ଛାତ କରି ଲୁଟିଥିବା ଗହଣା ଚୋରକୁ ବାନ୍ଧିଲା ପୋଲିସ
ଲୁଟପାଟ ଟଙ୍କାରେ କରିବା ପରେ ରାଜ୍ୟ ବାହାରେ ବୁଲି ବୁଲି ଉପଭୋଗ କରୁଥିଲେ ଦୁଇ ଚୋରକୁ ଗିରଫ କରିବାରେ ସଫଳ ହୋଇଛି ବ୍ରହ୍ମପୁର ପୋଲିସ।
ରାଧେଶ୍ୟାମ ଆଚାର୍ଯ୍ୟ,ବ୍ରହ୍ମପୁର: ବିଗତ କିଛିଦିନ ଧରି ପୋଲିସର ନିଦ ହଜାଇ ଦେଇଥିବା ୨ ଆନ୍ତରାଜ୍ୟ ଗହଣା ଚୋର ଏବେ ଧରା ପଡିଛନ୍ତି। ସେମାନଙ୍କୁ ରାଜ୍ୟ ବାହାରୁ ଗିରଫ କରିବାରେ ସଫଳ ହୋଇଛି ବ୍ରହ୍ମପୁର ପୋଲିସ। ସେମାନଙ୍କ ଠାରୁ ନଗଦ ୧୨ ଲକ୍ଷ ଟଙ୍କା ସହ ଚୋରି ହୋଇଥିବା କିଛି ଗହଣା ଏକ ଦାମୀ କାର ମଧ୍ୟ ଜବତ ହୋଇଛି।
ରେଶମ ନଗରୀ ବ୍ରହ୍ମପୁରସ୍ଥିତ ବଡ ବଜାର ଅଞ୍ଚଳର ଦୁଇଟି ଗହଣା ଦୋକାନରୁ ରାତି ଅଧିଆ ଛାତ କଣା କରି ଲକ୍ଷାଧିକ ଟଙ୍କାର ଗହଣା ଚୋରି କରି ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ଅପରାଧିଙ୍କ ପାଖରେ ପହଞ୍ଚିବାରେ ସକ୍ଷମ ହୋଇନଥିଲା ପୋଲିସ। ଏପରିକି ସହରରେ ଚୋରଙ୍କ ଆତଙ୍କ ଧିରେ ଧିରେ ବଢିୁଥିବା ନେଇ ଖବର ଆସିବା ପରେ ଗଣମାଧ୍ୟମରେ ଢିଲା ସୁରକ୍ଷା ବ୍ୟବସ୍ଥା ସମ୍ପର୍କିତ ଖବର ପ୍ରସାରଣ ହେବା ପରେ ଏସପିଙ୍କ ନେତୃତ୍ୱରେ ୪ଟି ସ୍ବତନ୍ତ୍ର ଟିମ ଗଠନ କରାଯାଇ ରାଜ୍ୟ ବାହାରେ ଚୋରଙ୍କୁ କାବୁ କରିବା ପରେ ସେମାନଙ୍କ ଅପରାଧିକ ସାମ୍ରାଜ୍ୟ ବାବଦରେ ଖୋଳତାଡ କରୁଛି।
ବିଗତ ୨ ମାସ ମଧ୍ୟରେ ବ୍ରହ୍ମପୁର ବଡ ବଡାର ଅଞ୍ଚଳର ବିନୋଦ ଓ କେଶବ ନାମକ ୨ ଗହଣା ଦୋକାନରୁ ଚୋରି ହେବା ପରେ ପୋଲିସ ଆଖିରୁ ନିଦ ହଜି ଯାଇଥିଲା। ଏପରିକି ସହରରେ ଗୋଟିଏ ପରେ ଗୋଟିଏ ଚୋରି ଅଭିଯୋଗ ନେଇ ପୋଲିସକୁ ବେଶ ବଦନାମ ହେବାକୁ ପଡିବା ପରେ ଏସପି ପିନାକ ମିଶ୍ରଙ୍କ ନେତୃତ୍ୱରେ ୪ଟି ସ୍ବତନ୍ତ୍ର ଟିମ ଗଠନ କରାଯାଇଥିଲା।
Also Read: ଅପରାଧ ଘଟାଇବା ପୂର୍ବରୁ ଅପରାଧି ହାତରେ ଫୁଟିଲା ବୋମା
ବିଶେଷ ସୁତ୍ରରୁ ଖବର ପାଇ ୨ଟି ଟିମ ରାଜ୍ୟ ବାହାରକୁ ଯାଇ ଖୋଳତାଡ କରିବା ପରେ ଛତିଶଗଡରୁ ଲୋକେସ ଶ୍ରୀଭାସ ଓ ଲୋକେସ ରାଓ କୁ ଗିରଫ କରିଥିଲା। ସେମାନଙ୍କ ଠାରୁ ନଗଦ ୧୨ ଲକ୍ଷ ଟଙ୍କା, ୧୭୦ ଗ୍ରାମ ସୁନା ସହ ଗୋଟିଏ ଦାମୀ କାରକୁ ମଧ୍ୟ ଜବତ କରାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି ବ୍ରହ୍ମପୁର ଏସପି।
ଗିରଫ ଅଭିଯୁକ୍ତ ଉଭୟ ପେସାଦାର ଚୋର ବୋଲି ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ଛତିଶଗଡର ଦୁର୍ଗ ଜେଲ ଭିତରେ ଦୁଇ ଜଣଙ୍କ ସାକ୍ଷାତ ହୋଇଥିବା ବେଳେ ଲକେସ ରାଓ ବ୍ରହ୍ମପୁର ସହରରେ ଗହଣା ଦୋକାନ ଚୋରି କରିବା ଲାଗି ଦେଇଥିଲା ପ୍ରସ୍ତାବ ଓ ନକ୍ସା। ପୂର୍ବ ଯୋଜନା ମୁତାବକ ଉଭୟେ ପ୍ରଥମେ ଅକ୍ଟୋବର ୩୦ ତାରିଖରେ ଛାତ କଣା କରି ବିନୋଦ ଗହଣା ଦୋକାନରୁ ୧୪ ଶହ ଗ୍ରାମ ସୁନା ଅଳଙ୍କାର ଚୋରି କରିଥିଲେ।
Also Read: ବାହାଘର ପୂର୍ବରୁ ବର ଉପରକୁ ଗୁଳିମାଡ଼
ଏହାପରେ ଡିସେମ୍ବର ୧୭ ତାରିଖରେ କେଶବ ଜୁଏଲାରୀରୁ ରାତି ଅଧିଆ ଲୁଟି ନେଇଥିଲେ ୪୨୪ ଗ୍ରାମ ସୁନା ଅଳଙ୍କାର। ଲୁଟ ପାଟ କରିବା ପରେ ରାଜ୍ୟ ବାହାରେ ବୁଲି ବୁଲି ଉପଭୋଗ କରୁଥିଲେ ଦୁଇ ଚୋର। ଦାମୀ ଗାଡି ଚଢିବା ସହ ଦୁଇ ଚୋର ବିତାଉଥିବା ବିଳାସ ବ୍ୟସନ ଜୀବନର ଖୁଲାସା ହୋଇଛି। ଲୁଟ ହୋଇଥିବା ବାକି ଗହଣାକୁ ଜବତ କରିବା ଲାଗି ଛତିଶଗଡ, ପ୍ରୟାଗରାଜ ଠାରେ ପୋଲିସ ପକ୍ଷରୁ ଯାଞ୍ଚ କରାଯାଉଛି।
Also Read: ଛତ୍ରପୁର ପୋଲିସ ପଞ୍ଝାରେ ବାଇକ ଲୁଟେରା ଗ୍ୟାଙ୍ଗ୍
ଅନ୍ୟପଟେ ଗହଣା ଦୋକାନର ଢିଲା ସୁରକ୍ଷା ଯୋଗୁ ଚୋର ଫାଇଦା ନେଉଥିବା ବେଳେ ଆଗାମୀ ଦିନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡ କରାଯିବା ନେଇ କହିଛି ଗହଣା ବ୍ୟବସାୟୀ ସଂଘ। ଏହି ଅପରାଧିଙ୍କ ରାଜ୍ୟରେ ପୁର୍ବରୁ ଘଟିଥିବା ବିଭିନ୍ନ ଲୁଟରେ ସମ୍ପୃକ୍ତ ଥିବା ପୋଲିସ ଅନୁମାନ କରୁଥିବା ବେଳେ ଆଗାମୀ ଦିନରେ ରିମାଣ୍ଡରେ ଆଣିବା ସହ ଏ ଘଟଣାରେ ତଦନ୍ତ କରିବା ଲାଗି ଯୋଜନା ପ୍ରସ୍ତୁତ କରୁଛି।