ୧୩୦ କୋଟି ଲୋକଙ୍କ ବସ ମହାପ୍ରଭୁ ଜଗନ୍ନାଥ ବୋଲି କହିଥିଲେ। ଯାହାକୁ ନେଇ ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଜଗନ୍ନାଥଙ୍କୁ ନେଇ ରାଜନୀତି ନ କରିବାକୁ ପରୋକ୍ଷରେ କହିଥିଲେ। କିନ୍ତୁ ସେଇ ସଭାରେ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ଜଗନ୍ନାଥ ଙ୍କୁ ନେଇ ବିବାଦୀୟ ବୟାନ ଦେଇଥିବା ଅଭିଯୋଗ ହୋଇଛି। 


ଗୋଟିଏ ପଟେ ଧର୍ମ ଜାତିକୁ ନେଇ ରାଜନୀତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପସନ୍ଦ କରନ୍ତି ନାହିଁ। କିନ୍ତୁ ଜଗନ୍ନାଥ ମନ୍ଦିର ସମେତ ରାଜ୍ୟର ପ୍ରମୁଖ ଧର୍ମପୀଠର ସୌନ୍ଦର୍ଯ୍ୟକରଣ ପାଇଁ ସ୍ୱତନ୍ତ୍ର ଫୋକସ ଦେଉଛି ବିଜେଡି। ଏଭଳି ସ୍ଥିତିରେ ପ୍ରତାପଙ୍କ ବୟାନ ମୁଖିଆଙ୍କୁ ଅସନ୍ତୁଷ୍ଟ କରିଥିବା ଚର୍ଚ୍ଚା ହେଉଛି। ଏପରିକି ଖୋଦ ଦଳୀୟ ନେତାମାନେ ମଧ୍ୟ ଏହାକୁ ଗ୍ରହଣ କରିପାରୁ ନ ଥିବା ଚର୍ଚ୍ଚା ହେଉଛି। ସେପଟେ ଆଗକୁ ନିର୍ବାଚନ ଥିବାରୁ ଲୋକଙ୍କ ଉପରେ ଏ ବୟାନର ପ୍ରଭାବ ନେଇ ସାଧାରଣରେ ଆଲୋଚନା ହେଉଛି। 


ବିରୋଧୀ ମଧ୍ୟ ଏ ପ୍ରସଙ୍ଗରେ ମନ୍ତ୍ରୀଙ୍କୁ ଘେରିଛନ୍ତି। ଜଗନ୍ନାଥ କୋଟି କୋଟି ଲୋକଙ୍କ ଭାବନା ଓ ବିଶ୍ୱାସ ସହ ଜଡିତ ଥିବାବେଳେ ଏଭଳି କିଛି ମନ୍ତବ୍ୟ ଜଗନ୍ନାଥପ୍ରେମୀଙ୍କୁ କଷ୍ଟ ଦେଇଥିବା ଚର୍ଚ୍ଚା ହେଉଛି। 
ସେପଟେ ମନ୍ତ୍ରୀ ଏହି ମନ୍ତବ୍ୟକୁ ଭିନ୍ନ ଅର୍ଥ କରାଯାଉଛି ବୋଲି କହିଥିବା ବେଳେ କିନ୍ତୁ ଲୋକେ କିମ୍ବା ବିରୋଧୀ ଏ କଥା ଗ୍ରହଣ କରିବାକୁ ନାରାଜ। ସେପଟେ ବର୍ତ୍ତମାନ ରାଜନୀତିରେ ଚାଟୁକାରିତା ଟିକେ ବହୁତ ବଢିଯାଇଛି ବୋଲି ଚର୍ଚ୍ଚା ହେଉଛି। ନିଜ ମୁଖିଆଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଭିନ୍ନ ଦଳର ଦଳୀୟ ନେତାମାନେ ଏଭଳି ମନ୍ତବ୍ୟ ସବୁ ଦେଉଥିବା କୁହାଯାଉଛି।