`କାଠଗଡ଼ାକୁ ଆସିବେନି ଈଶ୍ୱର`
ଜାନୁଆରୀ ୬ରେ ନିମ୍ନ ଅଦାଲତ, ମନ୍ଦିର କର୍ତ୍ତୃପକ୍ଷଙ୍କୁ ଏହି ମୂର୍ତ୍ତି ଉଠାଇ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ସେହି ମୂର୍ତ୍ତିକୁ ହଟାଇବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ମନ୍ଦିର କର୍ତ୍ତୃପକ୍ଷଙ୍କ ସମେତ ଭକ୍ତମାନେ ଏହାକୁ ବିରୋଧ କରି ହାଇକୋର୍ଟରେ ଆବେଦନ କରିଥିଲେ।
ଚେନ୍ନାଇ: କାଠଗଡ଼ାକୁ ଆସିବେନି ଈଶ୍ୱର। ଏପରି କିଛି କହିଛନ୍ତି ମାଡ୍ରାସ ହାଇକୋର୍ଟ। ଗୁରୁବାର ତାମିଲନାଡୁର ତିରୁପୁର ଜିଲ୍ଲାର ଏକ ମନ୍ଦିରର ମୂର୍ତ୍ତି ଯାଞ୍ଚ ମାମଲାର ଶୁଣାଣିବେଳେ ମାଡ୍ରାସ ହାଇକୋର୍ଟ ବିଚାରପତି ଏପରି କହିଛନ୍ତି। ଏକ ନିମ୍ନ ଅଦାଲତର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଏହି ମାମଲା ହାଇକୋର୍ଟରେ ଦାଏର କରାଯାଇଥିଲା।
ସୂଚନାନୁସାରେ, କିଛି ଦିନ ପୂର୍ବେ ତାମିଲନାଡୁର ତିରୁପୁର ଜିଲ୍ଲାର ସିଭିରିପାଲାୟାମର ପରମଶିଭନ୍ ସ୍ୱାମୀ ମନ୍ଦିରରେ ଅବସ୍ଥାପିତ ଠାକୁର ମୂଳାୱାରଙ୍କ ମୂର୍ତ୍ତି ଚୋରି ହୋଇଥିଲା। ମୂର୍ତ୍ତିକୁ ଉଦ୍ଧାର କରି ମୁଖ୍ୟମନ୍ଦିରରେ ତାକୁ ପୁଣି ଥରେ ପ୍ରତିଷ୍ଠା କରାଗଲା। କିନ୍ତୁ ମୂର୍ତ୍ତି ଅସଲି ନା ନକଲି ତାହାର ଯାଞ୍ଚ ପାଇଁ କୁମ୍ବାକୋନାମର ନିମ୍ନ ଅଦାଲତ ଏକ ପଟିସନ ଦାଖଲ ହୋଇଥିଲା। ଆଉ କୋର୍ଟ ମଧ୍ୟ ମୂର୍ତ୍ତିର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
Also Read: ମହଙ୍ଗା ହେବ ରେଳଭଡ଼ା; ଷ୍ଟେସନରେ ପାଦ ପକାଇବାକୁ ଟଙ୍କା ଗଣିବେ ଯାତ୍ରୀ
ଆବେଦନକାରୀଙ୍କ ଅନୁଯାୟୀ ପ୍ରାଚୀନ ମନ୍ଦିରରେ ଥିବା ପ୍ରତିମା ଚୋରି ହୋଇଯାଇଥିଲା, ପରେ ପୋଲିସ ଏହାକୁ ଉଦ୍ଧାର କରି ସମ୍ପୃକ୍ତ କୋର୍ଟରେ ହାଜର କରିଥିଲା। ଏହା ପରେ ଏହାକୁ ମନ୍ଦିର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇ ପରମଶିଭନ୍ ସ୍ୱାମୀ ମନ୍ଦିରରେ ପୁନଃସ୍ଥାପିତ କରାଯାଇଥିଲା, ଯେଉଁଠାରେ ଏହାକୁ ଏକ ରୀତିନୀତି ଅନୁଯାୟୀ ଅନେକ ଲୋକ ପୂଜା କରନ୍ତି।
ଯେତେବେଳେ ଜାନୁଆରୀ ୬ରେ ନିମ୍ନ ଅଦାଲତ, ମନ୍ଦିର କର୍ତ୍ତୃପକ୍ଷଙ୍କୁ ଏହି ମୂର୍ତ୍ତି ଉଠାଇ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ସେହି ମୂର୍ତ୍ତିକୁ ହଟାଇବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ମନ୍ଦିର କର୍ତ୍ତୃପକ୍ଷଙ୍କ ସମେତ ଭକ୍ତମାନେ ଏହାକୁ ବିରୋଧ କରି ହାଇକୋର୍ଟରେ ଆବେଦନ କରିଥିଲେ। ଗୁରୁବାର ଦିନ ହାଇକୋର୍ଟ ଏହି ଆବେଦନ ଶୁଣାଣି କରିଛନ୍ତି।
Also Read: ଭୋଟ୍ ବନାମ ଭାଇରସ୍; ମାର୍ଚ୍ଚ ପୂର୍ବରୁ ଓଡ଼ିଶାରେ ନିର୍ବାଚନ, ଏହି ଦିନ ହୋଇପାରେ ତାରିଖ ଘୋଷଣା
ମାମଲାର ଶୁଣାଣି କରି ଜଷ୍ଟିସ ଆର ସୁରେଶ କୁମାର, ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଇଛନ୍ତି। ଜଷ୍ଟିସ ଆର ସୁରେଶ କୁମାର କହିଛନ୍ତି ଯେ, ମୂର୍ତ୍ତିକୁ ହଟାଇ କୋର୍ଟରେ ହାଜର କରାଯିବା ଉଚିତ ନୁହେଁ, କାରଣ ଏହା ଭକ୍ତଙ୍କ ଦୃଷ୍ଟିରେ ଭଗବାନ। ଏକ ଅପରାଧିକ ମାମଲାର ବସ୍ତୁ ଭାବେ ଯାଞ୍ଚ କିମ୍ବା ତଦନ୍ତ ପାଇଁ ଭଗବାନଙ୍କୁ କୋର୍ଟକୁ ଡକାଯାଇପାରିବ ନାହିଁ। ମୂର୍ତ୍ତିକୁ ନ ଘୁଞ୍ଚାଇ କିମ୍ବା ଭକ୍ତଙ୍କ ଭାବନାକୁ ଆଘାତ ନକରି ଯାଞ୍ଚ କରାଯାଇପାରିବ ବୋଲି କୋର୍ଟ ଆଦେଶ ଦେଇଛନ୍ତି।