ପୁଣି ଖାକିରେ ଲାଗିଛି କଳଙ୍କ! ପୁରୀ ପୋଲିସ ନାଁରେ କେତେବେଳେ ନାବାଳିକା ଗଣଦୁଷ୍କର୍ମର ଅଭିଯୋଗ ତ ଆଉ କେତେବେଳେ ଆସିଛି ପାୱାରର ଅପବ୍ୟବହାର କରି ମହିଳାଙ୍କୁ ଦୁଷ୍କର୍ମ କରିବାର ସଂଗୀନ ଅଭିଯୋଗ।
Trending Photos
ସଞ୍ଜୟ କୁମାର ମହାପାତ୍ର, ପୁରୀ: ପୁଣି ଖାକିରେ ଲାଗିଛି କଳଙ୍କ! ପୁରୀ ପୋଲିସ ନାଁରେ କେତେବେଳେ ନାବାଳିକା ଗଣଦୁଷ୍କର୍ମର ଅଭିଯୋଗ ତ ଆଉ କେତେବେଳେ ଆସିଛି ପାୱାରର ଅପବ୍ୟବହାର କରି ମହିଳାଙ୍କୁ ଦୁଷ୍କର୍ମ କରିବାର ସଂଗୀନ ଅଭିଯୋଗ। ଆଉ ଗୁରୁବାର ହାଜତ ମୃତ୍ୟୁ ଅଭିଯୋଗ ପ୍ରମାଣିତ କରିଛି ଏବେ ବି ପୁଲିସ ଚରିତ୍ରରେ ରହିଛି ବ୍ରିଟିଶ ରକ୍ତ।
ପୁରୀ ବାସେଳିସାହୀ ଥାନାରେ ଘଟିଥିବା ହାଜତମୃତ୍ଯୁ ଘଟଣା ପୁଲିସର ଅସଲ ଚେହେରା ପଦାରେ ପକାଇଛି। ହାଜତରେ ଜଣେ ଅପରାଧିକୁ ପିଟିପିଟି ମାରିଦେବା ଘଟଣା କେବଳ ପୁରୀ କାହିଁକି ସାରା ରାଜ୍ଯକୁ ସ୍ତମ୍ବିଭୁତ କରିଛି। କଥିତ ହାଜତ ମୃତ୍ୟୁ ହୋଇଥିବା ଯୁବକ ହେଉଛନ୍ତି ଲୋକନାଥ ରୋଡ ଫାଦର ସ୍କୁଲ ଅଞ୍ଚଳର କେ ରମେଶ। କିଛିଦିନ ତଳେ ସେ ତାଳଚେର ଜେଲରୁ ମୁକୁଳିଥିଲା।
କେ ରମେଶଙ୍କ ନାଁରେ ପୁରୀ, ଅନୁଗୁଳ, ଭୁବନେଶ୍ୱର ଆଦି ବିଭିନ୍ନ ଥାନାରେ ରହିଛି ଏକାଧିକ ଅପରାଧିକ ମାମଲା। ଅନୁଗୁଳରେ ଏକ ଡକାୟତି ମାମଲାରେ ଚାଳଚେର ଜେଲରେ ସାତବର୍ଷ ସଜାକାଟି ରେମେଶ ଫେରିଥିଲା। ବିଭିନ୍ନ ସମୟରେ ଚୋରୀ, ଡକାୟତି, ହତ୍ଯା ଉଦ୍ଯମ ଭଳି ଅନେକ ମାମଲା ସହିତ ପ୍ରତ୍ଯକ୍ଷ ଭାବେ ସେ ଜଡ଼ିତ ଥିଲା। ବୁଧବାର ରାତିରେ ଲୋକନାଥ ରୋଡ ଫାଦର ସ୍କୁଲ ଘରେ ଶୋଇଥିବା ବେଳେ ତାକୁ ବାସେଳିସାହୀ ଥାନା ପୁଲିସ ଉଠାଇ ନେଇଥିଲା।
ରାତିରେ ହାଜତ ଭିତରେ ଥାର୍ଡଡିଗ୍ରୀ ଦେଇଥିବା ଅଭିଯୋଗ ହୋଇଛି। ପ୍ଲାଷ୍ଟିକ ପାଇପରେ କେ ରମେଶଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ଅମଣିଷ ପାଲିଟି ପୋଲିସ ପିଟି ଚାଲିଥିଲେ। ଥାର୍ଡଡିଗ୍ରୀ ଏତେ ସାଂଘାତିକ ଥିଲା ଯେ କେ ରମେଶ ଅସୁସ୍ଥ ହୋଇପଡିଲା। ତା ହାତରେ ଦାଗକୁ ଦେଖିଲେ ସ୍ପଷ୍ଟ ବାରିହୋଇ ପଡୁଛି ପୋଲିସର ଥାର୍ଡଡିଗ୍ରୀ କେତେ ଯନ୍ତ୍ରଣା ହୋଇଥିବ। ତାକୁ ତୁରନ୍ତ ପୁରୀ ସଦର ହସପିଟାଲକୁ ନିଆଯାଇଥିଲା। ମାତ୍ର ମେଡିକାଲରେ ପହଞ୍ଚିବା ପୂର୍ବରୁ ତାର ମୃତ୍ୟୁ ଘଟିଥିଲା।
କେ ରମେଶର ମୃତ୍ୟୁ ହେବା ପରେ ଖାକିଙ୍କ ଦେହରୁ ରକ୍ତ ଶୁଖିଗଲା। ଭୟରେ ବାଟବଣା ହୋଇଯାଇଥିଲା ପୁଲିସ। ସେହି କାଳରାତିରେ ମୋଚିସାହି ଘରୁ ସିବିଚ୍ ଥାନା ପୁଲିସ ସହାୟତାରେ ଉଠାଇ ନିଆଗଲା ତାର ବାପାମାଆଙ୍କୁ। ପୁଅର ମୃତଦେହ ଗ୍ରହଣ କଲେ ବୋଲି ଜୋର ଜବରଦସ୍ତ ଦସ୍ତଖତ ନେଇଗଲେ। ତେବେ ଏବେ ସୁଦ୍ଧା ସେମାନଙ୍କ ପତ୍ତା ମିଳୁନି।
ସେପଟେ ହାଜତ ମୃତ୍ୟୁ ଅଭିଯୋଗ ଆସିବା ପରେ ପୁରୀରେ ବିଦ୍ରୋହର ନିଆଁ ଜଳିଛି। ସାଧାରଣ ଜନତା, ଓକିଲ ସଂଘ, ବିଜେପି ଓ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଶବବ୍ଯବଚ୍ଛେଦ ଗୃହ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ଦୀର୍ଘ ସମୟ ଧରି ଧାରଣା ଦିଆଯାଇଥିଲା। ପୁଲିସ କଳେବଳେ ଶବବ୍ଯବଚ୍ଛେଦ ଗୃହରୁ କେ ରମେଶର ମୃତଦେହକୁ ସ୍ୱର୍ଗଦ୍ୱାରକୁ ନେଇ ପରିବାର ପରିଜନଙ୍କୁ ନଜଣାଇ ପୁଲିସ ଶବଦାହ କରିଦେଲେ। ଯାହା କେବଳ ହୃଦୟ ବିହିନ ବ୍ରିଟିଶରସ ମାନେ କରିପାରିବେ ସେହି କାମ ଆମ ହିନ୍ଦୁ ସମାଜର ପୁଲିସ କଲେ।
ସେପଟେ ପୁରୀ ବାସେଳିସାହୀ ଥାନା ହାଜତ ମୃତ୍ୟୁ ଘଟଣାକୁ ଅତି ସମ୍ବେଦନଶୀଳ ଘଟଣା ଭାବେ ନେଇଛନ୍ତି ପୁରୀ ଏସପି ଅଖିଳେଶ୍ୱର ସିଂ। ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏନଏଚଆରସି ଗାଉଡ଼ଲାଇନ ଅନୁଯାୟୀ ଘଟଣାର ତଦନ୍ତ କରାଯିବ। ଟିମ୍ ଅଫ ଡାକ୍ତର ଦ୍ୱାରା ଶବବ୍ୟବଚ୍ଛେଦ କରାଯାଇଛି। ତଦନ୍ତ ସମୟରେ ଫଟୋଗ୍ରାଫି ଓ ଭିଡିଓଗ୍ରାଫି କରାଯିବ। ହାଜତ ମୃତ୍ୟୁ ନେଇ ଥାନାରେ ମାମଲା ରୁଜୁ ହୋଇଛି। ଏଚଆରପିସି ଡିଏସପି ତଦନ୍ତ କରିବା ସହ ଜଣେ ଅତିରିକ୍ତ ଏସପି ଏହାର ସୁପରିଭିଜନ କରିବେ।
ରମେଶଙ୍କୁ ଗିରଫ କରାଯିବା ସମୟରେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା। ମେଡିକାଲ ନେବା ବାଟରେ ତାର ମୃତ୍ଯୁ ହୋଇଥିଲା। ତାଙ୍କ ବିରୁଦ୍ଧରେ ମଧ୍ୟ ବାସେଳିସାହୀ ଥାନାରେ କେଶ ନମ୍ବର ୩୧୮, ଦଫା ୩୦୭, ୩୨୩, ୩୪୧ରେ ମାମଲା ରୁଜୁ ହୋଇଛି। ତେବେ ହାଜତ ମୃତ୍ଯୁ ମାମଲାର ବିଚାରବିଭାଗୀୟ ତଦନ୍ତ ପାଇଁ ମାନ୍ଯବର କୋର୍ଟଙ୍କୁ ଚିଠି ଲେଖିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ଅଖିଳେଶ୍ୱର ସିଂ।
ସେପଟେ ହାଜତ ମୃତ୍ୟୁ ଘଟଣା ଏବେ ରାଜନୈତିକ ରୂପ ନେଉଛି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ବିଜେପିର ୨୨ ଜଣିଆ ବିଧାୟକ ଟିମ୍ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଆଗରେ ମୃତକ ଦଳିତ ଯୁବକଙ୍କ ଲାଗି ଦିପ ଜାଳିଛନ୍ତି। ଏସପିଙ୍କ କାର୍ଯ୍ଯାଳୟ ଆଗରେ ବିକ୍ଷୋଭକାରୀଙ୍କ ସହ ସାମିଲ ହେବା ପରେ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ଏଭଳି ପରିସ୍ଥିତିରେ ଦଳ ପକ୍ଷରୁ ପରିବାରକୁ ଏହି ମାମଲାରେ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ପୁଲିସର ବର୍ବରତାକୁ କଦାପି ଦଳ ପ୍ରଶ୍ରୟ ଦେବନାହିଁ। ବିଧାନସଭାରେ ପ୍ରଶ୍ନୋତ୍ତର କାଳରେ ଏହାକୁ ପ୍ରସଙ୍ଗ କରାଯିବ। ପ୍ରଥମତଃ ଜଣେ ଅପରାଧି ହେଉ କି ସାଧାରଣ ଲୋକ ହେଉ ସେମାନଙ୍କୁ ବାଡେଇବାର ଅଧିକାର ପୁଲିସର ନାହିଁ। ହାଜତ ମୃତ୍ୟୁ ପରେ ପରିବାରକୁ ମୃତଦେହ ହସ୍ତାନ୍ତର ନକରିବା ଏକ ଧର୍ତ୍ତବ୍ଯ ଅପରାଧ। ପୁଲିସର ଏଭଳି ବର୍ବରତାକୁ ନିନ୍ଦା କରିବା ସହ ନିରପେକ୍ଷ ତଦନ୍ତ ନେଇ ଜଣେ ସ୍ୱତନ୍ତ୍ର ବିଚାରବିଭାଗୀୟ ଜଜଙ୍କ ଦ୍ୱାରା ତଦନ୍ତ ଦାବି କରିଛନ୍ତି ବିରୋଧୀ ଦଳ ନେତା। ଏସପିଙ୍କ ଦାୟିତ୍ୱ ହିନତା ଯୋଗୁଁ ଏଭଳି ଘଟଣା ଘଟିଲା। ତୁରନ୍ତ ଏସପିଙ୍କୁ ବଦଳି କରାଯିବା ସହ ମୃତ୍ୟୁଙ୍କ ପରିବାରକୁ ଏକକୋଟି ଟଙ୍କାର ସହାୟତା ଦେବା ପାଇଁ ଦାବି କରିଛନ୍ତି।
ସେପଟେ ପୁଅକୁ ପିଟିପିଟି ମାରି ଦେବା ପରେ ତା ବାପା ଓ ମାଆକୁ ଏପର୍ଯ୍ୟନ୍ତ ପୁଲିସ ଛାଡିନାହିଁ। ପରିବାରର ସହମତି ବିନା ପୁଲିସ ନିଜେ ସ୍ୱର୍ଗଦ୍ୱରରେ ଶବଦାହ କରିଛି। ଏନେଇ ଆଇନର ଆଶ୍ରୟ ନେବେ ବୋଲି ପରିବାର ପକ୍ଷରୁ କୁହାଯାଇଛି। ୨୨ ଜଣିଆ ବିଧାୟକ ଟିମ ଉପରେ ଭରଷା ରଖିଥିବା କହିଛନ୍ତି ମୃତକଙ୍କ ସମ୍ପର୍କୀୟ ମାଆ। ତେବେ ଏହି ହାଜତ ମୃତ୍ଯୁ ମାମଲାରେ କେବେ ଆସିବ ରାୟ ଆଉ କେ ରମେଶଙ୍କ ପରିବାରକୁ ମିଳିବ ନ୍ଯାୟ ତା ଉପରେ ରହିବ ସମସ୍ତଙ୍କ ନଜର।