ପୁରୀ ହାଜତ ମୃତ୍ୟୁ ମାମଲା: ପୋଷ୍ଟମର୍ଟମ ରିପୋର୍ଟ ଖୋଲିଲା ମୃତ୍ୟର ରହସ୍ୟ
ବିଳମ୍ବରେ ରମେଶଙ୍କ ଶବବ୍ୟବଛେଦ ରିପୋର୍ଟ (PM report) ଆସିବା ନେଇ ଏବେ ପୁରୀରେ ତୁମ୍ବିତୋଫାନ ଆରମ୍ଭ ହୋଇଛି। ପ୍ରଶାସନ ଜାଣିଶୁଣି ରମେଶଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବାରେ ଅବହେଳା କରୁଛି ବୋଲି ଆଇନଜୀବୀ ଅଭିଯୋଗ କରିଛନ୍ତି।
ସଞ୍ଜୟ କୁମାର ମହାପତ୍ର, ପୁରୀ: କେ ରମେଶ ହାଜତମୃତ୍ୟୁର ୧୫ଦିନ ପରେ ଆସିଲା ବ୍ଯବଚ୍ଛେଦ ରିପୋର୍ଟ। ଶରୀରର ୧୮ଟି ସ୍ଥାନରେ ରହିଛି ଇନଜୁରୀ। ପୁଣି ମୁଣ୍ଡରେ ବ୍ଲଡ କ୍ଲଟିଂ ଯୋଗୁଁ ରମେଶର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ମୃତ୍ୟୁ ଘଟଣାକୁ ଦୁଇ ସପ୍ତାହ ବିତିଯାଇଥିଲେ ମଧ୍ୟ ଏଯାବତ ନ୍ଯାୟ ପାଇବାରୁ ପରିବାର ଲୋକ ବଞ୍ଚିତ ହୋଇଛନ୍ତି। ସେପଟେ ପୋଷ୍ଟମର୍ଟମ ରିପୋର୍ଟ ପରେ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି।
ବିଳମ୍ବରେ ରମେଶଙ୍କ ଶବବ୍ୟବଛେଦ ରିପୋର୍ଟ (PM report) ଆସିବା ନେଇ ଏବେ ପୁରୀରେ ତୁମ୍ବିତୋଫାନ ଆରମ୍ଭ ହୋଇଛି। ପ୍ରଶାସନ ଜାଣିଶୁଣି ରମେଶଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବାରେ ଅବହେଳା କରୁଛି ବୋଲି ଆଇନଜୀବୀ ଅଭିଯୋଗ କରିଛନ୍ତି। ସେପଟେ OHRC ଡିଏସପି ମାମଲାର ତଦନ୍ତ କରୁଥିବା ବେଳେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଇଛି ବୋଲି ପୁରୀ (Puri) ଏସପି କନୱର ବିଶାଳ ସିଂ କହିଛନ୍ତି।
Also Read: ଓଡିଶା ପୋଲିସର ଅସଲ ମୁଖା ଖୋଲିଲେ ଗୃହ ରାଷ୍ଟ୍ରମନ୍ତ୍ରୀ !
ମାନବାଧିକାର (Human Rights) ପ୍ରସଙ୍ଗ ରହିଥିବାରୁ ଦୁଇଜଣ ଡାକ୍ତରଙ୍କ ଦ୍ୱାରା କେ ରମେଶଙ୍କ ପୋଷ୍ଟମର୍ଟମ ହୋଇଥିଲା। ତାଙ୍କ ଶରୀରର ଭିତର ଓ ବାହାର ଅଂଶରୁ ମୃତ୍ଯୁର କାରଣ ଖୋଜା ଯାଇଛି। ତେବେ ତାଙ୍କ ମୃତ୍ଯୁ ପାଇଁ ୧୮ଟି ପ୍ରମୁଖ କାରଣ ଦର୍ଶାଯାଇଛି। ପୋଷ୍ଟମର୍ଟମ ହେବାର ୧୨ରୁ ୧୮ଘଣ୍ଟା ପୂର୍ବରୁ ରମେଶର ମୃତ୍ଯ ହୋଇଥିଲା। ମୁଖ୍ୟତଃ ମସ୍ତିଷ୍କରେ ବ୍ଲଡ କ୍ଲଟିଂ ଯୋଗୁଁ ମୃତ୍ୟୁ ହୋଇଥିବା ନେଇ ଡାକ୍ତର ସ୍ପଷ୍ଟ କରିଛନ୍ତି। କିନ୍ତୁ ମୃତ୍ଯୁର ପୂର୍ଣ୍ଣାଙ୍ଗ କାରଣ ଜାଣିବା ପାଇଁ ରାଜ୍ଯ ଫରେନସିକ ବିଭାଗକୁ ମୃତକଙ୍କ ଭିସେରା ପଠାଯାଇଛି। ଭିସେରା (visara) ରିପୋର୍ଟ ଆସିବା ପରେ କେ ରମେଶକୁ ପିଟିପିଟି ମରାଯାଇଛି କି ଅନ୍ଯ କୌଣସି କାରଣରୁ ମୃତ୍ୟୁ ହୋଇଥିଲା ତାହା ଜଣା ପଡିବ।
ପୋଷ୍ଟମର୍ଟମ ରିପୋର୍ଟ ବୟାନ କରୁଛି କେ ରମେଶର ସମଗ୍ର ଶରୀରରେ ଅନେକ କ୍ଷତ ରହିଥିଲା। ରମେଶ ଯଦି ଧସ୍ତାଧସ୍ତିରେ କିମ୍ବା ତଳେ ପଡିଯାଇ ମୃତ୍ୟୁବରଣ କରିଥାନ୍ତା ସମଗ୍ର ଶରୀରରେ ଆଘାତ କାହିଁକି ଆସିଥାନ୍ତା। କେବଳ ମୁଣ୍ଡରେ ଆଘାତ ଲାଗିଥାନ୍ତ। ଏଣୁ ଏ ରିପୋର୍ଟ ହାଜତମୃତ୍ଯୁ ଘଟଣାକୁ ନିର୍ଦ୍ଦେଶ କରୁଛି। ୃ ଭିସେରା ରିପୋର୍ଟ ଆସିବା ପରେ ପୁଲିସର ମୁଖା ଖୋଲିଯିବ ବୋଲି ଆଇନଜୀବୀ ପ୍ରୀୟଦର୍ଶନ ପଟ୍ଟନାୟକ କହିଛନ୍ତି। ହାଇକୋର୍ଟରେ ପିଆଇଏଲ କରିଥିବା ଆଇନଜୀବୀ ଶରତ ରାୟଗୁରୁ କହିଛନ୍ତି ଯେ, ପିଏମ ରିପୋର୍ଟକୁ ସେ ସତ୍ଯପାଠ ଜରିଆରେ ହାଇକୋର୍ଟରେ ଦାଖଲ କରିବେ। ଏହା ମାମଲାକୁ ଅଧିକ ଖୋରାଗ ଯୋଗାଇବ।
Also Read: ପୁରୀ ହାଜତ ମୃତ୍ୟୁ ଘଟଣା; ଜୀବନ ନେଲା ପୋଲିସର ଥାର୍ଡଡିଗ୍ରୀ!
ସେପଟେ ରାଜ୍ୟ ମାନବାଧିକାର କମିଶନ ପକ୍ଷରୁ ଜଣେ ଡିଏସପିଙ୍କୁ ହାଜତମୃତ୍ଯୁ (puri custodial death) ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଛି। ତଦନ୍ତରେ ନିରପେକ୍ଷତା ନେଇ ଜଣେ ଅତିରିକ୍ତ ଏସପି ସୁପରିଭିଜନ କରୁଛନ୍ତି। ୧୭୬ ଆକ୍ଟର କମ୍ପ୍ଲାଏ କରିବା ପାଇଁ JMFC ବି ତଦନ୍ତ ଚଳାଛନ୍ତି। ସରକାର ମୃତକଙ୍କ ପରିବାରକୁ ପାଞ୍ଚଲକ୍ଷ ଟଙ୍କାର ଅନ୍ତରୀଣ ସହାୟତା ପ୍ରଦାନ କରିଛନ୍ତି। ଆସନ୍ତା ୧୪ ତାରିଖରେ ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି ହେବ। ତଦନ୍ତ ସରିବା ପରେ ଯିଏ ଦୋଷି ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୁତନ ଏସପି ସୂଚନା ଦେଇଛନ୍ତି।