ସିରିଜି ବୋମା ମାଡ ପରେ ଶାନ୍ତି ସ୍ଥାପନ ପାଇଁ ବ୍ୟାପକ ପୋଲିସ ବଳ ମୁତୟନ
ହିଂସାକାଣ୍ଡ ପରେ କେସପୁର ପାଟଣା ସାହି ଗ୍ରାମରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଗାଁ ଏକ ପ୍ରକାର ପୁରୁଷ ଶୂନ୍ୟ ହୋଇଯାଇଛି।
ବ୍ରହ୍ମପୁର: କିଛି ଦିନର ବ୍ୟବଧାନ ପରେ ପୁଣିଥରେ ଅଶାନ୍ତ ହୋଇ ପଡିଛି ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ। ପୂର୍ବ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ସ୍ଥାନୀୟ ବିଧାୟିକାଙ୍କ ସପକ୍ଷ-ବିପକ୍ଷ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିବା ବେଳେ ଗତକାଲି ଗାଁ ଦାଣ୍ଡ ରଣକ୍ଷେତ୍ର ପାଲଟି ଯାଇଥିଲା। ବିଧାୟିକା ଘରେ ଅନୁପସ୍ଥିତ ଥିବା ବେଳେ ଗୋଟିଏ ଗୋଷ୍ଠୀର କିଛି ଦୁର୍ବୃତ୍ତ ଗାଁ ମଝିରେ ସିରିଜ ବୋମା ମାଡ କରିବା ସହ ବିଧାୟକଙ୍କ ଘରକୁ ଢେଲା ମାଡ କରି ଭଙ୍ଗାରୁଜା କରିଥିଲେ।
ଏନେଇ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ୨ ଜଣ ଗୁରୁତର ଆହାତ ହୋଇ ବ୍ରହ୍ମପୁର ମେଡିକାଲରେ ଚିକିତ୍ସା ହେଉଥିବା ବେଳେ ଖଲ୍ଲିକୋଟ ନିର୍ବାଚନମଣ୍ଡଳୀରେ ଏକ ପ୍ରକାର ଅଶାନ୍ତ ବାତାବରଣ ଦେଖିବାକୁ ମିଳିଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୬ ଜଣଙ୍କୁ ଥାନାରେ ଅଟକ ରଖିବା ପଚରା ଉଚରା କରିବା ସହ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ସତର୍କ ରହିଛି।
କିଛି ଦିନର ବ୍ୟବଧାନ ପରେ ରାଜନୈତିକ ହିଂସାକାଣ୍ଡକୁ ନେଇ ଥରିଉଠିଛି ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ। ଘନ ଘନ ବୋମା ମାଡରେ ଥରି ଉଠିଥିଲା କେସପୁର ପାଟଣା ସାହି ଆଉ ମୁହାଁମୁହିଁ ହୋଇଥିଲେ ଦୁଇ ଗୋଷ୍ଠୀ। ବିଧାୟିକାଙ୍କ ଘର ଉପରକୁ ଢେଲା ପଥର ସହ କରିଥିଲେ ବୋମା ମାଡ। ବିରୋଧି ଗୋଷ୍ଠୀର ଖଣ୍ଡା ଚୋଟରେ ବିଧାୟିକଙ୍କ ଦୁଇ ସମର୍ଥକ ଗୁରୁତର ଆହତ ହୋଇଥିବା ବେଳେ ଚୁରମାର ହୋଇଯାଇଥିଲା ଏକାଧିକ ମୋଟର ବାଇକ। ଆକ୍ରମଣରେ ବିଧାୟକଙ୍କ ଘର ସାମ୍ନାରେ ଲାଗିଥିବା କାଚ କବାଟ ଭାଙ୍ଗି ରୁଜି ଯାଇଥିବା ବେଳେ ଘର ସାମନାରେ ଥିବା ଗାଡି ଛିନଛତ୍ର ହୋଇଯାଇଥିଲା।
Also Read: ଖଲ୍ଲିକୋଟ ବିଧାୟିକାଙ୍କ ଘରେ ବୋମା ମାଡ଼ ଘଟଣା; ଗାଁ ପୁରୁଷ ଶୂନ୍ୟ, ୬ ଗିରଫ
ବିରୋଧି ଗୋଷ୍ଠୀର ଆକ୍ରମଣର ସାମ୍ନା କରିଥିବା ଦୁଇ ଯୁବକ ଖଣ୍ଡା ଚୋଟରେ ଘାଇଲା ହୋଇ ଘଟଣାସ୍ଥଳରେ ପଡି ରହିବା ପରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବ୍ରହ୍ମପୁର ବଡମେଡିକାଲରେ ଭର୍ତ୍ତି କରାଯାଇଥିଲା। ହିଂସାକାଣ୍ଡ ପରେ କେସପୁର ପାଟଣା ସାହି ଗ୍ରାମରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଗାଁ ଏକ ପ୍ରକାର ପୁରୁଷ ଶୂନ୍ୟ ହୋଇଯାଇଛି।
ଖଲ୍ଲିକୋଟର ପୂର୍ବତନ ବିଧାୟିକା ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ଜନ୍ମଦିନରେ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ଏହି ଅବସରରେ ଘଟିଯାଇଥିଲା ଏଭଳି ହିଂସାକାଣ୍ଡ। ବିଧାୟିକାଙ୍କ ଘର ଉପରକୁ ଆକ୍ରମଣ ହେବା ସହ ଗ୍ରାମରେ ଘଟିଥିବା ହିଂସାକାଣ୍ଡ ବାବଦରେ ଖବର ପାଇବା ପରେ ମଧ୍ୟ ଦୀର୍ଘ ସମୟ ଧରି ପୋଲିସ ଘଟଣାସ୍ଥଳରେ ପହଞ୍ଚିନଥିଲା। ଯାହାକୁ ନେଇ ଖୋଦ ବିଧାୟିକା ଅସନ୍ତୋଷ ଜାହିର କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ହିଂସାକାଣ୍ଡ ଘଟାଇଥିବା ଉଭୟ ଗୋଷ୍ଠୀର ୬ ଜଣକୁ ଥାନାରେ ଅଟକ ରଖି ଏବେ ପଚରାଉଚରା କରୁଛି ପୋଲିସ। ସେପଟେ ଗ୍ରାମରେ ଏବେ ମଧ୍ୟ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।.
ଖଲ୍ଲିକୋଟ ନିର୍ବାଚନମଣ୍ଡଳୀରେ ପୂର୍ବରୁ ଲାଗି ରହିଥିବା ରାଜନୈତିକ ହିଂସା ଏବେ ପୁଣି ଥରେ ଉଗ୍ର ରୂପ ଧାରଣ କରିଥିବା ବେଳେ ଶାନ୍ତ ବାତାବରଣ ଫେରାଇ ଆଣିବାରେ ପୋଲିସ ଓ ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି।