ଆଜି ରୁକୁଣା ରଥଯାତ୍ରା: ବିନା ଭକ୍ତରେ ରଥ ଟଣା, ଛାତ ଉପରୁ ଦର୍ଶନ ମନା
ଆଜି ଅପରାହ୍ଣ ସାଢେ ୩ଟାରେ ବିନା ଭକ୍ତରେ ରୁକୁଣା ରଥ (Rukuna Ratha Yatra) ଟଣା ଆରମ୍ଭ ହେବ। ଶ୍ରୀଜୀଉ (Lord Lingraj) ଙ୍କ ଦୈନନ୍ଦିନ ନୀତି ସମ୍ପନ୍ନ ହେବା ପରେ ରଥ ଗଡିବ।
ଭୁବନେଶ୍ୱର: ଆଜି ପବିତ୍ର ଅଶୋକାଷ୍ଟମୀ। ବିଧିମତେ ଆଜି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ହେବ। କୋରୋନା କଟକଣା ମଧ୍ୟରେ ଓ କଡା ସୁରକ୍ଷା ବଳୟ ମଧ୍ୟରେ ଅପରାହ୍ଣରେ ରଥଟଣା ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଟ୍ରାଫିକ୍ ସମସ୍ୟା ଓ ଶ୍ରଦ୍ଧାଳୁଙ୍କ ଉପରେ କମିଶନରେଟ ପୋଲିସ ଅଧିକ ଗୁରୁତ୍ୱ ଦେଇଛି।
ଆଜି ଅପରାହ୍ଣ ସାଢେ ୩ଟାରେ ବିନା ଭକ୍ତରେ ରୁକୁଣା ରଥ (Rukuna Ratha Yatra) ଟଣା ଆରମ୍ଭ ହେବ। ଶ୍ରୀଜୀଉ (Lord Lingraj) ଙ୍କ ଦୈନନ୍ଦିନ ନୀତି ସମ୍ପନ୍ନ ହେବା ପରେ ରଥ ଗଡିବ। ରଥରେ କେବଳ ପାଳିଆ ସେବାୟତ ରଥ ଉପରେ ରହିବେ। ଅନ୍ୟ ସେବାୟତମାନେ ରଥ ଟାଣିବେ। ତେବେ ରଥଟି ସନ୍ଧ୍ୟା ସାତଟା ସୁଦ୍ଧା ମାଉଁସୀମା ମନ୍ଦିରରେ ଲାଗିବ ବୋଲି ପୂର୍ବରୁ ସମୟ ନିର୍ଦ୍ଧାରିତ ହୋଇଛି।
Also Read: ଗତବର୍ଷ ପରି ଚଳିତ ବର୍ଷ ବି ବନ୍ଦ ହେବ କି ରୁକୁଣା ରଥଯାତ୍ରା ?
ସେପଟେ କମିଶନରେଟ ପୋଲିସ (Commissionerate Police) ପାଇଁ ରୁକୁଣା ରଥଯାତ୍ରା ଏକ ଚ୍ୟାଲେଞ୍ଜ ପାଲଟିଛି। ରଥ ଗଡିବାକୁ ଥିବା ରାସ୍ତରେ ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯାଇଛି। ରଥଯାତ୍ରା ସମୟରେ ସେହି ରୋଡରେ ଗାଡି ମଟର ଚଳାଚଳ ବନ୍ଦ ରହିବ। ରଥ ଖଳାରୁ ରଥ ରୋଡ ଯାଏ ଯାନବାହନ ପ୍ରବେଶ ନିଷେଧ ହୋଇଛି। ମାଉଁସୀମା ଛକଠାରେ ବ୍ଲକିଂ କରାଯିବ। କିନ୍ତୁ ମହାଦେବ ମନ୍ଦିର କିମ୍ବା ବିନ୍ଦୁସାଗର (Bindusagar) ରାସ୍ତା ଦେଇ ଯାଇପାରେବେ।
ରଥ ଯାତ୍ରା ବେଳେ ଅଇନ ଶୃଙ୍ଖଳା ରକ୍ଷା କରିବାକୁ ୨୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଛାତ ଉପରୁ ରଥ ଯାତ୍ରା ଦର୍ଶନ କରିବାକୁ ଲୋକଙ୍କୁ ବାରଣ କରାଯାଇଛି। ଗତକାଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଡିସିପି ଉମାଶଙ୍କର ଦାଶ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ। ତେବେ ଆଜି ଲାଗିଥିବା କଟକଣାକୁ ଉଲ୍ଲଙ୍ଘନ କଲେ ଖିଲାପକାରୀଙ୍କ ବିରୁଦ୍ଧରେ ବିଭିନ୍ନ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନର କହିଛନ୍ତି।