କୋରୋନାର ଛାଟ: ପର୍ବପର୍ବାଣୀ ଉପରେ କଟକଣା
ଏହାସତ୍ତ୍ବେ ସ୍ଥାନୀୟ ସ୍ଥିତି ପରିଲକ୍ଷିତ କରି ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନର ଅଧିକ କଟକଣା ଲାଗୁ କରିପାରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଏପ୍ରିଲ ୧ ଉତ୍କଳ ଦିବସ ପାଳନ ନେଇ କଟକଣା ଲାଗୁ କରାଯାଇଛି ।
ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର: ଆଗାମୀ ଏପ୍ରିଲ ମାସରେ ପଡୁଥିବା ବିଭିନ୍ନ ପର୍ବପର୍ବାଣୀ ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର । ଦେଶର ବିଭିନ୍ନ ରାଜ୍ୟରେ କରୋନାର ନୂଆ ଷ୍ଟ୍ରେନ୍ ଚିନ୍ତା ବଢ଼ାଇଥିବାବେଳେ କଟକଣା ଆହୁରି କଡ଼ାକଡ଼ି କରିଛନ୍ତି ସରକାର ।
ଏପ୍ରିଲ ମାସରେ ପଡୁଥିବା ଗୁଡ୍ ଫ୍ରାଇଡେ (Good Friday) , ଇଷ୍ଟର, ପଣା ସଂକ୍ରାନ୍ତି ବା ଝାମୁଯାତ୍ରା, ଦଣ୍ଡଯାତ୍ରା ଏବଂ ରାମ ନବମୀ ଆଦି ପର୍ବପର୍ବାଣୀ ପାଳନ ନେଇ ମାର୍ଗଦର୍ଶିକା ଜାରି କରାଯାଇଛି । ଏହିସବୁ ଉତ୍ସବ ଗୁଡିକରେ ଶ୍ରଦ୍ଧାଳୁ ମାନଙ୍କ ଯୋଗଦାନକୁ ବାରଣ କରାଯାଇ । ବିଧି ପାଳନ କରିବା ଲାଗି ଚର୍ଚ୍ଚ ଓ ମନ୍ଦିର ଆଦି ଧର୍ମାନୁଷ୍ଠାନ ଗୁଡିକରେ ସ୍ବଳ୍ପ ସଂଖ୍ୟକ ବ୍ୟକ୍ତି ବିଶେଷଙ୍କୁ ନେଇ ପାଳନ କରାଯିବ । ଏହାସତ୍ତ୍ବେ ସ୍ଥାନୀୟ ସ୍ଥିତି ପରିଲକ୍ଷିତ କରି ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନର ଅଧିକ କଟକଣା ଲାଗୁ କରିପାରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଏପ୍ରିଲ ୧ ଉତ୍କଳ ଦିବସ ପାଳନ ନେଇ କଟକଣା ଲାଗୁ କରାଯାଇଛି । ସମୂହ ଉତ୍ସବକୁ ବାରଣ ସହ ବିଭିନ୍ନ କାର୍ଯ୍ୟାଳୟରେ ସର୍ବାଧିକ ୨୦୦ଲୋକରେ କୋଭିଡ (Covid Guideline) ନିୟମ ମାନି ପାଳନ କରିପାରିବେ ।
Also Read: ଡରାଇଲାଣି ଖରା, ଆକାଶରୁ ଅଗ୍ନିବର୍ଷା
ଅନ୍ୟ ଅନୁଷ୍ଠାନ ଓ ଘରୋଇ ପ୍ରତିଷ୍ଠାନ ଗୁଡିକ ଉତ୍କଳ ଦିବସ ପାଳନ କରିବା ଲାଗି ସ୍ଥାନୀୟ ପ୍ରଶାସନ ନିକଟରୁ ଅନୁମିତ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଜାରି ହୋଇଥିବା ଗାଇଡଲାଇନରେ ଦୋଳପୂର୍ଣ୍ଣମୀ, ହୋଲି ଉପରେ କଟକଣା ଲଗାଇଥିଲେ ରାଜ୍ୟ ସରକାର । ରାସ୍ତାରେ ହୋଲି (Holi) ଖେଳିବାକୁ ବାରଣ କରିବା ସହ ଘରେ ରହି ପରିବାର ସହ ରଙ୍ଗ ଖେଳିବାକୁ ପରାମର୍ଶ ଦେଇଥିଲେ । ତେବେ ଯଦି କୋଭିଡ୍ ନିୟମ ନମାନି ଏହାକୁ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଆରସି (SRC) ଜାରି କରିଥିବା ଗାଇଡଲାଇନରେ ଉଲ୍ଲେଖ କରିଛନ୍ତି । ସେପଟେ ଏସବୁ ନିୟମକୁ ରାଜଧାନୀରେ କଡାକଡି ଭାବେ ପାଳନ କରିବା ସହ ତର୍ଜମା କରି ଆବଶ୍ୟକ ହେଲେ ଅତିରିକ୍ତ କଟକଣା ଲାଗୁ ହେବ ବୋଲି ବିଏମସି କମିଶନ (BMC Commissioner) ର ପ୍ରେମ ଚନ୍ଦ୍ର ଚୌଧରୀ କହିଛନ୍ତି ।
Edited: Zee Odisha Desk