ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହେଲା ଆଉ ଏକ ନୂଆ ଯୋଜନା। ଏଥର ଫୋକସରେ ଅଛନ୍ତି କୋରୋନାରେ ବାପା ମାଆଙ୍କୁ ହରାଇଥିବା ଅନାଥ ଶିଶୁ। ବାପା-ମାଆ ଛେଉଣ୍ଡ ପିଲାଙ୍କ ପାଇଁ ନବୀନ ସରକାର 'ଆଶୀର୍ବାଦ' ନାମରେ ଏକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଅନାଥ କିମ୍ବା ରୋଜଗାରିଆ ଅବିଭାବକଙ୍କୁ ହରାଇଥିବା ଶିଶୁଙ୍କୁ ଆର୍ଥିକ ସହାୟତା ସହ ସରକାର ସାମାଜିକ ସୁରକ୍ଷା ଯୋଗାଇଦେବେ। କଲ୍ୟାଣକାରୀ 'ଆଶୀର୍ବାଦ' ଯୋଜନାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ସମାଜର ସ୍ଵତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ପିଲମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଏକ ନିରାପଦ ପରିବେଶ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାମ  କରୁଛନ୍ତି। 'ଆଶୀର୍ବାଦ' ଯୋଜନାକୁ ନେଇ ଜିଲ୍ଲାପାଳମାନେ ପ୍ରତି ବର୍ଷ ସ୍ଵତନ୍ତ୍ର ଅଭିଯାନ କରିବେ। ଜଣେ ବି ଅସହାୟ ଶିଶୁ ଯେପରି ଏହି ଯୋଜନାରୁ ବାଦ୍ ନ ପଡନ୍ତି ସେଥିପାଇଁ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା ଏହି 'ଆଶୀର୍ବାଦ' ଯୋଜନା କଣ? କିଏ ଏହାର ଯୋଗ୍ୟ ହିତାଧୀକାରୀ? କଣ ମିଳିବ ସହାୟତା?


Also Read: ସୀମା ଡେଇଁ ଆସୁଛି କୋରୋନା! ଗଜପତିରେ ପ୍ରହସନ ପାଲଟିଛି କଟକଣା


୨୦୨୦ ଏପ୍ରେଲ ପହିଲା ବା ତା ପରେ ଉଭୟ ବାପା, ମାଆ ବା ପରିବାରର ମୁଖ୍ୟ ପାର୍ଜନକାରୀଙ୍କୁ ହରାଇ ଥିବା ପିଲାମାନଙ୍କ ଶିକ୍ଷାଦୀଷା, ଭରଣପୋଷଣ ତଥା ଯତ୍ନ  ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଯୋଜନା 'ଆଶୀର୍ବାଦ' ଘୋଷଣା କରିଛନ୍ତି। ଏହି ଯୋଜନା ପାଇଁ ଯୋଗ୍ୟ ପିଲାମାନଙ୍କୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି। ବାପା, ମା ଉଭୟଙ୍କୁ ହରାଇ ଥିବା ପିଲା, ଉଭୟଙ୍କ ମଧ୍ୟରୁ ଜଣଙ୍କୁ ହରାଇ ଥିବା ପିଲା ଏବଂ  ଉପାର୍ଜନକାରୀ ବାପା ବା ମାଆଙ୍କ ମଧ୍ୟରୁ ଜଣକୁ ହରାଇଥିବା ପିଲା।


ଆଶୀର୍ବାଦ ଯୋଜନାରେ ସ୍ବତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ପିଲମାନେ ସେମାନଙ୍କ ପରିବାର ଓ ଆତ୍ମୀୟ ସ୍ବଜନମାନଙ୍କ ଗହଣରେ ହିଁ ରହିବେ। ସେମାନଙ୍କ ଦାୟିତ୍ୱ ନେଉଥିବା ଅଭିଭାବକମାନେ ଯେପରି ଠିକ୍ ଭାବରେ ପିଲାଙ୍କ ଯତ୍ନ ନେଇପାରିବେ ସେଥିପାଇଁ ସେମାନଙ୍କୁ ଉତ୍ସାହିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


ଆଶୀର୍ବାଦ ଯୋଜନା ଅନୁଯାୟୀ ବାପା-ମାଆ ଉଭୟଙ୍କୁ ହରାଇ ଅସୁବିଧା ମଧ୍ୟରେ ଥିବା ପିଲାମାନଙ୍କ ଦାୟିତ୍ୱ ନେଇଥିବା ଆତ୍ମୀୟଙ୍କ ବ୍ୟାଙ୍କ ଖାତାରେ ପିଲାର ଭରଣପୋଷଣ, ଶିକ୍ଷା ଓ ସ୍ବାସ୍ଥ୍ୟ ପାଇଁ ମାସିକ ୨୫୦୦ ଟଙ୍କା ଜମା କରାଯିବ। ପିଲାକୁ ୧୮ ବର୍ଷ ହେବା ପର୍ଯନ୍ତ ଏହି ସହାୟତା ଜାରି ରହିବ। ତା ପୂର୍ବରୁ ଯଦି ପିଲାକୁ କେହି ପୋଷ୍ୟ ଭାବରେ ଗ୍ରହଣ କରେ ତେବେ ଆଉ ସହାୟତା ଦିଆ ଯିବ ନାହିଁ।ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବୀମା ଯୋଜନା 'ବିଜୁ ସ୍ବାସ୍ଥ୍ୟ କଲ୍ୟାଣ' ଯୋଜନାରେ ଏହି ପିଲାମାନେ ମାଗଣା ଚିକିତ୍ସା ସୁବିଧା ପାଇ ପାରିବେ।


Also Read: ସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ


ଏହି ସ୍ବତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ପିଲାମାନଙ୍କୁ ଜାତୀୟ ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯିବ। ବାପା ମାଆଙ୍କ ମୃତ୍ୟୁ ପୂର୍ବରୁ ପିଲା ଯେଉଁ ସ୍କୁଲରେ ପଢୁଥିଲେ ସେହି ସ୍କୁଲରେ ପଢ଼ା ଜାରି ରଖି ପାରିବେ। ତାଙ୍କ ଦାୟିତ୍ୱ ନେଇ ଥିବା ଆତ୍ମୀୟ ଅନ୍ୟ ସ୍ଥାନରେ ରହୁଥାନ୍ତି ତେବେ ସେଠାରେ ପିଲାର ପଢ଼ିବା ବ୍ୟବସ୍ଥା କରାଯିବ। ଯଦି ଆବଶ୍ୟକ ପଡେ ତେବେ ଆଦର୍ଶ ବିଦ୍ୟାଳୟ, କେନ୍ଦୀୟ ବିଦ୍ୟାଳୟ ବା ସେହି ମାନର ବିଦ୍ୟାଳୟରେ ପିଲା ପଢ଼ିବା ପାଇଁ ସାହାଯ୍ୟ ମଧ୍ୟ କରାଯିବ।


ପିଲାଙ୍କ ଦାୟିତ୍ୱ ନେଇ ଥିବା ଆତ୍ମୀୟ ଯଦି ଚାହିଁବେ ତେବେ ପିଲାକୁ ଅନ୍ୟ ସ୍କୁଲରେ ପଢାଇବା ପାଇଁ ଶିକ୍ଷା ଅଧିକାର ଆଇନ ଅନୁସାରେ ଜିଲ୍ଲାପାଳ ସହଯୋଗ ଯୋଗାଇ ଦେବେ। ଉଚ୍ଚ ଶିକ୍ଷା ପାଇଁ ପିଲାକୁ ରାଜ୍ୟ ସରକାରଙ୍କ Green passage ଯୋଜନାରେ ସହଯୋଗ ଯୋଗାଇ ଦିଆଯିବ। ଦାୟିତ୍ୱ ନେଇ ଥିବା ଆତ୍ମୀୟ ଯଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବା ବିଜୁ ପକ୍କା ଘର ପାଇଁ ଯୋଗ୍ୟ ହୋଇଥାନ୍ତି ତେବେ ପିଲାର ମଙ୍ଗଳକୁ ଦୃଷ୍ଟିରେ ରଖି ତାଙ୍କୁ out of turnରେ ଘର ମଞ୍ଜୁର କରାଯିବ।


ଏହି ପିଲାଙ୍କ ଯତ୍ନ ନେଉଥିବା ଆତ୍ମୀୟ ଯଦି ଅନ୍ୟ କୌଣସି ସରକାରୀ ଯୋଜନା ପାଇଁ ଯୋଗ୍ୟ ହୋଇଥାନ୍ତି ତେବେ, out of turnରେ ତାଙ୍କୁ ସେ ସୁବିଧା ଯୋଗାଇ ଦିଆଯିବ। ପିଲାଙ୍କ ସମ୍ପତ୍ତିର ସୁରକ୍ଷା ପାଇଁ ଶିଶୁ ମଙ୍ଗଳ ସମିତି, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ତହସିଲଦାର ଓ ପୋଲିସ ସହ ସମନ୍ବୟ ରଖି ଆବଶ୍ୟକ ପଦକ୍ଷେପ ନେବେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପିଲାର ଦାୟିତ୍ୱ ନେଇଥିବା ଆତ୍ମୀୟଙ୍କ ସହ ନିୟମିତ ଯୋଗାଯୋଗରେ ରହି ପିଲାର ଭଲ ମନ୍ଦ ଉପରେ ନଜର୍ ରଖବେ। ବିଜୁ ଶିଶୁ ସୁରକ୍ଷା ଯୋଜନା ଓ juvenile justice fundରୁ ଆବଶ୍ୟକ ସ୍ଥଳେ ପିଲାଙ୍କୁ ସହାୟତା ମିଳିପାରିବ।


Also Read: ଆସନ୍ତାକାଲି ଠାରୁ ରାଜ୍ୟରେ ହେବ କ୍ୟାମ୍ପେନ୍ ମୋଡରେ ଟିକାକରଣ


ପିଲା ଯଦି ଆତ୍ମୀୟଙ୍କ ପାଖରେ ନ ରହି କୌଣସି child care institutionରେ ରୁହନ୍ତି, ତେବେ ସେ କ୍ଷେତ୍ରରେ ପିଲାଙ୍କ ବ୍ୟାଙ୍କ ଖାତାରେ ମାସିକ ଏକ ହଜାର ଟଙ୍କା recurring deposit ଭାବରେ  ପ୍ରତି ମାସରେ ପିଲାକୁ ଅଠର ବର୍ଷ ହେବା ପର୍ଯ୍ୟନ୍ତ ଜମା କରାଯିବ। ପିଲାର ମାଗଣା ଯତ୍ନ ଓ ଅନ୍ୟ ଦାୟିତ୍ୱ ଅନୁଷ୍ଠାନ ବହନ କରିବ। ପିଲାର ଶିକ୍ଷା, ସ୍ଵାସ୍ଥ୍ୟ ଓ ସୁରକ୍ଷା ବ୍ୟବସ୍ଥା ଉପର ବର୍ଣ୍ଣିତ ଵ୍ୟଵସ୍ଥା ଅନୁଯାୟୀ କରିଯିବ।


ପିଲାର ରୋଜଗାର କରୁଥିବା ବାପା ବା ମାଆଙ୍କ ମୃତ୍ୟୁ ଘଟିଥିବ ଏବଂ ସେ ଜୀବିତ ବାପା ବା ମାଆ ପାଖରେ ରହୁଥିବ ତେବେ ପିଲାକୁ ଅଠର ବର୍ଷ ହେବା ପର୍ଯ୍ୟନ୍ତ ତାର ଭରଣପୋଷଣ ପାଇଁ ପନ୍ଦର ଶହ ଟଙ୍କା ଦିଆଯିବ। ଏହି ଟଙ୍କା 
ପିଲା କିମ୍ବା ବାପା/ମାଆଙ୍କ ବ୍ୟାଙ୍କ ଖାତାରେ ଜମା ହେବ। ପିଲାର ମାଆ ଯଦି  ମଧୁବାବୁ ପେନସନ ପାଇଁ ଯୋଗ୍ୟ ହୋଇଥାନ୍ତି ତେବେ ତାଙ୍କ ପାଇଁ ବିଧବା ଭତ୍ତା ମଞ୍ଜୁର କରାଯିବ। ଏହା ସହିତ ଉଭୟଙ୍କୁ ଜାତୀୟ ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ସୁବିଧା ମଧ୍ୟ ମିଳିବ। ଏତଦ୍ ବ୍ୟତୀତ ମାଗଣା ଶିକ୍ଷା, ସ୍ଵାସ୍ଥ୍ୟ ଵୀମା ଆଦି ଉପର ବର୍ଣ୍ଣିତ ସମସ୍ତ ସୁବିଧା ପିଲାକୁ ମିଳିବ।


District child protection unit, childline ତଥା ପଞ୍ଚାୟତ ସ୍ତରୀୟ କମିଟି, ବ୍ଲକ କମିଟି,  frontline worker civil society ଜରିଆରେ ପିଲାଙ୍କୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରିବେ। ଆଶୀର୍ବାଦ ଯୋଜନା ପାଇଁ ଯୋଗ୍ୟ ପିଲା ବା ତାଙ୍କ ଦାୟିତ୍ୱ ନେଇ ଥିବା  ଆତ୍ମୀୟମାନେ ମଧ୍ୟ ମୃତ୍ୟୁ ପ୍ରମାଣ ପତ୍ର ସହ DCPUଙ୍କୁ ଆବେଦନ କରିପାରିବେ।