ମହଙ୍ଗା ହେବ ରେଳଭଡ଼ା; ଷ୍ଟେସନରେ ପାଦ ପକାଇବାକୁ ଟଙ୍କା ଗଣିବେ ଯାତ୍ରୀ
Advertisement

ମହଙ୍ଗା ହେବ ରେଳଭଡ଼ା; ଷ୍ଟେସନରେ ପାଦ ପକାଇବାକୁ ଟଙ୍କା ଗଣିବେ ଯାତ୍ରୀ

ରେଳବାଇ ଅନୁସାରେ, ଖୁବଶୀଘ୍ର ରେଳଯାତ୍ରୀଙ୍କୁ ଷ୍ଟେସନ୍ ଡେଭଲପମେଣ୍ଟ ଫି (SDF) ଦେବାକୁ ପଡିବ। ତିନୋଟି ଶ୍ରେଣୀରେ ଏହା ୧୦ରୁ ୫୦ ଟଙ୍କା ମଧ୍ୟରେ ରହିବ। ନୂଆକରି ବିକଶିତ ହୋଇଥିବା ଷ୍ଟେସନରୁ ଟ୍ରେନ୍ ଚଢିଲେ କିମ୍ବା ଓହ୍ଲାଇଲେ ଏହି ଶୁଳ୍କ ଲାଗୁହେବ। ତେବେ ଟିକଟ ବୁକିଂ କରିବା ସମୟରେ ହିଁ ଷ୍ଟେସନ୍ ଡେଭଲପମେଣ୍ଟ ଫି ଆଦାୟ କରିବାକୁ ରେଳବାଇ ଯୋଜନା କରୁଛି।

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: ମହଙ୍ଗା ହେବ ରେଳଯାତ୍ରା। ଷ୍ଟେସନ ପାଇଁ ଯାତ୍ରୀ ଦେବେ ଟୋଲ ପରି ଭଡା। ଖୁବଶୀଘ୍ର ରେଳବାଇ ଏହି ଶୁଳ୍କ ଲଗାଇବାକୁ ଯାଉଛି। ନୂଆକରି ବିକଶିତ ହୋଇଥିବା ଷ୍ଟେସନ ପାଇଁ ଏହି ନିୟମ ଲାଗୁ ହେବ। ସମ୍ପୃକ୍ତ ଷ୍ଟେସନର ପ୍ଲାଟଫର୍ମ ଟିକଟ ମୂଲ୍ୟ ମଧ୍ୟ ବୃଦ୍ଧି ହେବ ବୋଲି ରେଳବାଇ ବୋର୍ଡ ପକ୍ଷରୁ ଜାରି ଏକ ସର୍କୁଲାରରେ କୁହାଯାଇଛି।

ରେଳବାଇ ଅନୁସାରେ, ଖୁବଶୀଘ୍ର ରେଳଯାତ୍ରୀଙ୍କୁ ଷ୍ଟେସନ୍ ଡେଭଲପମେଣ୍ଟ ଫି (SDF) ଦେବାକୁ ପଡିବ। ତିନୋଟି ଶ୍ରେଣୀରେ ଏହା ୧୦ରୁ ୫୦ ଟଙ୍କା ମଧ୍ୟରେ ରହିବ। ନୂଆକରି ବିକଶିତ ହୋଇଥିବା ଷ୍ଟେସନରୁ ଟ୍ରେନ୍ ଚଢିଲେ କିମ୍ବା ଓହ୍ଲାଇଲେ ଏହି ଶୁଳ୍କ ଲାଗୁହେବ। ତେବେ ଟିକଟ ବୁକିଂ କରିବା ସମୟରେ ହିଁ ଷ୍ଟେସନ୍ ଡେଭଲପମେଣ୍ଟ ଫି ଆଦାୟ କରିବାକୁ ରେଳବାଇ ଯୋଜନା କରୁଛି। ଏହା ଦେଶର ପ୍ରାୟ ୫୦ଟି ଷ୍ଟେସନରେ କାର୍ଯ୍ୟକାରୀ ହେବାର ସମ୍ଭାବନା ରହିଛି।

Also Read: ଭୋଟ୍ ବନାମ ଭାଇରସ୍; ମାର୍ଚ୍ଚ ପୂର୍ବରୁ ଓଡ଼ିଶାରେ ନିର୍ବାଚନ, ଏହି ଦିନ ହୋଇପାରେ ତାରିଖ ଘୋଷଣା

 

ଷ୍ଟେସନ୍ ଡେଭଲପମେଣ୍ଟ ଫି ତିନୋଟି ଶ୍ରେଣୀରେ ରହିବ। ସମସ୍ତ ଏସି କ୍ଲାସ୍ ପାଇଁ ଅଧିକ (୫୦ ଟଙ୍କା), ସ୍ଲିପର୍ କ୍ଲାସ୍ ପାଇଁ କମ୍ (୨୫ ଟଙ୍କା) ଏବଂ ଅଣସଂରକ୍ଷିତ ଶ୍ରେଣୀ ପାଇଁ ସର୍ବନିମ୍ନ (୧୦ ଟଙ୍କା) ନିର୍ଦ୍ଧାରଣ କରାଯାଇଛି। ଏଥିରେ ଜିଏସଟି ମଧ୍ୟ ଲାଗୁ ହେବ। ବିକଶିତ ବା ବଡ ଷ୍ଟେସନରୁ ଛୋଟ ଷ୍ଟେସନକୁ ବା ବିପରିତ ଯାତ୍ରା କଲେ ୫୦ ପ୍ରତିଶତ ଶୁଳ୍କ ଲାଗୁହେବ। ତେବେ ଉପାନ୍ତ ସହର ରେଳ ଯାତ୍ରା ପାଇଁ ସେପରି କୌଣସି ଶୁଳ୍କ ରହିବ ନାହିଁ। ସେହିପରି ବିକଶିତ କରାଯାଇଥିବା ବା ନୂଆ ରୂପ ନେଇଥିବା ରେଳ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ୍ ବାବଦକୁ ଅତିରିକ୍ତ ୧୦ ଟଙ୍କା ଆଦାୟ ହେବ।

ଟିକଟ ମୂଲ୍ୟରେ ଷ୍ଟେସନ୍ ଡେଭଲପମେଣ୍ଟ ଫି ଲାଗୁହେଲେ ଯାତ୍ରୀଭଡା ବୃଦ୍ଧି ପାଇବ। ଫଳରେ ସାର୍ବଜନୀନ ଅନୁଦାନ ପ୍ରାପ୍ତ ପ୍ରକଳ୍ପ କ୍ଷେତ୍ରରେ ରାଜସ୍ୱ ରେଳବାଇକୁ ଆସିବ। ଯାହା ଉଭୟ ରେଳବାଇ ଓ ସମ୍ପୃକ୍ତ ଘରୋଇ ସଂସ୍ଥାର ଆୟ ବୃଦ୍ଧି କରିବ। ଏହାବ୍ୟତୀତ ଷ୍ଟେସନ୍ ଡେଭଲପମେଣ୍ଟ ଫି ଲାଗୁହେଲେ ରେଳ ପ୍ରକଳ୍ପ ଆଡକୁ ଅଧିକରୁ ଅଧିକ ଘରୋଇ ସଂସ୍ଥା ଆକୃଷ୍ଟ ହେବେ ବୋଲି କୁହାଯାଉଛି।