ବାଲେଶ୍ଵର: ଭିଜିଲାନ୍ସ ବାଲେଶ୍ୱର ଜିଲ୍ଲା ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କୁ ଗିରଫ କରିଛି। ଶ୍ରୀ ପ୍ରଧାନଙ୍କୁ ଗତକାଲିଠାରୁ ଦୀର୍ଘ ସମୟ ଧରି ମାରାଥନ ଜେରା କରିବା ପରେ ଆଜି ସକାଳେ ତାଙ୍କୁ ଗିରଫ କରାଯାଇଥିବା ନେଇ ଭିଜିଲାନ୍ସ ଏସପି ନରହରି ନାୟକ ସୂଚନା ଦେଇଛନ୍ତି। ପ୍ରଭାସ କୁମାର ପ୍ରଧାନଙ୍କ ନାମରେ ବିଭିନ୍ନ ବ୍ୟାଙ୍କରେ ଜମା, ସ୍କୁଟି, କାର, ପୋଷ୍ଟଲ୍ ଡିପୋଜିଟ, ଇନ୍ସୁରାନ୍ସ, ସୁନା, ନଗଦ ଟଙ୍କା ଓ ଆସବା ପତ୍ର ଆଦି ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧କୋଟି ୧୮ ଲକ୍ଷ ୬୩ ହଜାର ୭୫୩ ଟଙ୍କା ମୂଲ୍ୟର ଆକଳନ କରିଛି ଭିଜିଲାନ୍ସ ବିଭାଗ। 


COMMERCIAL BREAK
SCROLL TO CONTINUE READING

ଶୁକ୍ରବାର ଭୋର୍ ସମୟରେ ଭିଜିଲାନ୍ସର ୯ ଜଣିଆ ଟିମ୍ ଶ୍ରୀ ପ୍ରଧାନଙ୍କ ବାଲେଶ୍ୱର ସହର ଆଇଟିଆଇ ଛକରେ ଥିବା ବିଭାଗୀୟ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ଜଳେଶ୍ୱର ବଡ଼ବଜାରରେ ତାଙ୍କର ୧୨,୦୦୦ ବର୍ଗଫୁଟ୍‌ର ଏକ ୫ ମହଲା ବିଶିଷ୍ଟ ଘର ରହିଥିବା ବେଳେ ଜଳେଶ୍ବର ଗୋବରଘାଟାଠାରେ ଏକ ପାଚେରି ଘର ସହିତ ୫୬୫୦ ବର୍ଗଫୁଟ୍‌ର ମାର୍କେଟ କମ୍ପ୍ଲେକ୍ସ ରହିଥିବା ଜଣାପଡ଼ିଥିଲା। ବାଲେଶ୍ୱର ସରକାରୀ ବାସଭବନରେ ଚଢ଼ଉ ସମୟରେ ଏକ ନାମିଦାମୀ ଜୁଏଲାରୀ ସଂସ୍ଥାର ଏକାଧିକ ବ୍ୟାଗ ଦେଖିବାକୁ ମିଳିଥିଲା। ସେସବୁ ଭିତରେ ୧୧ ଲକ୍ଷ ୭୦ ହଜାର ୯୮୦ ଟଙ୍କାର ବିଡ଼ା ବିଡ଼ା ୫୦୦ ଟଙ୍କିଆ ନୋଟ୍‌, ସୁନାଗହଣା, ସୁନା ବିସ୍କୁଟ, ବ୍ୟାଙ୍କ୍ ପାସ୍‌ବୁକ୍‌, ପୋ‌ଷ୍ଟାଲ ଓ ବୀମା କାଗଜପତ୍ର ମିଳିଥିଲା। ଅଚଳ ଥିବା ୨ ହଜାର ଟଙ୍କିଆ ବିଡ଼ା ମଧ୍ୟ ଏକ ବ୍ୟାଗ୍ ଭିତରୁ ମିଳିଥିଲା। ଏସବୁକୁ ଭିଜିଲାନ୍ସ ଟିମ୍‌ ଜବତ କରିଛନ୍ତି। ସେହିପରି, ବାଲିଆପାଳ ମହିଁଷାମୁଣ୍ଡାସ୍ଥିତ ଶ୍ରୀ ପ୍ରଧାନଙ୍କ ଶ୍ବଶୁର ଘର, ଜଳେଶ୍ୱର ସାନ୍ତିଆସ୍ଥିତ ତାଙ୍କ ଅନ୍ତରଙ୍ଗ ତଥା ଠିକାଦାର ମିଟିକା ସିଂଙ୍କ ଘରେ ଏକକାଳୀନ ଚଢ଼ାଉ ଜାରି ରହିଥିବା ଜଣାପଡ଼ିଛି।


ବାଲେଶ୍ୱର ଭିଜିଲାନ୍ସ ଏସ୍‌ପି ନରହରି ନାୟକଙ୍କ ତତ୍ତ୍ୱାବଧାନରେ ଏହି ଚଢ଼ାଉ ଚାଲିଛି। ଏହି ଚଢ଼ାଉରେ ୨ ଜଣ ଅତିରିକ୍ତ ଏସ୍‌ପି, ୪ ଜଣ ଡିଏସ୍‌ପି, ୬ ଜଣ ଇନ୍ସପେକ୍ଟର, ୭ ଜଣ ଏଏସ୍‌ଆଇ ସାମିଲ ଅଛନ୍ତି। ଶ୍ରୀ ପ୍ରଧାନଙ୍କ ପୈତୃକ ଘର ଜଳେଶ୍ୱର ହୋଇଥିବା ବେଳେ ସେ ଅଧୀକ୍ଷଣ ଯନ୍ତ୍ରୀ ଭାବେ ୨୦୨୧ ମସିହାରୁ ବାଲେଶ୍ବର ଜଳସେଚନ ବିଭାଜନରେ କାର୍ଯ୍ୟରତ ଥିଲେ। ଦୁଇଦିନ ପୂର୍ବରୁ ସରକାର ତାଙ୍କୁ କେନ୍ଦୁଝର ଶାଳପଡ଼ାସ୍ଥିତ ଆନନ୍ଦପୁର ବ୍ୟାରେଜ୍ ଡିଭିଜନର ମୁଖ୍ୟଯନ୍ତ୍ରୀ ଭାବେ ପଦୋନ୍ନତି ଦେଇଥିଲେ।