Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଅସହ୍ୟ ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡିଛି ଜନ ଜୀବନ।  ଦକ୍ଷିଣ ପଶ୍ଚିମ ମୌମୁମୀ ବାୟୁ ଶନିବାର ଓଡି଼ଶା ଛୁଇଁଛି। ପ୍ରଥମେ ମାଲକାନଗିରି ଜିଲ୍ଲାର କିଛି ଅଂଶକୁ ଛୁଇଁ ଦକ୍ଷିଣ ଓଡିଶାରେ ପ୍ରବେଶ କରିଛି। ଦକ୍ଷିଣ ପଶ୍ଚିମ ମୌମୁମୀ ବାୟୁର ପ୍ରଭାବ ରେ ମାଲ୍ୟବନ୍ତ ପର୍ବତ ଶିଖରରେ ପ୍ରଥମେ ବାଦଲ ଦୃଶ୍ୟମାନ ହୋଇଥିଲା।  ପରେ ଝିପିଝିପି ବର୍ଷା  ଆରମ୍ଭ ହୋଇଥିଲା। ମୌମୁମୀ ପ୍ରବେଶ କଲା ପରେ, ମାଲକାନଗିରି ଜିଲ୍ଲାରେ ବିଭିନ୍ନ ସ୍ଥାନରେ କାଁ ଭାଁ ବର୍ଷା ହୋଇଛି। 


COMMERCIAL BREAK
SCROLL TO CONTINUE READING

ALSO READ: Today Horoscope: ଆଜି କେବଳ ଏହି ତିନୋଟି ରାଶିରେ ଘାତଚନ୍ଦ୍ର ଯୋଗ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର?


ମାଲକାନଗିରି, ମାଥିଲି, ଚିତ୍ରକୋଣ୍ତା,କୋରକୁଣ୍ତା ଭଳି ସ୍ଥାନରେ ବର୍ଷା ହୋଇଛି। ଜିଲ୍ଲାର ୨ଟି ବ୍ଲକକୁ ଛାଡି ଅନ୍ୟ ୫ଟି ବ୍ଲକରେ ବର୍ଷା ହୋଇଛି। ଜିଲ୍ଲାର ଜରୁରୀ କାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ କୋରକୁଣ୍ତା ବ୍ଲକରେ ସର୍ବାଧିକ ୭୯ ମିମି ବର୍ଷା ହୋଇଥିଲା।  ସେହିଭଳି ମାଲକାନଗିରି ବ୍ଲକରେ ୫୫ ମିମି,ଚିତ୍ରକୋଣ୍ତାରେ ୨୬ ମିମି, ମାଥିଲିରେ ସର୍ବନିମ୍ନ ୨ ମିମି ଓ ପଦିଆ ବ୍ଲକରେ ୪ ମିମି ବର୍ଷା ରେକର୍ଡ଼ ହୋଇଛି। ଜିଲ୍ଲାରେ ହାରାହାରି ୨୩ ମିମି ବର୍ଷା ରେକର୍ଡ଼ ହୋଇଥିବା  ଜିଲ୍ଲା ଜରୁରୀ କାଳିନ ବିଭାଗ କହିଛି।  


ବର୍ଷା ଆରମ୍ଭ ହେବା ପରେ,  ଜିଲ୍ଲାରେ ଚାଷୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।  ଓଡିଶାରେ ମୌମୁମୀ ପ୍ରବେଶ କରିଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଥିଲେ ବି ସେଭଳି ଆଖି ଦୃଶିଆ ବର୍ଷା ହୋଇନି। ଏନେଇ ମୌମୁମୀ ପ୍ରକୃତ ଆଗମନକୁ ନେଉ ପାଣିପାଗ ବିଶେଷଜ୍ଞ ମାନେ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି। ୧୮ ତାରିଖ ବେଳକୁ ମୌମୁମୀ ବାୟୁ ପ୍ରଭାବରେ ରାଜ୍ୟରେ ବର୍ଷା ହେବ ବୋଲି କୁହାଯାଉଛି। ମୌମୁମୀ ବାୟୁ ଓଡି଼ଶାରେ ପ୍ରବେଶ କରିଥିଲେ ବି ତାତିରୁ ତ୍ରାହୀ ମିଳିବା ଆଶା ଏବେ କ୍ଷଣ।  ୯ରୁ ୧୨ ତାରିଖ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ୧୨ ଯାଏଁ ଉପକୂଳ ଓଡି଼ଶାରେ ପ୍ରବଳ ଗୁଳୁଗୁଳି ହେବ। ଆଜି ବିଶେଷକରି, ବରଗଡ଼ , ବଲାଙ୍ଗୀର ଓ ନୂଆପଡାରେ ଅଧିକ ତାତି ଅନୁଭୂତ ହେବ। ଏବଂ କିଛି ଜିଲ୍ଲାରେ ବର୍ଷା ହେବା ନେଇ ସମ୍ଭାବନା ରହିଛି। ସେହି ଜିଲ୍ଲା ଗୁଡିକ ହେଲା  ନୟାଗଡ଼, ଗଞ୍ଜାମ ଓ ଗଜପତି। ଆସନ୍ତା ୨ ଦିନ ରାଜ୍ୟରେ ଉତ୍ତର ଓ ଦକ୍ଷିଣ ଓଡିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଓ ଘଡଘଡି ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି।