Kotia Development Work:  ଭୁବନେଶ୍ୱର: ବଦଳୁଛି କୋଟିଆର (Kotia) ଚେହେରା। ବିବାଦୀୟ ଅଞ୍ଚଳରେ ସରକାର ବେଶ ସକ୍ରିୟତାର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ ବିବାଦୀୟ ଅଞ୍ଚଳରେ ବିଭିନ୍ନ ପ୍ରକାର ଉନ୍ନୟନ କାର୍ଯ୍ୟ ମଧ୍ୟ ଆରମ୍ଭ କରିଛନ୍ତି। ଏଥିପାଇଁ ଓଡ଼ିଶା ସରକାରଙ୍କ କିଛି ଉଚ୍ଚପଦସ୍ଥ ଅଧିକାରୀ କୋଟିଆରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟକୁ ପରଖିବା ପାଇଁ ଯିବେ। ଏଥିପାଇଁ ରାଜ୍ୟ ଗୃହ ବିଭାଗ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ଜଣାପଡ଼ିଛି। ଏଠାରେ କହି ରଖୁ କି କୋଟିଆକୁ ଦୀର୍ଘ ଦିନରୁ ଆନ୍ଧ୍ରପ୍ରଦେଶ ତାହାର ବୋଲି ଦାବି କରି ଆସୁଛି। କୋଟିଆ ରାଜ୍ୟ ରାଜଧାନୀ ଠାରୁ ପ୍ରାୟ ୫୫୦ କିଲୋମିଟର ଦୂରରେ ବୋଲି ଜଣାପଡ଼ିଛି। 


COMMERCIAL BREAK
SCROLL TO CONTINUE READING

ଦୀର୍ଘ ଦିନରୁ କୋଟିଆକୁ ନେଇ ବିବାଦ ତେଜିବାରେ ଲାଗିଛି। ଉଭୟ ଓଡ଼ିଶା ଓ ଆନ୍ଧ୍ର କୋଟିଆ ଅଞ୍ଚଳର ସୀମାବର୍ତ୍ତି ଗ୍ରାମକୁ ନିଜର ବୋଲି ଦାବି କରି ଆସୁଛନ୍ତି। ତେବେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଟିଆର ଉନ୍ନତି ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପମାନ ଗ୍ରହଣ କରିଛନ୍ତି। ଏହି ଅଞ୍ଚଳରୁ ଗମନାଗମନ, ରାସ୍ତା, ପୋଲ, ସ୍କୁଲ ପ୍ରତିଷ୍ଠା, ଡାକ୍ତରଖାନା, ବ୍ୟାଙ୍କ, ପୋଲିସ ଷ୍ଟେସନ ଆଦିର ପ୍ରତିଷ୍ଠା ପାଇଁ ପଦକ୍ଷେପ ନେଇଛନ୍ତି। ମୋଟାମୋଟି କହିବାକୁ ଗଲେ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ କୋଟିଆ ବାସୀଙ୍କୁ ଏକ ବଡ଼ ପ୍ୟାକେଜର ବ୍ୟବସ୍ଥା କରିଛନ୍ତି ନବୀନ ସରକାର। ତୃଣମୂଳସ୍ତରରେ ସାମୁହିକ ବିକାଶ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏହି ସବୁ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିବାକୁ ଓଡ଼ିଶା ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀ ଯିବାର ଯୋଜନା ରହିଛି। 


ଗୋଟିଏ ପଟେ ଓଡ଼ିଶା କୋଟିଆରେ ବିଭିନ୍ନ ପ୍ରକାର ଭିତ୍ତିଭୂମୀର ଉନ୍ନତି, ଓ୍ୱେଲଫେୟାର ଯୋଜନା, ଶିକ୍ଷା ଆଦିର ଉନ୍ନତିମୂଳକ କାର୍ଯ୍ୟକୁ ଦ୍ରୁତ ବେଗରେ ଆରମ୍ଭ କରିଥିବା ବେଳେ ଆନ୍ଧ୍ରପ୍ରଦେଶ ବିଭିନ୍ନ ଯୋଜନାମୂଳକ ସ୍କିମରେ କୋଟିଆବାସୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇ ଆସୁଛି। ଏପରିକି ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ, ସ୍ୱାସ୍ଥ୍ୟବୀମା ପ୍ରମୁଖ ଯୋଗାଇ ଦେଇ ଆସୁଛି। 


ସୂଚନାଯୋଗ୍ୟ କୋଟିଆକୁ ନେଇ ଓଡ଼ିଆ ଓ ଆନ୍ଧ୍ରମଧ୍ୟରେ ଦଶନ୍ଧି ଦଶନ୍ଧି ପୁରୁଣା ମାମଲା। ଦୀର୍ଘ ଦିନରୁ ଏହି ମାମଲା ଉଭୟଙ୍କ ମଧ୍ୟରେ ଲାଗି ରହିଛି। କୋଟିଆ ଅଞ୍ଚଳର ସୀମାବର୍ତ୍ତି ୨୨ଟି ରାଜସ୍ୱ ଗ୍ରାମକୁ ନେଇ ଏହି ବିବାଦ ମୁଣ୍ଡ ଟେକିଥିଲା। ତେବେ ଏହି ଉଭୟ ରାଜ୍ୟ ମଧ୍ୟରେ ଚାଲିଥିବା ଏହି ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ବିଚରାଧିନ ରହିଛି। ତେବେ ୨୦୨୧ରେ କୋଟିଆ ପ୍ରଥମ ଥର ପାଇଁ ମତଦାନ କରିଥିଲା। ଆନ୍ଧ୍ରପ୍ରଦେଶ ଏଠାରେ ପଞ୍ଚାୟତ ନିର୍ବାଚନ କରିଥିଲା। ସେହିପରି ଗତବର୍ଷ ୨୦୨୨ରେ ଓଡ଼ିଶାରେ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମଧ୍ୟ ସକ୍ରିୟ ଅଂଶଗ୍ରହଣ କରିଥିଲା 


କୋଟିବାସୀ ଦେଖିବେ ହେଲିକପ୍ଟର
ଓଡ଼ିଶାର ଦକ୍ଷିଣାଞ୍ଚଳରେ ଅବସ୍ଥିତ କୋଟିଆକୁ ବିମାନ ସେବା ଯୋଗାଯୋଗ ପାଇଁ ଓଡ଼ିଶା ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଭୁବନେଶ୍ୱର ଓ ଜୟପୁରରୁ କିଭଳି ଭାବେ ଦୈନିକ ବିମାନ ସେବା ଯୋଗାଯୋଗ କରିହେବ ସେଇଥିପାଇଁ ବିଭିନ୍ନ ପ୍ରକାର ପଦକ୍ଷେପମାନ ଗ୍ରହଣ କରିଛନ୍ତି ସରକାର। ଏଥିପାଇଁ କୋଟିଆରେ ଏକ ହେଲିପ୍ୟାଡ଼ ଆରମ୍ଭ କରିଛନ୍ତି ସରକାର। 


କୋଟିଆର ଜନସଂଖ୍ୟା ପ୍ରାୟତଃ ୪୪୪୩। ୨୨ଟି ବିବାଦୀୟ ଗାଁକୁ ମଧ୍ୟ ସଡ଼କ ପଥ ମାଧ୍ୟମରେ ଗମନାଗମନ ବ୍ୟବସ୍ଥାକୁ ସୁଗମ କରିବାକୁ କାର୍ଯ୍ୟ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ରାଜ୍ୟ ସରକାର ୧.୫୩ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ସମସ୍ତ ବିବାଦୀୟ ଗାଁକୁ ଚକାଚକ ରାସ୍ତା ସଂଯୋଗ କରାଯିବ। ଏପରିକି ପୋଲ, ଏବଂ ଯାତ୍ରୀ ବିଶ୍ରାମାଗାର ମଧ୍ୟ ନିର୍ମାଣ କରାଯିବ। ସେହିପରି ଏହି ବିବାଦୀୟ ଅଞ୍ଚଳରେ ୧୫ଟି ପ୍ରାଇମାରୀ ସ୍କୁଲ ମଧ୍ୟ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ସ୍କୁଲ ଗୁଡିକୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ନିର୍ମାଣ କରିବ। ତେବେ କୋଟିଆର ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ମୋଟ ୨୬.୨୬ କୋଟି ଟଙ୍କା ଅନୁମୋଦନ ହୋଇଛି। 


୧୦୦ ଆସନ ବିଶିଷ୍ଟ ସ୍କୁଲ ହେବ ପ୍ରତିଷ୍ଠା
୧ତାଡିଭାଲାସା ଗ୍ରାମରେ ଆନୁମାନିକ ୧.୧୮ କୋଟି ମୂଲ୍ୟରେ ୧୦୦ ଆସନ ବିଶିଷ୍ଟ ଆବାସିକ ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି। ଅଧିକନ୍ତୁ, ବର୍ତ୍ତମାନର ଏକାଡେମିକ୍ ଅଧିବେଶନରୁ ଗୋଟିଏ ସ୍ୱତନ୍ତ୍ର ଓଡିଶା ଆଦର୍ଶ ବିଦ୍ୟାଲୟା କାର୍ଯ୍ୟକ୍ଷମ ହୋଇଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନା ଅଧୀନରେ ଥିବା ୧୭୪୦ ଚାକିରି କାର୍ଡଧାରୀଙ୍କ ମଧ୍ୟରୁ ୧୨୩୭ ଜଣଙ୍କୁ ଚାକିରି ଯୋଗାଇ ଦିଆଯାଇଛି। ପ୍ରାୟ ୨୯୩ ପରିବାର ୧୦୦ ଦିନର କାମ ପାଇଛନ୍ତି। ଓଡିଶା ସରକାରଙ୍କ ଅନୁଯାୟୀ କୋଟିଆକୁ ପର୍ଯ୍ୟଟନ, ପଶୁପାଳନ, ଉଦ୍ୟାନ କୃଷି, କୃଷି ଏବଂ ଶକ୍ତି ସମେତ ସମସ୍ତ କ୍ଷେତ୍ର ଅଧୀନରେ ପାଣ୍ଠି ଯୋଗାଇ ଦିଆଯାଇଛି। କୋଟିଆ ଗାଁ ଏବଂ କୋରାପୁଟ ଜିଲ୍ଲାର ଏକ ପ୍ରମୁଖ ସହର ସେମିଳିଗୁଡା ମଧ୍ୟରେ ଏକ ଯାତ୍ରୀବାହୀ ବସ୍ ଚଳାଚଳ କରୁଛି।


ଓଡ଼ିଶାର ଅନ୍ୟ କୌଣସି ଗ୍ରାମ ପଞ୍ଚାୟତ କୋଟିଆ ଭଳି ଧ୍ୟାନ ପାଇନାହାଁନ୍ତି। ଯେହେତୁ କୋଟିଆ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ୨୧ଟି ଗ୍ରାମ ଓଡିଶା ସରକାରଙ୍କ କେନ୍ଦ୍ରରେ ରହିଆସିଛି, ତେଣୁ ବିକାଶମୂଳକ ପ୍ରକଳ୍ପର ନିରନ୍ତର ନଜର ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ବିଭାଗୀୟ ମୁଖ୍ୟଙ୍କ ସକ୍ରିୟ ମନିଟରିଂ ପ୍ରକଳ୍ପର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି।