ଗତିପଥ ବଦଳାଉଛି ମୁହାଣ, କୂଳ ଲଂଘୁଛି ସମୁଦ୍ର; ଆତଙ୍କିତ ଉପକୂଳବାସୀ
ଏଠାରେ ରହିଥିବା ମୁହାଣ ଅନେକ ଜାଗାରେ ଫାଟି ଆଁ କରିଥିବାର ଦେଖିବାକୁ ମିଳିଥିବା ବେଳେ ସମୁଦ୍ରକୂଳରେ ଥିବା ୨ ବଖରା ଘର ଜୁଆର ପଞ୍ଝାରୁ ବର୍ତ୍ତି ନପାରି ମାଟିରେ ମିଶିଯାଇଛି।
ବ୍ରହ୍ମପୁର: କୌଣସି ମୁହୂର୍ତ୍ତରେ ସମୁଦ୍ର ଗର୍ଭରେ ଲୀନ ହୋଇପାରେ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ରାମେୟାପାଟଣା ଏବଂ କତୁରୁ ଗ୍ରାମ। ବିଗତ କିଛିଦିନ ଧରି ଲଘୁଚାପ ସୃଷ୍ଟି ହୋଇଥିବା ହେତୁ ସମୁଦ୍ର ଗର୍ଭ ଫୁଲିବା ସହ ଅଧିକ ଉଚ୍ଚତା ଜୁଆର ସମୁଦ୍ର କୂଳକୁ ମାଡି ଆସିବା ଫଳରେ ଗୁରୁବାର ୨ ବଖରା ଘର ଧୋଇ ହୋଇଯାଇଛି। ଏ ଘଟଣା ପରେ ଆତଙ୍କିତ ହୋଇଉଠିଛନ୍ତି ସ୍ଥାନୀୟ ଲୋକେ। ସମୁଦ୍ର ଜୁଆର ଧିରେ ଧିରେ ବଢିବାରେ ଲାଗିଥିବା ବେଳେ ଆଗକୁ ଗ୍ରାମ ଭିତରକୁ ସମୁଦ୍ର ମାଡି ଆସିବାର ସମ୍ଭାବନା ରହିଛି।
ଗର୍ଜନ କରି ଜନବସତି (Residential Area) ଆଡକୁ ମାଡି ଆସୁଛି ସମୁଦ୍ର। ଉଚ୍ଚ ଜୁଆର (High Tide) ସୃଷ୍ଟ ହେବା କାରଣରୁ ଭାସିଯାଉଛି ଘରଦ୍ବାର। ଯେକୌଣସି ମୁହୂର୍ତ୍ତରେ ଗ୍ରାମ ଭିତରେ ପ୍ରବେଶ କରିପାରେ ସମୁଦ୍ର ପାଣି। ସମୁଦ୍ର ଗର୍ଭରେ ଲୀନ ହୋଇ ସ୍ମୃତି ପାଲଟି ଯିବକି ରାମେୟାପାଟଣା ଗ୍ରାମ (Ramayapatana Village)। ଏଠାରେ ରହିଥିବା ମୁହାଣ (Estuary) ଅନେକ ଜାଗାରେ ଫାଟି ଆଁ କରିଥିବାର ଦେଖିବାକୁ ମିଳିଥିବା ବେଳେ ସମୁଦ୍ରକୂଳରେ ଥିବା ୨ ବଖରା ଘର ଜୁଆର ପଞ୍ଝାରୁ ବର୍ତ୍ତି ନପାରି ମାଟିରେ ମିଶିଯାଇଛି।
Also Read: ବାତ୍ୟାକୁ ନେଇ ଆତଙ୍କିତ ଉପକୂଳବାସୀ; ମୁକାବିଲା ଲାଗି ପ୍ରସ୍ତୁତ ଜିଲ୍ଲା ପ୍ରଶାସନ
ଯାହା ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ସହ ଘରର ଆସବାବପତ୍ର ନଷ୍ଟ ହୋଇଯାଇଥିବା ବେଳେ ଲୋକେ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସମୁଦ୍ର ତଟରେ ଆହୁରି ଅନେକ ପରିବାର ରହିଥିବା ବେଳେ ସମୁଦ୍ର ଗର୍ଜନ ଯେମିତି ଲୋକଙ୍କ ନିଦ ହଜାଇ ଦେଇଛି। ସମୁଦ୍ରକୁ ଜୀବନ ଜୀବିକା କରି ବଞ୍ଚୁଥିବା ଗ୍ରାମର ଅନେକ ମତ୍ସ୍ୟଜୀବୀ ମାଛ ମାରିବାକୁ ନଯାଇ ଭୋକ ଉପବାସରେ ଅଛନ୍ତି।
ଗତ ୨୦୦୮ ମସିହା ପର ଠାରୁ ରାମାୟାପାଟଣା ଏବଂ କତୁରୁ ଗ୍ରାମବାସୀଙ୍କ ପ୍ରତି ଏଭଳି ବିପତ୍ତି ମାଡି ଆସିଛି। ଗ୍ରାମବାସୀଙ୍କ ମତରେ ବାହୁଦା ନଦୀ ମୁହାଣ (Bahuda River Estuary) ବାରମ୍ବାର ଗତିପଥ ବଦଳାଇବା କାରଣରୁ ହେତୁ ସମୁଦ୍ର କୂଳ ଲଂଘିବାରେ ଲାଗିଛି। ବିଗତ କିଛି ବର୍ଷ ମଧ୍ୟରେ ପାଖାପାଖି ୨ କିମି ପର୍ଯ୍ୟନ୍ତ ଗାଁ ମୁହାଁ ହେଲାଣି ସମୁଦ୍ର। ଗତ ୪ ବର୍ଷ ମଧ୍ୟରେ ୫୦ରୁ ଉର୍ଦ୍ଧ୍ୱ ଘର ଏବଂ ୨୨ଟି ମାଛ ମରା ଜେଟିକୁ ସମୁଦ୍ର ଗିଳି ସାରିଥିବା ବେଳେ ଏବେ ଆହୁରି ୧୦୦ ବଖରା ଘର ଉପରେ ବିପଦ ମାଡିଆସିଛି।
Also Read: Blue Flag Beach: ଜୀବନ ଜୀବିକାକୁ ନେଇ ମୁହାଁମୁହଁ ମତ୍ସ୍ୟଜୀବୀ-ପ୍ରଶାସନ
ଗ୍ରାମବାସୀ ସମସ୍ୟାକୁ ଦୃଷ୍ଟିରେ ରଖି ବାହୁଦା ନଦୀରେ ଏକ ବ୍ଯାରେଜ (Barrage) ନିର୍ମାଣ କରିବା ସହ ଗ୍ରାମର ତଟବର୍ତ୍ତୀ ଅଞ୍ଚଳରେ ଗାର୍ଡୱାଲ (Sea Shore Guard Wall) ନିର୍ମାଣ ଲାଗି ଜଳ ସମ୍ପଦ ପକ୍ଷରୁ ସର୍ଭେ କରାଯାଇଛି। ଏନେଇ ୬ କୋଟି ଟଙ୍କାର ଏକ ଡିପିଆର (DPR) ମଧ୍ୟ ପ୍ରସ୍ତୁତ କରାଯାଇଛି। ହେଲେ କାର୍ଯ୍ୟରେ ବିଳମ୍ବ ହେଉଥିବାରୁ ଲୋକେ ବିପଦ ମୁଖରେ କାଳ କାଟୁଛନ୍ତି। ଏଭଳି ସ୍ଥିତିରେ ପ୍ରଶାସନ ପକ୍ଷରୁ ଦିନେ ମଧ୍ୟ ଗ୍ରାମବାସୀଙ୍କ ସୁବିଧା ଅସୁବିଧା ବୁଝିବାକୁ କେହି ଆସି ନଥିବା ବେଳେ ଏହାକୁ ନେଇ ଅସନ୍ତୁଷ୍ଟ ହୋଇଉଠିଲେଣି ଲୋକେ।
Also Read: ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା ଦୌଡରେ ଗୋପାଳପୁର-ସୋନାପୁର ବେଳାଭୂମି
ଯଦିଓ ଗ୍ରାମର ଅନେକ ଲୋକ ଓଡିଆରପି ଯୋଜନା ସହାୟତାରେ ଅନ୍ଯତ୍ର ସ୍ଥାନାନ୍ତରିତ ହୋଇଛନ୍ତି ହେଲେ ବଳକା ପରିବାର ଜୀବନ ଜୀବିକା ଦୋ ଛକି ଭିତରେ ଭଗବାନଙ୍କ ଭରସାରେ ଦିନ କାଟୁଛନ୍ତି। ସମୁଦ୍ର କୂଳ ଲଂଘିବା କାରଣରୁ ଅନେକ ଗ୍ରାମ ବୁଡିଯିବାକୁ ବସିଥିବା ବେଳେ ଗ୍ରାମବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି।