ନୂଆଦିଲ୍ଲୀ: ରବିବାର କିମ୍ବଦନ୍ତୀ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀସ୍ଥିତ ଇଣ୍ଡିଆ ଗେଟରେ ନେତାଜୀଙ୍କ ଏକ ହୋଲୋଗ୍ରାମ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ସେହି ସ୍ଥାନରେ ସୁଭାଷ ବୋଷଙ୍କର ଏକ ଏକ ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଆଉ ପ୍ରସ୍ତାବିତ ୨୮ ଫୁଟର ପଥର ପ୍ରତିମୂର୍ତ୍ତିକୁ ଓଡିଆ ଶିଳ୍ପୀ ଅଦ୍ୱୈତ୍ୟ ଗଡ଼ନାୟକଙ୍କ ନେତୃତ୍ୱରେ ତିଆରି ହେବ ବୋଲି ସୂଚନା ମିଳିଛି। 


COMMERCIAL BREAK
SCROLL TO CONTINUE READING

ପ୍ରସିଦ୍ଧ ଓଡିଆ ଶିଳ୍ପୀ ଅଦ୍ୱୈତ୍ୟ ଗଡ଼ନାୟକଙ୍କ ନିହଣରେ ଜୀବନ ପାଇବ ମହାନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି। ପୂର୍ବରୁ ଅମର ଜବାନ ଜ୍ୟୋତି ଥିବା ସ୍ଥାନ ନିକଟରେ ଏହାକୁ ପ୍ରତିଷ୍ଠା କରାଯିବ। କଳା ଗ୍ରାନାଇଟ ପଥରରେ ନେତାଜୀଙ୍କ ୨୮ ଫୁଟ ଉଚ୍ଚତା ବିଶିଷ୍ଟ ଠିଆ ହୋଇଥିବା ପ୍ରତିମୂର୍ତ୍ତି ତିଆରି ହେବ। ଆଉ ଏହି ପ୍ରତିମୂର୍ତ୍ତି ତିଆର ଦାୟିତ୍ୱ ପ୍ରସିଦ୍ଧ ଓଡିଆ ଶିଳ୍ପୀ ଅଦ୍ୱୈତ୍ୟ ଗଡ଼ନାୟକଙ୍କୁ ଦିଆଯାଇଛି। ଖୁବଶୀଘ୍ର ପ୍ରତିମୂର୍ତ୍ତି ଦିଲ୍ଲୀରେ ତିଆରି କାର୍ଯ୍ୟ ଆରମ୍ଭ ହେବ। ଏଥିରେ ୨୫ରୁ ୩୦ ଜଣ ପଥର ଶିଳ୍ପୀ ସାମିଲ ହେବେ। ଏହି ଶିଳ୍ପୀମାନଙ୍କୁ କର୍ଣ୍ଣାଟକରୁ ଅଣାଯିବ। 


Also Read: କେବଳ ଜନ୍ମଦିନରେ ମନେ ପଡ଼ନ୍ତି ସୁରେନ୍ଦ୍ର ସାଏ


ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଯେଉଁ ଛତା ତଳେ ସ୍ଥାପନ କରାଯିବ ସେଠାରେ ପୂର୍ବରୁ ଜର୍ଜ ପଞ୍ଚମଙ୍କ ପ୍ରତିମୂର୍ତ୍ତି ଥିଲା। ୧୯୬୮ ମସିହାରେ ଜର୍ଜ ପଞ୍ଚମଙ୍କ ପ୍ରତିମୂର୍ତ୍ତିକୁ ହଟାଇ ଦିଆଯାଇଥିଲା, ସେହି ଦିନଠାରୁ ଏହି ଛତା ଖାଲି ପଡିଥିଲା। ଏବେ ସେଠାରେ ନେତାଜୀଙ୍କ ହୋଲୋଗ୍ରାଫିକ୍ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ହୋଲୋଗ୍ରାଫିକ୍ ହେଉଛି ଏକ ପ୍ରକାର ଡିଜିଟାଲ୍ ଟେକ୍ନୋଲୋଜି। ଏହା ଏକ ୩-ଡି ପ୍ରୋଜେକ୍ଟର୍ ପରି କାମ କରେ।


ବୀର ସଂଗ୍ରାମୀ ନେତାଜୀଙ୍କ ସମ୍ମାନରେ ଇଣ୍ଡିଆ ଗେଟ ଠାରେ ତାଙ୍କର ଭବ୍ୟ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଏହି ପ୍ରତିମୂର୍ତ୍ତି ପାଇଁ କଳା ଗ୍ରାନାଇଟ ଉତ୍କୃଷ୍ଟ ପଥର। ତେଲେଙ୍ଗାନାର ଖମାମ ଜିଲ୍ଲାରୁ ପଥର ଆସିବ। ସେଠାକାର ପଥରରେ ହିଁ ଜାତୀୟ ପୋଲିସ ସ୍ମାରକୀ ତିଆରି ହୋଇଛି। କଳା ଗ୍ରାନାଇଟରେ ମାଁ କାଳି ଓ ଶ୍ରୀ କୃଷ୍ଣଙ୍କ ମୂର୍ତ୍ତି ତିଆରି କରାଯାଏ। ଓଡିଆ ବୀର ନେତାଜୀଙ୍କ ପ୍ରତିମୂର୍ତ୍ତି ତିଆରି କରିବାର ସୁଯୋଗ ମିଳିଥିବାରୁ ମୁଁ ସୌଭାଗ୍ୟ। ଆଉ ନେତାଙ୍କ ଏପରି ସମ୍ମାନ ପାଇଁ ଓଡିଶା ଆଜି ଗର୍ବିତ ଓ ଏଥିପାଇଁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଉଛି ବୋଲି ଶିଳ୍ପୀ ଅଦ୍ୱୈତ୍ୟ ଗଡ଼ନାୟକ କହିଛନ୍ତି।


Also Read: Panchayat Election 2022 : କେତେ କଟିଲେ, କେତେ ରହିଲେ? ନିରାଶ ସଂରକ୍ଷିତ ପ୍ରାର୍ଥୀ


ଅଦ୍ଵୈତ ଗଡନାୟକ, ଢେଙ୍କାନାଳ ଜିଲ୍ଲା ନେଉଳପୋଇ ଗାଁର ବାସିନ୍ଦା। ସେ ଭୁବନେଶ୍ୱରସ୍ଥିତ ବିକେ କଲେଜ୍ ଅଫ ଆର୍ଟ୍ସ ଆଣ୍ଡ କ୍ରାଫ୍ଟସରୁ କଳା ଶିକ୍ଷା ଗ୍ରହଣ କରିଛନ୍ତି। ଏହା ପରେ ଦିଲ୍ଲୀ ଆର୍ଟ କଲେଜ୍‌ରୁ ମାଷ୍ଟର୍ସରେ ପାଠପଢା ପୂରା କରିଥିଲେ। ଗଡନାୟକ ଲଣ୍ଡନର ସ୍ଲେଡ୍ ସ୍କୁଲ୍ ଅଫ ଫାଇନ୍ ଆର୍ଟ୍ସରେ କଳାରେ ମଧ୍ୟ ଶିକ୍ଷା ଗ୍ରହଣ କରିଛନ୍ତି। ୨୦୧୬ରୁ ସେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅଧିନସ୍ଥ ନ୍ୟାସନାଲ ଗ୍ୟାଲେରୀ ଅପ୍ ମୋଡେର୍ଣ୍ଣ ଆର୍ଟର ନିର୍ଦ୍ଦେଶକ ଅଛନ୍ତି। ଏହା ପୂର୍ବରୁ ଅଦ୍ଵୈତ ଗଡନାୟକ ଭୁବନେଶ୍ଵରର କେଆଇଆଇଟି ବିଶ୍ଵ ବିଦ୍ୟାଳୟରେ ସ୍କୁଲ ଅଫ ସ୍କଲ୍ପଚରର ନେତୃତ୍ଵ ନେଇଥିଲେ। ବିଶ୍ଵ ବିଦ୍ୟାଳୟ ପରିସରରେ ସେ ଏକ ମୁର୍ତ୍ତିକାର ପାର୍କ ମଧ୍ୟ ନିର୍ମାଣ କରିଛନ୍ତି।


ପ୍ରସିଦ୍ଧ ମୁର୍ତ୍ତିକାର ଅଦ୍ଵୈତ ଗଡନାୟକ ଅନେକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ତାଙ୍କୁ ୧୯୯୩ରେ ରାଷ୍ଟ୍ରୀୟ ଲଳିତ କଳା ଏକାଡେମୀ ପୁରସ୍କାର, ୧୯୯୯ରେ ଓଡିଶା ଲଳିତ କଳା ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ଅଦ୍ଵୈତଙ୍କ ସବୁଠୁ ପ୍ରସିଦ୍ଧ ପ୍ରକଳ୍ପରେ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କ ଦାଣ୍ଡି ମାର୍ଚ୍ଚର ପ୍ରତୀମା ଅନ୍ୟତମ। ତାଙ୍କର ସ୍ଥାପତ୍ୟକୁ ଲଣ୍ଡନରେ ମଧ୍ୟ ସ୍ଥାନ ମିଳିଛି।