ଅଜଣା ଅଣ୍ଡାରୁ ଫୁଟିଲା ଗୋଧୀ ଛୁଆ, ୭ ମାସ ପରେ କୃତ୍ରିମ ଉପାୟରେ ଫୁଟିଲା ଅଣ୍ଡା
ସେହି ଅଣ୍ଡାକୁ ଉଦ୍ଧାର କରି ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କୁ ହସ୍ତାନ୍ତର କରି କୃତ୍ରିମ ଉପାୟରେ ଅଣ୍ଡା ଫୁଟେଇବା ବ୍ୟବସ୍ଥା କରାଯାଇଥିଲା।
ଭୁବନେଶ୍ବର: ରାଜଧାନୀ ଉପକଣ୍ଠସ୍ଥ ଉପକଣ୍ଠ ବାଲିପାଟଣା ଅଞ୍ଚଳରୁ ମିଳିଥିବା ଅଜଣା ଜନ୍ତୁଙ୍କ ଅଣ୍ଡାରୁ ବାହାରିଛି ୧୬ ଗୋଧୀ ଛୁଆ। ଏହି ଅଣ୍ଡା ନଷ୍ଟ ହୋଇଯାଇଥିବା ସନ୍ଦେହ କରିବା ପରେ ସେମାନଙ୍କୁ ସୁରକ୍ଷିତ ରଖିବାର ୨୨୦ ଦିନ ପରେ ଅଣ୍ଡାରୁ ବାହାରିଛନ୍ତି ଛୁଆ। ବାଲିପାଟଣା ଅନ୍ତର୍ଗତ ଷଠିଲୋ ଗ୍ରାମରେ ବଳଭଦ୍ର ପ୍ରସାଦ ପତିଙ୍କ ଫାର୍ମ ହାଉସ ଠାରେ ଘର କାମ ପାଇଁ ମାଟି ଖୋଲା ଚାଲିଥିବା ବେଳେ ଗତ ବର୍ଷ ୫ ସେପ୍ଟେମ୍ବରରେ ଧଳା ରଙ୍ଗର ନରମ ଖୋଳ ବିଶିଷ୍ଟ କିଛି ଅଣ୍ଡା ମିଳିଥିଲା। ସେହି ଅଣ୍ଡାକୁ ଉଦ୍ଧାର କରି ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କୁ ହସ୍ତାନ୍ତର କରି କୃତ୍ରିମ ଉପାୟରେ ଅଣ୍ଡା ଫୁଟେଇବା ବ୍ୟବସ୍ଥା କରାଯାଇଥିଲା।
ଦୀର୍ଘ ୭ ମାସ ପରେ ୨୨୦-୨୨୩ ଦିନରେ ୧୬ ବେଙ୍ଗଲ ମନିଟର ଗୋଧି ଛୁଆ ଫୁଟି ବାହାରିଥିଲେ। ସମସ୍ତ ଗୋଧି ଛୁଆଙ୍କୁ ସିଟି ଫରେଷ୍ଟ ଡିଭିଜନ ଉପସ୍ଥିତିରେ ଭୁବନେଶ୍ବର ଉପକଣ୍ଠସ୍ଥ ଏକ ଉପଯୁକ୍ତ ପ୍ରାକୃତିକ ଜଙ୍ଗଲରେ ଛାଡି ଦିଆଯାଇଛି। ଅଣ୍ଡାରେ ଟର୍ଚ୍ଚ ଲାଇଟ ପକେଇ ଦେଖିବା ପରେ ଅଣ୍ଡା ଭିତରୁ ଲାଲ୍ ରଙ୍ଗର ରକ୍ତବାହୀ ନଳୀ ଦୃଶ୍ୟମାନ ହୋଇଥିଲା। ଯାହା ପ୍ରମାଣ କରୁଥିଲା ଅଣ୍ଡା ଭିତରେ ଜୀବନ ରହିଛି। ଚଳିତ ବର୍ଷ ମାର୍ଚ୍ଚରେ ଅଣ୍ଡା ଭିତରୁ ବିକାଶଶୀଳ ଭୃଣ ଦୃଶ୍ୟମାନ ହୋଥିଲା। ସେତେବେଳେ ଅଣ୍ଡା ଭିତରେ ଗୋଧି ଛୁଆ ଥିବା ଜଣା ପଡିବା ପରେ ପ୍ରଜନନ ପାଇଁ ପ୍ରାୟ ୯ ମାସ ସମୟ ଲାଗୁଥିବା ଜଣାପଡିଥିଲା।
ବହୁଳ ଶୀକାର ହେତୁ ବେଙ୍ଗଲ ମନିଟର ବା ଗୋଧୀ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। କିଛି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକେ ମାଂସ ପାଇଁ ଗୋଧିଙ୍କୁ ହତ୍ୟା କର ଏହାକୁ ଖାଇବା ପାଇଁ ବ୍ୟବହାର କରିଥାନ୍ତି। ବେଙ୍ଗଲ ମନିଟର ଗୋଧି ଛାଲକୁ ଓଡିଶାରେ ଏକ ପାରମ୍ପାରିକ ବାଦ୍ୟଯନ୍ତ୍ର “ଖଞ୍ଜଣୀ” ନିର୍ମାଣରେ ବ୍ୟବହାର କରାଯାଇଥାଏ। ଅଣ୍ଡିରା ଗୋଧିଙ୍କୁ ହତ୍ୟା କରି ତାଙ୍କ ଦେହରୁ କିଛି ଅଙ୍ଗକୁ କାଟି “ହାତଯୋଡି” ନାମକ ଚମତ୍କାରୀ ବସ୍ତୁ ଭାବେ ଲୋକଙ୍କୁ ଠକେଇରେ ବ୍ୟବହାର ବହୁଳ ମାତ୍ରାରେ ହୋଇଥାଏ। ଏହି ସବୁ କାରଣରୁ ହଜାର ହଜାର ଗୋଧି ଅକାଳେ ପ୍ରାଣ ହରାଇଥାନ୍ତି। ଏହି ବେଙ୍ଗଲ ମନିଟର ଗୋଧି ପ୍ରଜାତିକୁ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ୧୯୭୨ ଅନୁଯାୟୀ ସର୍ବାଧିକ ସଂରକ୍ଷଣ ଦିଆଯାଇଛି। ତଫସିଲ ୧ ଅନ୍ତର୍ଭୁକ୍ତ ଏଇ ଗୋଧି କୁ ଶୀକାର କଲେ ସର୍ବାଧିକ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି।