ବଦଳିବ ଚିତ୍ର, ମିଳିବ ଉନ୍ନତ ମାନର ଚିକିତ୍ସା
ବିଏମସି ହସପିଟାଲ ଭୁବନେଶ୍ୱରର ଦ୍ଵିତୀୟ ବଡ ସରକାରୀ ହସ୍ପିଟାଲ, ଯାହା ଉପରେ ଭୁବନେଶ୍ୱର ସମେତ ଆଖପାଖ ଖୋର୍ଦ୍ଧା, ପୁରୀ ଗ୍ରାମାଞ୍ଚଳରୁ ବହୁ ସଂଖ୍ୟାରେ ଲୋକେ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି।
ଶାନ୍ତସ୍ବରୂପ ରାଉତ,ଭୁବନେଶ୍ବର: ବିଏମସି ହସ୍ପିଟାଲର ବଦଳିବ ରୂପ ରେଖ। ଏଣିକି ସ୍ବାସ୍ଥ୍ୟ ବିଭାଗ ଅଧିନରେ ବିଏମସି ହସ୍ପିଟାଲ (BMC Hospital)। ରାଜଧାନୀରେ ବିଏମସି ହସ୍ପିଟାଲ ସମେତ ଏହା ଅଧିନରେ ଥିବା କିଛି ହସ୍ପିଟାଲ ଏଣିକି ସ୍ବାସ୍ଥ୍ୟ ବିଭାଗକୁ ସ୍ଥାନାନ୍ତର ହୋଇଛି। ଏନେଇ ପୂର୍ବରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହା ଫଳରେ ଉନ୍ନତ ମାନର ଚିକିତ୍ସା ସହ ଡାକ୍ତର, କର୍ମଚାରୀ ଓ ଭିତ୍ତିଭୂମି ଅଭାବ ପୂରଣ ହେବା ସହ ୨୪ ଘଣ୍ଟିଆ ଚିକିତ୍ସା ସେବା ପାଇବେ ରୋଗୀ।
ରାଜ୍ୟରେ ସ୍ବାସ୍ଥ୍ୟ ସେବାକୁ ସୁଧାରିବା ଲାଗି ଗୋଟିଏ ପରେ ଗୋଟିଏ ପଦକ୍ଷେପ ଆପଣାଯାଉଥିବା ବେଳେ ରାଜ୍ୟ ରାଜଧାନୀର ଲିଙ୍ଗରାଜ ମନ୍ଦିର (Lingaraj Temple) ପଛପାଖେ ଥିବା ବିଏମସି ହସପିଟାଲ ଏଣିକି ସିଧାସଳଖ ସ୍ବାସ୍ଥ୍ୟ ବିଭାଗ ଅଧିନରେ ପରିଚାଳିତ ହେବ। ରାଜଧାନୀର ଦ୍ଵିତୀୟ କ୍ୟାପିଟାଲ ହସ୍ପିଟାଲ ଭାବେ ଉଭା ହେବ ବିଏମସି ହସପିଟାଲ। ପୂର୍ବରୁ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ଏବେ ଶେଷ ପର୍ଯ୍ୟାୟରେ ରହିଛି। ସ୍ୱାସ୍ଥ୍ୟ ବିଭାଗ ହାତକୁ ଯିବା ପରେ ଏହାର ଦାୟିତ୍ୱ ବଢିବା ସହ ଶଯ୍ୟା ସଂଖ୍ୟା, ଡାକ୍ତର, ନର୍ସ, କର୍ମଚାରୀ, ଆମ୍ବୁଲାନ୍ସ ସହ ଭିତ୍ତିଭୂମି ଅଭାବ ପୂରଣ ହେବ।
ଯହା ଦ୍ବାରା ରାଜଧାନୀର ଏହି ପୁରାତନ ହସ୍ପିଟାଲରେ ରୋଗୀ ଉନ୍ନତ ମାନର ଚିକିତ୍ସା ପାଇପାରିବେ। ପୂର୍ବରୁ ସହରରେ ଥିବା ପ୍ରାୟ ୮ଟି ପୌର ଚିକିସ୍ତ୍ରାଳୟ ଅର୍ଥାତ ସହରାଞ୍ଚଳ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର (Community Health Centre), ଗୋଟିଏ ହସ୍ପିଟାଲ ବିଏମସି ଅଧିନରେ ଥିଲା। ଏବେ ସ୍ବାସ୍ଥ୍ୟ ବିଭାଗ ଅଧିନକୁ ଯିବା ପରେ ଅଭାବ ପୂରଣ ହୋଇପାରିବ ବୋଲି ବିଏମସି କମିଶନର କହିଛନ୍ତି।
Also Read: ସ୍ମାର୍ଟସିଟିକୁ ମଶାଣି ଚିନ୍ତା; ଶବଦାହ ପାଇଁ ଅଭାବ ପଡୁଛି ଜାଗା
ବିଏମସି ହସପିଟାଲ ଭୁବନେଶ୍ୱରର ଦ୍ଵିତୀୟ ବଡ ସରକାରୀ ହସ୍ପିଟାଲ, ଯାହା ଉପରେ ଭୁବନେଶ୍ୱର ସମେତ ଆଖପାଖ ଖୋର୍ଦ୍ଧା, ପୁରୀ ଗ୍ରାମାଞ୍ଚଳରୁ ବହୁ ସଂଖ୍ୟାରେ ଲୋକେ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି। ହେଲେ ଆବଶ୍ୟକୀୟ ଡାକ୍ତର ଅଭାବ ଥିବା ବେଳେ ଅର୍ଦ୍ଧାଧିକ ବେଡ୍ ପାଇଁ ଜାଗା ନାହିଁ। ଏହାସହ ଲାପ୍ରୋସ୍କୋପି, ଅଲ୍ଟ୍ରାସାଉଣ୍ଡ, ଏଣ୍ଡୋସ୍କୋପି ପାଇଁ ସମସ୍ତ ଯନ୍ତ୍ରପାତି ରହିଛି ଅଥଚ ବିଶେଷଜ୍ଞ ନାହାଁନ୍ତି। ପ୍ରତି ବିଭାଗରେ ପଦବୀ ଖାଲି ପଡିଛି।
Also Read: ଦେଶରେ ପ୍ରଥମ; ‘ସଫାଇ ମିତ୍ର’ ପାଇଁ BMC ଜାରି କଲା Toll Free No
ନା ଡାକ୍ତର ଅଛନ୍ତି ନା ସହାୟକ ଷ୍ଟାଫ ଆଉ ଅପରାହ୍ନରେ ବିଭାଗ ଅନୁସାରେ ଡାକ୍ତର ମିଳିବା କଷ୍ଟକର। ଏବେ ସ୍ୱାସ୍ଥ୍ୟ ବିଭାଗ ଅଧୀନକୁ ବିଏମସିର ହସପିଟାଲ ଗଲେ ସବୁବପ୍ରକାର ସୁବିଧା ମିଳିପାରିବ ବୋଲି ଆଶା ରଖିଛନ୍ତି ରୋଗୀ। ଏପରି ଅନେକ ପଦକ୍ଷେପ ନିଆଯାଉଛି, ସେଥିମଧ୍ୟରୁ ଏହା ହେଉଛି ଅନ୍ୟତମ। ଦୀର୍ଘଦିନ ଧରି କାଗଜକଲମରେ ଘୋଷଣା କରାଯାଉଥିବା ବେଳେ ବାସ୍ତବ ପ୍ରତିଫଳନକୁ ଦିନ ପରେ ଦିନ ମାସ ପରେ ମାସ ବର୍ଷ ପରେ ବର୍ଷ ଗଡିଚାଲୁଛି। ଏପରି ସ୍ଥିତିରେ ଏହି ସ୍ବପ୍ନ କେବେ ପୂରଣ ହେଉଛି ତାହାକୁ ଅପେକ୍ଷା।