Weather Update : ୩୧ ରାତିରୁ ବଢିବ ଶୀତ, ବର୍ଷାକୁ ନେଇ ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ
Weather Update: ଭୁବନେଶ୍ୱର: ନୂଆ ବର୍ଷରୁ ପୁଣି ବଢିବ ଶୀତ। ବିଦାୟୀ ବର୍ଷ ୨୦୨୪ର ଶେଷ ରାତି ଅର୍ଥାତ ଡିସେମ୍ବର ୩୧ ତାରିଖ ରାତିରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ତଳମୁହାଁ ହେବ। ବଢିବ ଥଣ୍ଡାର ପ୍ରକୋପ। ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। କିଛି ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ପାଣିପାଗ ବିଭାଗ କହିବା ମୁତାବକ ଦକ୍ଷିଣ ଓଡ଼ିଶାର କଳାହାଣ୍ଡି, କନ୍ଧମାଳ, କୋରାପୁଟ ଓ ମାଲକାନଗିରିର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ପଶ୍ଚିମା ବାୟୁ ପ୍ରଭାବରେ ଏଭଳି ବର୍ଷା ହେବାରୁ ସମ୍ଭାବନା ରହିଛି।
ତେବେ ଶନିବାର ଠାରୁ ରାଜ୍ୟରେ କୌଣସି ସ୍ଥାନରେ ବର୍ଷା ହୋଇନାହିଁ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଜିଠାରୁ ୪ଟି ଜିଲ୍ଲାକୁ ବାଦ ଦେଲେ ପାଗ ସବୁଠି ଶୁଖିଲା ରହିବ।
୨ ଦିନ ପରେ ରାତିର ତାପମାତ୍ରା ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
୩୧ ତାରିଖ ରାତିରେ ଭୁବନେଶ୍ୱରର ତାପମାତ୍ରା ୧୩ ଡିଗ୍ରୀକୁ ହ୍ରାସ ପାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେହିପରି ଫୁଲବାଣୀର ତାପମାତ୍ରା ୧୪.୪ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ବୋଲି ପାଣିପାଗ ବିଭାଗ କହିଛି।
ବର୍ଷା କମିବା ପରେ ରାଜ୍ୟରେ ଶୀତର ମାତ୍ରା ବଢିଛି। ଦାରିଙ୍ଗିବାଡିରେ ତାପମାତ୍ରା ୧୧ ଡିଗ୍ରୀ ରେକର୍ଡ କରାଯାଇଛି।
ସେହିପରି ଫୁଲବାଣୀ ଓ କୋରାପୁଟର ତାପମାତ୍ରା ୧୨.୫ ଡିଗ୍ରୀ, ଅନୁଗୋଳ ୧୨.୬ ଡିଗ୍ରୀ, ଭଦ୍ରକ ୧୨.୮, ଢେଙ୍କାନାଳ ୧୩.୬ ଡିଗ୍ରୀ ରେକର୍ଡ କରାଯାଇଛି।
ଖୋର୍ଦ୍ଦା, ଜଗତସିଂହପୁର, କେନ୍ଦ୍ରାପଡା, ରାଉରକେଲା, ଯାଜପୁର, ଝାରସୁଗୁଡା ଓ କଟକ ତାପମାତ୍ରା ୧୫ ଡିଗ୍ରୀରୁ କମ ଥିଲା।