Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଶୀତ ପାଇଁ ଅସ୍ତବ୍ୟସ୍ତ ହୋଇପଡି଼ଛି ଜନଜୀବନ (Cold wave in Odisha)। ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (Meteorological Centre, Bhubaneswar) ପକ୍ଷରୁ କୁହାଯାଇଛି ଯେ, ୨୪ ଘଣ୍ଟା ଯାଏଁ ରାଜ୍ୟରେ କୁହୁଡି଼ (fog) ରହିବ। ୬ ତାରିଖରୁ ରାଜ୍ୟରେ ପାଗ ବଦଳିବା ସହ ହାଲୁକା ବର୍ଷା (light rain) ହୋଇପାରେ। ନୟାଗଡ ଓ ପାରାଦୀପରେ  ରବିବାର ସକାଳେ ଘନ କୁହୁଡି଼ ରେକର୍ଡ଼ କରାଯାଇଛି।  ଏଠାରେ ଦୃଶ୍ୟମାନ କ୍ଷମତା ୫୦ ମିଟରରୁ କମ୍ ରହିଛି। ସେହିପରି, ଅନୁଗୁଳ, ଗୋପାଳପୁର, କଟକ, ଢେଙ୍କାନାଳ, ଭୁବନେଶ୍ବର ଓ ଚାନ୍ଦବାଲିରେ  ମଧ୍ୟ ଘନ କୁହୁଡି଼ ଅନୁଭୂତ ହୋଇଥିବା ବେଳେ  ଏଠାରେ ଦୃଶ୍ୟମାନ କ୍ଷମତା ୫୦ ରୁ ୨୦୦ ମିଟର ମଧ୍ୟରେ ରହିଛି। ବାଲେଶ୍ବର, ପୁରୀ, ରାଉରକେଲା, ଜଗତସିଂହପୁର, କେନ୍ଦ୍ରାପଡା ଓ ଭବାନୀପାଟଣାରେ ମଧ୍ୟ କୁହୁଡି ଅନୁଭୂତ ହୋଇଛି।  ହେଲେ ଏଠାରେ ଘନତା କମ୍ ଥିବା ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ।


COMMERCIAL BREAK
SCROLL TO CONTINUE READING

 



ALSO READ: Budget Session 2024: ଆଜିଠୁ ବଜେଟ୍‍ ଅଧିବେଶନ, ପ୍ରଥମ ଦିନରେ ଅଭିଭାଷଣ ରଖିବେ ରାଜ୍ୟପାଳ


ସୋମବାର ଅର୍ଥାତ୍ ଆଜି ବୌଦ୍ଧ, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଆଦି ୧୨ ଜିଲ୍ଲାରେ ଘନ କୁହୁଡି଼ ହେବା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।  ୨୪ ଘଣ୍ଟା ପରେ ରାଜ୍ୟରେ ପାଗ ବଦଳିବା ସହ ପଶ୍ଚିମ ଓଡି଼ଶାର କିଛି ଜିଲ୍ଲାରେ  ହାଲୁକା ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ୬ ତାରିଖ ଦିନ ଅର୍ଥାତ୍ ଆସନ୍ତାକାଲି ସୁନ୍ଦରଗଡ଼, ମୟୂରଭଂଜ ଓ କେନ୍ଦୁଝର ଜିଲ୍ଲାରେ ବର୍ଷା ସମ୍ଭାବନା ଥିବା ବେଳେ ୭ ତାରିଖରେ ଉତ୍ତର-ପଶ୍ଚିମ ଓଡି଼ଶାର ୧୦ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି।  ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଓଡି଼ଶାରେ  ଅନେକ ସ୍ଥାନରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। 


ରବିବାର ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦.୮ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୩୧.୨ ଡିଗ୍ରୀ ରେକର୍ଡ ହୋଇଛି।  କୁହୁଡି଼ ଅଂଚଳରେ ଯାତ୍ରା କରିବା ସମୟରେ ଜନସାଧାରଣଙ୍କୁ ପାଣିପାଗ ସମ୍ପର୍କରେ ଅବଗତ ରହିବା ସହ ଆବଶ୍ୟକତା ସତର୍କତା ଅବଲମ୍ବନ କରିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି।