ଭୁବନେଶ୍ବର: କ’ଣ ରହିବ ଶିକ୍ଷା ଏବଂ ଶିକ୍ଷାନୁଷ୍ଠାନର ଭାଗ୍ୟ। ଗତବର୍ଷ କୋଭିଡ କଟକଣାରେ ମାସ ମାସ ଧରି ପ୍ରାୟ ୧୦ ମାସ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ଠିକ୍ ଏହି ପ୍ରଶ୍ନ ଉଙ୍କି ମାରିଥିଲା। ହେଲେ ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ଏକ ମିଶନ ମୋଡରେ ୧୦୦ ଦିନିଆ କଣ୍ଟ ଧରି ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଠପଢା ଜାରି ରହିଛି। କଣ୍ଟ ପୂରଣ ହୋଇ ଏବେ ବୋର୍ଡ ପରୀକ୍ଷାକୁ ହାତରେ ଆଉ ଗୋଟିଏ ମାସରୁ କମ୍ ସମୟ ରହିଛି। 


COMMERCIAL BREAK
SCROLL TO CONTINUE READING

ଏହାରି ମଧ୍ୟରେ କୋରୋନା ମହାମାରୀର ଦ୍ବିତୀୟ ଲହର ମୁଣ୍ଡ ଟେକିଲାଣି। ଯାହା ଫଳରେ ବୋର୍ଡ ପରୀକ୍ଷା ସହ ମହାମାରୀ ଚିନ୍ତା ପିଲାଙ୍କ ବୋଝକୁ ଆହୁରି ଓଜନିଆ କରିଦେଇଛି। କୋରୋନା ଆଁରେ ପେଶି ହେଉଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ। ପ୍ରାୟ ଗୋଟିଏ ଶିକ୍ଷାବର୍ଷର ପାଠପଢାକୁ ମହାମାରୀ ଗିଳିଦେବା ପରେ ଏବେ ପରୀକ୍ଷା ବେଳକୁ ପୁଣି ହାଜର ହୋଇଯାଇଛି। ଗତବର୍ଷ ଠିକ୍ ଏହି ସମୟରେ ଅର୍ଥାତ ଗୋଟିଏ ଶିକ୍ଷାବର୍ଷ ଶେଷ ଏବଂ ଆଉ ଗୋଟିଏ ଶିକ୍ଷାବର୍ଷ ଆରମ୍ଭ ସମୟରେ କୋରୋନା ପ୍ରବେଶ କରି ଶିକ୍ଷାନୁଷ୍ଠାନରେ ତାଲା ପକାଇଦେଇଥିଲା।


Also Read: ରାଜ୍ୟର ଶିକ୍ଷାନୁଷ୍ଠାନରେ କୋରୋନା ବିସ୍ଫୋରଣ, ମନ୍ତ୍ରୀ କହିଲେ...


 


ଆଉ ଏବେ ଦ୍ବିତୀୟ ଲହର ପ୍ରଭାବରେ ରାଜ୍ୟରେ ଦୈନିକ ସଂକ୍ରମଣ ପୁରୁଣା କଟକଣାକୁ ତାଜା କରିଦେଇଛି। ସରକାରଙ୍କ ମାର୍ଗଦର୍ଶକାରେ ପାଠପଢା ଜାରି ରହିଥିବା ବେଳେ ସିଲାବସ୍ ଶେଷ ହୋଇ ବୋର୍ଡ ପରୀକ୍ଷା ପାଇଁ ଚଡାନ୍ତ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀ କହିଛନ୍ତି। କୋରୋନା ଭୟ ମଧ୍ୟରେ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ କରିବାକୁ ଦୃଢ ମନୋବଳ ଥିବା ସେମାନେ କହିଛନ୍ତି।


ସେପଟେ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପକ୍ଷରୁ ନିୟମିତ ଭାବେ ବିଶୋଧନ କରିବା ସହ ମାସ୍କ ପିନ୍ଧିବାକୁ ଗୁରୁତ୍ବ ଦେଉଥିବା କହିଛନ୍ତି। ଏହାସହ ଗ୍ରୀଷ୍ମ ଲହରୀ ତଥା କୋରୋନା ଦ୍ବିତୀୟ ଲହର ହେତୁ ପୂର୍ବରୁ ବୋର୍ଡ ପରୀକ୍ଷା ତାରିଖ ନିଷ୍ପତ୍ତି ବଦଳାଇ ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ମାସରେ କରିଥିଲେ ଭଲ ହୋଇଥାନ୍ତା ବୋଲି କହିଛନ୍ତି। ଅପରପକ୍ଷେ ଶିକ୍ଷାବିତଙ୍କ ମତରେ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକ ସକରାତ୍ମକ ଚିନ୍ତାଧାରା ନେଇ ସରକାରଙ୍କ ନିର୍ଦ୍ଦେଶ ମୁତାବକ ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତୁ।


Also Read: ଅନ୍ଧାରରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ; ବିନା ଅନୁମତିରେ ଚାଲିଛି ଘରୋଇ ବିଦ୍ୟାଳୟ


 


ପୂର୍ବ ଘୋଷଣା ମୁତାବକ ଆସନ୍ତା ୩ ତାରିଖରେ ମାଟ୍ରିକ ଏବଂ ୧୮ ତାରିଖରେ ଯୁକ୍ତ ଦୁଇ ବାର୍ଷିକ ବୋର୍ଡ ପରୀକ୍ଷା ହେବ। ଚଳିତ ବୋର୍ଡ ପରୀକ୍ଷା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ମାଟ୍ରିକ ଛାତ୍ରଛାତ୍ରୀଙ୍କ ଲାଗି ସିଲାବସ୍ ହ୍ରାସ କରିବା ସହ ମାଗଣା ପରୀକ୍ଷା ଦର୍ପଣ ମଧ୍ୟ ଯୋଗାଇ ଦିଆଯାଇଛି। ଏତେସବୁ ବ୍ୟବସ୍ଥା ସତ୍ତ୍ବେ ପୁଣି କୋରୋନା ପ୍ରକୋପ ଶିକ୍ଷା ସହ ଶିକ୍ଷାନୁଷ୍ଠାନକୁ ଦୋଦୁଲ୍ୟମାନ ସ୍ଥିତିରେ ରଖିଦେଇଛି।