Weather Update: ତତଲା କଡେଇରେ ସନ୍ତୁଳି ହେଉଛି ପଶ୍ଚିମ ଓଡ଼ିଶା, ୬ ଜିଲ୍ଲାକୁ `ସିଭିୟର ହିଟ ୱେଭ୍` ଆଲର୍ଟ
Weather Update: କିଛି ଦିନର ବିରତି ପରେ ପୁଣି ରାଜ୍ୟକୁ ଲେଉଟିଛି ତାତି। ମୁଣ୍ତଫଟା ଖରାରେ ଅସ୍ତବ୍ୟସ୍ତ ଜନଜୀବନ। ୮ଟା ପରଠୁ ଘରୁ ବାହାରିବା ମୁସ୍କିଲ୍ ହୋଇପଡୁଛି। କୌଣସି ଜରୁରୀ କାମ ନଥିଲେ ଲୋକେ ଘରୁ ପଦାକୁ ବାହାରୁ ନାହାଁନ୍ତି।
Weather Update: କିଛି ଦିନର ବିରତି ପରେ ପୁଣି ରାଜ୍ୟକୁ ଲେଉଟିଛି ତାତି। ମୁଣ୍ତଫଟା ଖରାରେ ଅସ୍ତବ୍ୟସ୍ତ ଜନଜୀବନ। ୮ଟା ପରଠୁ ଘରୁ ବାହାରିବା ମୁସ୍କିଲ୍ ହୋଇପଡୁଛି। କୌଣସି ଜରୁରୀ କାମ ନଥିଲେ ଲୋକେ ଘରୁ ପଦାକୁ ବାହାରୁ ନାହାଁନ୍ତି। ଗତକିଛି ଦିନ ହେବ ରାଜ୍ୟରେ କାଳବୈଶାଖି ବର୍ଷା ହେବାରୁ ତାତିରୁ ମୁକ୍ତି ପାଇଥିଲେ ରାଜ୍ୟବାସୀ। କିନ୍ତୁ ଆଜି ରାଜ୍ୟରେ ଉପରମୁହାଁ ରହିଛି ପାରଦ। ଏ ନେଇ ଆଜି ସକାଳୁ ରାଜଧାନୀରେ ଅଧିକ ତାତି ଅନୁଭୁତ ହୋଇଛି । ସକାଳ ୫ଟା ୩୦ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୧ ଡିଗ୍ରୀ ରକର୍ଡ଼ କରାଯାଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିଭଳି ରାଜଧାନୀର ଆର୍ଦ୍ରତା ୮୧ ପ୍ରତିଶତ ରେକର୍ଡ କରାଯାଇଛି । ଅନ୍ୟପକ୍ଷେ ୨ ଦିନ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଆଲର୍ଟ ମଧ୍ୟ ଜାରି ହୋଇଛି।
ଆଜି ସକାଳ ସାଢେ ୮ଟା ରେ ୩୯ ଡିଗ୍ରୀ ସହ ଭବାନୀପାଟଣା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ଟିଟିଲାଗଡରେ ତାପମାତ୍ରା ୩୮,ବଲାଙ୍ଗୀରରେ ୩୭.୪, ସୋନପୁର ଓ ଝାରସୁଗୁଡାରେ ୩୬.୬, ହୀରାକୁଦରେ୩୬.୪ , ସମ୍ବଲପୁରରେ ୩୬.୨, ବୌଦ୍ଧରେ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି। ସେପଟେ, ଆଜି ସିଭିୟର ହିଟ୍ ଓ୍ବେଭ୍ ନେଇ ୬ ଜିଲ୍ଲାକୁ ଅରେଂଜ ଓ୍ବାର୍ଣ୍ଣିଂ ଜାରି ହୋଇଛି। ସେହି ଜିଲ୍ଲା ଗୁଡିକ ହେଲା,ଝାରସୁଗୁଡା, ସମ୍ବଲପୁର , ସୋନପୁର, ବୌଦ୍ଧ, କନ୍ଧମାଳ ଓ ବଲାଙ୍ଗୀର। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ବୁଧବାର ଅସହ୍ୟ ଖରା ଓ ଗୁଳୁଗୁଳିକୁ ନେଇ ରାଜ୍ୟବାସୀଙ୍କୁ ସତର୍କ କରାଇଥିଲେ ଏସଆରସି । ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସମ୍ଭାବନା ପାଇଁ ସମସ୍ତ ଡାକ୍ତରଖାନାକୁ ମଧ୍ୟ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି।