‘ଶିଶୁଙ୍କ ପାଇଁ ଖୋଲ ସ୍ବତନ୍ତ୍ର ଥାନା’, ଦିନକୁ ନିଖୋଜ ୧୫ ଶିଶୁ
ପ୍ରତି ଜିଲ୍ଲା ମୁଖ୍ୟାଳୟରେ ଗୋଟିଏ ଲେଖାଏଁ ଏବଂ ରାଜ୍ୟ ରାଜଧାନୀରେ ଏକ ଜୁଭେନାଇଲ ପୋଲିସ ଷ୍ଟେସନ ଅର୍ଥାତ ଶିଶୁ ଥାନା ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଛି ଓ.ଏସ୍.ସି.ପି.ସି.ଆର୍।
ଶାନ୍ତସ୍ବରୂପ ରାଉତ,ଭୁବନେଶ୍ବର: ରାଜ୍ୟରେ ଜୁଭେନାଇଲ ପୋଲିସ ଷ୍ଟେସନ ଖୋଲିବାକୁ ପ୍ରସ୍ତାବ। ମହିଳା ଥାନା ଭଳି ଶିଶୁଙ୍କ ସୁରକ୍ଷା ଏବଂ ସେମାନଙ୍କ ଦ୍ୱାରା କରାଯାଉଥିବା ଅଭିଯୋଗ ପାଇଁ ସ୍ବତନ୍ତ୍ର ଥାନା ପ୍ରତିଷ୍ଠା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଯୋଗେ ପ୍ରସ୍ତାବ ଦେଇଛନ୍ତି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ। ଯାହା ଦ୍ୱାରା ରାଜ୍ୟରେ କ୍ରମାଗତ ଭାବେ ବଢିଚାଲୁଥିବା ଶିଶୁଙ୍କ ସମସ୍ୟା ପାଇଁ ଉତ୍ସର୍ଗୀକୃତ ଦକ୍ଷ ଅଧିକାରୀ ସହଯୋଗ କରିବେ।
ପ୍ରତି ଜିଲ୍ଲା ମୁଖ୍ୟାଳୟରେ ଗୋଟିଏ ଲେଖାଏଁ ଏବଂ ରାଜ୍ୟ ରାଜଧାନୀରେ ଏକ ଜୁଭେନାଇଲ ପୋଲିସ ଷ୍ଟେସନ (Juvenile Police Station) ଅର୍ଥାତ ଶିଶୁ ଥାନା ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଛି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ-ଓ.ଏସ୍.ସି.ପି.ସି.ଆର୍ (Odisha State Commission For Protection Of Child Rights-OSCPCR )। ଆୟୋଗଙ୍କ ମତରେ ରାଜ୍ୟରେ କ୍ରମାଗତ ଭାବେ ଶିଶୁ ନିର୍ଯ୍ୟାତନା, ବାଲ୍ୟ ବିବାହ, ଶିଶୁ ନିଖୋଜ, ଅପହରଣ ଭଳି ଘଟଣା ସଂଖ୍ୟା ବୃଦ୍ଧି ପାଉଛି।
Also Read: ‘ଦୟା ରଥ’: ବସ୍ତ୍ର ଦାନ କରି ଖୁସି ବାଣ୍ଟନ୍ତୁ
ଏପରିକି ସଠିକ ବ୍ୟବସ୍ଥା ଅଭାବରୁ ଶିଶୁ ଅପପୁଷ୍ଟି ସଂଖ୍ୟା ମଧ୍ୟ ବଢୁଛି। ବିଶେଷ କରି କୋଭିଡ ସ୍ଥିତିରେ ଏହି ସଂଖ୍ୟା ଅହେତୁକ ବୃଦ୍ଧି ପାଇବା ପରେ ଏହା ସାମ୍ନାକୁ ଆସିଛି। ରାଜ୍ୟରେ ମହିଳାଙ୍କ ସମସ୍ୟା ପାଇଁ ଉତ୍ସର୍ଗୀକୃତ ମହିଳା ଥାନା (Women Police Station) ଭଳି ଶିଶୁ ଥାନା ପ୍ରତିଷ୍ଠା କରିବାକୁ ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରିଛନ୍ତି।
ସେପଟେ ଏକ ପରିସଂଖ୍ୟାନ କହୁଛି ଦିନକୁ ରାଜ୍ୟରେ ପ୍ରାୟ ୧୫ ଜଣ ଶିଶୁ ନିଖୋଜ ହେଉଛନ୍ତି। ବିଗତ ୫ ବର୍ଷରେ ରାଜ୍ୟରୁ ପ୍ରାୟ ୨୭ ହଜାର ଶିଶୁ ନିଖୋଜ ହୋଇଛନ୍ତି। କେବଳ ରାଜଧାନୀରେ ଗତ ବର୍ଷ ୨୬୧ ଶିଶୁ ନିଖୋଜ ହୋଇଛନ୍ତି। ରାଜ୍ୟ ପୁଲିସ ଶିଶୁ ଖୋଜା ଅଭିଯାନର ରଣନୀତି ବଦଳାଇବା ସହ କ୍ରାଇମବ୍ରାଞ୍ଚ ଦ୍ବାରା ଜାରି ଏସଓପିରେ କିଛି ପରିବର୍ତ୍ତନ କରିବାକୁ ଆୟୋଗ ଅଧ୍ୟକ୍ଷା ଓଡିଶା ପୋଲିସ ଡିଜିଙ୍କୁ ଚିଠି ଲେଖିଛନ୍ତି। ପ୍ରତି ଥାନାରେ ଶିଶୁ ନିଖୋଜ ଅଭିଯୋଗକୁ ଗୁରୁତ୍ବ ଦେବାକୁ ଦାବି କରିଛନ୍ତି।
Also Read: Corporator ଭୂମିକାରେ Commissioner କମିଶନର, ରାଜାରାସ୍ତାରେ ଜନ ଶୁଣାଣୀ
ସେପଟେ ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା ସମିତି ସଦସ୍ୟ ବେଣୁଧର ସେନାପତିଙ୍କ ମତରେ ଥାନାରେ ଶିଶୁଙ୍କ ବନ୍ଧୁତ୍ବପୂର୍ଣ୍ଣ ବାତାବରଣ ସୃଷ୍ଟି କରିବାର ଆବଶ୍ୟକତା ରହିଛି। ଅପରପକ୍ଷେ ପିତାମାତା ମଧ୍ୟ ଏସବୁ ସ୍ବାଗତ କରିଥିବା ବେଳେ କେବଳ କାଗଜ କଲମରେ ନଅଟକି ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି ସେ।
Also Read: ଗିରଫ ହେଲା ଚୋର ୪୨୦
କେବଳ ଶିଶୁଙ୍କ ଉପରେ ଅତ୍ୟାଚାର ହେଉନି ବରଂ କିଛି ନାବାଳକ ମଧ୍ୟ ଅପରାଧରେ ଲିପ୍ତ ରହୁଛନ୍ତି। ଏସମସ୍ତ ଦିଗକୁ ଦୃଷ୍ଟିରେ ରଖି ଶିଶୁଙ୍କ ପାଇଁ ତାଲିମପ୍ରାପ୍ତ ଅଧିକାରୀଙ୍କୁ ନିୟୋଜିତ କଲେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ଲକ୍ଷ୍ୟ ରହିଛି। ଏବେ ଅପେକ୍ଷା ଏ ଦିଗରେ କେବେ କିପରି ପଦକ୍ଷେପ ନିଆଯାଉଛି।