ଭୁବନେଶ୍ୱର: କେବେ ଖୋଲିବ ପ୍ରାଥମିକ ଶିକ୍ଷାନୁଷ୍ଠାନ? ଭୂଷୁଡିଗଲାଣି ପିଲାଙ୍କ ପାଠପଢାର ମୂଳଦୁଆ। କୋରୋନା ସଂକ୍ରମଣ ଲାଗି ଜାରି ହୋଇଥିବା କଟକଣା ହେତୁ ବିନା ପରୀକ୍ଷାରେ କେବଳ ଶ୍ରେଣୀ ଉତ୍ତୀର୍ଣ୍ଣ ଚାଲିଛି। ଏକମାତ୍ର ମାଧ୍ୟମ ସାଜିଥିବା ଅନଲାଇନ ପାଠପଢା ସେତେମାତ୍ରାରେ ଫଳପ୍ରଦ ହେଉନଥିବା ବେଳେ ଏହାର ବିଦ୍ୟାଳୟ ବନ୍ଦ ହେବାର ପ୍ରଭାବ ପିଲାଙ୍କ ମାନସିକତା ଉପରେ ମଧ୍ୟ ପଡୁଛି। ଏପରି ସ୍ଥିତିରେ କୋରୋନା କଟକଣା ମାନି ସ୍କୁଲ ଖୋଲିବାକୁ ରାଜ୍ୟ ସରକାରଙ୍କୁ ପୂର୍ବରୁ ସୁପାରିଶ କରିଛି ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ।


COMMERCIAL BREAK
SCROLL TO CONTINUE READING

କିଛି ଦିନ ତଳେ ସ୍କୁଲ ଖୋଲିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ରାଜ୍ୟ ସରକାରଙ୍କ ହାତରେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ବର୍ତ୍ତମାନ ସ୍ଥିତିକୁ ଦେଖି ଏ ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନଥିବା ବିଭାଗୀୟ ମନ୍ତ୍ରୀ କହିଥିବା ବେଳେ ଯୁଗ୍ମ ଅଯୁଗ୍ମ ଫର୍ମୁଲାରେ ସ୍କୁଲ ଖୋଲିବାକୁ ଶିକ୍ଷକ ସଂଘ ପ୍ରସ୍ତାବ ଦେଇଛି। 


Also Read: ରାଜଧାନୀ ରାଜରାସ୍ତାରେ ଗଡିଲା 'School on Wheels'


ପିଲାଙ୍କ ପାଠପଢା ଚିନ୍ତା, ବଦଳି ଗଲାଣି ମାନସିକତା, ପରିବର୍ତ୍ତନ ହେଲାଣି ବ୍ୟବହାର। ରାଜ୍ୟରେ ଗତ ବର୍ଷ ମାର୍ଚ୍ଚ ମାସରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ଦେଢ ବର୍ଷ ହେବ ପ୍ରାଥମିକ ଶିକ୍ଷାନୁଷ୍ଠାନରେ ତାଲା ପଡିଛି। ପ୍ରାୟ ୨ ବର୍ଷ ହେବ ବିଦ୍ୟାଳୟରୁ ଦୂରରେ ରହି ପିଲାଙ୍କ ମାନସିକତା ପ୍ରଭାବିତ ହେବା ସହ ବ୍ୟବହାରିକ ଅବସାଦ ମଧ୍ୟ ବୃଦ୍ଧି ପାଉଛି। ସେପଟେ ବିଦ୍ୟାଳୟର ଚିତ୍ର ମଧ୍ୟ ବଦଳିଗଲାଣି। ଏଭଳି ସ୍ଥିତିରେ ସ୍କୁଲ ଖୋଲିବା ନିହାତି ଦରକାର ନଚେତ ପିଲାଙ୍କ ମୂଳଦୁଆ ଯଦି ଆହୁରି କ୍ଷତିଗ୍ରସ୍ତ ହୁଏ ତାହେଲେ ସେମାନଙ୍କ ଭବିଷ୍ୟତ ମଧ୍ୟ ଅନ୍ଧାର ହୋଇଯିବ। କୋରୋନା କଟକଣା ମାନି ଆବଶ୍ୟକୀୟ ଆନୁଷଙ୍ଗୀକ ବ୍ୟବସ୍ଥାରେ ସ୍କୁଲ ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ପୂର୍ବରୁ ସୁପାରିଶ କରିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ। ସେପଟେ ସରକାରୀ ନିଷ୍ପତ୍ତିକୁ ନେଇ ପ୍ରସ୍ତୁତ ହୋଇଉଠିଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ।   


ଏଭଳି ଘଡିସନ୍ଧି ମୂହୁର୍ତ୍ତକୁ ଦେଖି ବିଭିନ୍ନ ସଙ୍ଗଠନ ଆଉ ଅନୁଷ୍ଠାନ ପକ୍ଷରୁ ରାସ୍ତା କଡରେ ସ୍କୁଲ୍ ଅନ୍ ହ୍ବିଲ୍ (School On Wheels) ଯୋଜନା ମାଧ୍ୟମରେ ପିଲାଙ୍କୁ ଖେଳକୁଦ କରି ପାଠପଢାଉଛନ୍ତି। ସେପଟେ ଯୁଗ୍ମ ଅଯୁଗ୍ମ ଫର୍ମୁଲାକୁ ବିକଳ୍ପ ଭାବେ ଗ୍ରହଣ କରି ସ୍କୁଲ ଖୋଲିବାକୁ ପ୍ରାଥମିକ ଶିକ୍ଷକ ସଂଘ ପ୍ରସ୍ତାବ ଦେଇଛି। ଗୋଟିଏ ଦିନ ଯଦି ପ୍ରଥମ, ତୃତୀୟ, ପଞ୍ଚମ, ସପ୍ତମ କ୍ଲାସ ହୁଏ ତାହାର ପର ଦିନ ଦ୍ଵିତୀୟ, ଚତୁର୍ଥ, ଷଷ୍ଠ କ୍ଲାସ କରି ଆବଶ୍ୟକ ହେଲେ ଘଣ୍ଟାକୁ ଘଣ୍ଟା ବ୍ରେକ ଦେଇ କ୍ଲାସ କରିବାକୁ ସଂଘ କହିଛି। ଏନେଇ ବିଭିନ୍ନ ବିଭାଗରୁ ପ୍ରସ୍ତାବ ଆସିଥିବା ବେଳେ ଏ ପ୍ରସଙ୍ଗରେ ବର୍ତ୍ତମାନ ପର୍ଯ୍ୟନ୍ତ ସରକାର କୌଣସି ନିଷ୍ପତ୍ତି ନେଇନଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସବୁ ଦିଗକୁ ନେଇ ବିଚାର ଚାଲିଥିବା ମନ୍ତ୍ରୀ କହିଛନ୍ତି। 


Also Read: ଆରମ୍ଭ ହେଲା ଶ୍ରେଣୀଗୃହ ପାଠପଢା; ବିଦ୍ୟାଳୟ ପରିଦର୍ଶନ କଲେ ଶିଶୁ ସୁରକ୍ଷା ଆୟୋଗ


ବର୍ତ୍ତମାନ କୋରୋନା କଟକଣା ବଳୟରେ ନବମ, ଦଶମ, ଦ୍ବାଦଶ ପିଲାଙ୍କ ଶ୍ରେଣୀଗୃହ ପାଠପଢା ଚାଲିଛି। ତୃତୀୟ ଲହର ସଂକ୍ରମଣରେ ଶିଶୁଙ୍କ ପ୍ରତି ଅଧିକ ବିପଦ ରହିଥିବା ନେଇ ଆକଳନ କରାଯାଇଛି। ରାଜ୍ୟରେ ପ୍ରାଥମିକ ଶିକ୍ଷାନୁଷ୍ଠାନ ଖୋଲିବା ଦିଗରେ ସରକାର କେବେ ମୋହର ମାରିବେ ତାହାକୁ ଅପେକ୍ଷା।